କଜଳ ଗାର

 

 

 

 

 

 

 

 

 

 

 

କଜଳ ଗାର

ବୀରେନ୍ଦ୍ର ମୋହନ ପଟ୍ଟନାୟକ

 

‘କଜଳ ଗାର’ ଉପନ୍ୟାସଟିର ଘଟଣାଗୁଡ଼ିକ ଜୀବନ୍ତ ମନେ ହେବ । ଏଥିପାଇଁ ସାମ୍ୱାଦିକ ଓ ସାହିତ୍ୟିକ ଶ୍ରୀଯୁକ୍ତ ଗୋପୀନାଥ ମହାନ୍ତିଙ୍କ ନିକଟରେ କୃତଜ୍ଞତା ଜଣାଉଛି । ଘଟଣାଗୁଡ଼ିକର ପରିକଳ୍ପନା କରିବାରେ ସେ ବିଶେଷ ସାହାଯ୍ୟ ଦେଇଥିଲେ ।

 

ଏହି ଉପନ୍ୟାସର ନାୟିକା ଶ୍ୟାମାଦେବୀ ଓ ମୋର ଦ୍ୱିତୀୟ ଉପନ୍ୟାସ ‘ଅସରନ୍ତି’ର ନାୟିକା କୃଷ୍ଣପ୍ରିୟା ସମାନ ମନେ ହୋଇ ପାରନ୍ତି । କିନ୍ତୁ ‘କଜଳ ଗାର’ ସମ୍ପୂର୍ଣ୍ଣ ନୂତନ ରଚନା–ପ୍ରକାଶଭଙ୍ଗୀ, ଲକ୍ଷ୍ୟ ଓ ଆଭିମୁଖ୍ୟ ସବୁ ଦିଗରେ । ଏଥିରେ ତୃଟି ଥାଇପାରେ । ବିନୟର ସହିତ କ୍ଷମା ପ୍ରାର୍ଥନା କରୁଛି ।

 

ରାଜକିଶୋର ପଟ୍ଟନାୟକ

୨୧–୯–୫୯

✽✽✽

 

ଶ୍ରୀଯୁକ୍ତ ବୀରେନ୍ଦ୍ରମୋହନ ପଟ୍ଟନାୟକ

.......କରକମଳେଷୁ !

ଏବେ ବି ଆପଣ ଲେଖିବା ଆରମ୍ଭ କଲେ

ଆମର ତଥାକଥିତ ଲେଖାଗୁଡ଼ିକ

ମ୍ଳାନ ଦିଶିବେ ।

 

ରାଜକିଶୋର

୨୫–୯–୫୯

✽✽✽

 

ଏହି ଲେଖକଙ୍କର ପ୍ରକାଶିତ ଉପନ୍ୟାସ

 

୧.

ଅସରନ୍ତି

୨.

ସ୍ମୃତିର ମଶାଣି

୩.

ବିରହିଣୀ

୪.

ପ୍ରେମିକର ଡାଏରୀ

୫.

ସଞ୍ଜବତୀ

୬.

ଚଲାବାଟ

୭.

ସପନ କୁହୁଡ଼ି

୮.

ଭସାମେଘ

୯.

ସିନ୍ଦୂର ଗାର (ପରିବର୍ଦ୍ଧିତ ଓ ସମ୍ପୂର୍ଣ୍ଣ)

୧୦.

କଜଳ ଗାର

ପ୍ରକାଶିତ କ୍ଷୁଦ୍ରଗଳ୍ପ ପୁସ୍ତକ

୧୧.

ପଥୁଳି

୧୨.

ତୁଠ ପଥର

୧୩.

ହୃଦୟର ବନ୍ଧନ

୧୪.

ନିଶାଣ ଖୁଣ୍ଟ

୧୫.

ଶାଳଗ୍ରାମ

୧୬.

ଭଡ଼ାଘର

୧୭.

କଳ୍ପନାର ଫୁଲ

୧୮.

ପଥର ଢିମା

ଅନ୍ୟାନ୍ୟ

୧୯.

ପ୍ରେମର ନିୟତି

୨୦.

ପଞ୍ଜୁରୀ ପକ୍ଷୀ

୨୧.

ଅପ୍ରକାଶିତ ଉପନ୍ୟାସ ଓ କ୍ଷୁଦ୍ର ଗଳ୍ପ

✽✽✽

 

ମୋର କହିବାର କଥା–

 

ଗଭୀର ଅନୁଭୂତି ସଂଗ୍ରହ କରିବାର ସୌଭାଗ୍ୟ ଘଟି ପାରିଲା ନାହିଁ । ଦେଖିଥିବା, ଶୁଣିଥିବା ଓ ଭାବିଥିବା ବିଷୟମାନଙ୍କୁ ଠିକ୍‌ ଭାବରେ ଦେଖି ପାରିନାହିଁ, ଶୁଣି ପାରିନାହିଁ ଓ ବିଚାରି ପାରିନାହିଁ । ଲେଖିଲାବେଳେ ବଡ଼ ଅସୁବିଧା ଭୋଗିଛି ଭାବନାକୁ ରୂପ ଦେବାରେ ।

 

ତେଣୁ ନୂଆ କରି ଉପନ୍ୟାସ ଲେଖିବା ଆରମ୍ଭ କରିବାକୁ ବାଧ୍ୟ ହେଲି । ସେହି ଚେଷ୍ଟାର ପ୍ରଥମ ବହି ହେଉଛି–‘କଜଳ ଗାର’ ।

 

ଉପରୋକ୍ତ ବିଷୟ ପ୍ରତି ଦୃଷ୍ଟିଦେଇ ସହାନୁଭୂତି ସହିତ ଗ୍ରହଣ କରିନେବାକୁ ପାଠକମାନଙ୍କୁ ମୋର ସନିର୍ବନ୍ଧ ଅନୁରୋଧ ।

 

ରାଜକିଶୋର ପଟ୍ଟନାୟକ

୨୧–୯–୫୯

✽✽✽

 

 

 

 

 

 

 

 

 

 

 

 

 

ଲୋକର ପଢ଼ିବା ମତାମତ

 

ନୂଆକଥା କେବେ ନୁହେଁ । ପୁରୁଣା ବି ହୋଇ ପାରେନା ।

 

ପ୍ରତିଦିନ ଭାତ ଖାଇଲାବେଳେ ଆମେ ଯେମିତି କିଛି ନୂଆ ଜିନିଷ କରୁନାହିଁ, ଅଥଚ ଆନନ୍ଦ ପାଇଥାଉ, ତୃପ୍ତି ଆଉ ସନ୍ତୋଷ ମିଳେ ସେମିତି ଏ ଦେହଘଷା ଦୁନିଆରେ ବହୁତ କିଛି ହୁଏ–ଅତି ପୁରୁଣା, ଲୋକଙ୍କର ଅତି ପରିଚିତ । କିନ୍ତୁ ଯାହା ଜୀବନରେ ଘଟେ–ଘଟିଲାବେଳେ ହୋଇଯାଏ ଗୋଟିଏ ଗୋଟିଏ ନିଶାଣଦିଆ ପଥର ।

 

ନଈର ବାଲିଗରଡ଼ା ପରି କେତେ ପିଲା ଆଉ ବଡ଼ ମଣିଷଙ୍କ ମନରେ ଛୋଟ ପଥରଖଣ୍ଡିକ ବହୁମୂଲ୍ୟ ଧନର ସ୍ମୃତି ଓ ଉତ୍ସାହ ଆଣିଥାଏ । ଲୋକେ ଗୋଟେଇ ଆଣି ସାଇତନ୍ତି । ପୁଣି ସେମିତି ଭୁଲିଯାଆନ୍ତି–ଫୋପାଡ଼ି ଦିଅନ୍ତି ।

 

ପଛକୁ ଫେରି ଚାହିଁଲେ ସମସ୍ତେ ଦେଖିପାରନ୍ତି–କେତେ ସୁଖର ସ୍ମୃତି, କେତେ ଦୁଃଖର ଅନୁଭବ ହଜିଯାଇଛି । ମନ କେତେକଥା ଆଶା କରିଛି । କିନ୍ତୁ ପାଇନାହିଁ–କେତେ ଦରବ ପାଇଁ ଲୋଭ ବଳିଛି । ମିଳିନାହିଁ । ଆଉ ସେମିତି କେତେ ପଦାର୍ଥ ମିଳିଛି, ତେବେ ବି ରହିନାହିଁ ।

 

ମନ ଭାଙ୍ଗିଗଲା ପରେ ସେ ସବୁ ଆଳିମାଳିକା ପରି ହଜିଯାଏ । ଏମିତି ବି–ତା’ ଖବର ଖିଆଲୀ ମନରେ ରହିପାରେ ନାହିଁ । ଯାହାପାଇଁ ଦିନେ ଦିନରାତି ବାରି ହେଉ ନ ଥିଲା, ଯାହାର ଟିକିଏ ସ୍ନେହ ଓ ମମତା ପାଇବାପାଇଁ ମନରେ ଅସରନ୍ତି କୌତୁକ ଓ କୌତୂହଳ ଆସୁଥିଲା, ସେ ସବୁ ମଉଳିଯାଏ । ଥରେ ନୁହେଁ ବହୁତ ଥର ।

 

ଜୀବନର ଚଲାବାଟରେ ଏମିତି ଉଦୟ ଅସ୍ତ ଲାଗି ରହିଥାଏ । ବାରମ୍ୱାର ଭଙ୍ଗା ହୁଏ ଓ ଗଢ଼ା ହୁଏ । ଖୋଜିବା ଓ ଭୁଲିଯିବା ସତେ ଯେପରି ମଣିଷର ଧର୍ମ ! ସେ କାହିଁକି ଧାଏଁ ଆଉ ଧାଇଁବା ପରେ ପସ୍ତାଏ; ଅନୁତାପ ଆସିଲେ ବିରାଗୀ ହୁଏ; ପୁଣି ବିରାଗୀରୁ ଅନୁରାଗୀ ହୁଏ–କେହି ତ କହିପାରିବ ନାହିଁ ।

 

ଅତୀତର ହାତଗଣିତା ଦିନ ଭିତରୁ ଯୌବନର ପ୍ରଥମ ଅଧ୍ୟାୟରେ ସୁଭାଷ ଠିଆ ହୋଇଥିଲା ବେଳେ ଶ୍ୟାମା ଯୌବନର କଳ୍ପନା–ବିଳାସୀ ମନର ସବୁ ରଙ୍ଗ ନେଇ ଆସି ପହଞ୍ଚିଲା–ପ୍ରତ୍ୟେକ ବୃଦ୍ଧା ଓ ପ୍ରୌଢ଼ା ଯେମିତି ଦିନେ କୁମାରୀ ଓ ତରୁଣୀ ସୁଲଭ ମଦିରା ନେଇ ଦେଖା ଦେଇଥାନ୍ତି ।

 

ଓଡ଼ିଶା ସରକାରରେ ସବ୍‌ଡ଼େପୁଟି ଚାକିରି ପାଇ ସୁଭାଷବାବୁ ନିଜକୁ ବଡ଼ ଗୌରବାନ୍ୱିତ ମନେ କରୁଥିଲେ । ପଢ଼ା ଶେଷରେ ସାର୍ଟିଫିକେଟ ପରି, ସାର୍ଟିଫିକେଟ ପରେ ଚାକିରି ପାଇବା ଜୀବନର ଗୋଟିଏ ଅଧ୍ୟାୟର ମଉଡ଼ ।

 

ପାଠପଢ଼ା ସମୟର ବେଖାତିରିଆ ଦୁନିଆର ସବୁ ବେଖାତିରି ସରିଛି । ଚାକିରି ଆସିଛି-। ସମସ୍ତଙ୍କର ଆସ୍ପର୍ଦ୍ଧା ଆଉ ଶ୍ରଦ୍ଧାର ହିସାବ ନିକାଶ କରିବା ପାଇଁ । ଚାକିରି ପାଇଲା ପରେ ସୁଭାଷବାବୁ ତାଙ୍କର ସେଇ ଦରମା ସାଙ୍ଗରେ ଦୁନିଆର ସବୁ ପ୍ରକାରର କ୍ଷମତା, ଆଧିପତ୍ୟ, ଧନଦୌଲତ ଆଉ ସୁଖସୌଭାଗ୍ୟକୁ ଆଣି କଛ କରୁଥିଲେ । ସେତେବେଳେ ସେଇ ଚାକିରି ହୋଇଥିଲା ଓଡ଼ିଶାର ସବୁଠାରୁ ବଡ଼ ଚାକିରି । ବଡ଼ ହାକିମ ନିଆ ହେଉ ନ ଥିଲେ-। ବିଦ୍ୱାନ ବୋଲାଉଥିବା ଅଧ୍ୟାପକମାନେ ଊଣା ଦରମା ପାଉଥିଲେ । ଠିଆ ହେଲାବେଳେ ମନେ ହେଉଥିଲା, ଆଉ ଲୋକେ ବି କହୁଥିଲେ–ଇଏ ହେଉଛି ସର୍ବଶ୍ରେଷ୍ଠ । ସହଜେ ତ ବୟସ ବାଇଶି ପଚିଶି ଭିତରେ ରହିବ ।

 

ଚାକିରିର ଆନୁସଙ୍ଗିକ କ୍ଷମତା ପଛକେ ଯେଡ଼େ ଲୋକହସା ହେଉନା କାହିଁକି, ବାହାରର ଲୋକେ ଛୋଟିଆ ରଜାଙ୍କର ପଟୁଆରୀ ପରି ଆସି ଠୁଳ ହେଉଥିଲେ–ବୀମା କମ୍ପାନୀର ଏଜେଣ୍ଟ୍, ବାହାଘର ଘଟକ, ଆଉ କାମ–ହାସଲ–କଲା ଲୋକଙ୍କର ପ୍ରତିନିଧିମାନେ । ସେମାନେ ସମସ୍ତେ କହୁଥିଲେ ଯେ ସୁଭାଷ ବାବୁ ଜଣେ ରାଜା–ତେବେ ବିଶ୍ୱାସ ନ ଆସିବ କେମିତି ? ବିଶ୍ୱାସ ନ କଲେ କେହି କ’ଣ ରାଜା ହୁଏ–କେହି କ’ଣ ହାକିମ ହୁଏ ? ମନ୍ତ୍ରୀ ହୋଇ ପାରିବ କି ?

 

ଏଇ ଆଖି ଝଲସା, କାନତରକା ମାଳମାଳ ମୂଲ୍ୟହୀନ କଥା ଆଉ ଦୃଶ୍ୟ ସୁଭାଷବାବୁଙ୍କୁ ଆଣି ଥୋଇଥିଲା ଗୋଟିଏ ମାୟାପୁରୀରେ । ତାଙ୍କ ଗୋଡ଼ ପାଖରେ ସବୁ ଅଛି । ଯାହା ମିଳୁନାହିଁ–ସେତିକି ହେଉଛି ସଂସାରର ଦୁର୍ନୀତି ।

 

ସେଥିଭିତରୁ ଗୋଟିଏ ହେଉଛି ଭଡ଼ାଘର । ଚାକିରିର ସବୁ ଅହମିକା ପାଖରେ ଭଡ଼ାଘର ମୁଣ୍ଡ ନୁଆଏଁ ନାହିଁ । ଓଲଟି ତାକୁ ଖୋଜିଲାବେଳେ ସେ ନିଜକୁ ଉଚ୍ଚ ନ କଲେ ବି ଘରର ମାଲିକ ଅଧିକରୁ ଅଧିକ ଡେଙ୍ଗା ହେବାକୁ ଆରମ୍ଭ କରେ । ତା’ର ଏଇ ପ୍ରୌଢ଼ି କମାଇବାକୁ ଆଇନକାନୁନ ହୋଇନଥିଲା । ଆଉ ପ୍ରତାପୀ ଲୋକ ଅଭିଯୋଗ କରିବା ମଧ୍ୟ ଅସୁନ୍ଦର ।

 

ମନରେ ଏମିତି ଆହତ ଅଭିମାନର ବୋଝ ବୋହି ସୁଭାଷ ବାବୁ କୌଣସି ବଡ଼ କି ସାନ ଘରବାଲାକୁ କାବୁ କରି ପାରି ନଥିଲେ । ତାଙ୍କରି ଅଫିସର କୌଣସି ଅମଲାକୁ ଘରୁ ବେଦଖଲ କରି ପାରି ନଥିଲେ । ଇଚ୍ଛା ନଥିଲେ ମଧ୍ୟ ସେ ବହୁତ ଘର ବୁଲି ବୁଲି ଦେଖିଥିଲେ । ମନକୁ ନପାଇଲେ ବି ସେ ବହୁତ ଘର ବାଛିଥିଲେ । ଶେଷକୁ ସହରର ଗୋଟିଏ କମ୍‌ ଜଣାଶୁଣା ରାସ୍ତା ପାଖରେ ପ୍ରତିଷ୍ଠା ହୋଇ ନଥିବା, ସମ୍ପୂର୍ଣ୍ଣ ତିଆରି ହୋଇ ନଥିବା ଘରଟିଏ ପାଇ ନିଜକୁ ଯେତେ ହତଭାଗ୍ୟ ମନେ କଲେ ବି ଆପଣାର ବିଚାର ବୁଦ୍ଧିରେ ଭାଗ୍ୟବାନ ବୋଲି ଭାବୁଥିଲେ ।

 

ସେଇ ଘର ଶ୍ୟାମାଦେବୀଙ୍କ ସାଙ୍ଗରେ ପରିଚୟର ମୂଳଦୁଆ ପକାଇଥିଲା । ସେଇ ଘର ଭିତରକୁ ନାନା ସଙ୍କୋଚ ନେଇ ପଶିଲାବେଳେ ତାଙ୍କୁ ଜଣାଯାଇଥିଲା ଯେମିତି ଦୁନିଆର ସେଇ ହାଟ ତାଙ୍କୁ ହଟହଟା କରୁଛି । ମୁହଁରେ ଅକାରଣ ଭ୍ରୂକୁଟି ଖେଳାଇ ସେ ପଶି ଯାଇଥିଲେ । କାମ ଅଧା । କାନ୍ଥ ଓଦାଳିଆ, ମେଜିଆ ଚଟାଣ ନୂଆ ଜିନିଷ ପରି ଖଡ଼୍‌ଖଡ଼୍‌ ଆଖିକୁ କି ପାଦକୁ ନରମ ନୁହେଁ ।

 

ଘରର ଆଖପାଖରେ ସୁନ୍ଦର ସୁନ୍ଦର ପଡ଼ୋଶୀ ଘର ଠିଆ ହୋଇଥାନ୍ତି । କାହାର ଅଗଣାରେ ଗଛ ନଇଲେ ବଗିଚା । ଘରେ ପରଦା ଝୁଲୁଛି । ରହିବା ଲୋକ ଘଷି ହୋଇ ଗାଧୋଇଲା ପରି ଘରଟିମାନଙ୍କୁ ଚିକ୍‌କଣ କରିଛନ୍ତି । ଦେଖିଲେ ଜଣାପଡ଼ୁଛି ଯେ ସେ ସେମାନଙ୍କର ବହୁତ ତଳେ । ସେ ନିଜେ ଯେତିକି ବଡ଼, ତାଙ୍କର ପରିବେଶ ସେତିକି ନିଉଛୁଣା ।

 

ଶ୍ୟାମା ଦେବୀଙ୍କର ଘରେ ଇନ୍ଦ୍ରଧନୁ ରଙ୍ଗର ପରଦା । ଆଗରେ ଫୁଲ ଓ ଫଳ ବଗିଚା । ଘର ଭିତରୁ ସିଏ ବି ଲକ୍ଷ୍ୟ କରୁଥିଲା ନୂଆ ଘରର ପହିଲି ଭଡ଼ାବାଲା–କିଏ–କିଏ ସେ ?

 

ପଡ଼ୋଶୀର ସାମାନ୍ୟ କୌତୂହଳ–ଖାଲି ତାଙ୍କରି ପାଇଁ ନୁହେଁ, ସମସ୍ତଙ୍କ ପାଇଁ–ଅଜଣା ଲୋକକୁ ଜାଣିବା ପାଇଁ, ଅଦେଖା ଲୋକକୁ ଦେଖିବାପାଇଁ । ନୂଆ ପଡ଼ୋଶୀର ଆକାରପ୍ରକାର ବୁଝିବା ପାଇଁ ସେଦିନ ଶ୍ୟାମାଦେବୀଙ୍କର କୌତୂହଳ ।

 

ବାବୁ ସେତେବେଳେ ଆପଣା ଲାଜରେ ବିବ୍ରତ ଥିଲେ । ତାଙ୍କର ବୁଝିବାକୁ ଉତ୍ସାହ ନଥିଲା । ସେସବୁ କଥା ପରେ । ସେ ତ ଛାଡ଼ିଦେବେ ସେ ଘର–ମୋଟେ ମାନୁନାହିଁ ତାଙ୍କୁ । ଖାଲି ବାଧ୍ୟରେ ସିନା ଆସିଛନ୍ତି–ସହାନୁଭୂତିରେ ନୁହେଁ, କୃପା ଦେଖାଇ । ଚପରାସିକୁ ବହୁତ ପ୍ରକାରରେ କହିଥିଲେ । ହୁଗୁଳା ଶାସନ କଳର ନାନାପ୍ରକାରର ଅଭାବ କଥା ।

 

ଯାହା ହବାର କଥା–ସେତକ ନହେଲେ ମଣିଷ ନିଜକୁ ତ ନୁହେଁ, ଦୁନିଆର ମଶା ମାଛିଠାରୁ ଆରମ୍ଭ କରି ଏହି ନିଖିଳ ବିଶ୍ୱର ଗ୍ରହତାରକା ପର୍ଯ୍ୟନ୍ତ ସମସ୍ତଙ୍କୁ ଦୋଷ ଦିଏ । ସେ ବି ସେଦିନ ସେୟା କରୁଥିଲେ ।

 

ପେଟ ପାଇଁ ଚାକିରି । ସେଇ ପେଟ ପାଇଁ ଏତେ ହୀନିମାନ । ନିଜର ସବୁ ପ୍ରକାରର ମଳିନତା ଭିତରେ ତାଙ୍କର ସେଇ ଯେଉଁ ଛୁଟି ଦିନଟି ଯେତେ ଦାଗଦିଆ ଦିନ ହେଲେ ବି ପେଟ ତାଙ୍କୁ ମନେ ପକାଇ ଦେଇଥିଲା ଯେ ଭୋଖ ଆଗରେ ଏଇ ସବୁ ଉଚ୍ଚାଟ କଳ୍ପନା ଏକାବେଳକେ ଅସାର ।

 

ରୋଷେଇ ହେଲାବେଳେ ସେ ଝରକା ଫାଙ୍କ ଭିତରୁ, କବାଟ ସନ୍ଧିରୁ, ନିଜକୁ ଲୁଚାଇ ରଖି ସେଇ ବାହାରଟାକୁ ଦେଖୁଥିଲେ । ରାସ୍ତାରେ ଲୋକେ ନିର୍ଲିପ୍ତ ଭାବରେ ଯା’ଆସ କରୁଛନ୍ତି । ପାଖ ଗଛଲଟା ଫଳରେ ଦୋହଲୁଛି । ଚଢ଼େଇ ପ୍ରଜାପତି ନିର୍ଭୟରେ ଚଳପ୍ରଚଳ ହେଉଛନ୍ତି । ଖାଲି ତାଙ୍କରି ଘରଟି ନିଛାଟିଆ । ସେଠି ଉଇ, ପିମ୍ପୁଡ଼ି, ବୁଢ଼ିଆଣୀ, ଝିଟିପିଟି ଠାରୁ ଆରମ୍ଭ କରି ମଣିଷର ଚିର ସାଥି ଘରଚଟିଆ ବି ଆସିନାହିଁ । ଛାତ ପାଖରେ କଳା କାଉଟିଏ ବି ଦେଖା ଯାଉନାହିଁ ।

 

ଅଛନ୍ତି ସେ ଦୁଇଜଣ । ଚପରାସି ଆଉ ସେ । ଏକାଠି ପେଟ ପାଇଁ ଗୁନ୍ଥା ହୋଇଛନ୍ତି । ପାଣି ଉପରେ ପଡ଼ିବା ଟେଳାଟିଏ ପରି ଟିକିଏ ଲହରୀ ଖେଳାଇ ପୁଣି ଥିର ପଡ଼ିଯାଉଛି । ସୁଭାଷବାବୁଙ୍କୁ ସେଦିନ ବିରକ୍ତ ଲାଗୁଥିଲା ନିଶ୍ଚୟ । ଆଉ ବି ମନରେ ବୈରାଗ୍ୟ ଆସିଥିଲା ସଂସାର ବିଷୟରେ ।

 

ସମସ୍ତଙ୍କର ଏମିତି ଆସେ । ସଂସାରର ପ୍ରଶଂସା ନପାଇଲେ, ନିଜର ଭାଗ୍ୟକୁ ଦୁନିଆର ଲୋକେ ସୌଭାଗ୍ୟ ବୋଲି ନ କହିଲେ, ନିଜର କର୍ମକୁ ନିଜେ ନିନ୍ଦିଲେ, ସମସ୍ତେ ବିରାଗୀ ହୋଇଯାଆନ୍ତି । ତଳକୁ ଖସିଗଲେ ସମସ୍ତଙ୍କୁ ପିତା ଲାଗେ । ଯେ ନିଜକୁ ଯେତେ ବଡ଼ ଭାବିଥାଏ, ସେ ସେଇ ପିତାରୁ ସେତିକି ବେଶି ପାଏ ।

 

ଘରର ଛାତ ଉପରକୁ ବାଟ ଅଛି । ସେଠି ଠିଆ ହେଲେ ଅବଶ୍ୟ ଦିଶନ୍ତା ଆଖପାଖ ଖଣ୍ଡେଦୂର । ସଫା ଲୁଗା ପିନ୍ଧି ସେ ସିଢ଼ି ଧାପ ଉପରେ ଠିଆ ହୋଇ ବହୁତ ବେଳ ଭାବିଲେ । ଚିକ୍‌ଚିକ୍‌ ଖରା । ସେ ଦେଖିବା ପୂର୍ବରୁ ତାଙ୍କୁ ସମସ୍ତେ ଦେଖି ପକାଇବେ ।

 

ନା–ନୁହେଁ । ସେ ଯାଇ ପାରିବେ ନାହିଁ । ଚଗଲାମନର ଅବିବେକୀ ବିବେକ ତାଙ୍କୁ ଫେରାଇ ଦେଲା । ମନ ଭିତରେ ଲାଜ । ଲାଜ ତ ସବୁବେଳେ ଦୂରେଇ ଦିଏ ମଣିଷକୁ । ସେ ଉପରକୁ ଉଠି ପାରିଲେ ନାହିଁ । ସେଇ ପାଚିରି–ଘେରା ଦୁଆର ଭିତରେ ଠିଆ ହୋଇ ଚାରିଆଡ଼ର ଛବି ମନରେ ଆଙ୍କୁଥିଲେ–ସେ ନିଜର ଲାଜରେ ବନ୍ଦୀ । ତାଙ୍କୁ ନିରିଖି ଦେଖିବାକୁ ଲୋକ ନଥିଲେ ବି ସେ ଦେଖୁଥିଲେ ନିଜକୁ । ସେତେବେଳେ ସେ ଅସହାୟ ଆଉ ଏକୁଟିଆ ।

 

ଚପରାସି ରାନ୍ଧୁଛି । ଚୁଲିରେ ପ୍ରଥମ ନିଆଁ ଜଳୁଛି । କାରବାରୀ ଜିନିଷସବୁ ନାହିଁ । ବାରମ୍ୱାର ସେ ଆସି ପଚାରୁଛି, ପରାମର୍ଶ ମାଗୁଛି । ଅସୁବିଧାର ତାଲିକା ଦଉଛି । ଅସହାୟ ହୋଇ ବାବୁ ତାକୁ କହୁଥିଲେ–ଯାହା ପାରୁଛ କର ।

 

ନିଜର କରାମତି କଲମ କାଗଜରେ କେବେହେଲେ ବାଟବଣା ହେଉ ନଥିଲା । ସେଇ ଏବେ ହାରିଯାଉଛି ସାଧାରଣ ଅସୁବିଧାରେ ।

 

ତାଙ୍କୁ ଶୁଭୁଥାଏ ପାଖ ପଡ଼ିଶାଘରୁ–ମା’, କିଏ ଆସିଛନ୍ତି, ସେ ନୂଆଘରକୁ...... କେଜାଣି.... ଅନେକ ଜିନିଷ ଆସିଥିଲା । ତାଙ୍କ ଘରେ କ’ଣ ମା’ ନାହିଁ...ମୁଁ କେମିତି କହିବି...ଥିବେ.... କାହିଁ ଆମେ ତ ଦେଖିଲୁ ନାହିଁ । ମୁଁ ଚାହିଁଥିଲି ଆସିଲେ ଦି’ଜଣ ଲୋକ ।

 

ବାବୁ ଚମକି ପଡ଼ିଲେ । ସତେ ତ ତାଙ୍କର କେହି ନାହିଁ । ସେଦିନ ସେ ମନେ ପକାଇଲେ ବାହାଘରର ଘଟକମାନଙ୍କୁ । ସେହିମାନେ କହୁଥିଲେ–ଜୀବନକୁ ଭୋଗ କରିବାକୁ ହେଲେ ଘରଣୀଟିଏ ଲୋଡ଼ା । ପଡ଼ିଶା ଘର ପିଲାଟିଏ ବି ସେଇ କଥା କହୁଛି–ବାବୁଙ୍କର କେହି ନାହିଁ ।

 

ଚପରାସିର ବିବ୍ରତ ମୁହଁକୁ ଚାହିଁ ସେ ପଚାରିଥିଲେ–କିଏ ଅଛି ସେଇ ପାଖ ଘରେ ?

 

–ମୁଁ ବୁଝିନାହିଁ । ଆଜି ବୁଝି ଦେବି ।

 

–ଏତିକି ନ ବୁଝି ଏତେ ଦିନଯାଏ କ’ଣ କରୁଥିଲ ? ନୂଆ ଜାଗାକୁ ଆସିଲେ ସବୁ ଖବର ରଖିବା ଦରକାର । ସେମିତି ନକଲେ ଆଉ ହାକିମଙ୍କ ଅର୍ଦ୍ଦଳି ହୋଇ ଲାଭ କ’ଣ ?

 

–ବୁଝି ଆସିବି ?

 

–ହେତ୍‌ ! କ’ଣ ଦରକାର ଅଛି ଆମର । ଯିଏ ଥାଉ । ତେବେ ମନେ ରଖିଥାଅ, ସବୁଆଡ଼କୁ ଆଖି ରଖିଥିବ । ସବୁକଥା ଜାଣୁଥିବ । ତେବେ ଯାଇ ସିନା ସଂସାରରେ ଚଳିବ । ଆମେ ହାକିମ ବୋଲାଉଛୁ ବୋଲି ବହୁତ କଥା କରି ପାରୁନାହିଁ ।

 

ଚପରାସି ମୁହଁରେ ଅସ୍ପଷ୍ଟ ହୋଇ କ୍ଷମା-ପ୍ରାର୍ଥନା ଦେଖାଦେଲା । ସେ ନିଜେ ଗୋଟିଏ ନିକମା । ଘର ବୁଝିଲା । ଭଡ଼ାବାଲାକୁ ତଲାସିଲା । ଲାଗିପାଗି ଘର ତିଆରି ସରାଇଲା । ଆଉ ଏତିକି ଦରକାରୀ କଥା ବୁଝିପାରିଲା ନାହିଁ । ହାକିମଙ୍କର ସବୁ କଥାର ଭଲ ଜବାବ ଦେଇ ନପାରିଲେ ସେ କ’ଣ ମନ ଦେଇ ସୁପାରିଶ୍ କରିବେ । ସୁପାରିଶ୍‌ ନ ମିଳିଲେ ଜୀବନଟା ବୃଥା ହୋଇଯିବ ।

 

–କିରେ, ଶୋଉ ନାହଁ । ଏତେଥର କବାଟ ଖୋଲି ଦାଣ୍ଡକୁ କାହିଁକି ଧାଉଁଛ ? ସେଇ କଅଁଳ ଅଳସ କଣ୍ଠସ୍ୱର, କହିବାର ପ୍ରତ୍ୟେକଟି ଶବ୍ଦ, ସତେ ଯେପରି ପହଞ୍ଚାଇ ଦିଆ ହେଉଛି ବାବୁଙ୍କ ପାଖରେ ।

 

–ଯାଇଥିଲୁ ଦେଖିବାକୁ । ସତରେ ମା’, ସେମାନେ କବାଟ ବନ୍ଦ କରି ଦେଇଛନ୍ତି । ଏକଦମ୍‌ ବନ୍ଦ୍‌ । ବନ୍ଦ୍‌ କରିଛନ୍ତି, କାହିଁକି ?

 

–ଆଉ କ’ଣ କରିବେ ? ଆମର ସେଥିରେ କ’ଣ ଅଛି ?

 

–ତାଙ୍କ ଘରେ ପିଲା ନାହାନ୍ତି ।

 

–ତୁମେ ଶୋଇବ ନାଁ ଖାଲି ଏମିତି ହଉଥିବ ? ତାଙ୍କ କଥା କାହିଁକି ତମକୁ ଲାଗୁଛି ?

 

–ତାଙ୍କ ଘରେ ପର୍ଦ୍ଦା ନାହିଁ । ଗାଈ ନାହିଁ କି କୁକୁର ବି ନାହିଁ,–କିଛି ନାହିଁ । ଆମର ସବୁ ଅଛି ।

 

ସାନଭାଇ ବଡ଼ଭାଇକୁ କହିଲା–ହଁ ତ, ତାଙ୍କର କିଛି ନାହିଁ । ଆଚ୍ଛା ମା’ ସେମାନେ ଚଳିବେ କେମିତି ?

 

–ଆଚ୍ଛା ପିଲା ଦି’ଟା ! କିରେ କୁନା, ତୁ ଏତେ ବଡ଼ ହେଲୁଣି, ସାନଭାଇକୁ କ’ଣ ଏମିତି ଖରାପ ବାଟରେ ନଉଛୁ ?

 

–ଖରାପ କ’ଣ ?

 

–ପରକଥା ଭାବିବା କ’ଣ ଭଲ କଥା ? ବାପା କ’ଣ କହିଥିଲେ ? ଚିଠି ଲେଖିବି ବାପାଙ୍କ ପାଖକୁ–ବେବି ଦୁଷ୍ଟ ହେଲାଣି । ବୁଢ଼ାକୁ ଖରାପ କରୁଛି ।

 

–ହଁ ମା’, ଭାଇ ନାଁରେ ଲେଖିଦିଅ । ବାପା ଆସିଲେ ତାକୁ ଶାସ୍ତି ଦେବେ । ମତେ ସେ ଡାକି ନେଇଥିଲା ସାଙ୍ଗରେ । ତାଙ୍କର ପିଣ୍ଡା ନାହିଁ । ଖାଲି ଇଟା ଜମା ହୋଇଛି ।

 

–ତୁ ବି ଦୁଷ୍ଟ ହେଲୁଣି । ଭଡ଼ାଘରକୁ ଭଡ଼ାଟିଆ ଆସିଲେ । ସେ କିଏ, କ’ଣ–ଏତେ କଥା ଆମେ ଏବେ ବୁଝିବା କାହିଁକି ?

 

ସତେ ଯେପରି ଶ୍ୟାମା ନିଜର ପରିଚୟ ନଦେଇ ସବୁକଥା ସୁଭାଷ ବାବୁଙ୍କୁ କହୁଥିଲା । ସେ ଅତି ତନ୍ମୟ ହୋଇ କାନ ପାରିଥିଲେ । ସେ ହୁକୁମ୍‌ ଶୁଣାଇଲା ବେଳେ ଆସାମୀ ଆଉ ଦି’ପକ୍ଷର ଲୋକେ ଯେମିତି ଉତ୍କଣ୍ଠାରେ ଠିଆ ହୋଇଥାଆନ୍ତି । ଅଦୃଶ୍ୟ ହାତ ଗୋଟିଏ ପରେ ଗୋଟିଏ ପରଦା ଖୋଲି ଦେଖାଇ ଦେଉଛି ମଣିଷର ଭବିଷ୍ୟତକୁ ।

 

ସେଇଠି ସେଦିନ ସେ ବୁଝିଥିଲେ ପାଖ ଘରେ ବାବୁ ନାହାନ୍ତି । ବାବୁଆଣୀ ଅଛନ୍ତି । ତାଙ୍କର ଯୋଡ଼ିଏ ପିଲା ଥିବାର ଜଣା ପଡ଼ୁଛି...

 

ଚପରାସି କାନ ଡେରିଥିଲା । ପାଖଘରେ ଶବ୍ବ ରହିଗଲା ପରେ ଧାଇଁ ଆସି ବାବୁଙ୍କୁ କହିଲା–ସେ ଘରର ବାବୁ ବିଦେଶରେ ଥାଆନ୍ତି । ତାଙ୍କର ଯୋଡ଼ିଏ ପିଲା......

 

–ହଉ । ତମେ ଭାରି ବୁଦ୍ଧିଆ । ରାନ୍ଧୁଛ ନା କାନ ପାରୁଛ–କହି ଚମକି ପଡ଼ିଲେ । କାଳେ ଶୁଭିଯାଇଥିବ ପାଖ ଘରକୁ !

 

ଚପରାସି କ’ଣ କହି ଆସୁଥିଲା । କହିଲେ ତ ବାବୁ ଖୋଲି ହୋଇଯିବେ । ଏଇଟା ବାବୁଙ୍କୁ ଶୋଭା ପାଇବ ନାହିଁ । ନିଜକୁ ଲୁଚାଇ ରଖି ଅନ୍ୟକୁ ଖୋଲି ଦେଖାଇ ପାରିଲେ ସିନା ବୁଦ୍ଧି-। ଆଉ ଏମିତି ନିଜେ ଚିହ୍ନାପଡ଼ି ଅନ୍ୟକୁ ଚିହ୍ନିଲେ–ଛି, ଛି...

 

ପ୍ରଭୁ ଓ ସେବକ ଆପଣା ଭିତରେ ପରସ୍ପର ମନ ବୁଝିଲେ ଆଉ ତୁନି ପଡ଼ିଲେ । ସତେ ତ ଭୁଲ୍‌ ହୋଇଗଲା ! ଜାଣୁ ଜାଣୁ ନଜାଣିଲା ପରି–

 

ଆଉ ତ ପାଖ ଘରୁ କଥା ଶୁଭୁନାହିଁ । ମା’ ବୋଧହୁଏ ପିଲା ଦୁଇଟିଙ୍କୁ ଇସାରା କରି ଦେଲାଣି ତୁନି ପଡ଼ିବାକୁ । ଯେତେବେଳେ ଜଣେ କହୁଥିଲା, ଆରଜଣକ ଶୁଣୁଥିଲା । ଏବେ ଓଲଟି ଯାଇଛି । ଶ୍ୟାମା କାନ ଡେରିଥିଲା ଶୁଣିବାକୁ–ସେଥିରୁ ବାବୁଙ୍କର ପରିଚୟ ଜାଣିବାକୁ । ଜାଣିଛି ତ, ସେମାନ ଜାଣିବାକୁ ଚାହିଁଛନ୍ତି–ସେ କିଏ ।

 

ଅଭ୍ୟାସ ଯୋଗୁଁ ସେ ଲୁଗା ସଜାଡ଼ି ନେଲା । ତା’ର ଆଖି ଆଗରେ ଗୋଟିଏ ସୌମ୍ୟ ସୁନ୍ଦର ଲୋକଟିଏ ଠିଆ ହୋଇଛି । ସେ ଜାଣିବାକୁ ଖୋଜୁଛି ଶ୍ୟାମାଦେବୀଙ୍କୁ ।

 

ତା’ର ନିଶ୍ୱାସ ପ୍ରଖର ହୋଇ ଆସିଥିଲା । ଆଉ ଆଖି ଉପରେ ପ୍ରୀତିଭରା କଳ୍ପନା–ଲିଭିଗଲା ସୂର୍ଯ୍ୟର ନାଲିଛିଟା ପରି ଆସି ଲାଖିଗଲା ।

 

ତା’ର ବିଭୋରତା ଭାଙ୍ଗି ପିଲାଟି ପଚାରିଲା–ସେମାନେ କିଛି କହୁ ନାହାନ୍ତି କାହିଁକି ?

 

ଚୁପ୍‌କରି ଶ୍ୟାମା କହିଲା–ଥାଉ, ଶୁଭିବ ।

 

ଛୋଟ ପିଲାଟି ପଚାରିଲା–ଆମ କଥା ତାଙ୍କୁ ଶୁଭିବ କାନ୍ଥ ଡେଇଁ ?

 

ବେବିକୁ ଆକଟ କରି ବଡ଼ଭାଇ କୁନା ମୁରବୀ ହୋଇ କହିଲା–ତୋ’ର ବେବି, ଯେମିତି ପାଟି, ସେଥିରେ ଶୁଭିବ ନାହିଁ ?

 

–ଓଃ, କି ଦୁର୍ଯୋଗ ! ଏ ପିଲା ଦୁଇଟା ମଣିଷକୁ ନେଇ ଦାଣ୍ଡରେ ବସାଇବେ । ବାଟ ନପାଇ ସେ ଗୋଟିଏ ବିଧା ଥୋଇଲା ସାନଟି ଉପରେ । ବଡ଼ଭାଇ ବି ଆଉ ଯୋଡ଼ିଏ ।

 

ପିଲାର କାନ୍ଦଣା ଭାସି ଉଠିଲା । ସୁଭାଷବାବୁ ଆଉ ଚପରାସି ଦୁହେଁ ଯାକ ନିଜ ନିଜ ସୁବିଧାରେ କାନ ଡେରିଲେ ।

 

ପିଲା ଦୁହିଁଙ୍କ ଭିତରେ ମରାମରି ଆରମ୍ଭ ହେଲା–ଯେ ଆର ଜଣକ ପାଟି କରିଛି । ସବୁବେଳେ ସେ ଗର୍ଜ୍ଜେ ।

 

ଧୀରେ କହୁ କହୁ ଶ୍ୟାମା ବଡ଼ ଗଳାରେ କହିଲା–ଦେଖ, ତମୁକୁ ଏଠୁ ନ ତଡ଼ିଲେ–କହି, ବନ୍ଦ ହୋଇଗଲା ।

 

ସେ ଭାବିଲା ନୂଆଘରଟି ବିଷୟରେ । ଅଳ୍ପ ଖଣ୍ଡେ ଛାଡ଼ି–କେମିତି କଥା ଶୁଭିଗଲା କେଜାଣି ! ଶୁଭୁଛି ତ ! ଏତେ ପାଖରେ ଘରଟା । ମଝିଲୋକର ବାରି ଖାଲି ନଥିଲେ ଶୁଭନ୍ତା ନାହିଁ-

 

ବିନା କାରଣରେ ମଣିଷକୁ ଜଗିରଖି ଚଳିବାକୁ ହେଉଛି । ଇସ୍‌, କ’ଣ କରିବ ଭଲା ! ସେ ପାଖେ ସେମିତି ନିଜର କୌତୂହଳର ସୂଚନା ଦେଇ ସେ ସେଇ ଏକା କଥା ଭାବୁଥିଲେ । ଆଉ କଳ୍ପନାରେ ଦେଖୁଥିଲେ ସେଇ ଅପରିଚିତା, ଦେଖି ନଥିବା ନାରୀଟିକୁ । ସିଏ ବି ସେଦିନ ଅସମ୍ପୂର୍ଣ୍ଣ-

 

ୟାକୁ କୁହାଯାଏ ଯୋଗ, ସୁଯୋଗ ଓ ଦୁର୍ଯୋଗ । ଇଚ୍ଛା, କାମନା ଓ କଳ୍ପନା ନଥାଇ ଏମିତି ମଣିଷ ଆଉ ଜଣକ କଥା ଭାବିବାକୁ, ପରକୁ ଆପଣାର କରିବାକୁ, ଅଚିହ୍ନା ଲୋକକୁ ଚିହ୍ନିବାକୁ ବାଧ୍ୟ ହୁଏ । ଆଉ ସେଇଥିପାଇଁ ଲାଜରା ବି ହୁଏ ।

 

ରୋଷାଇର ଶବ୍ଦରୁ ଊଣା ନିଜର ସ୍ୱର ନୁଆଇଁ ବାବୁ ଚପରାସିକୁ ବାରମ୍ୱାର ତାଗଦା କରୁଥିଲେ । ଆଉ ବାବୁଙ୍କ କଥାରେ ସତର୍କ ହେବାକୁ ଯାଇ ସେ ବେଶି ଶବ୍ଦ କରୁଥିଲା । ଥାଳି, ବାସନ, ବାଲ୍‌ଟି ରଖାଥୁଆ କଲାବେଳେ, ଆହତ ରୋଗୀପରି ସୁଭାଷବାବୁ ପ୍ରତିଥର ଚମକି ପଡ଼ୁଥିଲେ । ଏଣେ ନିଜର ମନକଥା ଚପରାସିକୁ କହିବାକୁ ସଙ୍କୁଚିତ ହେଉଥିଲେ ।

 

କୋଠରୀ ଭିତରେ ଧୀରେ ଦୁଆର ଦେଇ ସେ ପୁଣି ସଜାଗ ରହିଲେ–ସେଇ କଅଁଳ, ଅଳସ ମଦିର ସ୍ୱରରୁ ପଦେ ଶୁଣିବାକୁ । ତାଙ୍କର ସମସ୍ତ ଦେହ କରୁଣ ପ୍ରାର୍ଥନା ଜଣାଉଥିଲା । ପଦେ କଥା ଶୁଣାଇବା ପାଇଁ ।

 

ଆଉ ଶୁଭିନାହିଁ । ନିଷ୍ଠୁର ସେ । ସାଥିହୀନ ନିର୍ଜନ ଜୀବନକୁ ଟିକିଏ ମୁଲାଏମ କରିବାକୁ ତା’ର ଇଚ୍ଛା ନାହିଁ ।

 

ଦୀର୍ଘ ନିଶ୍ୱାସ ପକାଇ ଭାବିଲେ–ହଁ ତ ଖୋଜିଲା ବେଳେ ଭଦଭଦଳିଆ ଚଢ଼େଇ ଦିଶେ ନାହିଁ, ପୂର୍ଣ୍ଣକୁମ୍ଭ ମିଳେ ନାହିଁ । ଚାନ୍ଦିନୀ ରାତି ଆସେ ନାହିଁ । ପରମଣିଷଙ୍କର ହେବା ପାଇଁ ଯେତେ ମନ ଉଚ୍ଚାଟ ହେଲେ ବି ପରକୁ ଆପଣାର କରିବା ସବୁବେଳେ ସମ୍ଭବ ହୁଏ ନାହିଁ ।

 

ସବୁ ପ୍ରକାର ଶବ୍ଦ ଶୁଭୁଛି । ଲୋକ ଗହଳି ନଥିଲେ ବି ଆର ପାଖ ଘରୁ କାରବାରୀ କଥା ଶୁଭୁଛି । ହୁକୁମ୍‌, କଳି, ଶାସନ, ଖେଳବୁଲା ଆଦିର ଛୋଟ ବଡ଼ ଶବ୍ଦ । କିନ୍ତୁ ସେଇ ଲୋକଙ୍କର ଆଉ କୌଣସି ଧ୍ୱନି ଆସି ପହଞ୍ଚୁ ନାହିଁ ।

 

ପୁଣି ସେମିତି ଶବ୍ଦ ନ କରି ଆସି ବାହାରେ ବୁଲିଲେ । ସେଇ ଆଡ଼କୁ ଆଖି ପକାଇଲେ–ଆଗରେ ପାଚିରି । ଦୃଷ୍ଟିକୁ ବାଧା ଦେଲେ ବି ସେଇ ପାଖ ଘରର ଛାତ ଆଡ଼କୁ ଚାହିଁ ସେ ତାଙ୍କର ମନର ଆକୁଳତା ତେଣେ ଫୋପାଡ଼ିଥିଲେ । ଦେଖି ନାହାନ୍ତି, ଜାଣି ନାହାନ୍ତି । ଖାଲି କେଇପଦ କଥା ଆଉ ଗୋଟିଏ ସ୍ୱର । ସେତିକିରେ ସେହି

 

ପୁରୁଣା ଦିନରୁ ଗୋଟିଏ ନେଇ ଜାଲ ବୁଣୁଥିଲେ ।

 

ଘର ତିଆର କରିବା ଆଗରୁ ମଣିଷ ଯେତେବେଳେ ନକ୍ସା ଆଙ୍କେ ଆଉ ମାଟିରେ ଗାର ପକାଏ ସେତିକିବେଳେ ତ ସେ ଲେଖି ଦେଇଥାଏ ଘରର ଆକାର । ପୁଣି ମୂଳଦୁଆ ପର୍ଯ୍ୟନ୍ତ ସେ ଖୋଳିଦିଏ, ଠିକ୍‌ ସେତିକିବେଳେ ଭୂଇଁର ଗାତ ଭିତରେ ସେ ବି ଠିଆ କରିଥାଏ ଘରଟିକୁ, ତା’ର ଦୈର୍ଘ୍ୟ ପ୍ରସ୍ଥ ଆଉ ଉଚ୍ଚତା । ସେ ସେହି ଅସମ୍ପୂର୍ଣ୍ଣ ଅବସ୍ଥାରେ ନିଜର କଳ୍ପନାର ମାପକାଠିରେ ନିଜର ସାମର୍ଥ୍ୟର ସାମଞ୍ଜସ୍ୟ ରଖି ସେ ଗଢ଼ି ଦେଇ ଥାଏ । –ବର୍ତ୍ତମାନ ନୁହେଁ ଭବିଷ୍ୟତ ।

 

ସୁଭାଷ ବାବୁ ବି ଯେମିତ ଶ୍ୟାମା ଦେବୀ ବି ସେମିତି–ନିଜର କଳ୍ପାନାମଖା ପ୍ରୀତି–ଘରର ନକ୍ସା କରି ଦେଇଥିଲେ । ଘରଟିଏ ହୁଏ ନିଜର ବିଚାରରୁ ଆଉ ପ୍ରୀତିର ଘର ଗଢ଼ି ଉଠେ ନିଜର କଳ୍ପନାରୁ । ସେହି କଳ୍ପନାକୁ ରୂପ ଦିଏ ପଦେ କଥା, ଥରକର ଚାହାଣି, କ୍ଷଣିକର ବ୍ୟବହାର ଆଉ ଏଇ ସଂସାରର କାରବାରୀ ଚାଲିଚଳନ ଓ ଭାଷା, ଧର୍ମ, ଜାତି ଓ ବୟସର କାଣିଚାଏ–ଅତି ମାମୁଲି କଥା । କିନ୍ତୁ ସେଇଥିରୁ ଗଢ଼ି ଉଠେ । କାଠଫାଟରୁ ବଡ଼ ଛତୁଟିଏ ଫୁଟିଲାପରି ।

 

ଆରମ୍ଭ ହୁଏ ତ ଏମିତି । ଦେଖିବାକୁ ଗଲେ ଏଇଟା ନଈ ସମୁଦ୍ର କୂଳରେ ପଡ଼ିଥିବା ଗୋଟିଏ ଶାମୁକା, ଗେଣ୍ଡା କି ବାଲିଗରଡ଼ା ପରି । କୌତୂହଳ ଆସେ ଗୋଟାଇ ନେବାକୁ–ନେଇ ଘରେ ରଖିବାକୁ । ରଖି ଗର୍ବ କରିବାକୁ । ପୁଣି ସେମିତି ସେମାନେ ଅଦରକାରୀ ହୋଇ ପଡ଼ନ୍ତି । ମନ ବଦଳିଗଲେ ଅବା ନୂଆ ଜିନିଷ ମିଳିଲେ ଅବା ଦେଖିଦେଖି, ରଖିରଖି ଚିଡ଼ି ଲାଗିଲେ ସେଗୁଡ଼ିକ ପାଶୋର ଯାଆନ୍ତି ।

 

କିନ୍ତୁ ସେଦିନ ଶ୍ୟାମା ଦେବୀ ମନରେ ଏଇ ପାଶୋର ଯିବା କଥାଟି ନଥିଲା । ସୁଭାଷ ବାବୁଙ୍କ ମନରେ ଏଇ ଛୋଟିଆ ଘଟଣାଟି ଗୁରୁତର ଜଣାଯାଉଥିଲା । ଉଭୟେ ସେଇ ବାଧାବିଘ୍ନ ଭୁଲି ଜାଣିବାକୁ ଚାହୁଥିଲେ–ଆର ଜଣକ କିଏ ? ସେ ଦୁଃଖୀ ନା ସୁଖୀ ? ଆପଣାର ନା ପର ? ବନ୍ଧୁ ନା ଶତ୍ରୁ ?

 

ଖରାବେଳଟା କଟିଥିଲା ଗୋଟିଏ ବିହ୍ୱଳତାରେ । ସୁଭାଷ ବାବୁଙ୍କର ସମସ୍ତ କାମକୁ ଲକ୍ଷ୍ୟ ରଖି ଶ୍ୟାମା ଦେବୀଙ୍କର ମନ ଭିତରେ ତୁହାଇ ତୁହାଇ ସେହି ପ୍ରଶ୍ନ ଉଠୁଥାଏ–ସେ କିଏ ? ତାଙ୍କ ସାଙ୍ଗରେ ପରିଚୟ କ’ଣ ହେବ ନାହିଁ ? ସହରର ପଡ଼ୋଶୀ ଖାଲି ଦେଖେ, ଶୁଣେ,–କିନ୍ତୁ ଚିହ୍ନେ ନାହିଁ । ପାଖରେ ଥାଇ ଦୂରରେ ରହେ । ଯେତିକି ଦୂରରେ ଥାଏ, ତହିଁରୁ ନିକଟକୁ ଆସିପାରେ ନାହିଁ । ହେଲେ ସେ ଜଣେ ସାଧାରଣ ଲୋକ ହୋଇଥାନ୍ତେ, ପାଞ୍ଚଜଣରେ ଜଣେ ହୋଇ ନଥାନ୍ତେ, ତେବେ କ’ଣ ତାଙ୍କ ସାଙ୍ଗରେ ପରିଚୟ ହୋଇପାରନ୍ତା ନାହିଁ ?

 

ବେଳେବେଳେ ଦୁଆର ଖୋଲି ସୁଭାଷବାବୁ ରାସ୍ତାକୁ ଚାହାଁନ୍ତି । ମଣିଷ ଦେଖିଲେ ଚମକନ୍ତି । କେହି ନଥିବା ବେଳେ ଚାହାନ୍ତି ସେହି ଘରଆଡ଼େ । ଘରଟି ପୂରାପୂରି ଦିଶେ ନାହିଁ । ଘରର ଖିଡ଼ିକି ମେଲା ଥିଲେ ବି କେହି ଦିଶନ୍ତି ନାହିଁ । ଖାଲି ପରଦା ହଲୁଥାଏ ।

 

ନିଜ ନିଶ୍ୱାସ ତାଙ୍କୁ ଚମକାଇ ଦିଏ । ଅପରାଧୀ ପରି ସେ ସବୁବେଳେ ସତର୍କ । ଖାଇଲାବେଳେ ଓ ଖାଇସାରିଲା ପରେ ସେଇ ଗୋଟିଏ ବିଷୟ ଭାବିଥିଲେ–ସେ ଆଉ ସାଥିହୀନ ନୁହନ୍ତି । ମଣିଷର ପରମ ବନ୍ଧୁ ହେଉଛନ୍ତି ତାର ଭାବନା ଓ ଉତ୍ସାହ–କିନ୍ତୁ ମଣିଷ ନୁହନ୍ତି ।

 

ମଣିଷକୁ ଉପଲକ୍ଷ କରି ଅଧିକ ଭାଗ ଲୋକଙ୍କର ଭାବନାର ଧାରା ଖୋଲିଯାଏ । ସେଇ ଭାବନା ଭିତରେ ବୁଡ଼ି ରହି ସେ ନିଜକୁ ଅସହାୟ ମନେ ନକରି ସମର୍ଥ ବୋଲି ଭାବେ । ଏକୁଟିଆ ରାତି ପୁହାଇ ଦିଏ । ଦୁଃଖ ଶୋକ ଭୁଲି ଯାଏ ।

 

ଆଗପଛ ହେଉ ହେଉ ବେଳ ଗଡ଼ି ଯାଇଥିଲା । ସେଥି ଭିତରେ ସେ ପୁଣି ଶ୍ୟାମା ଦେବୀଙ୍କର କଣ୍ଠସ୍ୱର ଶୁଣିଥିଲେ–ରତନା, ଏ ରତନା ! ଉଠିବୁ ନାହିଁକି ? ସେଇ ଡାକିବାରେ ବି ସେଇ ଅଳସଭଙ୍ଗୀ । ଶ୍ୟାମା ଦେବୀ ଯେପରି ସବୁବେଳେ ଭରା ଦେଇ ରହିଛନ୍ତି ନିଜ ଉପରେ ।

 

କଠୋର କଥା ବି ସେମିତି ଶୁଭିଥିଲା । ସେବକକୁ ଡାକିଲାବେଳେ, ତାକୁ କାମପାଇଁ ବରାଦ କଲାବେଳେ ସେଇ ନରମ ସରମଭରା ହାବଭାବ ।

 

ଏଇ ଶ୍ୟାମା ଦେବୀ ଏକୁଟିଆ ଅଛନ୍ତି–ସ୍ୱାମୀ ନାହାନ୍ତି । ଏକଥା କ’ଣ ଠିକ୍‌ ? ପୁଅଟି କହୁଥିଲା ବାପାଙ୍କ ପାଖକୁ ଚିଠି ଦେବାକୁ । ବାପା ରହନ୍ତି ଦୂରରେ । ଛାଡ଼ି ଯାଇଛନ୍ତି ଗୋଟିଏ ପରିବାର ।

 

ଦିନର ଆରାମ ଶେଷ କରି କୁକୁରଟି ବି ଭୁକୁଥିଲା । ଭୁକିବାରୁ ଜଣାଯାଉଥିଲା ବାହାର ଲୋକ ଯିବାଆସିବା କରୁଛନ୍ତି । ସୁଭାଷବାବୁ କବାଟ ବନ୍ଦ କରି ପୁଣି ରହିଲେ ଘର ଭିତରେ । ସବୁ ସେ ଶୁଣିବେ ଆଉ ଦେଖିବେ । କିନ୍ତୁ ସେ ରହିବେ ଗୋପନରେ ।

 

ଦୁଆରେ ଅରଗଳି । ସେଥିରେ ପୁଣି ବାବୁ ବାଟ ଓଗାଳି ଚାଲବୁଲ ହେଉଛନ୍ତି । ଘର ଭିତରେ ବନ୍ଦ ହୋଇ ରହିବା ବଡ଼ କଷ୍ଟ । ଶ୍ୟାମା ଦେବୀଙ୍କର କଅଁଳ କଥା ଓ ନରମ ସ୍ୱର ତା’ ମନରେ ବିଶେଷ ରେଖାପାତ କରୁ ନଥିଲା । ସେ ଆସିଲା ଦୁଆର ଖୋଲିବାକୁ । ହାତରେ ଗୋଟିଏ ଝାଡ଼ୁ ।

 

କାମ ଦେଖାଇବାକୁ ଘର ଦୁଆର ପହଁରିଲା ବେଳେ ବାବୁ ବିରକ୍ତ ହୋଇଥିଲେ । ଭାବିଲାବେଳେ ମଣିଷ ଏକୁଟିଆ ରହିବାକୁ ଭଲ ପାଏ । ଏକୁଟିଆ ରହିବା ସମ୍ଭବ ନ ହେଲେ ସେ ନିଜ ଲୋକଙ୍କଠାରୁ ଓ ଚିହ୍ନା ମଣିଷଙ୍କଠାରୁ ଦୂରରେ ରହିବାକୁ ଖୋଜେ । ବାବୁଙ୍କୁ ଲାଗୁଥିଲା ଯେପରି ସେହି ଘରଦୁଆର ଝାଡ଼ିବା ଗୋଟିଏ ବିଘ୍ନ ।

 

ଅତିରିକ୍ତ ଗମ୍ଭୀର ହୋଇଗଲେ । ଆଖି ଭ୍ରୂଲତା ରୁଦ୍ଧ କ୍ରୋଧର ଇସାରା ଦେଉଥିଲା । ଚମକି ପଡ଼ିଲାପରି ଚପରାସି ବେଣୁଧର କହିଲା–ଝାଡ଼ିବି ?

 

–ଏବେ ? ସକାଳେ ପରା ଆମେ ଝଡ଼େଇଥିଲେ !

 

–ଏବେ ସଞ୍ଜ ହେଲାଣି–କହି ଝାଡ଼ୁ ଲଗାଇଲା ବେଳେ ବାବୁ ମନାକଲେ ।

 

ଧୂଳି ତ ଶବ୍ଦକରେ ନାହିଁ । ସେ ନିଶବ୍ଦରେ ଆସି ବସିଯାଏ । ଶ୍ୟାମା ଦେବୀ ଯେମିତି ଆସି ମନ ଭିତରେ ବସିଯାଇଛନ୍ତି । କିନ୍ତୁ ଧୂଳି ଝଡ଼ାହେଲାବେଳେ କେତେ ଶବ୍ଦ ନ କରୁଛି । ମନ ଭିତରେ କାହାରିକୁ ଖସାଇ ଦେବାକୁ ଗଲେ ସେ ହୃଦଥରା ଘୋର ଶବ୍ଦ କାଢ଼ି ଆଣେ ।

 

ବିରକ୍ତ ହୋଇ ବେଣୁ ଭାବିଲା–ଏ କି କଥା ! ଯୋଉ ବାବୁ ଦିନଯାକ ଧୂଳି ଧୂଳି ହେଉଥିଲେ ସେ ପୁଣି ଆଜି ଧୂଳି କାଢ଼ିବାକୁ ମନା କଲେଣି । ନୂଆଘରର ଚାରିଆଡ଼େ ଯାବତ ଘର ତିଆର ଜିନିଷ ବିଛାଡ଼ି ହୋଇ ପଡ଼ିଛି । ଟିକିଏ ଚାଲିଲେ ମେଞ୍ଚେ ଆସୁଛି ଘର ଭିତରକୁ । ହଉ ନହେଲା ନାହିଁ । ସେ ଟିକିଏ ବୁଲି ଯିବ ପଦାକୁ ।

 

ଝାଡ଼ୁଟା ଫୋପାଡ଼ି ଦେଇ ବେଣୁଧର କବାଟ ପାଖରେ ପହଞ୍ଚିଲା ବେଳେ ବାବୁ ଡାକିଲେ–କଣ କରୁଛ ?

 

–ଯାଉଥିଲି ଚିନି ଆଣିବାକୁ । ଚା’ ହେବ ବୋଲି ।

 

–ସତେ ତ ! ଭୁଲି ମୁଁ ଯାଇଥିଲି ଏକାବେଳକେ ! ତେବେ ଥାଉ ଆଜିକ । ଘରଦୁଆର ସଜାଡ଼ି ନ ସାରିଲେ–

 

–ସବୁ ତ ସଜାଡ଼ି ଦେଇଛି । କେତେ ଅବା ଜିନିଷ ।

 

–ଏଇଥିପାଇଁ ବାହାରକୁ ଯିବ ? ....ଲୋକେ ଦେଖିବେ...ଆଉ ଦେଖି–କହି ପାରିଲେ ନାହିଁ । ମନେ ପଡ଼ିଲା ଯେ ମନର କଥା କହୁଛନ୍ତି ।

 

ବେଣୁ ଚାହିଁଲା ବାବୁଙ୍କୁ । ସେ ଆନମନା–ଶୁଖିଲା ମୁହଁ । ତା’ର ସହାନୁଭୂତି ଆସିଲା ବାବୁଙ୍କ ଉପରେ ।

 

ଓଜର କରି କହିଲା–ନାହିଁ ବାବୁ, ମୁଁ ଚା’ ବସାଏଁ । ଆପଣଙ୍କ ଦେହ ଭଲ ନାହିଁ ।

 

–ନାହିଁ ଭଲ ଅଛି । ତେବେ ମତେ ଏ ଘରଟା ଆଉ ଭଲ ଲାଗୁ ନାହିଁ ।

 

ବେଣୁ ତୁନି ରହିଲା । ହାକିମଙ୍କ କଥାକୁ ଲେଉଟ ଜବାବ ନାହିଁ । ଖାଲି ତାଙ୍କର ଅର୍ଦ୍ଦଳି ଚପରାସି ବୋଲି ସେ ଯାହା ବାବୁଙ୍କର ସମସରି ହୋଇ ପଦେଅଧେ କଥା କହୁଛି ସିନା ।

 

ବାହାରେ ଟିକିଏ ଗୋଳମାଳ ହେଲା । ବୁଢ଼ୀଟିଏ ଉତ୍ତେଜିତ ହୋଇ, କହୁଛି–ହେଇ, ଦେଖ ମ ବାବୁଙ୍କ କୁକୁର ଆସି କେମିତି ଆମ ପିଣ୍ଡାରେ ମୂତିଲା । ଦେଇଥାନ୍ତି ଗୋଡ଼ ଛୋଟା କରି-। ଖାଲି ବାବୁଙ୍କ ମୁହଁକୁ ମନେ ପକେଇ–

 

–ହେଇ ଦେଖ ମା, ବାଘା ଯାଇ ମୂତିଲାଣି ପହଲାମା ପିଣ୍ଡାରେ ।

 

–ଫିଟିଲା କେମିତି ? ତମେ ତ ଖୋଲିଥିବ ।

 

–ଭାରି ଚଲାଖ ଏଇ ବାଘା । ଦାନ୍ତରେ ଖୋଲି ହେଉଛି ଶିଙ୍କୁଳି । ଭାରି ପାଜି !

 

–ହଇରେ ନିଉଛୁଣା କୁକୁର, ଟିକିଏ ବି ଅକଲ ନାହିଁ । ମୋ ଘସିତକ ମାରାକଲୁ । କାହିଁକି ଗଲୁ ନାହିଁ ଖାଉନ୍ଦର ଇଶାଣକୁ ?

 

ଶ୍ୟାମା କାନ ଡେରିଲା । ଓଃ–ବାଘା ଡାକୁ କେଡ଼େ ବେଇଜତ୍‌ ନ କଲା ! ଯୋଉ ବୁଢ଼ୀ କୋଶେ ଧାଏଁ ଏଇ କୁକୁର ପାଇଁ ଶିକାର କିଣିବାକୁ, ସେଇ ଏବେ ଗାଳି ଦେଉଛି ।

 

ବାହାରକୁ ଆସି ଶ୍ୟାମା କହିଲା–କ’ଣ କି ପହଲାମା, କୁକୁରଟା କେମିତି ଖୋଲି ଯାଇଥିଲା । ଏ ବାଘା, ବାଘା !

 

–ଅଛିକି ସେ ଆଉ । ହେଇ ପରା ରାସ୍ତା ଶୁଙ୍ଘି ଶୁଙ୍ଘି ଯାଉଛି । ଏ ପୁଣି ରୋଜ ଖାଇବ ଶାଗୁଆତି । ବୁଝିଲ ମା’, କୁକୁର ଜନ୍ତୁକୁ ଯେତେ ଦୁଧଭାତ ଖୋଇଲେ ସେ କ’ଣ ଛାଡ଼ିବେ କି ? ହେଇପରା ନିଆଁଲଗା ମୂତିଛି ଆସି ମୋ’ରି ଘସି ଗଣ୍ଡାକ ଉପରେ । ତାକୁ ମୁଁ ମୁଣ୍ଡେଇ ବୁଲିବି କେମିତି ? ନିଜ ଚୁଲିରେ ଅବା ଦେବି କେମିତି ? ଆମେ ଗରିବ ଲୋକ । ସବାଖିଆ...କ’ଣ ଖାଏ କେଜାଣି । ତା’ର ମୂତ ଏଡ଼େ ଗନ୍ଧ ।

 

–ଆଲୋ ଗାଳି ଦେ ନା । ସେ କ’ଣ ଜାଣେ ନା ବୁଝେ ? ପଶୁଜନ୍ତୁ ପରା !

 

ନିଜର ନିର୍ଭରଶୀଳତା ପାଇଁ ମନର ରାଗ ମନରେ ମାରି ପହଲାମା କହିଲା–କ’ଣ କରିବି ଠାକୁରାଣୀ, ଆଜି ଭାବିଥିଲି ସେହି ନୂଆ କୋଠାକୁ ଯିବି ବୋଲି କାମ ତଲାସ କରିବାକୁ । ଗୋଟାଏ ହାକିମ ଆସିଛି । କାଳେ ନୋକ ଖୋଜୁଥିବ । ତୁଳସୀମୂଳେ ମୁଣ୍ଡିଆ ମାରି ଆସି ଦେଖିଲାବେଳକୁ ଏ ଦଶା ।

 

ନୂଆ ଘରର ବାବୁଙ୍କ କଥା ଶୁଣି ଘର ଭିତରକୁ ଘୁଞ୍ଚିଗଲେ ପାହୁଣ୍ଡେ । ଡାକିଲେ ପହଲାମାକୁ ହାତ ଠାରି । –ସେ ବୁଝିବେ ବାବୁଙ୍କ କଥା । ଖାଲି ଟିକିଏ କୌତୂହଳ ।

 

ଗରଗର ମୁହଁର ରାଗ ଶୁଖିଲା ହସରେ ଚାପି ରଖି ପହଲାମା ରାସ୍ତାକୁ ଧପଧପ ହୋଇ ଡେଇଁଗଲା । ଗରିବ ବୋଲି ସେ ବାବୁଘର କୁକୁରକୁ ବି ପାହାରେ ପକେଇ ପାରିବ ନାହିଁ । ମନରେ କହୁଥିଲା–ସବାଖିଆ ବାଘା, ଶାଗୁଆତି ନହେଲେ ଭାତ ରୁଚୁ ନାହିଁ । କେବେ ହାବୁଡ଼େ ପଡ଼ିବୁ ତ ! ଦେଖିବୁ ତୋ ପିଠିରେ ଯଦି ଇଟା ନ ଭାଙ୍ଗିଛି !

 

କୁନା ଓ ବେବି ଝଅଟ କୁର୍ତ୍ତା ଖଣ୍ଡେ ଖଣ୍ଡେ ପିନ୍ଧି ଦେଇ ବାହାରି ଆସିଲେଣି ରାସ୍ତାକୁ–କୁକୁରକୁ ଖୋଜିବେ । –ଆଲୋ ପହଲାମା, ବାଘା କୋଉଠି ?

 

–ଆଉ କ’ଣ ପାଇବ ତାକୁ ? ସେ ଯାଇ କାହା ପାଇଖାନା ପାଖରେ ହବଣି ।

 

–ଧେତ୍‌, ବାଘା ମୋଟେ ମଇଳା ଖାଏ ନାହିଁ । ସେ ପରା ପ୍ରତିଦିନ ମାଉଁସ ଖାଉଛି ।

 

ବିଦ୍ରୂପଭରା ସ୍ୱରରେ କହିଲା–ହଁ ବାବୁ, ଦେଖିବ ନାହିଁ କି, କିଏ କାହାର ସ୍ୱଭାବ ଛାଡ଼ିଲାଣି ? ମଣିଷ ତ ପାରୁ ନାହାନ୍ତି ।

 

–କ’ଣ କଲେ ମଣିଷ–ହସି ଶ୍ୟାମାଦେବୀ ପଚାରିଲେ ।

 

–ନାହିଁ ମ ମା’, ଏଇ କୁକୁର କଥା । ହେଲେ ନୂଆ କୋଠାକୁ ଚିହ୍ନି ନାହିଁ–ସେଠି ଅବା ମୂତି ଥାଆନ୍ତା । ଆଉ ଆସି ଉପକାରୀ ଲୋକପରି ମୋ’ରି ଦୁଆରେ–ମୁଁ ତ ଯାଇ କଂସେଇ ଖାନାରୁ ଆଣୁଥିଲି ।

 

–ଦିଅ ଛାଡ଼ । ତୋ ଘସି ପଇସା ମୁଁ ଦେଇ ଦେବି ।

 

ନରମି ଯାଇ ବୁଢ଼ୀ କହିଲା–ମତେ କ’ଣ ସେ ପଇସା ଭୋଗ ହେବ ? କ’ଣ ଏଠୁ ନଉ ନାହିଁ ଯେ, ଆଉ ଦି’ଟା ଘସିର ପଇସା ନେବି ? ମତେ ବିରକତ ଲାଗିଲା ଯେ ଗୋଟାଏ ଅନୁକୂଳ କରି ବାହାରିଲା ବେଳେ କୁକୁର ମୂତ ମାଡ଼ିଲି ।

 

–କି ଅନୁକୂଳ ମ ? ବାବୁ କ’ଣ ରଖିବେ ନାହିଁ କି ତୋତେ !–ଅନୁକୂଳ ତୁ ନ କଲେ ?

 

–କେଜାଣି, ଗୋଟାଏ ଭେଣ୍ଡିଆ ଚପରାସି ଅଛି ତ । ପିଲାପିଚିକା ଥିଲେ ଅବା କଥା ନ ଥାନ୍ତା । କେହି ତ ଆସି ନାହାନ୍ତି ।

 

ଧୀର ଗଳାରେ ଶ୍ୟାମା ଦେବୀ ପଚାରିଲେ–ତାଙ୍କର କେହି ନାହାନ୍ତି ନା ସେ ଏକୁଟିଆ ଆସିଛନ୍ତି ?

 

–କେଜାଣି ମା । ତେବେ ସେମିତି ଜିନିଷପତ୍ର ନାହିଁ । ବାବୁ ତ ଦେଖିବାକୁ ଟୋକା ବଅସର । ଅଭିଆଡ଼ା ହେଲେ ହୋଇଥିବେ । ଗଲେ ବୁଝା ଯାଆନ୍ତା ।

 

ବାବୁଙ୍କ କାନରେ କଥାଗୁଡ଼ାକ ଠକ୍‌ଠକ୍‌ ହୋଇ ବାଜୁଥିଲା । ତାଙ୍କର ସବୁ ଅଛି । ଖାଲି ସ୍ତ୍ରୀ ନାହିଁ ବୋଲି ପିଲାଠାରୁ ବୁଢ଼ାଯାଏ ସମସ୍ତେ ପଦେ ପଦେ କହୁଛନ୍ତି । ଏଇ ଗୋଟିକ କଥା ସମସ୍ତଙ୍କର ।–ମୁର୍ଖ ଲୋକେ ଖାଲି ଏ ଛିଦ୍ର ଖୋଜି ବୁଲନ୍ତି ।

 

ବେଣୁଧର ବି ନିଜର ଉତ୍ସାହକୁ ଚାପି ରଖି କୁକୁର ଦେଖିବାକୁ ଯେତେ ଇଚ୍ଛା ଥିଲେ ବି ଘର ଭିତରେ ତୁନି ପଡ଼ିଥିଲା । କାଳେ ସେଇ ସବୁ କଥା ଶୁଣି ନ ପାରିବ ବୋଲି । ବୁଢ଼ୀର ସେଇ ଶେଷ ପଦକ ଶୁଣି ସେ ବାବୁଙ୍କର ବିଶ୍ୱାସୀ ଲୋକ ପରି କହିଲା–ଆସୁ ସେ ବୁଢ଼ୀ । କାମ ଖୋଜିବାକୁ ଆସୁଛି । ତାକୁ ଦି’ ଧକ୍‌କା ନ ଦେଲେ–

 

–ଛି, ବେଣୁଧର !

 

–ଆଉ ! ଏଇ ଲୋକେ ମୁହଁ ପାଇ ଯାହା ଇଚ୍ଛା ତାହା କହିବେ । ଆଉ କ’ଣ ଆମେ ନାଲିସ୍‌ କରିବାକୁ ଯିବୁ ?

 

ବାବୁଙ୍କର ମନର ଧୀର କୋମଳତାରେ ସେହି ଇତର କେଇପଦ ମିଠା ରାଗିଣୀ ବଜାଉଥିଲା । ତାଙ୍କ ବିଷୟରେ ସେମାନେ ତାଙ୍କୁ ଶୁଣାଇ ଆଲୋଚନା କଲେ–ଶ୍ୟାମାଦେବୀ ଆଉ ପହଲାମା ।

 

–ମୁଁ କହିବାକୁ ଭୁଲି ଯାଇଥିଲି ତମକୁ । ଜଣେ ଲୋକ ନଥିଲେ ଆମେ ଗସ୍ତରେ ଗଲାବେଳେ କିଏ ଜିନିଷପତ୍ର ହେପାଜତ୍‌ କରିବ ? ଘର ଦୁଆର କିଏ ଓଳେଇବ ? ଜଣେ ଲୋକ ଯଦି ଆପଣା ମନକୁ ଆସୁଛି, ସାଇର ଲୋକ ତ...ତାକୁ ଡରିବାର କିଛି ନାହିଁ । ରଖିଲେ ଖରାପ କ’ଣ ହୁଅନ୍ତା ?

 

–ଆମକୁ ସେ ଯେମିତି ସେମିତି କହୁଥିବ । ଆଉ ଆମେ ତାକୁ–

 

–ଟିକିଏ ମୁହଁ ଖରାପ । ହେଲେ କାମିକା ହୋଇଥିବ । କିଛି ଗୁଣ ନଥିଲେ ତାକୁ କ’ଣ ସେ ବାବୁଘର ରଖିଥାନ୍ତେ ?

 

–ସେମାନେ ? ତାଙ୍କର ବାବୁ କୁଆଡ଼େ ନାହାନ୍ତି । ବାବୁଆଣୀ କେତେ ଅବା ବୁଝିବେ ? ତାଙ୍କୁ ସେ ଘଷି ଆଉଁସି ଦେଉଥିବ ବୋଲି ସେ ସିନା ସୁପାରିସ୍‌ କରୁଥିବେ । ଆମେ ଅନ୍ୟ ଲୋକ ରଖିବା ।

 

ବାବୁ ଉତ୍ତର ନ ଦେଇ ଚାହିଁଥିଲେ ବେଣୁଧରକୁ । ଦିହେଁ ଦିହିଁକି ଭାବୁଥିବେ ଅଫସାରୀ ବୋଲି । ବେଣୁ ଭାବୁଥିଲା–ସବୁ ହାକିମଙ୍କର ଏକାପରି ଅବୁଝା କଥା । ମାଡ଼ ତାଙ୍କୁ ମାଡ଼ ପରି ଲାଗେ ନାହିଁ । ବାବୁ ସହଜେ ଭାବୁଥିଲେ–ଲୋକ ଚିହ୍ନିବା ଶକ୍ତି ଚପରାସିର କାହୁଁ ଆସିବ ?

 

ଦିହେଁ ଚାହିଁଲେ ଦୁଆର ଆଡ଼କୁ । ବାହାରର କଥା, ବାହାରର ଘଟଣା ସେମାନଙ୍କୁ ଡାକୁଛି ଫିଟି ଆସିବାକୁ । ବାଜା ବଜନ୍ତରି ଶବ୍ଦ ଶୁଣି ଗୋଡ଼ି ଯେମିତି ଚଞ୍ଚଳ ହୁଏ ବାହାରିବାକୁ–ଠିଆ ହେବ, ଦେଖିବ । ସେମିତି ବାବୁ ଓ ସେବକ ଦୁହେଁ ହଠାତ୍‌ ବ୍ୟସ୍ତ ହୋଇ ପଡ଼ିଥିଲେ ବାହାରକୁ ଆସିବା ପାଇଁ ।

 

ବେଣୁଧର କବାଟ ଖୋଲିଲା । ବାବୁ ବାଧା ଦେଇ ନାହାନ୍ତି । ନୁଆଁଣିଆ ଖରାର ଆଲୁଅ ଦାଣ୍ଡଘର ଭିତରକୁ ପଶି ଆସିଥିଲା–ସତେ ଯେପରି ଚାହିଁ ରହିଥିଲା ଆସିବ ବୋଲି ।

 

କବାଟ ଖୋଲିବା ଶବ୍ଦରେ ଶ୍ୟାମାଦେବୀ ଓ ପହଲାମା ଦିହେଁ ଚାହିଁଥିଲେ–ସେହି ଘରଟା ଦିନଯାକ କବାଟ କିଳା ଥିଲା, ଫିଟିଲାଣି ।

 

ପହଲାମା ବ୍ୟସ୍ତ ହୋଇ ପଡ଼ିଲା ଆସିବ ବୋଲି । ଆସିଲା ବେଳେ ଶ୍ୟାମାଦେବୀ ଉଦ୍‌ବେଗ ଉତ୍କଣ୍ଠାମିଶା ଥର ଥର ଗଳାରେ କହିଥିଲେ–ହଉ ଯା’, ବାବୁ କାଳେ ପଳେଇବେ ।

 

ଗୋଡ଼ ତଳକୁ ଦୃଷ୍ଟି ନାହିଁ । ପହଲାମା ଆସି ଠିଆ ହୋଇଗଲା ଘର ଆଗରେ । ଚପରାସି ତାକୁ ଦେଖି ତାତି ଉଠିଲା । ହାକିମ ଦେଖାଇ ପଚାରିଲା–କ’ଣ ଚାକିରି ଖୋଜିବାକୁ ଆସିଗଲୁ ?

 

–ହଁ ତମେ ତ ସର୍ବଜାଣ । ହସି କହିଲା, ଆସିଥିଲି ପରା ବୁଝିବାକୁ । କେତେବେଳୁ ଆସନ୍ତିଣି ଯେ ତମର ତ ଦୁଆର ବନ୍ଦ ।

 

–ଆଉ କ’ଣ ମେଲା ଥାଆନ୍ତା ?

 

–କାହିଁକି ରହିବ ନାହିଁ । ପହଲାମାକୁ ସବୁରି ଦୁଆର ଖୋଲା । ତା’ର ହାତଉଠା ନାହିଁ । ଏମିତି ତ କେତେ ବାବୁଘର କୁଞ୍ଚିକାଠି ଥୋଇ ଦେଇ ସରକସ, ସିନେମା ଦେଖିଯାଆନ୍ତି ।

 

–ସତେ ! ଏତେ ଗୁଣ ତୋର ! ସେ ବାବୁଘରେ କ’ଣ କରୁଥିଲୁ ?

 

–ମା’ଙ୍କ ସାଙ୍ଗରେ ଦୁଃଖସୁଖ ହେଉଥିଲି । ବାବୁ ନାହାନ୍ତି–ଏକୁଟିଆ ମଣିଷ ।

 

ବେଣୁ ଆଉ କିଛି ପଚାରିବା ଆଗରୁ ବାବୁ ନିଜେ ଖଣ୍ଡେ ଜାମା ପିନ୍ଧି ବାହାରି ଆସି ପଚାରିଲେ–କ’ଣ କି ବେଣୁ ?

 

ନିଜର ପଚାରିବା କଥାକୁ ଛାଡ଼ିଦେଇ ବେଣୁ କହିଲା–ଇଏ ଆସିଛି । ଭାରି ସଚ୍ଚା ଲୋକ–ଆଲୋ ବୁଝିଲୁ, ଏଠି ଛୁଞ୍ଚିଟିଏ ହଜିଲେ ଜାଣିଛୁ–ଜେଲଖାନା !

 

–ଏମିତି କାହିଁକି ହଉଚ ମ ! ଗରିବ ଦୁଃଖୀ ଦେଖିଲେ ସମସ୍ତେ ତ ବାରହାତ ଉଞ୍ଚା । ମୁଁ ଆସିଲି ବାବୁଙ୍କ ପାଖକୁ ।

 

–ହଉ ଆ ଭିତରକୁ । –କହି ବାବୁ ବେଣୁକୁ ବରାଦ କଲେ ଚୌକି କାଢ଼ିବ ଦୁଆରକୁ ।

 

ମୁହଁ ଛିଞ୍ଚାଡ଼ି ମୁହଁ ବୁଲେଇ ଦେଇ ପହଲାମା କହିବାକୁ ଚାହୁଥିଲା, ଆରେ ଯା । ତୁ ବି ଯେମିତି ମୁଁ ବି ସେମିତି । ଯିଏ ବାବୁଙ୍କୁ ନିଜର କରିପାରିବ, ବାବୁ ତା’ର ।

 

ବେଣୁ ଘୋର ବିରକ୍ତିରେ ଭିତରକୁ ଆସିଥିଲା ହୁକୁମ ତାମିଲ କରିବାକୁ । ସେ ବି କହିଥାନ୍ତା–ବୁଢ଼ୀ ତୋ କପାଳ ଭଲ । ଆଜି ବାବୁ ନଥିଲେ ଥଣ୍ଡା କରିଥାନ୍ତି ।

 

ଧୂଳି ଝାଡ଼ିବାକୁ ଯାଇ ଚୌକି ଉପରେ ଦି’ ତିନି ଚାପୁଡ଼ା ପକାଇ ବେଣୁଧର ଚୌକିଟାକୁ ଟିକିଏ ଟାଣରେ କଚି ଦେଲା ଦୁଆରେ । ନିଜେ ଚାଲିଗଲା ବାହାରକୁ ।

 

ଦେଖି ଆସିବ ସେଇ ଘର । ବାଘା କୁକୁର ଆଉ କୁକୁରର ମାଲିକାଣୀ–ସମସ୍ତଙ୍କୁ । ଏଣେ ବାବୁ ଆଉ ପହଲାମା ତାଙ୍କର ବୁଝାସୁଝା ହେଉ ଥାଆନ୍ତୁ ।

 

କଚିରିର ପ୍ରତାପ ଧରି ବେପରୁଆଭାବରେ ପହଞ୍ଚିଲା ସେ ବାବୁଙ୍କ ଘରେ । ଶ୍ୟାମାଦେବୀଙ୍କୁ ଦେଖି ଜୁହାର ହୋଇ କହିଲା–ଆମେ ଆସିଛୁ ସେଇ ନୂଆ ଘରଟିକୁ । ଆମ ବାବୁଙ୍କ ନାଁ ଶୁଣିଥିବେ । ସେ ଜଣେ ହାକିମ ।

 

–ହଁ ଭଲ ହେଲା । ଘରଟି ଭଲ ।

 

–ନୂଆ ଘରଟାଏ ତ । ସଜ ଲାଗୁ ନାହିଁ । ଏଠି କିଏ ସବୁ ଅଛନ୍ତି ପାଖରେ ?

 

–କହିପାରିବି ନାହିଁ । ସେ ହଳଦିଆ ଘରେ ଜଣେ ଡାକ୍ତର । ବାହାର ଲୋକ ବେଶି ନାହାନ୍ତି ।

 

ହସି ହସି ସାଇକେଲରୁ ଓହ୍ଲାଇଲେ ଜଣେ ବାବୁ ।

 

–କିହୋ ଦେବ, ତମର ଦେଖା ନାହିଁ କେଇଦିନ ହେଲାଣି ।

 

–କାମ ଥିଲା, ଆସିପାରି ନ ଥିଲି । ବାଘା କ’ଣ ଛକ ଉପରେ ବୁଲୁଛି ?

 

–ପଳେଇଛି ପରା । ରତନା ଯାଇଛି ଖୋଜିବାକୁ ।

 

–ଏ କିଏ ?

 

–ଏ ନୂଆ କୋଠାକୁ ଭଡ଼ାରେ ଆସିଛନ୍ତି–ଜଣେ ହାକିମ ।

 

–କିଏ, ତାଙ୍କ ନାଁ କ’ଣ ?

 

ଚପରାସି ଦେହ ଝାଡ଼ୁଝାଡ଼ୁ କହିଲା–ସେ ପରା ସୁଭାଷ ବାବୁ । ଆପଣ ତାଙ୍କୁ ଚିହ୍ନନ୍ତି ନାହିଁ ?

 

–ଚିହ୍ନା ନାହିଁ । ହୋଇଯିବ ।

 

ଦେବବାବୁ ସାଇକଲ ରଖିଲେ । କୁନା ବେବି ଆସି ପହଞ୍ଚିଲେ ଜଳଛବି ପାଇଁ । ବେଣୁଧର ମଧ୍ୟ ଜଣାଇଲା ସେ ଯିବ ।

 

–ଆସିଥିଲେ କୁଆଡ଼େ ? ଦେବବାବୁ ପଚାରିଲେ ।

 

–ଚିହ୍ନା କରିବାକୁ । କିଏ କେଉଁଠି ଅଛନ୍ତି ବୁଝିବାକୁ ।

 

–ଓଃ ।

 

ଚୌକିରେ ଆଉଜି ପଡ଼ି ଦେବ କହିଲା–ଅନେକ ଦିନ ପରେ ଆସିଲି କ’ଣ ? ମୋଟେ ପାଞ୍ଚଦିନ–

 

–ସେମିତି ଲାଗୁଥିବ । ମତେ ତ ଲାଗୁଥିଲା ଯେମିତି ଯୁଗେ । କେତେ ଆଉ ଏଇ ପିଲା ଦି’ଟାକୁ ନେଇ ଦୁଃଖସୁଖ ହେବି ? ସେଗୁଡ଼ାଙ୍କର ଯୋଉ ପାଟି ! ଅତଡ଼ା ପକାଉଛନ୍ତି ଦିନଯାକ...ଆଗେ ସିନା ଆଖପାଖରେ ଶୁଣିବାକୁ କାହାରି କାନ ନ ଥିଲା–ଆମେ ଯେମିତି ମନ ସେମିତି ଚଳୁଥିଲୁ । ଏବକୁ ଏଠି କଥା କହିଲେ ସେଠି ଶୁଭୁଛି ।

 

–ଖରାପ କ’ଣ ? ବଡ଼ ପାଟିରେ କହିବାକୁ ଇଚ୍ଛା ହେବ ।

 

–କେବେ କ’ଣ ମୁଁ କହେ ଗର୍ଜ୍ଜି ଗର୍ଜ୍ଜି ? ଘରେ କଥା କହିଲାବେଳେ ଆଉ ଜଣେ ଶୁଣିଲେ କ’ଣ ଭଲ ଲାଗେ ସମସ୍ତଙ୍କୁ ? ଶ୍ୟାମାଦେବୀଙ୍କ କଥାରେ ଅଭିମାନ ।

 

ମଲା ମଲା, ମୁଁ କ’ଣ କହିଲି ଯେ ଏମିତି ଛଳ କରି ବସିଲଣି ।

 

–କାହିଁକି ଛଳ କରିବି ? ବାଟ ଚାହିଁ ଚାହିଁ ଆଖି ଶୁଖି ଗଲାଣି । ଆସି ଭଲ କଥା ପଦେ କହିଲ ଏକା !

 

–ହଉ ଛାଡ଼ । କ’ଣ ହେଲା ? ତମ କଥା କାହାକୁ ଶୁଭି ଯାଉଛି ?

 

–ନାହିଁ ମ ସେମିତି କହୁଥିଲି ।

 

–ଚପରାସି କ’ଣ କହୁଥିଲା ?

 

–କିଛି ନାହିଁ । ଏଇ ତ ଆସିଲା ଟିକିକ ଆଗରୁ । ନୂଆ ବାବୁ ଆଜି ସକାଳେ ଆସିଛନ୍ତି । ବୁଝୁଥିଲା କିଏ ସବୁ ଅଛନ୍ତି କୋଉ ଘରେ । –ବୋଧହୁଏ କ୍ଲବ କରିବେ ।

 

–ତମେ କ’ଣ କହିଲ ? କ୍ଲବ କରିବ ବୋଲି କହିଲ ତ ?

 

–ମୁଁ ? ଶ୍ୟାମାଦେବୀ ଚାହିଁଲେ ଦେବେନ୍ଦ୍ରକୁ । ପଚାରିଲେ–କଥା ସୁନ୍ଦର କରି କହି ଜାଣିଲଣି ! କୋଉଠି ପାଠ ପଢ଼ୁଛ କି ?

 

–କୋଉଠି ପଢ଼ିବି ? ଚିଡ଼ୁଛ କାହିଁକି ?

 

–ସେମିତିକା କଥା କହନ୍ତି ନାହିଁ ?

 

ଶ୍ୟାମା ଦେବୀଙ୍କର ଅଭିମାନ କ୍ରୋଧର ରୂପ ନେଇଥିଲା । ଦେବେନ୍ଦ୍ର ଆଶଙ୍କା କରିଥିଲା–ଅଦିନିଆ ଝଡ଼ । ବେଳ ଅବେଳରେ ଶ୍ୟାମା ଦେବୀଙ୍କର ମୁହଁ ଝଡ଼ ବେଳର କଳା ଆକାଶ ପରି ଦିଶିଯାଏ ।

 

ବେଣୁଧର ଫେରି ଆସିଲା ଘରକୁ । ସେତେବେଳକୁ ବାବୁ ଶୁଣୁଥାନ୍ତି ପହଲାମାର ଗୁଣଗ୍ରାମର ତାଲିକା । ସେ ରୋଜ–ଦିହ ପା ନାହିଁ–ପ୍ରତିଦିନ ଯାଏ ବାବୁମାନଙ୍କ ଘରର ଖଟଣିରେ-। ସେ ଘରକୁ ଏକୁଟିଆ । ଗେରସ୍ତ ନାହିଁ, ପୁଅ ନାହିଁ, ଯାହା ସେ ପାଏ ଝିଅର ପିଲାମାନଙ୍କୁ ସେଥିରୁ ଦିଏ ।

 

–ଖାଇବାକୁ ଗୋଟିଏ ପେଟ । ପୁଣି ସବୁବେଳେ ତ ସେ କାମକୁ ପାରିବ ନାହିଁ । ବେଳ ଅବେଳକୁ, ପୋଡ଼ା ପୋତା ହେଲାବେଳକୁ କିଛି ସାଇତି ନ ଥିଲେ ସେ ଦାଣ୍ଡରେ ପଡ଼ିବ । ପହଲାମା ଦୀର୍ଘ ନିଶ୍ୱାସ ପକାଇଲା ।

 

–ସେ ଯେଉଁଠି ଚଳେ ସେଠି କେଭେଁ ଚୋରିହାରି ହୋଇ ନାହିଁ । ଭଲ ଖାଉନ୍ଦ ନ ପାଇଲେ ସେ କାମ ଧରେ ନାହିଁ । ତା’ ସଙ୍ଗେ ଖିଟ୍‌ଖିଟ୍‌ ଲଗାଇଲେ ସେ କିଛି କରିପାରେ ନାହିଁ । ସେଥିପାଇଁ ସେ ଯାହା ପାଖରେ ଏଠିସେଠି ହେଉଛି ।

 

–‘‘ବାବୁ ଭାରି ବଡ଼ମନର ଲୋକ । ନ ହେଲେ କ’ଣ ଭଡ଼ାବାଲା ତାଙ୍କୁ ଏ ଘରକୁ ଆଣିଥାନ୍ତା ! ତା’ର ଯୋଉ ପ୍ରତାପ ଦୁଃଖୀ ଗରିବଙ୍କ ଉପରେ, ସେଥିରେ ସେ କ’ଣ କେବେ ଯାହାକୁ ତାକୁ ଘରେ ରଖିବ । ଘରେ ଯେ ମାଛିଟିଏ ବସେଇ ଦେବ ନାହିଁ, ସେପରି ଲୋକ ତା’ର ଏତେ ଦାମ୍‌ର ଘର କ’ଣ ଏମିତି ଏମିତି ଛାଡ଼ିବ ?’’

 

–ସେ ପରା ଭଡ଼ା ନଉଛି । ଛାଡ଼ନ୍ତା ନାହିଁ କେମିତି ?

 

–ବାବୁ ଆମେ କାହାକୁ ଭଡ଼ାରେ ରଖିଲେ ଆଖି ଆଗେଆଗେ ରଖିଥାଉ । ପରବାସୀ ନୋକ କ’ଣ ଘରର ହିପାଜତ୍‌ କରିବ । ମୁକୁଳା ପଡ଼ିଛି ତ ପଡ଼ିଛି । ନିଆଁପାଣିକୁ ନିଘା ନାହିଁ । ଛପର ଗୋରୁ ଓଲାରିଲା–ତା’ର କି ଯାଏ ଆସେ ? ସେଥିରେ ପୁଣି ରୋଜ ବେଳବୁଡ଼େ ଭଡ଼ାଗଣ୍ଡାକ ଆଦାୟ ନ କଲେ ଆଜି ଭଡ଼ା କାଲିକି ବାସି ହେଲା । ସେ ଆଉ ଆଗେ ଦବ ନା ଆଗେ ପାଇବ ।

 

–ତମେ ତେବେ ଆମକୁ ଘର ଭଡ଼ା ଦିଅନ୍ତ ନାହିଁ ? ଆମେ ତ ମାସକୁ ମାସ ଭଡ଼ା ଦେଇଥାନ୍ତୁ । ମାସ ନ ପୂରିଲେ–

 

–ତମ ପରି ବାବୁ–ସେ ପୁଣି ଆମଠଉଁ ଘର ଭଡ଼ା ନେବ । ଏ, କି ଓଲଟା କଥା । ଯାହାର ଘର ନାହିଁ, ସେ ସିନା ଥିଲାବାଲାଠଉଁ ନିଏ । ଆଉ ଆମପରି ବାସନମାଜିବା ନୋକ–ହସି କହିଲା...ହଉ ବାବୁ ପହଲିମା’କୁ ପହଳି କରୁଛ......

 

–ମୁଁ ଯଦି ଭଡ଼ା ନ ଦିଏ–ତା’କୁ !

 

–ବାବୁ ସେୟା କରନ୍ତ କି ସେ ମଜ୍ଜା ପା’ନ୍ତା । ସେହି ପଡ଼ିଶା ଘର ବାବୁ ସେମିତି ଥିଲେ-। ସେ ମାସକୁ ମାସ ତାଙ୍କ ସଙ୍ଗରେ ଲଗାଇଲା ଭଡ଼ା ପାଇଁ । ରାଗିଯାଇ କହିଲେ–ଦେବି ନାହିଁ ଭଡ଼ା ।

 

–ସେଠୁ ସେ କଣ କଲା ?

 

–କରିବ ଆଉ କ’ଣ ! ଏଣେ ତେଣେ ବୁଲି ତାଙ୍କ ନାଁରେ ବାରକଥା ଲଗେଇ କହିଲା । ବାବୁ ଘୁସ୍‌ ଖାଆନ୍ତି, ବାବୁଆଣୀ ଖରାପ ମଣିଷ–ବାବୁ ବି ଡରିଲେ ନାହିଁ । ପୁଲିସ୍‌କୁ କହିଲେ । ଶେଷକୁ ଭାୟାଠଉ ସମ୍ପତ୍ତି କିଣିଲେ । ଭାୟାକୁ ଭଡ଼ା ଛୁଆଇଁ ଦେଉ ନ ଥିଲା । ସେମାନେ କାଗଜ କରିଦେଲେ । ଯେମିତି କଲା ସେମିତି ଫଳ ପାଇଲା ।

 

–କୋଉ ଘର ?

 

–ଜାଣି ନା ? ଏଇ ଘର ପାଖକୁ ଯୋଉ ଘରଟା ଦିଶୁଛି । ସେଇ ଯୋଉ କୁକୁର ଆସି ମୂତିଲା ମୋ ପିଣ୍ଡାରେ–ସେଇ ବାବୁ ପରା । ବାବୁଟି ଲୋକ ଯେମିତି ଭଲ ସେମିତି କଡ଼ା–ଯେସାକୁ ତେସା ପାଠ ଶିଖେଇଲେ ।

 

ବାବୁ କି କାମ କରନ୍ତି ?

 

–କି ଜାଣି । ଗସ୍ତ କରନ୍ତି । ତାଙ୍କ ଚାକିରିଟା ମତେ ପଇଟେ ନାହିଁ । ବଡ଼ ଛନ୍ଦୁରାମନ୍ଦୁରା କାମ । ଖାଲି ତ ଗାଡ଼ି ଚଢ଼ି ଯାଉଁଥାନ୍ତି ଆସୁଥାନ୍ତି । ଦିନେ ଓଳିଏ ରହିବେ କି ନାହିଁ–ବାବୁ ଚାଲିଲେ-। ପୁଣି ଆସିଲେ ଗଲେ । ଆପଣ ଚିହ୍ନି ନାହାନ୍ତି ତାଙ୍କୁ ? ସେ କାଲି ଯାଇଛନ୍ତି ଗସ୍ତରେ । ଗସ୍ତ ଚାକିରି ହୋଇଥିବ ।

 

–ମୁଁ ପରା ଆଜି ଆସିଲି ।

 

–ସେ ଚାରିଆଡ଼କୁ ଯାଆନ୍ତି ବୋଲି ମୁଁ କହିଲି କି ତମେ ଚିହ୍ନିଥିବ । ହାକିମ ହୋଇ ହାକିମକୁ କ’ଣ ଚିହ୍ନନ୍ତି ନାହିଁ !

 

ବେଣୁଧର ଠିଆ ହୋଇ ଶୁଣୁଥାଏ । ବାବୁ ହସି କହିଲେ–କ’ଣ କହୁଛ ବେଣୁଧର–ପହଲାମା ରହୁ । ଆମେ ଥିଲା ନ ଥିଲା ବେଳେ ଚାବି କାହାକୁ ଦେବା ?

 

–ସେ କେତେ ନବ ? ଆମେ ତ ଜଣିକିଆ ଲୋକ । କ’ଣ ବା କାମ ଅଛି ଆମର ।

 

ପହଲାମା ଭାରି ଆତଙ୍କରେ କହିଲା–କାହିଁକି ଭାଙ୍ଗୁଛ ଭଲା ! ପହଲାମା ଦି’ଟା ଖାଇଲେ କ’ଣ ତମ ପେଟରୁ ଊଣା ହୋଇଯିବ । ବାବୁଙ୍କର ଘର ଲୋକେ ଆସିଯିବେ ନାହିଁ । ସବୁଦିନେ କଅଣ ଏକୁଟିଆ ଥିବେ । ମା’ କେବେ ଆସୁଛନ୍ତି ?

 

ବାବୁ ହସି କହିଲେ–ଆମର ମା’ ନାହାନ୍ତି ।

 

–ଓ, ଏମିତି କଥା ! ଏବ କାଳକୁ ହାକିମମାନେ ସମସ୍ତେ ଏକୁଟିଆ । ମୋ ପିଲାବେଳେ ମା ନଥାଇ ଘର ନଥିଲା । ଆଉ ଏବେ–

 

–ଏବେ କ’ଣ ହୋଇଛି ? ଘରେ ମା’ ରହୁ ନାହାନ୍ତି ନା ? ବାବୁ ପଚାରିଲେ ।

 

–ଆସି ନାହାନ୍ତି । ଆସିବେ କାହିଁକି ? କେଜାଣି ଅବା ବାବୁ ପହଲାମାକୁ ଭଣ୍ଡୁଥିବ । ଏଡ଼େ ସୁନ୍ଦର ନଅର ପରି ଘର । ମା ନଥିଲେ କ’ଣ ସାଜିବ । ରାଣୀ ନଥାଇ ମହୁମାଛି ବି ନାହାନ୍ତି-। ରାଇଜ ନାହିଁ ।

 

–ଆମେ ଆଣିବା ନାହିଁ । ସେମିତି ଠୁଙ୍ଗାଠୁଙ୍ଗା ରହିଯିବା ।

 

ବିବ୍ରତ ହୋଇ ପହଲାମା କ’ଣ ଜବାବ ଦେବ ଠିକଣା କରି ପାରିଲା ନାହିଁ । ସେ ଗୁଣୁ ଗୁଣୁ ହୋଇ କହିଲା–ଆମେ ତ ମୁର୍ଖ ନୋକ ବାବୁ । ସେଥିରୁ ଆମକୁ କ’ଣ ମିଳିବ । ମତେ କ’ଣ କହିଦେଲେ...ହେ, ଭାଇ, କ’ଣ କହୁନା ? କହି ବେଣୁଧରକୁ ଚାହିଁଲା ।

 

–ଅସଲ ଲୋକ ତୁ ! କେତେ ବନେଇ ଚୁନେଇ କଥା କହି କହି ଜାଣୁ ।

 

–ଖିଟ୍‌ଖିଟ୍‌ ଲଗାନା କହୁଛି । ପହଲା’ମା ପିଠି ଆଉଁସିଲେ ମଇଳା ଉଠେଇବ । ଆଉ ତାକୁ ଚିଡ଼େଇଲେ ସେ ତମ ଦୁଆରେ ହାଇ ମାରିବାକୁ ଆସିବ ନାହିଁ ।

 

–ଆହା, ଏଡ଼େ କଥା କାହିଁକି କହୁଛ । ବେଣୁଧର ଭାରି ଭଲ । ଖାଲି ତୁମକୁ ଚିଡ଼େଇବାକୁ ସେମିତି କହୁଥିଲା ନା ।

 

–ଦେଖୁ ନ ବାବୁ, ତମପରି ଲୋକ ମୁହଁରେ ତୁ’ତାକର ନାହିଁ । ଆଉ ଏ ଦି’ପଦ କଥାରେ କେମିତି ଫୋପାଡ଼ି ଫୋପାଡ଼ି କହୁଛି । ଏଥିରେ ଚିଡ଼ି ଲାଗିବ ନାହିଁ ?

 

–ହଉ କହ କେତେ ଟଙ୍କା ନବୁ ? କାମ ତ ଅଳପ ।

 

ବାବୁଙ୍କର ଏଇ କଥାଟା ତାକୁ ଭଲ ଲାଗୁ ନଥିଲା । ଲୋକ ନାହାନ୍ତି, ଗୋରୁଗାଈ ନାହାନ୍ତି, ପୋଷା ଚଢ଼େଇଟିଏ ବି ନାହିଁ । ସେଥିରେ ପୁଣି ଗୋଟାଏ ଭେଣ୍ଡିଆ ଖଟୁଛି । କି କାମ ଅଛି ଯେ କ’ଣ ସେ କହିବ । ବାବୁଙ୍କ ଶରଣ ପଶିବାକୁ ସେ କହିଲା–ତମେ ଯାହା ଦବ ବାବୁ । ଯୋଉ କାମ କହିବ ସେ କାମ କରିବି । ମୁଁ ମୂଲଚାଲ କରେ ନାହିଁ । ହେଲେ ଚାବି ଯେତେବେଳେ ରଖିବି ଘରର ଲକ୍ଷେ ଟଙ୍କାର ଲାଭକ୍ଷତି ସବୁ ମୋ ମୁଣ୍ଡରେ–ଯାହା ଦବ ।

 

–ଦେଖୁଛ ତ ଆମର କାମ ନାହିଁ । ଖାଲି ଘରକୁ ଜଗାରଖା କରିବ । ସେଥିପାଇଁ କିଛି ପାଇବ । କାମ ଦେଖିଲେ ବଢ଼େଇବା ।

 

ପହଲାମା ଭାବିଲା କଥାଟାର ବାଗସାଗ ମିଳୁନାହିଁ । ବାବୁଆଣୀଙ୍କଠଉଁ ଭଲକରି ବୁଝି ନ ଆସିଲେ ଦରମା ସଜରେ ଛିଡ଼ିବ ନାହିଁ । ସେ ଠିଆ ହୋଇ ଭାରି କାମଥିବା ପରି ବ୍ୟସ୍ତତା ଦେଖାଇ କହିଲା–ବାବୁ ଫେଣେ ମୁଁ ଆସିବି । ଟିକିଏ ତାଙ୍କ ଘରୁ କାମ ସାରି ଦେଇ । ତାଙ୍କ ଗୋରୁଗାଈ କାହା ବାରିରେ ପଶିବେଣି । କୁକୁରଟା ଅଇଲାଣି କି ନାହିଁ ବୁଝି ଆସେ । ମୁଁ ପୁଣି ଆସିବି ।

 

ଖରା ନଇଁଗଲାଣି । ଏଣେ ତେଣେ ହୋଇ ବେଣୁଧର ଚିନି ଆଣିବାକୁ ଭୁଲି ଯାଇଥିଲା-। ବାବୁ ଚା’ କଥା ମନେ ପକାଇ ଦେବାରୁ ସେ ଚାଲିଲା ବାହାରକୁ ।

 

ବାବୁ ଏକୁଟିଆ ବସି ପହଲାମା’ର କଥାଗୁଡ଼ିକୁ ମନ ଭିତରେ ଅତିରିକ୍ତ ଉତ୍ସାହରେ ଏପଟ ସେପଟ କଲେ । ପହଲା’ମା ପଡ଼ିଶା ଘର ସାଙ୍ଗରେ ପରାମର୍ଶ କରି ପୁଣି ଆସିବ । କଅଁଳ ମିଠାସ୍ୱର । ଜଣା ପଡ଼ୁଥିଲା ଭାରି ଦରଦୀ ପରି । କ’ଣ ପରାମର୍ଶ ପାଇଲା ବୁଝିଲା ପରେ–

 

ଘରର ଛାତ ଉପରକୁ ସିଡ଼ି ଅଛି । ମେଲା ସିଡ଼ି, ଅନ୍ଧାର ହେଲେ ଯିବେ । ଦିନ ଥାଉଣୁ ଯିବାକୁ ଅସଜ ଲାଗୁଥିଲା । ତେବେ ବି ଗୋଟିଏ ଗୋଟିଏ ହୋଇ ନିଜର ଘର ଦୁଆର ଦେଖିବା ଛଳନା କରି, ସବୁ ପୋଷାକପତ୍ର ପିନ୍ଧି ବୁଲିଯିବା ବେଳକୁ ଛାତ ଉପରକୁ ଉଠିଲେ ।

 

ସୂର୍ଯ୍ୟ କିରଣ ମଉଳି ଯାଇଥିଲା । ଭୟ ଓ ସଙ୍କୋଚ ଭିତରେ ବେପରୁଆ ଭାବ ଦେଖାଇ ଅନ୍ୟମନସ୍କ ଥିବାର ଛଳନା କରି ସେ ଉପରକୁ ଗଲାବେଳେ ସେଇ ବହୁ ବାଞ୍ଛିତ ରୂପ ଦେଖିଥିଲେ ।

 

ଦେଖିବାକୁ ଶ୍ୟାମଳୀ । ସୂର୍ଯ୍ୟଙ୍କର ନାଲିରଙ୍ଗ ତା’ର ସେଇ ଶ୍ୟାମଳ ଦେହ ଉପରେ ବୁଣି ହୋଇ ପଡ଼ିଥିଲା–ଦୂରରୁ ଦିଶୁଥିଲା ସୁନ୍ଦର । ଯେତିକି ଭାବିଥିଲେ ତା’ର କଣ୍ଠସ୍ୱର ବିଷୟରେ, ସେତିକି ତାକୁ ସୁନ୍ଦର ବୋଲି ଭାବିଲେ । ଦୂର ପାହାଡ଼ର ଶିଖ ପରି, ଦେଉଳର ମୁକୁଟ ପରି, ସେ ତା’ର ଉନ୍ନତ ଗର୍ବରେ ଠିଆ ହୋଇ ଯେପରି କହୁଥିଲା–ମୁଁ ଏଠି ଅଛି ।

 

ସେ ଚାହିଁଥିଲା ଘର ଭିତରକୁ । ବରାଦ ଦେଉଥିଲା ରତନାକୁ ରୋଷେଇ ବିଷୟରେ–କିରେ ରତନା ଧୋଇଲୁ ? ଆଛା କରି ଧୋଇଲୁ ? ସେଇ ସେଠି ଶିଉଳି ଲାଗିଛି–କହି ଦେଖାଇଲା ବେଳେ ତା’ର ପିଠି ପାଖ ହଲୁଥିଲା–ଛନ୍ଦର ଲହର ପରି ।

 

ମୁଣ୍ଡର ଜଡ଼ାରେ ଫୁଲହାର ଥିଲା–ଓଢ଼ଣା ନାହିଁ । ପରିପାଟୀ କରି ଲୁଗା ପିନ୍ଧିନାହିଁ । ଦୂରରୁ ଦିଶୁଥିଲା ଭାରି ମନଲୋଭା–ଆକାଶର ଇନ୍ଦ୍ରଧନୁ ପରି–ଦେଖିବା ଲୋକର କଳ୍ପନାରେ, ଦେଖିବା ଲୋକର ଦୃଷ୍ଟିଶକ୍ତିରେ, ତା’ର ରସଜ୍ଞାନର ଆଉ ମନର ରୁଚି ଅନୁସାରେ ।

 

ବିସ୍ତୀର୍ଣ୍ଣ ଧାନକ୍ଷେତ, ଦୂରରୁ ଦିଶୁଥିବା ସମୁଦ୍ର, ବଉଳିଥିବା ଆମ୍ୱଗଛ ଯେମିତି ମନକୁ କେବଳ ତାଙ୍କ ରୂପରେଖରେ ପ୍ରକୃତ ପରିଚୟ ନ ଦେଇ, ଗନ୍ଧ ଓ ସ୍ୱାଦର ବିବରଣ ନ ଦେଇ, ଦୁର୍ଲଭ କି ସୁଲଭ ନ ବୁଝାଇ ଖାଲି ଦେଖାଇ ନିଜର ସମଗ୍ରତା ଅଳ୍ପକେ ବୁଝାଇ ଦେଇ ହୃଦୟ ଓ ମନକୁ ଅଭିଭୂତ କରନ୍ତି–ଦେଖିବା ଲୋକର ମନରେ ବର୍ଣ୍ଣବିଭବ ଖେଳାଇ ଦିଅନ୍ତି–ସୁଭାଷବାବୁ ସେହିପରି ସେହି ଶ୍ୟାମଳୀ ତରୁଣୀଟିକୁ ଦେଖି କଳ୍ପନାରେ ଶତମୁଖ ହୋଇ ଯାଇଥିଲେ । ସେ ଅତି ସୁନ୍ଦର । ଏପରି ରୂପ ସେ ଦେଖି–ନାହାନ୍ତି–ଇଆରି ନାଁ ସୌନ୍ଦର୍ଯ୍ୟ !

 

ଅସୁନ୍ଦର ଜିନିଷ ବି ଦୂରରେ ସୁନ୍ଦର । ଶ୍ୟାମଳୀ ଦୂରରୁ ନିଜ ରୂପର ଛଟା ବଢ଼ାଇ ଦିଏ-। ସେଥିପାଇଁ ଅସୁନ୍ଦର ଦେହ, ଅଳ୍ପ ସୁନ୍ଦର ରୂପ, ଅରୁଚିକର ମନ ଦୂରତାରେ ଉଜ୍ଜ୍ୱଳ ଦିଶନ୍ତି-। ରୂପର ସମସ୍ତ ଗ୍ଳାନି ଓ ମଳିନତା ଲିଭିଯାଏ ଦୂରତାର ଉହାଡ଼ରେ ।

 

କିନ୍ତୁ ସୁନ୍ଦର ଜିନିଷ ତା’ର ସମ୍ପୂର୍ଣ୍ଣ ମୂଲ୍ୟବୋଧ ଦେବାକୁ ନିକଟରେ ପହୁଞ୍ଚିବା ଦରକାର-। ସୁନ୍ଦର ଜିନିଷ ଦୂରରେ ଅସୁନ୍ଦର ! ତା’ର ସମସ୍ତ ସୌଷ୍ଠବ ଲୁଚିଯାଏ ଦୂରତା ଭିତରେ ।

 

ଟିକକ ପରେ ସେ ସାମନା କୋଠାକୁ ଚାହିଁ ଚମକି ପଡ଼ିଲା । ସୁଭାଷବାବୁ ଠିଆ ହୋଇଛନ୍ତି । ତା’ର ମୁହଁ ଉପରେ ବିବ୍ରତ ଚାହାଣି ଓ ବିରକ୍ତିର ଛାଇ ଖେଳିଗଲା । ସୁଭାଷବାବୁ ଚାହିଁ ରହିଛନ୍ତି ତା’ରି ଆଡ଼କୁ । ବାଧ୍ୟରେ ମୁଣ୍ଡ ଉପରକୁ ଲୁଗା ଉଠାଇ ନେଇ ସେ ଶୀଘ୍ର ଶୀଘ୍ର ଚାଲିଗଲା ଘର ଭିତରକୁ । ସୁଭାଷବାବୁଙ୍କର ମନେ ହେଲା ଯେପରି ସୂର୍ଯ୍ୟ ବୁଡ଼ିଗଲେଣି ବହୁତ ବେଳୁ । ଚାରିଆଡ଼େ କିଟିକିଟି ଅନ୍ଧାର । ଅପୂର୍ବ ଶୋଭାର ପସରା ଦେଖା ଦେଇ ଲୁଚି ଗଲା !

 

ଆଚମ୍ୱିତ ଦେଖାର ଭାବର ଆବେଶ ସୁଭାଷବାବୁଙ୍କୁ ଘେରି ରହିଲା । ଦେଖା ହୋଇ ନଥିଲେ ଭଲ ହୋଇଥାନ୍ତା ! ବିନା ଚେଷ୍ଟାରେ ମୁହାଁମୁହିଁ ହେଲାବେଳେ ସେ ଯେଉଁ ମୃଦୁ ଆଘାତ, ଲାଜ, ସଙ୍କୋଚ ଭିତରେ ଦେଖାଇ ଯାଇଥିଲା, ସେ ମୃଦୁ ଆଘାତ ସୁଭାଷବାବୁଙ୍କୁ ପୀଡ଼ା ଦେବାକୁ ଆରମ୍ଭ କଲାଣି । କଅଁଳ, ଅଳସ କଣ୍ଠର କେଇପଦ କାରବାରୀ କଥା ତାଙ୍କୁ ଆଚ୍ଛନ୍ନ କରିଥିଲା । ତାକୁ ଦେଖି ତାଙ୍କ ଆଖି ଆଗରୁ ଲୁଚିଯିବାକୁ ଯାହା ଟିକିଏ ଦରକାରୀ ସାଂସାରିକ ଶିଷ୍ଟାଚାର ସେ ଦେଖାଇଥିଲା, ସେତକ ବି ସେମିତି ଆଘାତ ଦେଲା । ଦୁଇ ପ୍ରକାରର ଛବି ଦେଖାଇ ତାଙ୍କୁ ସେ ବାନ୍ଧି ଦେଇଛି ।

 

ମନରେ ବହୁତ ପ୍ରକାରର ପ୍ରଶ୍ନ–ସେ କ’ଣ ଚିହ୍ନେ ତାଙ୍କୁ ? ...ଚାଲିଗଲା କାହିଁକି-? ...ରହିଥିଲେ କ’ଣ ଖରାପ ହୋଇଥାନ୍ତା ? ...ବାହାର ଲୋକଙ୍କ ଆଗରେ ଅପରିଚିତ ଲୋକଙ୍କୁ ସେ କ’ଣ ସେ ପ୍ରକାରର ବ୍ୟବହାର ଦେଖାଏ ? ...ସେ କ’ଣ ମନେ କରୁଛି ଯେ ମୁଁ ତାକୁ ଭଲପାଏ ବୋଲି ! ଏମିତି ଭାବିବାର ତ କାରଣ ନାହିଁ...ଭିତରକୁ ଚାଲିଗଲା କାହିଁକି ? ...ସେ କ’ଣ ଆଉ ଫେରି ଆସି ଚାହିଁ ନଥିବ ?

 

ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦେବାକୁ ସେଇ ନିଜେ । କାହାରି ସହିତ ପରାମର୍ଶ କରିବାର ସୁବିଧା ନାହିଁ । ଯେଉଁ ମନ ଉତ୍ତର ଦେବ, ସେଇ ମନ–ସେଇ ପ୍ରଶ୍ନ, ସେହି ଦ୍ୱନ୍ଦ, ସେଇ ସନ୍ଦେହ ଉଠାଇଛି । ପ୍ରଶ୍ନର ଉପଯୁକ୍ତ ଉତ୍ତର ଉପରେ ତାଙ୍କର ସମସ୍ତ ସୁଖଶାନ୍ତି ଯେମିତି ଖଞ୍ଜି ହୋଇଯାଇଛି–ଅଣେଇ ହୋଇ ପଡ଼ିଥିବା କାନ୍ଥପରି, ଭୁଷୁଡ଼ି ପଡ଼ୁଥିବା କୂଅ ପରି ।

 

ମନର ଦର୍ପଣରେ ସେ ବାରମ୍ୱାର ତା’ର ଛବି ଦେଖୁଥିଲେ । ତାଙ୍କୁ ଦିଶୁଥିଲା ତା’ର ସେଇ କୃଷ୍ଣ ଗଭାର ଫୁଲଗୁଡ଼ିକ । ଶାଢ଼ିଘେରା ଦେହରେ ସବୁପ୍ରକାର ସୌନ୍ଦର୍ଯ୍ୟ ଯେମିତି ଭାବରେ ତ୍ରସ୍ତ, ବିଚଳିତ, ଚକିତ ଓ ଅଭ୍ୟସ୍ତ ହାତରେ ସେ ଲୁଚାଇ ଦେଇଥିଲା ! ତା’ର କୌଣସି ତୁଳନା ନାହିଁ-!

 

ସେ ବୋଧହୁଏ ଭୁଲ ବୁଝିଛି । ତାଙ୍କର ଚାହାଣିରୁ ଅନୁମାନ କରିଛି ଯେ, ସେ ଜଣେ ଇତର ଲୋକ–ସେ ତ ସେମିତି ନୁହନ୍ତି । ବୃଥାଟାରେ ସେ ତାଙ୍କ ବିଷୟରେ ଗୋଟିଏ ଖରାପ ଧାରଣା ରଖିଗଲା ସବୁ ଦିନକୁ । କେଜାଣି ତା’ ମନରେ ପ୍ରୀତି ବଦଳରେ ଘୃଣା ଆସିଥିବ ! ତାଙ୍କୁ ମନ ଭିତରେ, ନିଜ ପାଖରେ, ନିଜର ଲୋକଙ୍କ ପାଖରେ–ଖାଲି ପର ତ ନୁହେଁ ଇତର–ବୋଲି କହିବ । ଇସ୍‌ ! କେଡ଼େ ଦୁର୍ଯୋଗରେ ବୃଥାଟାରେ ଦିନ ନ ଯାଉଣୁ ଯାଇଥିଲେ ଛାତ ଉପରକୁ ।

 

ବେଣୁଧର ଆସି ଠିଆ ହେଲା । ବାଧ୍ୟ ହୋଇ ଚା’ ନେଇ ଚା’ କପ୍‌ରେ ମନ ଲଗାଇଲା ବେଳେ ବେଣୁଧର ରାତି ରୋଷେଇ କଥା ପଚାରିଲା–ବଜାରକୁ ଯିବ ?

 

–ଓଃ, ତୁମେ କ’ଣ ଏତିକି ନିଜେ ଭାବି କରିପାରିବ ନାହିଁ ? ସବୁ କଥାରେ ମୋତେ ସବୁବେଳେ ପଚାରୁ ଥିବ ?

 

–ଭଲ ମାଛ ନ ପାଇଲେ କ’ଣ ଫେରି ଆସିବି ?

 

–ଆଃ, ମତେ ବିରକ୍ତ କରନା । ଯାହା ଇଚ୍ଛା ହେଉଛି କର । ଏ ସବୁ ଘରକରଣା ମାଇପଙ୍କୁ ପୋଷାଏ ।

 

ବେଣୁଧର ଘୁଞ୍ଚିଗଲା ରୋଷେଇ ଘର ଭିତରକୁ । ସବୁ ମିଜାଜ–ଭାରି ମଣିଷ ଏମିତି ପତଳା । ଯେଉଁମାନଙ୍କର ପ୍ରତାପ ବେଶି, ସେମାନେ ସବୁ ଏମିତି ଟିକକରେ କାତର ।

 

ଚା’ ପିଇଲାବେଳେ ସେଇ କପ୍‌ ଉପରେ ସେ ଦେଖୁଥିଲେ ଲୁଚି ଯାଇଥିବା ଶ୍ୟାମଳୀ ଯୁବତୀର ସବୁପ୍ରକାର ସୌନ୍ଦର୍ଯ୍ୟ–ତା’ ନାଁ’ଟା ବି ଜଣାଗଲା ନାହିଁ । ବାବୁଙ୍କ ନାଁ ତ ବୁଝାପଡ଼ିଲା ନାହିଁ । ମନଟା ଚିଡ଼ି ଉଠିଲା ବେଣୁଧର ଉପରେ । ସେ ତାକୁ କହିଲେ–ବେଣୁଧର, ଯାଇଥିଲ ବାହାରକୁ ? କ’ଣ ସବୁ ବୁଝିଲ ? ତାଙ୍କ ନାଁ କ’ଣ ?

 

–କାହା ନାଁ ?

 

ବାବୁଙ୍କର ମନେ ପଡ଼ିଗଲା–ସେ କ’ଣ ସବୁ ପଚାରି ଯାଉଛନ୍ତି ? ଉଠି ଘର ଭିତରକୁ ଚାଲିଗଲେ । ବେଣୁଧର ଆସି ପଚାରିଲା–କାହା କଥା ପଚାରୁଥିଲେ ଆପଣ ?

 

–ଯାଆ, ତୁମର କାମ କର । ମୋର ଆଜି ମନ ଭଲ ନାହିଁ । ଏ ଘର କିଛି ସୁବିଧା ହେଉନାହିଁ । ମୁଁ ନିଜେ ନବୁଝି ତୁମ ଉପରେ ଭାର ଦେଇ ଭୁଲ କରିଛି ।–ଆଲୁଅ ଲଗାଅ ।

 

ଅନ୍ଧାର ଘର ଭିତରେ ସେ ଭାବି ଭାବି ଖୁସି ହୋଇ ନିଜ ମନକୁ କହିଲେ–ଠକି ଦେବ ନାଁ ! ତୁମ ନାଁ କୃଷ୍ଣପ୍ରିୟା ଦେଲି । ଯୋଉ ନାଁ ବି ହୋଇଥାଉ, ଏ ନାଁରେ ତୁମ କଥା ମୁଁ ଭାବିବି....ଦେଖାଦେଇ ଲୁଚି ଯାଇପାର...କିନ୍ତୁ ମନ ଭିତରେ ଆସି ରହିଗଲ......

 

–ଦେଖା ଦେଇ ନଥିଲେ ବି ମନେ ରହିଥାନ୍ତ । ଚାଲି ଯାଇଛ ମୋତେ ବୁଝେଇ ଦେବାକୁ ଯେ ମୁଁ ବିଦେଶୀ, ଆଉ ଦୂର ଲୋକ । ପରକୁ ସିନା ଆପଣାର କରି ହୁଏ ନାହିଁ । ସଂସାର ବହୁତ ପ୍ରକାର ବାଧା ଦିଏ । କିନ୍ତୁ ପର ମଣିଷକୁ ଆପଣାର କରି ଭାବିବା ଆଉ ସେହି ଭାବିବାରେ ସୁଖ ପାଇବା, ଏଇ ଧୂଳିର ଧରଣୀରେ ସବୁବେଳେ ହୋଇପାରିବ ।

 

ଅନ୍ଧାର ଘର ଭିତରେ ‘କୃଷ୍ଣପ୍ରିୟା’ ଭଜନ କରୁ କରୁ ବେଣୁଧର ଆଲୁଅ ଆଣିଲା–କିରୋସିନି ଆଲୁଅ । ଅନ୍ଧାର ଆଗରେ ସେଇଟା ଅତି କୁତ୍ସିତ ଦିଶୁଥିଲା । କାରଣ ସେତେବେଳେ ମନ ଭିତରେ କୃଷ୍ଣପ୍ରିୟା ଥିଲା । ତା’ର ଆଖି ଆଉ ମୁହଁ, ଅଳ୍ପ ଦେଖିଥିବା ଚାହାଣିର ଛଟକ, ସେଇ ସେତିକିର ଭାଷା, ସେଇ ସେତିକିର ସ୍ମୃତି ଆଉ ତହିଁରୁ ଅଧିକ କଳ୍ପନା–ଗଢ଼ା ସେହି ମନୋହର ଛବିକୁ ଠେଲି ଦେଇଥିଲା ଆଲୁଅ–ସେଇ ଆଲୁଅ କଳ୍ପନାର ଶତ୍ରୁ–କୃଷ୍ଣପ୍ରିୟାର ବୈରୀ ।

 

ଆଲୁଅ ନଥିଲେ ମଣିଷର ଭାବକୁ ମଣିଷ ନିଜର କଳ୍ପନାର ରୂପ ଦେଇ କେଡ଼େ ସୁନ୍ଦର ନ କରିଥାନ୍ତା ଏଇ ପୃଥିବୀକୁ ! ଦିନରେ ଆଲୁଅରେ ଦେଖା ହୋଇ ନଥିଲେ କୃଷ୍ଣପ୍ରିୟା କ’ଣ ଚାଲି ଯାଇଥାନ୍ତା ? ସେମିତି ବିଦ୍ରୂପ ଆଉ ତାଚ୍ଛଲ୍ୟ ଦେଖାଇ ସେ କ’ଣ ବାଧା ଦେଇଥାନ୍ତା ତାଙ୍କୁ–ନୁହେଁ–ନୁହେଁ !

 

ପୁଣି ତେବେ ଆଲୁଅ କି ଉପକାରରେ ଲାଗିବ–ବେଣୁଧର, ଲିଭାଇ ଦିଅ ଆଲୁଅଟାକୁ-

 

–ଏଡ଼େ ଅନ୍ଧାର । ଅନ୍ଧାରଟାରେ କ’ଣ ବସି ରହିବେ ଆଜ୍ଞା ?

 

–ତୁମେ ବୁଝିନାହଁ ବେଣୁଧର । ଆଲୁଅ ସବୁବେଳେ ଭଲ ଲାଗେ ନାହିଁ ।

 

ଆଲୁଅ କମାଇ ଦେଇ ବେଣୁଧର କହିଲା–ଆଣିବାକୁ କହିଲେ ପରା ?

 

–ହଁ ? କିଛି କଥା ଭାବିଲା ବେଳେ ଆଲୁଅ ଭଲଲାଗେ ନାହିଁ ।

 

–ସବୁବେଳେ ଭାବିଲେ ଦେହ ଖରାପ ହେବ । ଏକାବେଳକେ ରହି ଗଲେଣି ।

 

–ହଁ...ନ ଭାବିଲେ ଦେହ ଏକାବେଳକେ ଭାଙ୍ଗିଯାଏ । ତମେ ବୁଝିପାରିବ ନାହିଁ ବେଣୁଧର, କାମ–କଲା ଲୋକ କାମ କଲେ ଯେମିତି ଶୁଖିଯାଏ, ଭାବିବା ଲୋକ ନ ଭାବିଲେ ସେମିତି ଖରାପ ହୋଇଯାଏ ।

 

ବାବୁଙ୍କ ମୁହଁକୁ ଚାହିଁ ବେଣୁଧର ଫେରିଲା । ବଜାରକୁ ଯାଉଛି ବୋଲି ଶୁଣେଇ ଦେଇଗଲା ।

 

କବାଟ ବନ୍ଦ କରିବା ଆଗରୁ ପହଲାମା’କୁ ଡାକି ବେଣୁଧର କହିଲା–ଯାଉଛି ବଜାରକୁ-। ଦୁଆରକୁ ନିଘା ରଖିଥିବୁ ।

 

ପଖାଳ କଳରେ ଜାକି ସେ ଗହୀରିଆ ‘ହୁଁ’ ଟିଏ ମାରିଲା । ତା’ର ତଣ୍ଟିରେ ଭାତ ଲାଗିଲା । ଖେଁଖେଁ ହୋଇ କାଶି ସେ କହିଲା–କିଏ ମନେ ପକାଉଛି ଏଇ ସଞ୍ଜ ପହରେ ।

 

ନିଜର ଅସଂଲଗ୍ନ ଅସଂଯତ କଳ୍ପନାର ଫୁଲହାର ଗୁନ୍ଥୁଥିଲା ବେଳେ ସୁଭାଷବାବୁଙ୍କୁ ଶୁଭିଥିଲା ପହଲାମା’ର କଥା । ସେଇ କଥା କେଇପଦ ତାଙ୍କର ମନେ ହୋଇଥିଲା ଯେମିତି କୃଷ୍ଣପ୍ରିୟା କହୁଛି ।

 

ଖଟ ଉପରେ ପଡ଼ିରହି ସେ ମୂଳଚୂଳ ନଥିବା ସେଇ ଘଟଣାଗୁଡ଼ିକୁ ନେଇ କାଗଜକୁ ଖଞ୍ଜିଲା ପରି ବ୍ୟସ୍ତ ବିବ୍ରତ ଥିଲାବେଳେ ଦୁଆରେ ପହଲାମା’ର ଖଣ୍ଡିକାଶ ତାଙ୍କୁ ପୁଣି ବାସ୍ତବକୁ ନେଇ ଆସିଥିଲା । କୃଷ୍ଣପ୍ରିୟାର ସମ୍ୱାଦ ନେଇ ସେ ଆସିଲା ପରା !

 

–କିଏ ? ପହଲା ମା’ !

 

–ହଁ ବାବୁ ।

 

–କ’ଣ ହେଲା ? ସବୁ କାମଦାମ ସାରି ଆସିଲୁ ?

 

–ହଁ, ବାବୁ, ଦିନର ପାଇଟି ସଇଲାଣି । ଏବେ ତ ଖାଲି କାନି ପାରିବା କଥା ବାବୁଘରେ ଯାଇ । କାମଦାମ ସରିନାହିଁ ତାଙ୍କର । କହିଲି ଘେରେ ବୁଲି ଆସେ । ବାବୁ ମୋର ଏକୁଟିଆ ବସିଥିବେ ।

 

–କ’ଣ ଦରମା ଠିକ୍‌ ହେଲା ?

 

ଗଳା ସଫାକରି ସେ କହିଲା–ତମେ ଯାହା ଦବ ।

 

–ଇଏ କ’ଣ ପରବୁଦ୍ଧି ? କାହାଠୁ ମାଗି ଆଣିଛ ?

 

–ନାହିଁ ବାବୁ ଆଖି ଛୁଉଁଛି, ମୋ ମନରୁ ମୁଁ କହିଲି ।

 

–କାହାକୁ ପଚାରିଲ ନାହିଁ ? ଭଲ ହୋଇଥାନ୍ତା । ପଚାରି କହିବ ।

 

–ଆଉ କ’ଣ ପଚାରିବି । ତାଙ୍କୁ ପଚାରିଥିଲି । ସେ ତ କହିଲେ ସେଇ କଥା ।

 

ବାବୁ ଉଠି ଆସିଲେ ବାହାରକୁ । –କ’ଣ କହିଲେ !

 

ଅଧା ଲୁଚାଇ ପହଲାମା କହିଲା–ନାହିଁ ସେମିତି ପଚାରି ଥିଲି । ମା’ କହିଲେ–‘ବାବୁ ଯଦି ଏକୁଟିଆ ଲୋକ ତେବେ ଭଲ ଦେବେ । ତାଙ୍କ ସାଙ୍ଗରେ ମୂଲଚାଲ କରିବୁ ନାହିଁ ।’

 

–ଭାରି ଅପୂର୍ବ କଥା ! ବାବୁଙ୍କର ତ ଦିନେ ଓଳିଏ ହୋଇ ନାହିଁ ।–କିଏ କହିଲା ?

 

ବାବୁଙ୍କର କଥା ଥରୁଥାଏ । କୃଷ୍ଣପ୍ରିୟା ତାଙ୍କ ନିକଟରେ ଆସି ପହଞ୍ଚି ଯାଇଛି । ସତେ କ’ଣ ସେଇ କହିଛନ୍ତି ।

 

–ହଁ, ବାବୁ ସେ ।

 

–କିଏ ?

 

ଚୌକେ ଘୁଞ୍ଚି ଆସି ପହଲାମା କହିଲା–ସେଇ ଖାଉନ୍ଦ ଘର । କହୁ ନଥିଲି ତାଙ୍କର କୁକୁର ଅଛି ବୋଲି । ସେଇ–

 

–ସେ ତେବେ ଭାରି ଭଲ ଲୋକ । ନୂଆ ଲୋକକୁ ବି ଭଲ ବୋଲି କହି ପାରନ୍ତି । ସେ ତୁମକୁ କେତେ ଟଙ୍କା ଦିଅନ୍ତି ?

 

–ସବୁ ତ ସେଠି ମୋର । ଦିନେ ସିନା ଭଡ଼ାରେ ଥିଲେ । ଏବେ ତ ସେଠି ରହିଲେଣି ଘର କରି । ତାଙ୍କରି ଦୁଆରେ ଆଖି ବୁଜିବି । ତାଙ୍କୁ କହିଛି, ମଲାବେଳକୁ ମୁଁ ଯେମିତି ଅନାସ୍ତା ନହୁଏ ମୋର ଶୁଦ୍ଧିଶିରାଧ କରିବେ । ହେଇତି ସତ୍‌ ସତ୍‌–ସିତାର ବାଜିଲା ।

 

–କ’ଣ ‘ସତ୍‌ ସତ୍‌’ ?

 

–ହେଇ ପରା ମା’ ତାଙ୍କ ବାଜା ବଜେଇଲେଣି କଥା ପଡ଼ୁ ପଡ଼ୁ । ଏକୁଟିଆ ମଣିଷ । ପିଲାଏ ପଢ଼ିଲେ । ସେ ଆଉ କରନ୍ତେ କ’ଣ । କୋଉଦିନ ବହି ପଢ଼ନ୍ତି ନ ହେଲେ ଗାଆଣବାଜଣା କରନ୍ତି ।

 

–ସତେ ! ସେ ଗାଆନ୍ତି କି ?

 

–ହଁ । ଏଠିକି ଆସିଲାବେଳେ ଚାରିପାଞ୍ଚ ବର୍ଷ ହେଲାଣି ସେ ଗାଉଥିଲେ । ଏବେ କଦବା କେମିତି ଗାଆନ୍ତି । ତାଙ୍କୁ ଲାଜ ଲାଗୁଛି । ସେଇଥିପାଇଁ ସେ ଟୁଣୁଟୁଣୁ କରୁ ଥାଆନ୍ତି । ସେ ବି ଭଲ । କଥା ଶୁଭିଲେ ସିନା ଲାଜ । ଆଉ ଟୁଙ୍ଗ୍‌ ଟାଙ୍ଗ୍‌ କଲେ କିଏ କଣ କହିବ ?

 

ତନ୍ମୟ ହୋଇ ବାବୁ ଶୁଣୁଥିଲେ । ସିତାର ଉପରେ ହାତ ଚାଲିଛି । ଦୁଇଟି ଘରର ଦୂରତା ଡେଇଁ ଗୋଟିଏ କ୍ଷୀଣ ସ୍ୱର ଦୂରେଇ ଯାଇଥିବା ଶବ୍ଦ ପରି ଆସି ପହୁଞ୍ଚି ଯାଇଛି । ପହଲାମା’ର କଥା ସେଥିରେ ବାଧା ଦଉଛି । ବାବୁ କହିଲେ–ଟିକିଏ ରହିଯା’, କେମିତି ଶୁଭୁଛି ମୁଁ ଶୁଣେ । ଭାରି ଭଲ ଲାଗୁଛି ତ ।

 

ବାବୁ କାନ୍ଥକୁ ଆଉଜି ବସି ଶୁଣିଲେ । ବାଜା ବନ୍ଦ ହେଉନାହିଁ କି ତାଙ୍କର ଶୁଣିବା ବି ସରୁନାହିଁ । ପହଲାମା ହଲଚଲ ହେଲାଣି–କ’ଣ ବାବୁ ପାଉଛନ୍ତି ସେଇ ଟୁଣୁ ଟୁଣୁ ଭିତରୁ ? ସିଏ ବି କ’ଣ ପାଆନ୍ତି ଟୁଣୁଟୁଣୁ କରି–ସେବେଯାଏ ପହଲାମା ବୁଝିନାହିଁ । ଏବେ ଦେଖିଲା ବାବୁ ତାକୁ କୁହାଇବା ବନ୍ଦ କରି ସେଇଆକୁ ଶୁଣିଲେଣି ।

 

ବାବୁଙ୍କର ଦୃଷ୍ଟି ଟାଣିବାକୁ ସେ ହାଇ ମାରିଲା । ହାତଗୋଡ଼ ହଲେଇଲା । ବାବୁ ତ ଦେଖିଛନ୍ତି ସବୁ । ଜଳଜଳ ଚାହିଁଛନ୍ତି ଆଉ ସେମିତି ଶୁଣୁଛନ୍ତି । ତାକୁ ବିରକ୍ତ ଲାଗିଲା । ତା’ର ମନେ ହେଲା ଯେମିତି ଏଇ ବାଜା ବାଜୁଛି ଘଡ଼ିଏ ପହଡ଼େ ହେଲାଣି ।

 

ଶେଷକୁ କହିଲା–ଯାଉଛି ବାବୁ । ମା’ଙ୍କର ହାତ ରହିଯିବଣି । ଟିକିଏ ସିନା କିଏ ବଜାଏ-! ଏତେବେଳ ଗୋଟାଏ କାମରେ ଲାଗିଲେ ଦିହହାତ ସରୁପୀଡ଼ା ହେବ ସିନା !

 

–କ’ଣ ଏଇ ଟିକକରେ ହାତ ଘୋଳି ହେବ ? ଲୋକେ ବହୁତବେଳ ବଜେଇ ପାରନ୍ତି । ବଜାନ୍ତୁ ! ଭଲ ଶୁଭୁଛି ।

 

–ଶୁଭୁଛି ସିନା । ସେ ତ ବୁଝିପାରୁ ନାହାନ୍ତି । ତାଙ୍କ ଦେହ ପା’ ହେଲେ ମୋ’ରି ଉପରେ ତ ଚପଟ–ଯାଉଛି ବାବୁ । କାଲି ସକାଳେ ଆସିବି ।

 

ସୁଭାଷବାବୁଙ୍କର ଆଖି ଦୁଇଟି ଅସହାୟ ଦିଶିଲା । ଏବେ ପହଲାମା ଚାଲିଗଲାଣି–ସେଇ ଟିକକ ନିଷ୍ପାପ, ନିରପରାଧ ସୁଖର କ୍ଷୀଣ ରେଖାକୁ ଲିଭେଇ ଦେବାପାଇଁ । ହୁଏ ତ ସେ ଯାଇ କହିବ–ମା ଆଉ ବଜାଅ ନାହିଁ । ନୂଆ ବାବୁ ଶୁଣୁଛନ୍ତି କାନ ଡେରି ।

 

ତାକୁ ବାଧା ଦେଇ ହେଲା ନାହିଁ । ସେ ତ ଉଠି ଚାଲି ଗଲା । କବାଟ ଆଉଜେଇ ଦେଇଛି । ତନ୍ମୟ ହାତରୁ ମନର ଉଚ୍ଛ୍ୱାସ ବିକ୍ଷୁବ୍‌ଧ ତରଙ୍ଗ ପାରି ବାଜୁଛି ଆସି ବାରମ୍ୱାର । ତାଙ୍କ ସାଙ୍ଗରେ ପରିଚିତ ହେବାକୁ ସେ ଯେପରି ଅଧ୍ୟବସାୟରେ ଲାଗିଛି । ସଞ୍ଜ ପହରର ସବୁ ଶବ୍ଦ ଆଉ ଗହଳି ଭେଦ କରି ସେ ଯେପରି ଜଣେଇବାକୁ ଚାହୁଁଛି–ହେ ଅପରିଚିତ ! କେବଳ ତମରି ପାଇଁ, ତମର ନିର୍ଜ୍ଜନତା ଦୂର କରିବା ପାଇଁ, ତମକୁ ଟିକିଏ ଆନନ୍ଦ ଦେବା ପାଇଁ, ଦୂରରେ ଥାଇ ପାଖରେ ରହିବାକୁ ଚେଷ୍ଟା କରି–ହେଇ ଏତକ ନିର୍ମଳ ମନରେ ଏକାଗ୍ର ଭାବରେ କହୁଛି । ବୁଝିଲେ ମୋର ଶ୍ରମ ସାର୍ଥକ ହେବ ।

 

ଡାକ ମାର୍ଫତରେ ଚିଠି ଦିଆନିଆ ହୋଇ ଯାହା ହୋଇଥାଏ, ଚାହାଣି ବିନିମୟରେ ବି ସେତିକି ସମ୍ଭବ । ଚିଠିପତ୍ର ପାଇଁ ଲୋଡ଼ା ହୁଏ ପରିଚୟ ଓ ବୁନ୍ଧତା । ଚାହାଣି ବିନିମୟପାଇଁ ଦରକାର ହୁଏ ପରିଚୟ ନଥାଇ ଖାଲି ମୁହାଁମୁହିଁ ହେବାର ଆକସ୍ମିକ ସୁଯୋଗ । କିନ୍ତୁ କାହାରି ବିନା ସାହାଯ୍ୟରେ ନିଜକୁ ଚିହ୍ନାଇବାକୁ, ଆଉ ଅପରକୁ ଚିହ୍ନିବାକୁ, ଏତିକି ଆଉ ଏଇ ପ୍ରକାରର, ବିଭିନ୍ନ ପ୍ରକାରର ଛୋଟ ମୋଟ ଶକ୍ତି ଓ ପ୍ରତିଭା ।

 

ସିତାର ବନ୍ଦ ହୋଇଗଲା ହଠାତ୍‌–ପହଲାମା ତାହାହେଲେ ପହୁଞ୍ଚି ଯାଇଛି । ଦୁହିଁଙ୍କ ଭିତରେ ଯେଉଁ ଟିକକ ସେତୁବନ୍ଧ ସେ ଖାଲି ଆକାଶ ପବନ ଉପରେ ବାନ୍ଧି ଦେଇଥିଲା, ସେତକ ଫୋପାଡ଼ି ଦେଇଛି–ଅପମୃତ୍ୟୁ ପରି, ଦୁର୍ଘଟଣା ପରି; ଜୀବନ୍ତ ସିତାରଟି ବନ୍ଦ ହୋଇ ଯାଇଥିଲା । ଯାହା ସେ କହୁଥିଲା, ଶେଷ କରି ପାରି ନାହିଁ । ଯାହା କହିଥାଆନ୍ତା କହିପାରିବ ନାହିଁ ।

 

ସିତାର ବନ୍ଦ ହେଲା । ଏଥର କୃଷ୍ଣପ୍ରିୟା ଚାଲି ଯାଇଛି ଅପରର ଚେଷ୍ଟାରେ । ପ୍ରଥମ ଦେଖାରେ ଚାଲି ଯାଇଥିଲା ନିଜର ଖିଆଲରେ ବା ଅଭ୍ୟାସରେ । ଚାଲିଯାଇ ହୁଏତ ଅନୁତାପ କରିଥିଲା ଯେ, ଆଶାୟୀ ଲୋକର ସାମାନ୍ୟ ଦେଖିବାର ଇଚ୍ଛାକୁ ଆଘାତ ଦେବା ଅନ୍ୟାୟ । ସେତକ ସଂଶୋଧନ କରିବାକୁ ସେ ସେଦିନ ପୁଣି ସେଇ ସିତାର ବାଜାଟି ଉପରେ ଚେଷ୍ଟା କରିଥିଲା–ଦେଖିବାର ସୁବିଧା ଦେଇ ନାହିଁ । କଥା ଶୁଣାଇବାର ସୁବିଧା ନାହିଁ । କିନ୍ତୁ ଆବେଗର ଓ ଅଭିପ୍ରାୟର ରୂପରେଖ ଜଣାଇବାକୁ ସମସ୍ତଙ୍କ ଉପସ୍ଥିତିରେ ଆଉ ପ୍ରତ୍ୟେକର ଅଜ୍ଞାତସାରରେ ନିର୍ଦ୍ଦିଷ୍ଟ ଲୋକକୁ ନିର୍ଦ୍ଦିଷ୍ଟ କଥା ଜଣାଇବାକୁ ଯେତିକି ଯେଉଁ ଉପାୟରେ ସମ୍ଭବ–ସେତକ ସେ କରିଛି-

ଗୋପନ ଚିଠି ପ୍ରକାଶ ପାଇବାର ସୂଚନା ମିଳିଲେ, ଗୋପ୍ୟମନ୍ତ୍ର ପ୍ରକାଶ ପାଇଗଲେ, ପ୍ରଚ୍ଛନ୍ନ ସମ୍ୱନ୍ଧ ବା ବ୍ୟବହାରର ବା କୂଟନୀତି କେହି ଜାଣିଗଲେ ସେ ସବୁ ଆପଣା ଛାଏଁ ମଉଳି ଯାଆନ୍ତି । ହଠାତ୍‌ ଶ୍ୟାମାଦେବୀଙ୍କ ମୁହଁ ଉପରେ ଅସହିଷ୍ଣୁ ଅପ୍ରସନ୍ନ ଭାବ ଖେଳି ଯାଇଥିଲା । କୋଡ଼ ପାଖରେ ଥିବା ସିତାରଟି ତା’ର ମୂକ ସାକ୍ଷୀ ।

 

ହୃଦୟର ଆବେଗ ଯେ ଧରିପାରେ, ଆକୁଳ ମନର ଅଧୀରତାକୁ ଯେ ରୂପ ଦେଇପାରେ, ସେ ମଧ୍ୟ ହୃଦୟର ଅଭାବ ମନର ଭାବକୁ ସବୁଠାରୁ ଅଧିକ ଗୋପନୀୟ ବୁଝିପାରେ-

 

ଶ୍ୟାମା ଦେବୀ ଚାହିଁଥିଲେ ପହଲାମା ମୁହଁକୁ । ଧୀରେ ଧୀରେ ସେ କହିଲା ନିଜର ଲୋକପରି–ତମେ ଏଣେ ବଜେଇ ବଜେଇ ଥକିବଣି । ଆଉ ସେ ବାବୁ ଏକା ଧ୍ୟାନରେ ହଲ୍‌ଚଲ୍‌ ନ ହୋଇ ଶୁଣୁଛନ୍ତି । ମୁଁ ଧାଇଁ ଆସିଲି ପରା !

 

....ତେବେ ଦିନଟି ସାର୍ଥକ ହୋଇଛି । ସିଏ ପୁଣି ଏମିତି ଦୁର୍ଯ୍ୟୋଗ ଭିତରେ । ବାବୁଙ୍କୁ ଶୁଣାଇବାକୁ ଚେଷ୍ଟା ହୋଇଥିଲା । ଆଉ ସେ ଶୁଣିଛନ୍ତି ମନ ଦେଇ–ଏତିକି ହେଉଛି ସୁସମ୍ବାଦ ! ଆଉ ତାଙ୍କୁ ପହରେ ଶୁଣେଇବାକୁ ଯେଉଁ ଇଚ୍ଛା ଥିଲା, ସେଥିରେ ଆଣ୍ଟ କରି ଠିଆ ହେଲାଣି ପହଲାମା ।

 

କଳାକାରର ଇଚ୍ଛା ବାଧା ପାଇଲେ ବଡ଼ ଅସହିଷ୍ଣୁ ହୁଏ । ଶ୍ୟାମାଦେବୀଙ୍କର ସମସ୍ତ ସଫଳତାର ଆନନ୍ଦକୁ ଢାଙ୍କି ଦେଇ ବ୍ୟର୍ଥତା ଚରମରେ ପହଞ୍ଚିଗଲା ।

 

ଗୋପନ କଥା ଫିଟି ପଡ଼ିଛି । ବାଜା ବନ୍ଦ ରହୁ । ତାର ଢିଲା କଲାବେଳେ ଯେଉଁ ଟିକକ ଶବ୍ଦ ହୋଇଥିଲା, ସେଇଟା ସେଇ ଜୀବନ୍ତ ଆଶାର ଆର୍ତ୍ତନାଦ ପରି ଶ୍ୟାମାଦେବୀଙ୍କ କାନରେ ଅତଡ଼ା ପକାଇଲା ।

 

ସୁଭାଷବାବୁଙ୍କୁ ଶୁଭିନାହିଁ । ତାଙ୍କ ପାଖରେ ପହଞ୍ଚିଛି ସଙ୍ଗୀତର ମୃତ୍ୟୁ ସମ୍ବାଦ । ଶବ୍ଦ ମରି ଯାଇଛି । କିନ୍ତୁ ସେଇ ନିଶ୍ଚଳତା ଭିତରେ, ରାଗିଣୀର ଅପମୃତ୍ୟୁ ଭିତରେ ସୁଭାଷବାବୁଙ୍କର କୃଷ୍ଣପ୍ରିୟା ବିରସ ମୁହଁରେ, ସହାନୁଭୂତିର ରେଖା ଫୁଟାଇ କହୁଛି–ହେ ଅପରିଚିତ ! ସଂସାରର ବନ୍ଧନ, ନିଜର ପ୍ରିୟ ପରିଜନଙ୍କର ଶାସନ, ଏମିତି ନିର୍ମମ । ଏତିକି ଦେବାର ଏକାଗ୍ର ଚେଷ୍ଟା ନିଷ୍ଫଳ ହୋଇଛି । ମୋର ଦୋଷ କ୍ଷମା ଦେବେ । ଆଉ ମତେ, ମୋର ପ୍ରୀତି ଫେରାଇ ଦେବ ମୂଳ କଳନ୍ତରରେ ।

 

ସୁଭାଷବାବୁ ସେଇଠି ଏକୁଟିଆ ଘରେ ଏଇ ଭାବର ପ୍ରତିଧ୍ୱନି ଶ୍ୟାମା ଦେବୀଙ୍କୁ ଶୁଣେଇବାର ନିଷ୍ଫଳ ଚେଷ୍ଟା କରୁଥିଲେ ନିଜର ଦୀର୍ଘନିଶ୍ୱାସ ଓ ଇତସ୍ତତ ଭାବଦ୍ୱାରା । କିନ୍ତୁ ତାଙ୍କରି କଥା ଶ୍ୟାମା ଦେବୀଙ୍କ ପାଖରେ ପହଞ୍ଚିପାରି ନାହିଁ ।

 

କିଛି ସମୟ ଶ୍ୟାମାଦେବୀ ସ୍ଥିର ହୋଇ ବସିଗଲେ । ପହଲା’ମା ତାଙ୍କର ଗମ୍ଭୀର ମୁହଁକୁ ଚାହିଁ କହିଲା–ଆସ, ଟିକିଏ ମୋଡ଼ି ଦିଏଁ । ହାତ ରହି ଯାଇଥିବ ।

 

–କାହିଁ, କ’ଣ ହୋଇଛି କି ମୋର । ୟାଠୁ ତ ବେଶିବେଳ ବଜେଇଲେ କିଛି ହୁଏ ନାହିଁ । ତତେ କ’ଣ ଭଲ ଲାଗେ ନାହିଁ ?

 

–କେଜାଣି, ଏ ଟୁଣ୍‌ଟୁଣ୍‌ରୁ ମୁଁ କିଛି ବୁଝେ ନାହିଁ । ସେ ବାବୁ କହୁଥିଲେ ଭାରି ଭଲ ବୋଲି !

 

–ତତେ କାହିଁକି କହୁଥିଲେ ?

 

–ମୁଁ ସେଠି ଥିଲି ପରା । ଦରମା ଛିଣ୍ଡେଇବାକୁ ଯାଇଥିଲି ।

 

–କେତେ ହେଲା ? ଅନାସକ୍ତ ସ୍ୱରରେ ପଚାରିଲେ ।

 

–କହିଲା ବେଳେ ତ ତମେ ବାଜଣା ଆରମ୍ଭ କଲ । ଆଉ କ’ଣ ସିଏ କୁହାଇ ଦେଲେ କି-। କହିଲେ, ତୁ ରହ–ମୁଁ ଶୁଣିବି । ମତେ ବି ଚିଡ଼ି ମାଡ଼ିଲା । ଭଲ କରି ତ ଶୁଘୁନାହିଁ ଦୂରକୁ-। ଲୋକକୁ ତ ଦେଖୁନୁ । କେତେବେଳେ ପାଟି ବନ୍ଦ କରି ବସିବି ? ଉଠି ଧାଇଁ ଆସିଲି ଏଣେ-। କହିଲି ମା’ଙ୍କ ପାଖରେ ବସି ପହରେ ଶୁଣିଲେ ଭଲ ଲାଗିବ ।

 

–ଆସି ବନ୍ଦ କଲୁ ପରା ।

 

–ବନ୍ଦ କଲି ! ନାହିଁ ତ । କହିଲି ନା ସେ ବାବୁ ଶୁଣୁଛି ମାଗଣାରେ ।

 

–ଆଉ କ’ଣ ପଇସା ଦେଇ ଶୁଣନ୍ତେ–କହି ଶ୍ୟାମାଦେବୀ ଭିତରକୁ ଜୀଅନ୍ତା ଚାଲିଲେ ନିଜର ଛୋଟିଆ ସ୍ୱପ୍ନ ନେଇ । ସ୍ୱପ୍ନ ଦେଖିଲାବେଳେ ମଣିଷ ଏକାବେଳକେ ବିଡ଼ମ୍ବନା ।

 

ସୁଭାଷବାବୁଙ୍କର ଆଉ ସ୍ୱପ୍ନ ନଥିଲା । ତାଙ୍କର ମନ ଭିତରୁ କଳ୍ପନା ସ୍ୱପ୍ନ ଆଉ ବାସ୍ତବର ବିଭିନ୍ନ ସ୍ତର–ଜୀବନର କିଶୋର, ଯୌବନ ଆଉ ପ୍ରୌଢ଼ ଅବସ୍ଥା ପାର ହୋଇ ଜରାଜୀର୍ଣ୍ଣତାକୁ ଧରିଲା ପରି ଶେଷ ମୁଣ୍ଡରେ ପହଞ୍ଚିଥିଲା । ଅସମ୍ପୂର୍ଣ୍ଣ ନିସଙ୍ଗତା, କଳ୍ପନାବିହୀନ ଭାବନା ଆଉ ନିଶ୍ଚଳ ଅବସ୍ଥାରେ ତାଙ୍କ ପାଖକୁ ଆସି ଚାଲିଯାଇଛନ୍ତି ।

 

ବେଣୁଧର ଆସି ନାହିଁ । ପହଲାମା ଫେରିବ ନାହିଁ । ସାଙ୍ଗସାଥି ଆସି ନାହାନ୍ତି । କାମ କରିବାକୁ ମନ ଡାକୁ ନାହିଁ । ସମୟ କଟାଇବାର ଅନ୍ୟ ସୁବିଧା ନାହିଁ ।

 

ସେ ଧୀରେ ଧୀରେ ଛାତ ଉପରକୁ ଗଲେ । ସେ ଏଣେତେଣେ ବୁଲି କୃଷ୍ଣପ୍ରିୟା ଘରଆଡ଼କୁ ଚାହିଁଲେ । ଘର ଭିତରର କିରାସିନି ଆଲୁଅର କ୍ଷୀଣ ଶିଖା ଘରଟିର ଖାଲି ସୂଚନା ଦେଉଛି । କୃଷ୍ପପ୍ରିୟା ଯେଉଁଠି ଠିଆ ହୋଇଥିଲା, ସେ ଜାଗାଟି ବି ଅନ୍ଧାର ।

 

ବହୁତବେଳ ଚାହିଁ ରହିଲେ । ସେ ଆଉ ଆସିଲା ନାହିଁ । ତାର ଚାକର ପିଲାଟି ଏପାଖ ସେପାଖ ହେଉଥିଲା । ଆଉ କେହି ଦିଶୁନାହାନ୍ତି । ଖାଲି ଘରଭିତରୁ ଅଳ୍ପ ଅଳ୍ପ ଆଲୁଅ ପଦାରେ ପଡ଼ିଥାଏ–ନୁହେଁ ସ୍ପଷ୍ଟ, ନୁହେଁ ଅସ୍ପଷ୍ଟ । ସେ ଆଲୁଅ ଯେପରି କହୁଥାଏ–କୃଷ୍ଣପ୍ରିୟା ଚେଇଁଛି ।

 

ଆଉ ସିତାର ବାଜି ନାହିଁ ସେ ଦିନ । ତହିଁ ଆରଦିନ ହୁଏତ ବାଜିବ । ଦିନ ହେଲେ କୃଷ୍ଣପ୍ରିୟାର ଦେଖା ମିଳିବ–ଆଉ ଟିକିଏ ସ୍ପଷ୍ଟ–ଆଉ ଟିକିଏ ନିକଟ ।

 

ଏଣୁ ତେଣୁ ବହୁତ ପ୍ରକାରର ଶବ୍ଦ ଶୁଭେ । କିନ୍ତୁ ଅଳସ କଣ୍ଠର କେଇଟି ଶବ୍ଦ ଆଉ–ଶୁଭିନାହିଁ । କୃଷ୍ଣପ୍ରିୟା ହୁଏତ ନିଜକୁ ଲୁଚାଇ ଦେଇ କହୁଛି–ତମେ ଶୁଣିବା ଠିକ୍‌ ନୁହେଁ । ଶୁଣିବ ନାହିଁ । ଘରେ ଚଳପ୍ରଚଳ ହେଉଛି । ଦୂରରୁ ନ କହି ପାଖକୁ ଯାଇ ହୁଏତ ଧୀର ଗଳାରେ କହୁଛି । ସୁଭାଷବାବୁଙ୍କୁ ଶୁଭୁନାହିଁ । କିନ୍ତୁ ସେ କାନଡ଼େରି ବସିଛନ୍ତି । ଭିକାରିପରି କାନି ପାତି ଚାହିଁଛନ୍ତି । ଅଧିକାର ନଥାଇ ଖାଲି କାକୁତି ବଳରେ ଯାହା ମିଳିବ ସେତିକି ତୋଳି ନେବେ ।

 

ଦୁଆର ଠେଲି ବେଣୁଧର ଆସିଲା–ଆସୁ । ଏଣେତେଣେ ଚାହିଁ ମନକୁମନ କହିଲା–ବାବୁଙ୍କର ଅକଲ ଯେମିତି । ଦେଖ ହୋ, ଘର ମେଲା ରଖି ବାବୁ ଚଲ୍‌ । ପହଲାମା ସଫେଇ ଦେଇ ଘର ଜଗୁଥିଲା ଯେ ସେ ବି ଅଦୃଶ୍ୟ । ଏଣେ ଚୋରିଗଲେ ବେଣୁଧର ହେବ ଚୋର । ସେଇଠୁ ହେବ ଦାଗୀ ।

 

ବାବୁ ତାଙ୍କର ଏଇ ପ୍ରଶଂସା ଶୁଣି ଛାତ ଉପରେ ଚୁପ୍‌ ହୋଇ ବସିଲେ । କାରଣ ସେବେ ତଳକୁ ଓହ୍ଲାଇଲେ ବେଣୁଧର ଦେଖିବ । ତାଙ୍କର ମାନ ତଳେ ପଡ଼ିଯିବ ।

 

ବେଣୁଧର ଦାଣ୍ଡକବାଟ ଆଉ ବାବୁଙ୍କ ଘରେ ଶିଙ୍କୁଳି ଦେଇ କାମରେ ଲାଗିଲା । ଏଣେ ବାବୁ ଚାହିଁ ରହିଲେ ସେଇ ଘରଟିକୁ । କିଛି ନ ଦିଶୁ କି ନ ଶୁଭୁ ପଛକେ ଚାହିଁ ରହିବାର ଗୋଟିଏ ଆପଣାଭୁଲା ମଦିରା ଅଛି । ପ୍ରତୀକ୍ଷା କେତେବେଳେ ବିଷ, କେତେବେଳେ ଅମୃତ । ଆଶଙ୍କାର ପ୍ରତୀକ୍ଷା ଯେତିକି ପୀଡ଼ାଦାୟକ ପ୍ରୀତିର ପ୍ରତୀକ୍ଷା ସେତିକି ସୁଖପ୍ରଦ–ଆଶଙ୍କା ଭିତରେ ବି ସୁଖପ୍ରଦ-

 

ଯିଏ ଯାହା କହନ୍ତୁ, କୃଷ୍ଣପ୍ରିୟା କଥା ନିରୋଳାରେ ନ ଭାବିଲେ ବଞ୍ଚିବାରେ ଆଉ କି ସୁଖ ? ସମସ୍ତେ ଖାଆନ୍ତି, ପିନ୍ଧନ୍ତି ଓ ଧନୀ ହୁଅନ୍ତି । କିନ୍ତୁ ଯେ ଭଲ ପାଇନାହିଁ, ପ୍ରିୟାର ପ୍ରତୀକ୍ଷା ରଖି ନାହିଁ, ପାଇବାର କାରଣ ନ ଥାଇ ପାଇବାର ଅସମ୍ଭବ କଳ୍ପନା କରି ନାହିଁ,–ସେ ହେଉଛି ସୃଷ୍ଟିର ଗୋଟିଏ ଅଭିଶପ୍ତ ଜୀବନ ।

 

ସମସ୍ତେ ସମସ୍ତଙ୍କର ହୁଅନ୍ତି ନାହିଁ । କିନ୍ତୁ ସମସ୍ତଙ୍କୁ ଭଲ ପାଇବାର ସର୍ବଗ୍ରାସୀ ଓ ସର୍ବବ୍ୟାପୀ ଆଶା କେବଳ ଆଜନ୍ମ ପ୍ରେମିକ ପକ୍ଷରେ ସମ୍ଭବ । ସୁଭାଷବାବୁ ହସିଥିଲେ ।

 

ରାତି ପାହିଥିଲା । ପାହାନ୍ତି ପବନର କୋମଳତା ସୁଭାଷବାବୁଙ୍କ ମନ ଭିତରୁ ସେଇ ବାଚାଳ ଚିନ୍ତାର ପ୍ରଖରତା ନୁଆଁଇ ଦେଇଥିଲା । ପ୍ରୀତିର ପ୍ରଥମ ସୋପାନର ସହଜ ସୁଲଭ ସଙ୍କୋଚ ଊଣା ପଡ଼ିଯାଇଥିଲା । ସକାଳ ପହରର ନିର୍ମଳ ଆଲୁଅରେ କୃଷ୍ଣପ୍ରିୟାର ଘର ତା’ର ସେହି ପ୍ରଥମ ପରିଚୟର କଳ୍ପନା-ସୁଲଭ କମନୀୟତା ହରାଇଥିଲା । କୃଷ୍ଣପ୍ରିୟାଙ୍କର କଣ୍ଠସ୍ୱର ସେମିତି କଅଁଳ, ଅଳସ ଶୁଭୁ ନ ଥିଲା । ଗୋଟିଏ ପରିଚ୍ଛେଦ । ଏତେ ପରିବର୍ତ୍ତନ ଆସିଛି ।–ଗୋଟିଏ ଦିନ ଭିତରେ ।

 

ସବୁ ଘର ପରି ସେ ଘରଟି ସେଇ ପରିଚିତର ସମସ୍ତ ଅଗୌରବ, ଗ୍ଳାନି ଓ ସ୍ନେହ ନେଇ ଠିଆ ହୋଇଥିଲା । ନିଜ କାମରେ ଚଳପ୍ରଚଳ ହୋଇ ସୁଭାଷବାବୁ ଆଉ ଘରଟିକୁ ଧ୍ୟାନ ଦେଇ ନ ଥିଲେ ।

 

ସରକାରୀ କାମରେ ସେଇ ଦିନ ସନ୍ଧ୍ୟାବେଳେ ସେ ବାହାରକୁ ଯାଇଥିଲେ–ପହଲାମା ଜିମା ଘର ଦେଇ । ଆଉ ସେଦିନ ସିତାର ବାଜି ନାହିଁ । ପହଲାମା ଆସି ନାହିଁ । କେହି କାହାରି କଥା ଶୁଣିବାକୁ କାନ ଡେରି ନାହାନ୍ତି ।

 

ସେ ଦିନ ଶ୍ୟାମା ଦେବୀ ପଚାରିଥିଲେ ପହଲାମା’କୁ–କି ବାବୁର ପାଇଟି ଧଇଲୁ ? ହାଣ୍ଡି କଳା ପଡ଼ି ନ ଥିବ । ବାବୁ କ’ଣ ଯାଇ ବାହାରେ ।

 

–ଆମ ବାବୁଙ୍କ ଚାକିରି ପରି ହୋଇଥିବ । ସରକାର ଭାରି ବୁଲାଏ ଏକା ଲୋକଙ୍କୁ । ତହିଁରେ ଭଡ଼ା ଦିଏ । ଆଉ ଆମେ ଟିକିଏ ବି କୋଉଠି କି ଗୋଡ଼ କାଢ଼ି ପାରୁ ନାହିଁ ।

 

–ତୁ ଯା’ନ୍ତୁ କି ଗସ୍ତ କରି ?

 

–ନାଇଁ ମ, ଟିକିଏ ତୀର୍ଥ କରି ଥାଆନ୍ତି ଯେ, କିଏ ନବ ?

 

–ତୋ ବାବୁଙ୍କୁ କହୁନୁ...ବୁଲେଇ ଆଣନ୍ତେ । ତତେ ଦେଖୁ ଦେଖୁ ଘର କୁଞ୍ଚି ଦେଇ ଚାଲିଗଲେଣି । ଆଉ କ’ଣ କାହାକୁ ଦେଲେ କି ? ଏଠି ଆଣି ଚାବି ଥୋଉଛୁ କାହିଁକି ? ହଜିଲେ ଆମକୁ ଚୋର କରିବୁ ନା ?

 

–ବାବୁଟି ଭାରି ଭଲ । ଭାରି ନିର୍ମାୟା ପୁରୁଷ । ସେ ତ ମଣିଷ ନୁହନ୍ତି....ଦେବତା ।

 

ଗର୍ବରେ ଫୁଲି ଉଠିଲେ ଶ୍ୟାମା ଦେବୀ । ବିଦ୍ରୂପ କଲାପରି କହିଲେ–ଟଙ୍କା ଦେଲେ ତ ମଣିଷ ଦେବତା ହୋଇଯାଏ । ବସେଇ ରଖି ଯେ ଯେତେ ବେଶି ଦେଲା, ସେ ତ ସେତେ ବଡ଼ ଠାକୁର ।

 

–କାହିଁକି ? ତମର ଟୁଣୁଟୁଣୁ ବାଜଣା ଶୁଣି ସେ କ’ଣ ସେମିତି ଖୁସି ହେଲେ ନାହିଁ ? ତାଙ୍କ ପାଖରେ ପର ଆପଣା ଭେଦ ନାହିଁ ।

 

ଶ୍ୟାମା ଦେବୀ ଉଠିଗଲେ ।

 

ସେଦିନ ସେ ଚାହିଁ ରହିଥିଲେ ସେଇ ଘରଟି ଆଡ଼େ । ସତେ ଯେପରି ତାଙ୍କର ଜଣେ ଅତି ନିକଟର ଲୋକ ଚାଲି ଯାଇଛି । ମନରେ ତାଙ୍କର ଅଭିମାନ ଉଛୁଳି ପଡ଼ୁଥିଲା–ନିଜର ସ୍ୱାମୀଙ୍କ ଉପରେ, ଆଉ ସେଇ ଅପରିଚିତ ପଡ଼ୋଶୀ ଉପରେ । ଦିହେଁ ତାଙ୍କୁ ଛାଡ଼ି ଦେଇ ଯାଇଛନ୍ତି । ଦେବ ଆସିଲା ଯେ, କଥାଟା ବଙ୍କେଇ ବୁଲେଇ କହୁଥିଲା । ସେ ବି ଆସି ନାହିଁ ।

 

ସିତାରକୁ ଚାହିଁ ଭାବିଥିଲେ–କାହାପାଇଁ ବାଜିବୁ ? କିଏ ଶୁଣିବ ? ବଜେଇଲା ବେଳେ ମୁଁ ବି ଠିକ୍‌ ଶୁଣେ ନାହିଁ । ତୁ ବି ଶୁଣୁନାହିଁ । ମଣିଷ ତା’ର ଛାତିରେ ଦୁକ୍‌ ଦୁକ୍‌ ଶୁଣେ ନାହିଁ–ମନ ଉଚ୍ଚାଟ ନହେଲା ଯାଏ । ବାଜାରେ ମଜ୍ଜି ରହିଲେ ବାଜା ମିଶିଯାଏ ତା ନିଜ ଦେହରେ । ସେ ଶୁଣିଥିଲେ...ପୂରା ଶୁଣି ନାହାନ୍ତି....ଚାଲିଗଲେ–ଆଉ କାହିଁକି ଶୁଣିବେ ? ସେ ଆମର କିଏ ?

 

ମନ ଭିତରୁ ବାରମ୍ବାର ପ୍ରତିବାଦ ଆସୁଥିଲା–ଆପଣାର ଲୋକେ କିଛି ନୁହଁନ୍ତି । ସେମାନେ ନିରେଖି ଚାହାନ୍ତି ନାହିଁ । କିଛି ଖୋଜନ୍ତି ନାହିଁ । ପୁରୁଣାକୁ ନୂଆ କରନ୍ତି ନାହିଁ । ନୂଆକୁ ନୂଆ ପ୍ରକାରେ ଦେଖନ୍ତି ନାହିଁ । ମନର ଦର୍ପଣ ଆଗରେ ସେଇ ପର ମଣିଷ ଆପଣାର । ସେଇମାନେ ବାରମ୍ବାର ଭିତରକୁ ଆସିବାକୁ, ଭିତରେ ଆସି ରହିବାକୁ ଯତ୍ନ କରୁଥାଆନ୍ତି । ନାରୀ ବଞ୍ଚିଛି ବୋଲି–ସେଇମାନେ କେବଳ ବାରମ୍ବାର ବୁଝେଇ ଦିଅନ୍ତି । ସମସ୍ତେ ଯେ ଯାହା କାମରେ ଚାଲି ଯାଇଛନ୍ତି ।

 

ବିଧାତା ବଡ଼ ନିଷ୍ଣୁର । ମନ ଭିତରେ ଅସରନ୍ତି ଅଫୁରନ୍ତ କାମନା ଦେଇ ଉପରେ ବୋଳି ଦେଇଛନ୍ତି ମେଞ୍ଚାଏ ରଙ୍ଗ । ଦୁନିଆ ତ କହୁଛି–ସେଇଟା ରୂପ ନୁହେଁ । ଆଉ ପାଖ ଲୋକେ ଭୁଲାଇବାକୁ କି ଭଣ୍ଡିବାକୁ କହୁଛନ୍ତି ମୋର ରୂପ ଅଛି ବୋଲି । ଥରେ ଦେଖି ଆଉ ଥରେ ଦେଖିବାକୁ ଯଦି ମନ ଉଚ୍ଚାଟ ନ ହେଲା, ସେ କି ରୂପ ? ଥରେ ଚାଖି ଆଉ ଥରେ ଚାଖିବାକୁ ଯଦି ଜିଭ ନ ଖୋଜିଲା–ସେ କି ସୁଆଦ ?

 

ସତେ କ’ଣ ମୁଁ ସୁନ୍ଦର ? ସୁନ୍ଦର ନୁହେଁ ବୋଲି କ’ଣ ସମସ୍ତେ ମୋତେ ଛାଡ଼ି ଦେଇ ଯାଇଛନ୍ତି ?

 

ଛୋଟ ଦର୍ପଣଟି ଆଗରେ ଥୋଇ ଶ୍ୟାମା ଦେବୀ ଚାହିଁଲେ ବହୁତ ବେଳ । ଏପାଖ ସେପାଖ ବୁଲେଇ ଦେଖିଲେ । ମୋର ଦାନ୍ତ ଦି’ ପାଟି ତ ବଡ଼ ସୁନ୍ଦର ! ଆଖି ଦୁଇଟି ତ ସୁନ୍ଦର । ଯେମିତି ଦେଖିଲେ ବି ମନକୁ ପାଉଛି । ମନେ ପକାଇଲେ ଚିହ୍ନା ପରିଚୟର ଧାଡ଼ି ଧାଡ଼ି ମୁହଁ । ସବୁଗୁଡ଼ାକ ଅସୁନ୍ଦର, ଅଗଠନ–ଖାଲି ତାଙ୍କରି ମୁହଁଟିକୁ ଛାଡ଼ି ।

 

ଓଠ କଣରେ ଗର୍ବର ସ୍ମିତ ହସ ଖେଳିଗଲା । ପାନଖିଆ ଜିଭଟି ଭାରି ଲାଲ ଦିଶିଲା । ମୁଣ୍ଡର ସୁନ୍ଥା ତାଙ୍କର ମନେ ହେଲା ଯେପରି ପ୍ରକୃତରେ ଲୋଭନୀୟ । ଆଖି, ନାକ, ଓଠ ସବୁ ମିଶି ତାଙ୍କୁ କହୁଥିଲେ ସେ ଅପୂର୍ବ ସୁନ୍ଦରୀ ।

 

ଖାଲି ଯାହା ନାଁଟି ତାଙ୍କର ଶ୍ୟାମା । ରଙ୍ଗ ଶ୍ୟାମଳ ବୋଲି ବାପା ମା’ ସେହି ନାଁ ଦେଇଥିଲେ । ତାଙ୍କର ଭୁଲ । ନା ଦେଲାବେଳେ ମନେରଖିବା ଉଚିତ ଥିଲା, ସେଥିରେ ଝିଅର ଗୌରବ ବଢ଼ିବ କି କମିବ ।

 

ପୁଣି ଦର୍ପଣକୁ ନିରେଖି ଚାହିଁଲେ । ସାନପୁଅ ଆସି ପହଞ୍ଚିଲା । ତା’ ମୁହଁ ଦେଖିବ ବୋଲି ।

 

–ଦେଖିଲୁ ବେବି, କିଏ ବସିଛି ?

 

–ମା ।

 

–ଆରେ ତୋର ମା’ ସୁନ୍ଦର ...ନା ତୁ ସୁନ୍ଦର ?

 

ଏକାଠି ମୁହଁକୁ ମୁହଁ ଯୋଡ଼ି ଶ୍ୟମାଦେବୀ ଦେଖାଇଲେ । ପୁଅକୁ ଅସଜ ଲାଗିଲା ଦି’ଟା ମୁହଁ ଏକାଠି ଦେଖି । ସେ ମୁହଁ କାଢ଼ି ନେଇ ମା’କୁ ଅନାଇଲା ।

 

–କିରେ, କ’ଣ ଦେଖିଲୁ ?

 

–ମୋ ମୁଣ୍ଡ କୁଣ୍ଡେଇ ଦିଅ । ମୁଁ ଜାମା ପିନ୍ଧିଲେ ଭଲ ଦିଶିବି । ପୁଅ ଚିରୁଣୀ ଧରିଲା ।

 

ପୁଅ ମୁଣ୍ଡକୁ ଅତି ଯତ୍ନରେ ସଜାଡ଼ିଲା ବେଳେ ଶ୍ୟମାଦେବୀ ଭାବିଲେ ସେ ନିଶ୍ଚୟ ସୁନ୍ଦର । ନହେଲେ । ପୁଅ କାହିଁକି ମୁଣ୍ଡ କୁଣ୍ଡେଇବାକୁ ଜିଦ୍‌ ଧରନ୍ତା ।

 

ପୁଣି ଗୋଟିଏ ଦିନ ସେ ସେମିତି ଏକୁଟିଆ । ପିଲା ଦୁଇଟିକୁ ନେଇ ନିଜର ଛୋଟିଆ ଘରକରଣାର ଗଦ୍ୟମୟ ବାସ୍ତବତା ଭିତରେ ସେ ପାଶୋରି ଦେଇଥିଲା ସମସ୍ତଙ୍କୁ । ସନ୍ଧ୍ୟାବେଳେ ପାଖ ଘରୁ ଶବ୍ଦ ଶୁଭିଲା ।

 

ସେ ଆସିଗଲେଣି ପରା । ପହଲାମା ନାହିଁ–ଯାଇଥିବ ତେଣେ । ଜିନିଷପତ୍ର ରଖାଥୁଆର ଶବ୍ଦ ଶୁଭୁଛି । ସେ ବାରମ୍ବାର ଆସି ଦୁଆରେ ବୁଲିଲା ।

 

–ଆରେ କୁନ, ପହଲାମା କାହିଁ ଦେଖିଛୁ କି ? ତାଙ୍କ ଘରଆଡ଼େ ଦେଖିଲୁ । କୁନା ଆଉ ବେବି ଆଗପଛ ହୋଇ ଚାଲିଲେ ସୁଭାଷବାବୁଙ୍କ ଘରଆଡ଼କୁ । ପହଲାମା’କୁ ବାରମ୍ବାର ସେଇ ଘରକୁ ଯିବା ଆସିବା କରିବା ସେମାନେ ଦେଖିଛନ୍ତି ।

 

ଦୁଆର ମୁହଁରେ ଠିଆ ହୋଇ ଚାହିଁଲେ । ବେଣୁଧର ଦେଖି କହିଲା–କିହୋ ପିଲାମାନେ ଆସିଗଲ ପହଲାମା’କୁ ଖୋଜି । ସେ ଆଉ ଆମ ଘରେ କାମ କରିବ ନାହିଁ ?

 

ଏତିକି ଶୁଣି ସେମାନେ ଧାଇଁ ଫେରିଗଲେ । ବାବୁ ପଚାରିଲେ–କିଏ ?

 

–ସେଇ ବାବୁଘର ପିଲାମାନେ ।

 

–ମତେ ଡାକି ଆସିଥିଲେ ପରା । ପହଲାମା କହିଲା ।

 

–ହେଇ ଦେଖ୍‌ ବୁଢ଼ୀ, ତୁ ମାଗଣାରେ ଟଙ୍କା ନେଇ ଗୋଟାଏ ସୁଆଙ୍ଗ କରୁଛୁ ନା କ’ଣ-? ଦି’ଦିନ ବସି ଯାହା ଘର ଝାଡ଼ିଛୁ ଦେଖିଲେ ତ ଜଣାପଡ଼ୁଛି । ଏବେ ଆସୁ ଆସୁ ଚର ପହଞ୍ଚେଇଲୁଣି !

 

ଶ୍ୟାମା ଦେବୀଙ୍କୁ ଶୁଭିଗଲା । ସେ ଅନୁତାପ କଲେ ପିଲାଙ୍କୁ ପଠେଇ ଥିବାରୁ । ଏଣେ ପହଲାମା ଓଟାରି ହେଇ କହିଲା–ରଖ୍‌ ମ ଚାକିରି । ତୁ’ତାକର ସରିଲା । ଏବେ ଆରମ୍ଭ କଲା ବୁଢ଼ାହଡ଼ା କଥା । ମୁଁ ତତେ ବୁଢ଼ୀ ଭଳିଆ ଦିଶୁଛି ?

 

ବେଣୁଧର ଜବାବ ଅଟକି ଗଲା–ବାବୁ ଅଛନ୍ତି । ବାବୁ ବାହାରି ଆସି କହିଲେ–ନାହିଁଲୋ ପହଲାମା, ଦିନଯାକ ମଟରରେ ଛେଚିକେଚି ହୋଇ ବେଣୁଧର ହାଲିଆ ହୋଇ ପଡ଼ିଛି । ସେ ହୁଡ଼ୁଛି ବୋଲି କ’ଣ ତୁମେ ହୁଡ଼ିବ ?

–ଶୁଣିଲ ବାବୁ, ଏ କେମିତିକା କଥା ! ବଚନ ନୁହେଁ ଯେ ଅମୃତ, ଆଉ ସିଏ କେମିତି କେମିତି କଥା କହୁଛନ୍ତି ଶୁଣ । କାଲି ଦିନଯାକ ନିଜ କରି ତିନି ଥର ଝଡ଼ାପହଁରା କଲି । ଆଜି ବି କଲି । ସେଥିରେ ପୁଣି ନିନ୍ଦା ।

–ହଁ ତ, ମୁଁ ଆଖିରେ ଦେଖିଛି । ସବୁ ଠିକ୍‌ ଅଛି । ତୁମେ ଯାଅ । ତୁମ ବାବୁ ଘରେ ଡାକିଲେଣି । ଆମେ ତ ଜଣିକିଆ ଲୋକ । ଆଜି ଏଠି, କାଲି ସେଠି । କାହିଁକି ତମ ମନରେ ଦୁଃଖ ଦେବା ?

ପହଲାମା ଏଣେ ମନରେ ଚଙ୍ଗଚଙ୍ଗ ହୋଇ ଟିକିଏ କାମରେ ଲାଗିଗଲା । ସେଇଠୁ କଅଁଳ ବଚନରେ ବାବୁଙ୍କୁ କହିଲା–ବାବୁ ଟିକକରେ ଆସୁଛି । ସମସ୍ତେ ତ ଖାଉନ୍ଦ । ସମସ୍ତଙ୍କର କାମ ପଡ଼େ ଏକାବେଳକେ । କାଲିଠଉ ଆଉ ଅସୁବିଧା ହେବ ନାହିଁ ।

–ହଁ ଯା । ଆମେ ତ ଆସି ଅବେଳରେ ପହଞ୍ଚିଲୁ । ଦଣ୍ଡେ ଘଡ଼ିଏ ଆଗରୁ ଆସିଥିଲେ ଅବା ପଛରେ ପହଞ୍ଚିଥିଲେ ସବୁ ସୁଧୁରି ଯାଇଥାଆନ୍ତା ।

ବାବୁଙ୍କୁ ଦେବତା ବୋଲି ଯାହା ଭାବିଥିଲା ତହିଁରୁ ବହୁତ ବଡ଼ । ସେ ଗଦ୍‌ଗଦ୍‌ ହୋଇ ଫେରିଗଲା ଶ୍ୟାମାଦେବୀଙ୍କ ଘରକୁ । ଏକ ନିଃଶ୍ୱାସରେ କହିଗଲା–ବାବୁ ଭଲ ମଣିଷ ବୋଲି କିଛି କହିଲେ ନାହିଁ । ଛୁଟି ଦେଲେ । ମତେ ଡକେଇ ଥିଲ କି ?

 

–ଚାବି ନେଇଛୁ ବୋଲି ମୁଁ ଜାଣି ନାହିଁ । କେତେବେଳେ ନେଲୁ କେଜାଣି । ସେ ଘରେ ଧଡ଼୍ ଧାଡ଼୍‌ ହେବାରୁ ମୁଁ ଭାବିଲି ଚୋର ପଶିଲାଣି । ସେଥିପାଇଁ ତୁ କୋଉଠି ଅଛୁ ବୋଲି ପଠେଇଥିଲି ଦେଖିବାକୁ । ବାବୁ ଆଜି କି କାଲି ଆସି ପହଞ୍ଚିବେ । ଦି’ଟା ଗହମ ଫେଷି ଦେବୁ ପରା-?

 

–ଆଜି ଆସିବେ ?

 

–ହଁ । ଆସିବା କଥା ଅଛି ।

 

ଶ୍ୟାମାଦେବୀ ମୁଣ୍ଡ କୁଣ୍ଡାଇବାରେ ଲାଗିଲେ । ବାବୁ ଆସୁଛନ୍ତି ଶୁଣି ପହଲାମା ଘର କାମରେ ମନ ଦେଲା । ଚକି ଖୋଜିଲା ।

 

ଦେବତା ମନ୍ଦିରକୁ ଫେରିବେ । ଶ୍ୟାମାଦେବୀ ସଜାଡ଼ି ହେଉଥିଲେ ସେ ଦିନ–ସେ ବୁଲିଯିବେ ଦିନ ଥାଉଣୁ ପିଲାଙ୍କୁ ନେଇ । ଦେଖିଥିଲେ ଦୂରରୁ–

 

ଶ୍ୟାମଳ ମୁହଁ ଭିତରୁ ବେଳେ ବେଳେ ହସ ଫୁଟି ଉଠୁ ଥିଲା–ସେଇ ଅପରିଚିତ ବାବୁଙ୍କ ପାଇଁ । ତିନିଦିନ ହେଲାଣି ତାଙ୍କ ନାଁ ଗାଁ ଜଣା ପଡ଼ିଲା ନାହିଁ । ୟେ ଗସ୍ତରୁ ଫେରିଲେ ବୁଝା ଯିବ । ପହଲାମା ଏତେ ଖବର ଦେଇ ପାରିବ ନାହିଁ । ଏମିତି ଏଣୁତେଣୁ ଭାବି ଶ୍ୟାମାଦେବୀ ନିଜକୁ ସଜାଇବାରେ ଲାଗିଲେ ।

 

–ନାଁ ହେଲା ନାହିଁ । ଏମିତି ତ ମୁଣ୍ଡ ବାନ୍ଧୁଥିଲି ଦିନେ । ଦେବ କହିଥିଲା–ହେଁ, ମରଦମାନେ ସିନା ଏକାପରି ସବୁଦିନ ମୁଣ୍ଡ କୁଣ୍ଡାନ୍ତି । ମାଇପେ ଯଦି ସେମିତି ଏକପ୍ରକାରର ସବୁଦିନେ କରିବେ ତେବେ ଏତେ ବାଳ ମୁଣ୍ଡରେ ବୋହି ଝାଳ ଗରମରେ ଧନ୍ଦି ହେବା ଅକାରଣ । ଶ୍ୟମାଦେବୀ ହସିଲେ ପଛକଥା ମନେ ପକାଇ–

 

ନିଜ ହସ ଦର୍ପଣରେ ଦେଖି ସେ ଚମକି ପଡ଼ି ପଛକୁ ଚାହିଁଲେ । ମନର ଉଲ୍ଲାସ ଭିତରେ କୁରୁଳୁଛି । ଏମିତି ଉଲ୍ଲାସିଆ ମନରେ ନାନା ପ୍ରକାରର ସୁଖପ୍ରଦ ଚିନ୍ତା ଆସିଲାବେଳେ ମଣିଷ ଚାହେଁ ଲୁଚି ରହିବାକୁ–ନିଜର ଆନନ୍ଦରେ ଆତ୍ମହରା ହୋଇ ରହିବାକୁ ।

 

ଯେତେ ସଜେଇଲେ ବି ଭଲ ଦିଶୁ ନାହିଁ । କୌଣସି ପ୍ରକାରର ସଜଡ଼ା ମନକୁ ପାଇଲା ନାହିଁ । ବାଳଗୁଡ଼ାକ ଅମାନିଆଁ ହେଲେଣି । ଯେମିତି ବନ୍ଧା ହୋଇଥିଲେ ମାସ ମାସ ଧରି ସେମିତି ବନ୍ଧା ହେବାକୁ ଖୋଜୁଛନ୍ତି । ଆଉ ପ୍ରକାରରେ ବାନ୍ଧିଲେ ମଣିଷ ପରି ନାହିଁ କରୁଛନ୍ତି ।

 

ଗୁଣୁଗୁଣୁ ହୋଇ କହିଲେ–ତମେ ମୋ ପାଇଁ, ନା ମୁଁ ତମ ପାଇଁ ? ମୋ କଥା ମାନ । ସଜାଡ଼ି ହୋଇ ଯାଅ ଅପୂର୍ବ ପରି–ତୁମକୁ ଦେଖିଲେ ଯେମିତି ଲୋକେ ମନେ ରଖିବେ ।

 

ନାମ ଧାମ ଭୁଲି ହୁଏ । କିନ୍ତୁ ଠାଣି ପାଶୋର ଯାଏ ନାହିଁ । ତେବେ ନିଜ ବାଳଗୁଡ଼ିକ ବୋଲ ମାନୁ ନାହାନ୍ତି । ବହୁତ ସାଧ୍ୟ ସାଧନା କରି ଶ୍ୟାମାଦେବୀ ଉଠିଲେ–ଗୋଟାଏ ପ୍ରକାରର ହେଲା ।

 

ଦମକାଏ ପବନ ଧୂଳି ଉଡ଼େଇ ପଶିଗଲା ଭିତରକୁ । ଶ୍ୟମାଦେବୀ ବିବ୍ରତ ହୋଇ ପଡ଼ିଲେ–ଗଲା ଗଲା ! ଏମିତି ସବୁ ଯାଏ । ବଡ଼ି ଆଚାର ଶୁଖିଲା ବେଳେ ଏଗୁଡ଼ାକ ଦାଉ ସାଧନ୍ତି-। ଟିକିଏ ଯୋର କରି ବେଶ ପୋଷାକ ହେଲାବେଳେ କି ସେଇ ଉତ୍ପାତ । ଏଇ ନିଆଁଲଗା ପବନ ଖାଲି ଚାହେଁ ଯେ ମଣିଷମାନେ ମୋଟାରୋଟା ଖାଇପିନ୍ଧି ବସିଥାନ୍ତୁ ।

 

ଦର୍ପଣରେ ଦେଖିଲେ–ଟିକିଏ ଅଲରା ହୋଇଛି । ନିଜର ବିରକ୍ତି ଲୁଚାଇବାକୁ ସେ ଡାକ ଛାଡ଼ିଲେ–ଏ ରତନା, ଏ ପହଲାମା, ଅଟାରେ ଧୂଳି ମିଶାଇଲ ? –ଏ ଯେଉଁ ପବନ !

 

–ନାହିଁ ଆମେ ଆପଟ କରିଅଛୁ ।

 

ଦୁମ୍‌ଦୁମ୍‌ ହୋଇ ଏଣେତେଣେ ବୁଲିଲେ । ବାସି ଲୁଗାରେ ଛିଟେ କାଦୁଅ ଲାଗିଗଲେ ମଣିଷ ହା’ ହୁତାଶ କରେ ।

 

ସବୁ ବୃଥା ହୋଇଯିବ । ସୁନ୍ଦରର ସୌନ୍ଦର୍ଯ୍ୟରୁ ବିଶ୍ୱାଏ କି କ୍ରାନ୍ତିଏ ଊଣା ହୋଇଗଲେ ସବୁ ବିଗିଡ଼ି ଯାଏ–ତରକାରୀ ବିଗିଡ଼ିଲା ପରି, ଟିକିଏ ଲୁଣ କମ୍‌ ବେଶିରେ ।

 

ସେ ଯିବେ ବାହାରକୁ । ପାଖ ଘରକୁ ଶୁଭିବା ପରି ବଡ଼ ପାଟିରେ ଗଳା ଥରାଇ ଅଭିନୟ କଲାପରି ଡାକିଲେ–ଏ କୁନା, ଏ ବେବି ! ଲୁଗାପଟା ପିନ୍ଧ । ଧୋଇଧାଇ ହୁଅ । ସେ ସାହିକି ଯିବା ।

 

–ଯିବା ? ହଁ ମା’ ଯିବା ! ମତେ ଲୁଗା ଦିଅ–ମୋ ଗୋଡ଼ରେ କାଦୁଅ ଲାଗିଛି । ପିଲାମାନେ ହାଉହାଉ ହେଲେ ।

 

–ହଁ ଯିବା ତ । ଟିକିଏ ବେଳ ଗଡ଼ିଯାଉ । ତମେମାନେ ତିଆର ହୋଇ ଯାଅ । ....ଫୁଲ ଆଣିବା ବାପାଙ୍କ ପାଇଁ–ବାପା ଆସିବେ ଆଜି ।

 

କୁନା ପାଟିକରି କହିଲା–ସେ ଶୋଇବ ନାହିଁ । ବାପା ଆସିବାଯାକେ ଚାହିଁ ବସିଥିବ । ବେବିକୁ ମାଡ଼ ଖୁଆଇବ । ବେବି ହଠାତ୍‌ କାନ୍ଦି ଉଠିଲା–ସେ ମାଡ଼ ଖାଇବ ନାହିଁ ।

 

ଶ୍ୟାମାଦେବୀ ଭାରି ଖୁସି । ତାଙ୍କୁ ହାଲୁକା ଲାଗୁଥାଏ । ସେ ନଚାଲି ଉଡ଼ିଲାପରି ନିଜକୁ ହାଲୁହା ମନେ କରୁଥାନ୍ତି । ମନ ଥାଏ ସେଇ ପଡ଼ିଶା ଘର ଉପରେ । କୋଠା ଉପରେ କେହି ନାହିଁ-। ବହୁତ ବେଳ ସେ ଦୁଆରେ ଏପାଖ ସେପାଖ ହେଲେ । ଘରୋଇ ପୋଷାକ । ଘରୋଇ ଚାଲିଚଳଣ–ସେତେ ଛନ୍ଦୁରିଆ ନୁହେଁ । ବାହାର ପୋଷାକ ଭାରି କଷାକଷି–ଭିଡ଼ାଭିଡ଼ି । ସେଥିରେ ବହୁତ ପ୍ରକାରର ବନ୍ଧନ ଓ ଶୃଙ୍ଖଳା ରହିଥାଏ । କିନ୍ତୁ ଘର ଭିତରେ ମଣିଷ ଯେମିତି ନିର୍ଦ୍ୱନ୍ଦ୍ୱ–ତା’ର ପୋଷାକପତ୍ର ମଧ୍ୟ ସେମିତି ସ୍ୱଚ୍ଛନ୍ଦ ଓ ବନ୍ଧନହୀନ ।

 

ଅଚାନକ ଦେଖିଥିଲେ ସେଦିନ । ଆଜି ବି ଥରେ ଦେଖନ୍ତୁ । ହାତତିଆରି ଜିନିଷ କେହି ନ ଖାଇଲେ, ହାତ ତିଆରି ସଜବାଜ କେହି ନ ଦେଖିଲେ ସେସବୁ ବୃଥା ହୋଇଯାଏ । ଟିକିଏ ବି ମମତା ଥିଲେ, ମନର ଡୋରି ଅଳ୍ପକେ ଲାଗିଥିଲେ ଶ୍ୟାମାଦେବୀ ଏକାବେଳକେ ବିଫଳ ଓ ନିଷ୍ଫଳ ହେବେ ନାହିଁ ।

 

ଅପେକ୍ଷା କରି କରି ବିରକ୍ତ ଲାଗିଲାଣି । ବିକ୍ଷିପ୍ତ ଅପମାନ ଓ ଆଘାତ ଶ୍ୟାମାଦେବୀଙ୍କ ମନ ଭିତରେ ପ୍ରତିବାଦର ଲହର ଉଠାଇ ଥିଲା–ଦେଖ ବନ୍ଧୁ ! ଆଉ ଯଦି କେବେ ମୁଁ ତୁମ କଥା ଭାବି ନିଜକୁ ସଜାଇବି ତେବେ–

 

ନିଜର ଚଳପ୍ରଚଳ ଆଉ ନିତିଦିନିଆ କାମ ଭିତରେ ମନ ଏକ ଲୟରେ, ଏକ ଧ୍ୟାନରେ ସେହି ଅପରିଚିତ ଲୋକକୁ ଡାକୁଥିଲା । ସୁଭାଷବାବୁ ବାହାରୁ ଆସି ଏକାବେଳକେ ସତୃଷ୍ଣ ଓ ଚଞ୍ଚଳ ହେଉଥିଲେ–ଛାତ ଉପରକୁ ଯିବା ପାଇଁ । ଦି’ଦିନ ନରହି ସେ ଭାବୁଥିଲେ ଯେପରି ବହୁତ ଦିନ ପରେ ପୁଣି ଫେରୁଛନ୍ତି ଘରକୁ । ତାଙ୍କ କୃଷ୍ଣପ୍ରିୟା ସେମିତି ଦୂରରେ ଅପରିଚିତ ହୋଇ ରହିଲେ ବି ତାଙ୍କୁ ଥରେ ଦେଖିବାକୁ–ଦେଖା ନ ହେଲେ ବି ସେହି ଚେଷ୍ଟା କରିବାକୁ ତାଙ୍କର ମନ ଉଚ୍ଚାଟ ହେଉଥିଲା ।

 

ଯେ ତମର ନୁହେଁ, ଯେ ଦୂରରେ ଅଛି, ଯେ ତୁମକୁ ଆପଣା–ପର ଭେଦରେ ଠେଲି ଫୋପାଡ଼ି ଦଉଛି । ସେହିଲୋକ କେବଳ ତମ ମନର ଅଧିକାରୀ । କୃଷ୍ଣପ୍ରିୟା ସେହି ପାହାଚର ଲୋକ । ତାକୁ ନ ଦେଖିଲେ ସେ ଦିନଟି ବି ବୃଥା ହୋଇଯିବ ।

 

ମନଭିତରେ ତୁହାଇ ତୁହାଇ ସେ ପ୍ରାର୍ଥନା ଜଣାଉଥିଲେ । ....ଭାରି କ୍ଳାନ୍ତ ଲାଗୁଛି । ଆଜି କ’ଣ ସିତାର ବଜାଇବ ନାହିଁ ଠିକ୍‌ ସେହିଦିନ ପରି ? ମୁଁ ବସିଥିବି ଆଖି ବୁଜି । ତୁମରି କଥା, ତୁମରି ଯନ୍ତ୍ର ଉପର ଦେଇ ଆସି ବୁଣି ହୋଇ ପଡ଼ିଥିବ ଏଇ ଅଭାଜନର ନିଃସଙ୍ଗ ଦେହ ଆଉ ମନ ଉପରେ । ଫୁଲର ସୁବାସ ପରି ଭାସି ଆସୁଥିବ ତୁମର ସଙ୍ଗୀତ । ଆଜି ଯଦି ଏତକ ନ ଘଟେ ତେବେ ତୁମ ସଙ୍ଗରେ–

 

ଶ୍ୟାମାଦେବୀ ସେମିତି ଗଛରେ ଫୁଟିଥିବା ଫୁଲଟି ପରି ଚାହିଁଥିଲେ ଉପରକୁ । ଫୁଲ ଗୋଟିଏ ସ୍ଥାନରେ ରହି ଆଲୁଅ, ପବନ, ସୂର୍ଯ୍ୟ, ଚନ୍ଦ୍ର, ତାରା, ପୋକ, ମାଛି, ମଣିଷ ଆଉ ଦେବତା ସମସ୍ତଙ୍କୁ ଧ୍ୟାନ କରୁଥାଏ । ସେମିତି ଶ୍ୟାମାଦେବୀ ତାଙ୍କ ସ୍ୱଚ୍ଛନ୍ଦ ସ୍ୱାଧୀନ ଆଉ ମୁକ୍ତ ସାଜସଜା ଓ ବ୍ୟବହାର ଦେଖାଇ ରଙ୍ଗମଞ୍ଚର ପ୍ରେମ–ବିଧୂରା ନାୟିକାପରି ଚାହିଁ ରହିଥିଲେ । ଦୁହିଙ୍କୁ–ସ୍ୱାମୀ ଆଉ ସୁଭାଷ ବାବୁଙ୍କୁ ।

ଅନୁଭବୀ ଲୋକେ କହନ୍ତି ଯେ ସଂସାର ଚଳାଉଥିବା ବିଧାତା ସବୁ ପ୍ରକାରର ମଣିଷଙ୍କର ସବୁ ପ୍ରକାରର ବଡ଼ସାନ କାମନା ପୂରଣ କରନ୍ତି । ବନିଶି ଧରିଥିବା ପିଲାକୁ ମାଛଟିଏ ଯେମିତି ମିଳେ, ଗୁଡ଼ି ଉଡ଼ାଇ ସେମିତି ଠାକୁରଙ୍କୁ ଡାକି ଗୁଡ଼ି ଉଡ଼ାରେ ଜିଣି ହୁଏ; ସାନ ପିଲା ଅଭିପ୍ରେତ ଖେଳଣାଟି ପାଏ । ବଡ଼ମଣିଷମାନେ ବି ତାଙ୍କର ମନର ଆବେଗ ଅନୁସାରେ ପାଆନ୍ତି ।

ଆଶା ପୂରଣ ନହେଲେ ସୃଷ୍ଟି ଭାଙ୍ଗି ପଡ଼ନ୍ତା । ଠାକୁର ଲୁଚି ଯାଆନ୍ତେ । ଖଡ଼ା କି ନେଉଟିଆ ପଟାଳି କରି କେହି ନିଜ ପେଟ ପୋଷି ପାରନ୍ତା ନାହିଁ କି କାମ କରୁଛି ବୋଲି ବଡ଼େଇ କରି ପାରନ୍ତା ନାହିଁ । ଅସୁନ୍ଦରକୁ ସୁନ୍ଦର ବୋଲି କହିବାକୁ, ଭଲ ପାଇବାର ଅଯୋଗ୍ୟ ଲୋକ ଭଲ ପାଇବାକୁ, ବିନା କାରଣରେ ରକ୍ଷାବନ୍ଧନ ସୂତା ପରି ପ୍ରୀତିର ଡୋରି ବାନ୍ଧିବାକୁ ଯେବେ ଏହି ସଂସାରରେ ଗୁଡ଼ିଏ ଲୋକ ସବୁବେଳେ ସଜବାଜ ହେଉନଥାନ୍ତେ, ତେବେ ମଣିଷ ରହି ପାରନ୍ତା ନାହିଁ ।

ସମସ୍ୟା ନଥିଲେ ଘର ବୈକୁଣ୍ଠ ନହୋଇ ନରକ ପାଲଟି ଯାଏ । ଅନ୍ୟର ଆକର୍ଷଣ ଏକାବେଳକେ ଲୁଚିଗଲେ ପରସ୍ପର ସ୍ନେହ ବନ୍ଧନରେ ବାନ୍ଧି ହୋଇଥିବା ଲୋକେ ନିଜକୁ ଅଲଗା କରି ଦେଇ ଠିକି ଯାଆନ୍ତେ ।

 

ହେଇ ତ ! ସୁଭାଷବାବୁ କୋଠା ଉପରେ ଆଉ ଶ୍ୟାମାଦେବୀ ଦୁଆରେ । ଦୁହେଁ ଏକାପରି ସଙ୍କୁଚିତ ହୋଇଗଲେ । କାହାରି କାହାରି ଠାରେ ମନ ନାହିଁ ! କିନ୍ତୁ ଦୁହେଁ ଦୁହିଁଙ୍କୁ ଦେଖିଥିଲେ ଆଉ ଭାବିଥିଲେ–ଏଇ ମୋର ମନର ମଣିଷ ! ଏଇ ମୋର ଆଖିର ପିତୁଳା !

 

ତୁଣ୍ଡରୁ ପଦେ କଥା ବି ବାହାରି ନାହିଁ । ଆଖି ପତା ନିସଙ୍କୋଚ ଆଉ ନିର୍ଭୟରେ ଅପରକୁ ଚାହିଁ ନାହିଁ । ପାଣିର ଭାରାରେ ଢେଉ ନଇଁ ଭାଙ୍ଗି ପଡ଼ିଲା ପରି ପରସ୍ପର ପ୍ରତି ଅନୁରାଗର ଆବେଗ ଦୁହିଁଙ୍କୁ ନୁଆଁଇ ଦେଇଥିଲା । ଦୁହେଁ ଏକ ସଙ୍ଗରେ ଏକ ମନରେ ଭାବିଥିଲେ–ଛି ! ସେ କଣ ଭାବିଥିବେ କେଜାଣି !

 

ଦେଖିବାକୁ ଓ ଦେଖାଇବାକୁ ଏତେ ଆୟୋଜନ କରି ସେହି ଦେଖା ହେବାକୁ ଓ ଚିହ୍ନା ପଡ଼ିବାକୁ ଏତେ ବାଧା ! କେହି ବାହାରର ଲୋକ ନୁହଁନ୍ତି । ନିଜର ଲୋକ ବି ଦେଖିଦେଲେ, ମୁକୁଳା ମନର ଗୋପନ କଥା ଜାଣିଗଲେ ମନ ଭରମି ଯାଏ ଲାଜରେ ।

 

ଦୁହେଁ ଭାବିଥିଲେ–ଆଜି ଗୋଟିଏ ଶୁଭଦିନ । ଦୁହେଁ ଭାବିଥିଲେ ଯେ ଏଇ ଦେଖା ହେବା ଅନ୍ତରର ନିବିଡ଼ ଅନୁରାଗର ଗୋଟିଏ ପରଖ । କିନ୍ତୁ ପରିଚୟ ନାହିଁ–ଯେଉଁ ଟିକକ ଥିଲେ ନିସଙ୍କୋଚରେ ନିର୍ଭୟରେ ଜଣେ ଆସି ଆଉ ଜଣକ ପାଖରେ ବସି ମନକୁ ମନ ସାଙ୍ଗରେ ମିଶାଇ ପାରନ୍ତା । କିନ୍ତୁ ପ୍ରୀତିର ଧାରା ଏମିତି ଜଟିଳ ଯେ ପରିଚୟର ଅଭାବରେ ଯେଉଁ ପ୍ରକାରର ନିବିଡ଼ ଅନୁରାଗ, ଆସକ୍ତି ଓ ଆକର୍ଷଣ ସମ୍ଭବ; ପରିଚୟର ଅଧିକାର ଭିତରେ ତା’ର କାଣିଚାଏ ବି ସମ୍ଭବ ନୁହେଁ । ଦୂରତା ଯେତିକି କମି ଆସେ, ମନ ସେତିକି ଦୂରେଇ ଯାଏ ।

 

ଦୁହେଁ ଘୁଞ୍ଚିଗଲେ ପରସ୍ପରଠାରୁ । ଶ୍ୟାମାଦେବୀ ଅଳସ ଚାଲିରେ କିଛି ନ ଜାଣିଲାପରି ଭିତରକୁ ଚାଲିଗଲାବେଳେ ଥରିଲା କଣ୍ଠରେ ବେବିକୁ ଡାକି କହିଲେ–ଚାଲ ରେ ପିଲେ ଯିବା, ଦିନ ପଡ଼ି ଆସିଲାଣି । ଯୁଆଡ଼େ ସୂର୍ଯ୍ୟ ବୁଡ଼ୁଛନ୍ତି ସେହିଆଡ଼େ ଯିବା ।

 

–ମା, ସେଇଟା ପଶ୍ଚିମ ଦିଗ ।

 

–ହଁ, ପଶ୍ଚିମକୁ ଯିବା ।

 

ଛାତ ଉପରୁ ଓହ୍ଲାଇଗଲା ବେଳେ ସୁଭାଷବାବୁ ସେହି ପ୍ରାଣଉନ୍ମାଦନା କଥା କେଇପଦ ସଙ୍ଗୀତର ମୂର୍ଚ୍ଛନା ପରି ଶୁଣିଥିଲେ ।

 

–କୃଷ୍ଣପ୍ରିୟା ଜଣେଇ ଦେବା ପାଇଁ ତାଙ୍କୁ ଯେପରି କହୁଛି ।

 

ସେ କଣ ଯିବେ ତେବେ ! –କାହିଁକି ନ ଯିବେ । ଗଲେ କ୍ଷତି କ’ଣ । ଭଲ ପାଇବାରେ ଦୋଷ କ’ଣ–ଆଇନ ତ କହୁଛି, ମନର କୌଣସି କଳ୍ପନା ଦୂଷଣୀୟ ନୁହେଁ । ସେ ଯଦି ଆପଣା ଛାଏଁ ପୂର୍ବ ପଶ୍ଚିମ ହେଇ ତିନିଥର ବୁଲିବେ, ବୁଲୁବୁଲୁ କୃଷ୍ଣପ୍ରିୟାକୁ ବାରମ୍ବାର ଭେଟିବେ, ତେବେ ସେଥିରେ ଦୋଷ ନାହିଁ । କେହି ଜାଣିଲେ ଅବା ଖୁଣିବ ।

 

ତଳକୁ ଆସି ସେ ନିଜକୁ ସଜାଡ଼ିବାରେ ଲାଗିଲେ ।

 

ମୁହଁ କଳା ପଡ଼ି ଯାଇଛି ଶ୍ରାନ୍ତି, କ୍ଳାନ୍ତି ଓ ପରିଶ୍ରମରେ । ମନ ଉପରେ ସେ ସରସ ଦାଗ ନାହିଁ । କୃଷ୍ଣପ୍ରିୟା ତାଙ୍କୁ କ’ଣ ଭାବିବ କେଜାଣି–ହେଲେ ନଆସି ଥାନ୍ତେ କି ସେ ଦିନ ।

 

ବେଣୁଧର ବାବୁଙ୍କୁ ଦେଖି କହିଲା–ଆଜି ରୋଷେଇ ପାଇଁ କିଛି ନାହିଁ ଘରେ । ଯାହା ଥିଲା ଗସ୍ତରେ ଶେଷ ହୋଇଯାଇଛି । ସେ ବଜାରକୁ ଯିବ ।

 

–ଘରେ ଆଉ କିଏ ରହିବ ? ପହଲାମା–

 

ବାବୁ ତରତର ହୋଇ ସଜାଡ଼ି ହେଉଛନ୍ତି ଯିବେ ବୋଧହୁଏ ବାହାରକୁ । ସେ ତୁନି ରହିଲା ।

 

ବାବୁ ଯାଇ ବହୁତ ବେଳ ପୋଷାକ ପିନ୍ଧିଲେ । ମନ ଭିତରରେ ବହୁତ ପ୍ରକାରର ଉଦ୍‌ବେଗ ଆଶଙ୍କା, ଆଶା ଓ କୌତୂହଳ । କୃଷ୍ଣପ୍ରିୟା ସାଙ୍ଗରେ ଦେଖା ହେବ ।

 

ସେ ହସି ଭାବିଥିଲେ–ୟାକୁ କହନ୍ତି ଅଭିସାର ! ପଢ଼ା ବହିରେ ଏଇଥିରୁ କାଣ୍ଡେ କାଣ୍ଡେ ରଖି ଦେଇ ମାଷ୍ଟରମାନେ କ’ଣ କମ୍‌ ଉତ୍ପାତ ନ କରନ୍ତି–ନିରୀହ, ନିଷ୍ପାପ ଅନଭିଜ୍ଞ ଛାତ୍ରମାନଙ୍କ ଉପରେ !

 

ସାମାନ୍ୟ ଅଭିଜ୍ଞତାରେ ଯାହା ଜାଣି ହୁଏ କି ବୁଝି ହୁଏ ସେତକ ଗୁରୁଙ୍କର ପାଦତଳେ ବସି ଯେତେ ପ୍ରକାରର ଭାବ, ଅର୍ଥ ଓ ଶବ୍ଦ ଯୋଜନା କଣ୍ଠସ୍ଥ କଲେ ବି ସମ୍ପୂର୍ଣ୍ଣ ରୂପେ ମନସ୍ଥ ହୋଇ ପାରେନାହିଁ ।

 

ପାରୁ ପର୍ଯ୍ୟନ୍ତ ସଜବାଜ ହୋଇ ବାହାରିଲା ବେଳେ ଗୋଡ଼ ଛନ୍ଦି ହୋଇଗଲା ଦୁଆର ବନ୍ଧରେ । ଛାତି ଦାଉଁ ଦାଉଁ ପଡ଼ିଥିଲା–ବାଟରେ ଦେଖା ହେବ ।

 

ଶ୍ୟାମାଦେବୀ ଭାବିଥିଲେ ଯେ ସେ ବାବୁଟି ଘର ଭିତରେ ଥିବେ । ଗଲାବେଳେ ଶ୍ୟାମାଦେବୀ ସେଇଠି ତାଙ୍କ ପିଲାଙ୍କୁ ପଦେଅଧେ କହି ଚାଲିଯିବେ । ଘର ଯେତେବେଳେ କରିନାହାନ୍ତି,–ଉଚ୍ଚାଟିଆ ହୋଇ ରହନ୍ତୁ ।

 

ସୁଭାଷ ବାବୁ ଭାବିଥିଲେ–ନ ଜାଣିଲା ପରି, ନ ଚିହ୍ନିଲା ପରି ମୁହାଁମୁହିଁ ହୋଇ ରାସ୍ତାର ଏକାପାଖରେ ଭେଟାଭେଟି ହୋଇଯିବେ । ପିଲାମାନଙ୍କୁ ଦେଖି ହସିବେ ଚିହ୍ନିଛନ୍ତି ବୋଲି । କୃଷ୍ଣପ୍ରିୟା କ’ଣ ପଚାରିବ ନାହିଁ ପିଲାଙ୍କୁ–ସେ କିଏ ? ସେତିକି ଶୁଣିଲେ ସେ କୃତାର୍ଥ ହୋଇଯିବେ ତ ।

 

ସେଥିପାଇଁ ସେ ରାସ୍ତାର ବାଁ କଡ଼ ମାଡ଼ି ନ ଚାଲି ଡାହାଣେ ଡାହାଣେ ଛନ୍ଦିଛାନ୍ଦି ହୋଇ ଚାଲୁଥିଲେ–ପଶ୍ଚିମରୁ ପୂର୍ବକୁ ରାସ୍ତାଟା । ପଶ୍ଚିମରୁ ଫେରିଲେ ଦେଖା ହୋଇଯିବ । କପାଳ ଉପରୁ ଝାଳ ଝରି ପଡ଼ୁଥାଏ ।

 

କଜଳ ଗାର

ସୁଭାଷ ବାବୁଙ୍କୁ ସେଇ ସନ୍ଧ୍ୟାଟି ମୋଟେ ସୁଖ ଲାଗୁ ନ ଥିଲା । ଆଲୁଅର ମ୍ଳାନରେଖା ବିଞ୍ଛି ହୋଇ ପଡ଼ିଛି । –ଧୂଳିଆ ରାସ୍ତା ଉପରେ । ଯୋତାର ରଙ୍ଗ ବୁଡ଼ିଗଲାଣି । ପାଦ ଉପରକୁ ଛିଟୁକୁଛି ଧୂଳିର ଅଂଶ । କାହିଁ, କୃଷ୍ଣପ୍ରିୟା କୋଉଠି ? ପଛକୁ ଫେରି ଚାହିଁବା ଠିକ୍‌ ନୁହେଁ । ସେ ବାଡ଼ି ପରି ନିଜକୁ ସିଧା ରଖି ଆଗକୁ ଚାଲୁଥିଲେ ।

 

ବୁଲିବା ବାଟରେ ଲୋକ ଧୀରେ ବା ବେଗରେ ଚାଲିପାରେ । କିନ୍ତୁ ରାସ୍ତାରେ ଧୀରେ ଚାଲିଲେ ପାଖପଡ଼ୋଶୀ ଲୋକେ କ’ଣ ଭାବିବେ ? –ଏଣେ ଶୀଘ୍ର ଶୀଘ୍ର ଚାଲିଲେ ବାଟ ସରିଯିବ-

 

ସେତେବେଳେ ଶ୍ୟାମାଦେବୀ ରାସ୍ତା ଉପରେ ସ୍ଥିର ଲକ୍ଷ୍ୟ ରଖି ପିଲା ଦୁହିଁଙ୍କୁ ବାଟକଢ଼ାଇ ଗଲାବେଳେ ସୁଭାଷବାବୁଙ୍କ ଘର ପାଖରେ ଘରକୁ କଣେଇ ଚାହିଁ ନିଜର ଉଦ୍‌ବେଗକୁ ଛପାଇବାକୁ କହିଥିଲେ–ଏଇ ପାଖକୁ ଆସ । ରାସ୍ତା ମଝିରେ ଚାଲନା । ଘୁଞ୍ଚି ଯାଇଥିଲେ ସେ ଘରଠାରୁ ଓଲଟା ପାଖକୁ ।

 

କାହାରି ମୁହଁ ଦିଶିଲା ନାହିଁ । ଦୁଆର ଅଧା ଆଉଜା ହୋଇଛି । ଖିଡ଼ିକି ବନ୍ଦ । ଛାତ ଉପରେ ବି କାହାରି ଛାଇ ନାହିଁ ।

 

କ’ଣ ନାହାନ୍ତି ସେ ? ....ଶୁଣି ନାହାନ୍ତି କି ! ବେକ ସନ୍ଧି ଜକେଇ ଯାଇଥିଲା । ସେ ଭାବିଲେ ଫେରିଯିବାକୁ । ହଠାତ୍ ଯେପରି ମେଲା ଦୁଆର ବନ୍ଦ ହୋଇଯାଇଅଛି । ଦେଖିବାକୁ ଚାହୁଁଥିବା ଲୋକଟି ଆଉ ତ ନାହିଁ ।

 

ଆସିବାର ଚେଷ୍ଟା ତାଙ୍କୁ ଆଗକୁ ଠେଲିଥିଲା ପିଲା ଦୁଇଟିଙ୍କର ପଛେ ପଛେ । ଛୋଟ ଛୋଟ ପାହୁଲ ପକାଇ ସେମାନେ ଚାଲିଛନ୍ତି । ଶ୍ୟାମାଦେବୀ ଆଗକୁ ବଢ଼ି ଚାଲିଲେ ।

 

ଦେଖିବାର, ମୁହାଁମୁହିଁ ହେବାର ଯେଉଁ ଟିକକ ଆଶା ହଠାତ୍‌ ବହୁ ଉତ୍ସାହରେ ମୁକୁଳି ଉଠିଥିଲା ପୁଣି ସେମିତି ହଠାତ୍‌ ଝାଉଁଳି ଯାଇଛି । ଦିନର ଆଲୁଅ ମରି ନାହିଁ । ସେହି ଆଲୁଅରେ ନିଜକୁ ସେ ଦେଖିବାକୁ ଚାହୁଁ ନ ଥିଲେ ରାସ୍ତା ଉପରେ–ଅସ୍ପଷ୍ଟ ଅନ୍ଧାର ହେଉଛି ଶ୍ୟାମଳୀ ତରୁଣୀର ବନ୍ଧୁ । ଦିନର ଆଲୁଅ ନୁହେଁ ।

 

କିଛି ଦୂର ଯାଇ ସୁଭାଷବାବୁ ଲେଉଟିଲେ । ଆଉ ଆଗରେ ତ କୃଷ୍ଣପ୍ରିୟା ନାହିଁ । ଖୋଜି ଖୋଜି ଆସିଲେଣି ବହୁତ ଦୂର । ଫେରନ୍ତି ବାଟରେ ତାଙ୍କର ଆଖି ଥିଲା ରାସ୍ତାର ସୀମାନ୍ତରେ । ଆଖିରେ ସେଇ ଜାଗ୍ରତ ଆକାଙ୍‌କ୍ଷା–କୃଷ୍ଣପ୍ରିୟା କ’ଣ ଆସିଲା ନାହିଁ !

 

ସେ ଚିହ୍ନିଥିଲେ କୃଷ୍ଣପ୍ରିୟାକୁ । ତାକୁ ପ୍ରଥମେ ଚିହ୍ନିଲେ ସେ । କିନ୍ତୁ କୃଷ୍ଣପ୍ରିୟା ଚାହିଁଥିଲା ରାସ୍ତାଆଡ଼େ । ସେ ଠଉର କରି ପାରି ନଥିଲା ଯେ ତାଙ୍କର ଏତେ ନିକଟରେ ପହଞ୍ଚିଗଲାଣି ।–ରାସ୍ତା ଉପରେ ହଠାତ୍‌....... ।

 

ସେତେବେଳକୁ ସେ ନ ଜାଣିଲା ପରି ପିଲା ଦୁଇଟିଙ୍କୁ ଥରେ ଥରେ ଛୁଇଁ ଦେଇ ଡାହାଣରୁ ବାଁକୁ ଘୁଞ୍ଚି ଯାଇଥିଲେ ।

 

କୃଷ୍ଣପ୍ରିୟା ତଳକୁ ମୁହଁ ପୋତିଥିଲା । ସୁଭାଷବାବୁଙ୍କ ଓଠ କଣରେ କ୍ଷୀଣ ହସର ଗାର ଲାଖି ରହିଥିଲା–ଦେଖା ହୋଇଛି ବୋଲି । କିନ୍ତୁ ସେ ତାକୁ ସେ ଦିନ ସ୍ପଷ୍ଟ କରି ଦେଖି ନାହାନ୍ତି । ଭେଟାଭେଟି ହୋଇଛି । ମାତ୍ର ଆଖିର ଷୋଳ ଅଣା ପରିଚୟ ହୋଇପାରି ନାହିଁ ।

 

ଖାଲି ତାଙ୍କ ମନରେ ଭାସି ଉଠିଥିଲା ଗୋଟିଏ ଅପରୂପ ଲାବଣ୍ୟ–ପ୍ରତିମା । ନିଖୁଣ ରୂପ, ଅସାମାନ୍ୟ ସୁନ୍ଦରୀ । ତା’ର ପ୍ରତ୍ୟେକ ଅବୟବ ତାଙ୍କ ମନରେ ଉଗ୍ର କାମନାର ଝର ଖୋଲି ଦେଇଥିଲା । କିଛି ନାହିଁ–ପୁଣି ସବୁ ଅଛି ।

 

ସେତେବେଳେ ଉଭୟେ ସେଇଠୁ ଫେରିବାକୁ ଚାହିଁଥିଲେ ଓଲଟା ଦିଗରେ । କେହି ପାରି ନାହାନ୍ତି । ଇଚ୍ଛା ବିରୁଦ୍ଧରେ ବିପରୀତ ଦିଗକୁ ଯାଇ ଦୁହେଁଯାକ ପରସ୍ପରର ଦୂରତ୍ୱ ବଢ଼ାଇ ଦେଲାବେଳେ ଏକାପରି ଭାବିଥିଲେ–ତେବେ ରାସ୍ତାରେ ବୁଲିବାରେ ଲାଭ କ’ଣ ?

 

ଯେ ଯାହା ଚାହିଁଥିଲେ କରିପାରିଲେ ନାହିଁ । କିନ୍ତୁ ଦୁହିଙ୍କ ନିଶ୍ୱାସ ପ୍ରଖର ହୋଇଥିଲା । ସୁଭାଷବାବୁ ଚାଲି ଚାଲି କୃଷ୍ଣପ୍ରିୟା ଘରଯାଏ ଗଲାବେଳେ ଗଭୀର ମନଯୋଗ ସହିତ ସେହି ଘରଟିକୁ ଲକ୍ଷ୍ୟ କରିଥିଲେ । ଝରକା ରେଲିଂରୁ ରଙ୍ଗ ଫୁଟି ବାହାରିଥିବା କଳଙ୍କି ଦାଗ ବି ତାଙ୍କ ଆଖିରୁ ଲୁଚି ପାରି ନ ଥିଲା ।

 

ଲେଉଟି ଦେଖିଲେ କୃଷ୍ଣପ୍ରିୟା ଫେରିଲାଣି । ନିଜ ବସା ପାଖରେ ବାବୁ ରହିଯାଇ ଭାବିଲେ–ନା, ଆଉ ଯାଇ ଲାଭ ନାହିଁ ।

 

ଘର ଭିତରୁ ଶ୍ୟାମାଦେବୀ ଦେଖିଥିଲେ । ସେ ଜାଣନ୍ତି ଯେ ତାଙ୍କର ପ୍ରତ୍ୟେକ ଭଙ୍ଗୀ ଏବେ ଲକ୍ଷ୍ୟ କରିବାକୁ ଜଣେ ସଜାଗ ରହିଲେଣି । ସେଇ ରାସ୍ତାରେ ସେ ଆଉ ଚାଲିବାକୁ ଚାହୁଁ ନଥିଲେ । ଦାଣ୍ଡକୁ ବାହାରି ଆଉ କିଛି ଉପାୟ ନାହିଁ । ଘରୁ ବାହାରିବା ଯେତିକି ଭୁଲ, ଘରୁ ବାହାରି ଆସି ଘରକୁ ନ ଫେରିବା ସେତିକି ଅଶୁଦ୍ଧ ।

 

ମୁହଁ ଉପରେ ଉତ୍ତେଜନାର ଲାଲିଚା ଢେଉ ଖେଳାଇ ସୁଭାଷବାବୁ ବାଧ୍ୟ ହୋଇ ଅତି ସୁଧାର ଲୋକ ପରି ତା’ରି ଘରଟିକୁ ପାରି ହେଲାବେଳେ ଏକାଗ୍ର ମନରେ ଆଖି ରଖିଥିଲେ ନିଜ ଘରଆଡ଼େ । ଅତି ଅଧିକ ନିଷ୍ଠା ଦେଖାଇ ନ ଥିଲେ ସୁଭାଷବାବୁଙ୍କର ହୁଏତ ସନ୍ଦେହ ଆସିଥାନ୍ତା । କିନ୍ତୁ ସେହି ଚକିତ ଭୀରୁ ପଦକ୍ଷେପ–ନଜାଣିବାର ନ ବୁଝିବାର ଛଳନା–ତାଙ୍କୁ ଏକା ନୁହେଁ, ଶ୍ୟାମାଦେବୀଙ୍କୁ ବି କହି ଦେଇଥିଲା–ଏଇଟା ଭୁଲ । ତେବେ ବି ସେ ଅନ୍ୟ ପ୍ରକାର କରିପାରିଲେ ନାହିଁ । ନିଜକୁ ଲୁଚାଇବାକୁ ଯାଇ ସମ୍ପୂର୍ଣ୍ଣ ଭାବରେ ପ୍ରକାଶ କରି ଦେଇଗଲେ–ସେ ଜାଣନ୍ତି, ଚିହ୍ନନ୍ତି ଆଉ ବୁଝନ୍ତି ଶ୍ୟାମାଦେବୀଙ୍କୁ ।

 

ସେଇ ସାମାନ୍ୟ ଦେଖାରେ ମନ ଖୋଜୁଥିବା ମନ–ମତାଣିଆ ଆବେଗଭରା ସମ୍ବନ୍ଧ ପରସ୍ପରକୁ ବୁଝେଇଲା ପରି ଦୈର୍ଘ୍ୟ, ପ୍ରସ୍ଥ ଆଉ ଉଚ୍ଚତା ନେଇ ଠିଆ ହୋଇଯାଇଛି । ତହିଁରୁ ଭଲ ହୋଇ ଥାଆନ୍ତା, ମୁହଁ ଖୋଲି ପଚାରିଥିଲେ–ମୁଁ ତୁମକୁ ଯେତିକି ଖୋଜିଛି, ତମେ ମତେ ସେତିକି ଖୋଜିଛ କି ?

 

ଘରେ ପହଞ୍ଚି ଶ୍ୟାମାଦେବୀ ଆଉ ରାସ୍ତାକୁ ଫେରି ଚାହିଁ ନାହାନ୍ତି । ଚକି ଘୋରଣା ଚାଲିଛି । ଘରର କାମ ତା’ର ଶୃଙ୍ଖଳା ଧରିଛି । ସେ ଛପି ଛପି ଘର ଭିତରକୁ ପଶିଲେ ।

 

କେଡ଼େ ଅସନା କଥା ହେଲା ! କ’ଣ ସେ ଭାବିଥିବେ କେଜାଣି ! ଯେବେ ଭାବିଥିବେ । କେଡ଼େ ଜଂଜାଳ ନହେବ ? ଅଭିଆଡ଼ା ଲୋକେ ଭାରି ବ୍ୟଗ୍ର ନିଜର କଳ୍ପନାକୁ ସମସ୍ତଙ୍କୁ ଜଣାଇବାକୁ । ସେ ଯଦି କହି ବୁଲନ୍ତି– ।

 

ନିଜର ଆଶଙ୍କା ତାଙ୍କୁ ଦୁର୍ବଳ କରି ଦେଇଥିଲା–ନା ସେ ଲୁଚିବେ ଏଥର । କାହାରି ମନ ସାଙ୍ଗରେ ଖେଳିବା ଉଚିତ ନୁହେଁ । ଅପରର ଉତ୍ସାହକୁ ବଢ଼ାଇବା ଅନ୍ୟାୟ । ଉତ୍ସାହ ତ ସହଜେ ପବନ ପରି ବଢ଼ିଲେ ସେ ହୁଏ ଝଡ଼ । ଝଡ଼ର ବିବେକ ନାହିଁ କି ବିଚାର ନାହିଁ–ସ୍ଥାନ କାଳ ପାତ୍ର ଓ ଆପଣା ପର ଜ୍ଞାନ ନାହିଁ । ଶ୍ୟାମାଦେବୀ ଏବେ ବିନା କାରଣରେ କୌଣସି ଉଦ୍ଦେଶ୍ୟ ନଥାଇ ଆଉ ଜଣକୁ ଟାଣୁଛନ୍ତି,–ତାଙ୍କୁ ଭଲ ଲାଗିଲା ନାହିଁ ।

 

ବହୁତ ବେଳ ବସି ରହିଲେ–ନୀରବ ଆଉ ଅଚଳ ।

 

ସେମିତି ସୁଭାଷବାବୁ ସେଇ ବାଟରେ କୃଷ୍ଣପ୍ରିୟାକୁ ଭଲକରି ଦେଖିଲାବେଳେ ଅତିରିକ୍ତ ଆକର୍ଷଣ ଅନୁଭବ କରିଥିଲେ–ନିକଟରେ କୃଷ୍ଣପ୍ରିୟା ଆହୁରି ସୁନ୍ଦର ! ତାଙ୍କର ସ୍ୱାମୀ ପ୍ରକୃତରେ ଭାଗ୍ୟବାନ୍‌ ।

 

ଖାଇବା ଜିନିଷ ଦେଖିଲେ କ୍ଷୁଧା ବଢ଼ିଲା ପରି ତାଙ୍କ ମନରେ କୃଷ୍ଣପ୍ରିୟାର ଲିଭିଯାଇଥିବା ଉଗ୍ରତା ହଠାତ୍‌ ତେଜି ଉଠିଲା । ମନର ସବୁ ସଂଯମ ଆଡ଼େଇଦେଇ ସେ ପୁଣି ଥରେ ଅଭିଭୂତ ହୋଇ ବସି ରହିଲେ ।

 

ସମ୍ବନ୍ଧ ଥାଉ କି ନ ଥାଉ ଏକାଗ୍ର ଚିନ୍ତା ଅନ୍ୟ ଲୋକର ମନକୁ ଚଞ୍ଚଳ କରିପାରେ । ସେ ଦିନ ବି ଶ୍ୟାମାଦେବୀ ନିଜର ଅଜାଣତରେ ଆଉ ଇଚ୍ଛା ବିରୁଦ୍ଧରେ–କାହିଁକି କରୁଛନ୍ତି ନ ଭାବି ଟିକକ ପରେ ସିତାର ଧରି ବସିଲେ ।

 

ସନ୍ଧ୍ୟା ଗାଢ଼ ହୋଇ ନାହିଁ । ସେତେ ଶୀଘ୍ର ସେ ଏ ସବୁ ଗାଆଣ ବାଜଣା କରନ୍ତି ନାହିଁ । କିନ୍ତୁ ସେ ଦିନ ଧରିଥିଲେ ତାଙ୍କର ସେହି ଛୋଟିଆ ହାତ ବାଡ଼ିଟିକୁ ।

ସେଇ ତାଙ୍କର ଚହଲା ମନକୁ ଥିର କରିଛି ବହୁତ ଥର । ବାହାରକୁ ଭିତରର ସମ୍ବାଦ ପଠାଇଛି, ଆଉ ଭିତରର ଆନ୍ଦୋଳନ ବାହାରେ ଆଣି ଥୋଇଛି । ସେଇ ତାଙ୍କର ଆପଣା–ଭୁଲା ବନ୍ଧୁ ।

ଅତି ନିବିଡ଼ ଆଶ୍ଳେଷରେ ସେ ବହୁତ ବେଳ ବସି ରହିଥିଲେ ସିତାର ପାଖରେ । କେହି ଶୁଣିଲା କି ନାହିଁ–ସେତକ ବି ଭାବି ନାହାନ୍ତି । ସ୍ପଷ୍ଟ ମନର କଥା ପରି ସେ ଦିନ ସେ ବାଜୁଥିଲା ବଡ଼ ସ୍ପଷ୍ଟ ହୋଇ ।

ସୁଭାଷବାବୁ ତନ୍ମୟ ହୋଇ ଶୁଣୁଥିଲେ ।

ଯାଦୁକରୀ ସେ । ନିର୍ମଳ ସ୍ନେହ, ଅଯାଚିତ ସେବା ଆଉ ଅତର୍କିତ ଦାନ ଦେଇ ସୁଭାଷବାବୁଙ୍କୁ ସେ ଋଣର ବନ୍ଧନରେ ବାନ୍ଧି ଦେଇଛି ।

ସେ ଦିନର ସଙ୍ଗୀତ ବି ସରିଥିଲା । ଶ୍ୟାମା ଦେବୀ ଶ୍ରାନ୍ତ ଯାହା ଦେବାର ସେ ଦେଇ ଯାଇଛି ।

ତାଙ୍କୁ ଉପହାସ କରିବାକୁ ସ୍ୱାମୀ ଗସ୍ତରୁ ଫେରିଲେ । କୁନା ସଙ୍ଗେସଙ୍ଗେ ବାପାଙ୍କୁ କହିଦେଲା–ବେବି ଗର୍ଜୁଛି ଖୁବ ବଡ଼ ପାଟିରେ । ବେବି ମନାକଲା । ଆଉ ବାପାଙ୍କୁ ଜଣାଇଲା ଯେ ଭାଇ କୁକୁରକୁ ଖୋଲି ଦେଇ ବୁଲୁଥିଲା ରାସ୍ତାରେ ।

 

ପହଲାମା ବାବୁମାନଙ୍କୁ ଆକଟ କରି କହିଥିଲା–ବାବୁ ଆସିଲେ । ଆଗ ଟିକିଏ ବସନ୍ତୁ । ତା’ପରେ ତମେ ନାଲିସ କରିବ ।

 

–ବାପା, ପହଲାମା ସେ ବାବୁଙ୍କ ଘରେ ଚାକିରି କରୁଛି.....ସେ ଯୋଉ ଘରଟା ତିଆରି ହେଉ ନଥିଲା, ଆମେ ଯାଇ ନ ଥିଲୁ ବେଙ୍ଗ ଦେଖିବାକୁ !

 

–ସେଠି କ’ଣ କିଏ ଲୋକ ରହିଲାଣି ? କିଏ ଆସିଲେ ।

 

କେହି କିଛି କହିଲେ ନାହିଁ । ସେ ପୁଣି ପଚାରିଲେ ।

 

ଶ୍ୟାମାଦେବୀ କହିଲେ–କିଏ ଜଣେ ନୂଆ ଆସିଛନ୍ତି । ମୁଁ ତ ଜାଣେ ନାହିଁ । ପହଲାମା ଯୋଗ କଲା–ତାଙ୍କର ଗସ୍ତ ଚାକିରି । ସେ ଓଳିଏ ଆସି ରହିଲେ । ସେଇଠୁ ଦି’ ଦିନ ରହିଲେ ପଦାରେ...ପିଲାମାନେ ଏକାଠି ଯୋଡ଼ି ଦେଲେ ତାଙ୍କର ଗାଈ କି କୁକୁର କେହି ନାହାନ୍ତି । ପହଲାମା ଚାବି ରଖିଛି–ଏଇ ଟେବୁଲରେ ରଖିଥିଲା ଦୁଇ ଦିନ ।

 

ଶ୍ୟାମାଦେବୀ ଚମକି ପଡ଼ିଲେ ।

 

–କିହୋ, ଚାବି ଏଠିଥିଲା ? ଆଉ ଜାଣି ନାହିଁ ?

 

–ଏଇ ପହଲାମା ଥୋଇଥିବ । ସେ ପରା ଜଗୁଆଳି ହୋଇଛି ।

 

–କିଏ ସେ ? ଯାଇ ବୁଝି ଆସିବା କି ?

 

–ଭଡ଼ାଘରେ ଲୋକ ରହିବେ ତ । ଏତେ ରାତିରେ ତାଙ୍କର ତଲାସ ନେବା କ’ଣ ଦରକାର ?

 

ସୁଭାଷବାବୁଙ୍କୁ ଶୁଭୁଥାଏ । ତାଙ୍କ ମନରୁ ସେଇ ମାୟାଡ଼ୋର ଟିକିଏ ଟିକିଏ ହୋଇ କଟି ଯାଉଥାଏ ।

 

ଏଇ କ’ଣ ତେବେ ସେଇ ନାରୀ–ଯେ ଇସାରା ଇଙ୍ଗିତରେ ଟିକିଏ ଦେଖା ଦେଇ, ଦି’ ପଦ କଥା ଶୁଣେଇ, ବ୍ୟବହାରର ଆତ୍ମୀୟତାରେ ତାଙ୍କୁ ବାନ୍ଧି ଦେଇଥିଲା ? ଏଇ ତ ସେହି କୃଷ୍ଣପ୍ରିୟାର ଅଳସ, ଦୁର୍ବଳ କଣ୍ଠସ୍ୱର !

 

ମନର ଚିତ୍ରପଟରେ ଏଇ ଦୁଇଟି ଛବି ଏକାଠି କରି ସେ ଦେଖୁଥିଲାବେଳେ ବେଣୁଧର ଆସି ଅସ୍ପଷ୍ଟ ଭାବରେ କହିଥିଲା–ସେ ବାବୁ ଆସିଲେଣି, ବୁଝି ଆସିବି ?

 

ଅତ୍ୟଧିକ ଉତ୍ତେଜିତ ହୋଇ ବାବୁ କହିଥିଲେ–ତମର କ’ଣ କିଛି କାମ ନାହିଁ କି ବେଣୁଧର ? ସେ ଆସିଲେ, କି କିଏ ଆସିଲେ ଆମର ସେଥିରେ କ’ଣ ଅଛି ? କଚିରିରେ କାମ କରି ଏତିକି ଅକଲ ହେଲା ନାହିଁ !

 

ବେଶି ଦୂରରେ ନୁହେଁ । ସଞ୍ଜ ଦି’ ଚାରିକଡ଼ ହୋଇଗଲେ ରାତିର ଅନ୍ଧାର ଏକା ଆସେ ନାହିଁ । ଆସେ ଗୋଟାଏ ସ୍ୱାଭାବିକ ନିର୍ଜନତା–ଶୁଭୁ ନଥିବ ସବୁ ଶବ୍ଦ ଶୁଣାଇବା ପାଇଁ ଆଉ ଶୁଭୁଥିବା ଶବ୍ଦକୁ ପ୍ରଖର କରିବା ପାଇଁ ।

 

କେଶବବାବୁଙ୍କର କାନରେ ହଠାତ୍‌ ସୁଭାଷବାବୁର ସେଇ କେତୋଟି କଥା ଶ୍ୟାମାଦେବୀଙ୍କର ଉପଦେଶର ଉତ୍ତର ପରି ଆସି ପହଞ୍ଚି ଯାଇଥିଲା ।

 

କେହି କାହାର ନୁହଁନ୍ତି । କିଏ ଆସିଲେ ଗଲେ, କିଏ ରହିଲେ–ଏଇ ପ୍ରଶ୍ନର କୌଣସି ପ୍ରୟୋଜନ ନାହିଁ । ଜଣକର ଆଉ ଜଣକ ନିକଟରେ ।

 

ଧୀରେ କେଶବବାବୁ ସ୍ତ୍ରୀକୁ କହିଲେ–ଶୁଣ, ପାଖରେ ଘର ନ ଥିଲା ବେଳେ ଯେମିତି ଇଚ୍ଛା ସେମିତି କଥା କହୁଥିଲ ବୋଲି ଆଜି–ଶୁଣ, ଭଦ୍ରଲୋକ କ’ଣ କହିଲେ ।

 

ଶ୍ୟାମାଦେବୀଙ୍କ ତୁଣ୍ଡ ଥରି ଉଠିଥିଲା–ସିତାରର ମୃଦୁ କମ୍ପନ ପରି । ସେ ଲେଉଟ ମାଡ଼ ଚାହିଁ ନ ଥିଲେ ଏତେ ଶୀଘ୍ର । ତୁନି ରହିଲେ–ଅଭିମାନରେ, ନିଜକୁ ପ୍ରକାଶ କରିଦେଇ ଥିବାର କ୍ଷୋଭରେ, ଆଉ ଅସମ ପ୍ରତିଦାନରେ ।

 

ଦାନ୍ତ ଚିପି ମନକଥା ମନକୁ କହିଥିଲେ–ପୁରୁଷମାନେ ଅଧମ । ପ୍ରୀତି ବଦଳରେ ତାଚ୍ଛଲ୍ୟ ପଠେଇ ଦିଅନ୍ତି । ଆଉ ତାକୁ କହନ୍ତି ପ୍ରୀତିର ଅର୍ଘ୍ୟ ବୋଲି ।

 

ସକାଳର ପାହାନ୍ତି ପବନ ସବୁଦିନେ କେଶବବାବୁଙ୍କୁ ନିଦରୁ ଉଠେଇ ଦିଏ । ଏଇଟା ତାଙ୍କର ବହୁତ ଦିନର ଅଭ୍ୟାସ । ଏବେ ପେଟର ରୋଗ ତାଙ୍କୁ ବାଧ୍ୟ କରୁଛି ସକାଳ ପହରର ଅନ୍ଧାର–ଭଙ୍ଗା କ୍ଷୀଣ ଆଲୁଅରେ ବାହାରେ ବୁଲି ପ୍ରାକୃତିକ ଚିକିତ୍ସା କରିବା ପାଇଁ । ସବୁଦିନ ପରି ସେ ଦିନ ବି ସେ ବାହାରକୁ ଯାଇଥିଲେ ।

 

ଫେରିଲାବେଳେ ସୁଭାଷବାବୁଙ୍କ ଘର ଆଗରେ ଠିଆ ହୋଇ ଖବରକାଗଜ ଉପରେ ଆଖି ରଖିଥିବା ସୁଭାଷବାବୁଙ୍କୁ ଲକ୍ଷ୍ୟକରି ଆତ୍ମୀୟତା ମିଶା ସ୍ୱରରେ ପଚାରିଲେ–ବିରକ୍ତ କରିପାରେ କି ?

 

–କିଏ ? କାହାକୁ ଖୋଜୁଛନ୍ତି ?

 

–ଆପଣଙ୍କୁ । ଆମେ ଚିହ୍ନା ହୋଇ ନାହୁଁ । ମୁଁ ଏଇ ପାଖ ଘରେ ଥାଏ ।

 

ଉତ୍ସାହରେ ସୁଭାଷବାବୁ କହିଲେ–ଆପଣ ! ଆସନ୍ତୁ ଭିତରକୁ, ନମସ୍କାର ।

 

–ନମସ୍କାର, ଆସିଥିଲି ଚିହ୍ନା ଦେବାକୁ । ମୋ ନାଁ କେଶବ । କାଲି ସଂଧ୍ୟାରେ ଆସିଥାନ୍ତି-। ଡେରି ହୋଇଗଲା ।

 

ନଜାଣିଲା ପରି ସୁଭାଷବାବୁ କହିଲେ–ଆପଣ କ’ଣ ନ ଥାନ୍ତି ଏଠି ?

 

–ନା । ଥା ଆଉ ନ ଥାଏ ବି । ମାନେ ଚାକିରିର ଦରମା ଏଇଠୁ ପାଏ । ଆଉ ଘରେ ରହେ ଚାରିଦିନରେ ଦିନେ । ବୁଲୁଥାଏ ଏଠିସେଠି ।

 

–ସବୁ ଚାକିରି ତ ସେମିତି ।

 

ଏଣୁତେଣୁ ବହୁତ ପ୍ରକାରର କଥା ପଡ଼ିଲା । ସରକାରୀ ଗସ୍ତ କେମିତି ଅନ୍ଧାଧୁନିଆ, ପଇସାକର କାମକୁ ପାଞ୍ଚଟଙ୍କାରେ କରନ୍ତି । ପିଲାକୁ ଯୋଉ କାମରେ ପଠାଇ ହେବ, ସେଠିକି ପାକଳିଆ ବୁଢ଼ାକୁ ପେଲନ୍ତି । ସବୁ ସମୟ କଟେ ଯିବା ଆସିବାରେ । ହେଲେ ରିପୋର୍ଟ ଲେଖିଲେ କାମ ଶେଷ ।

 

–ସେ’ତ ହେଉଛି କାମ ।

 

–କଚିରି ମହକୁମାରେ ରିପୋର୍ଟ ଲେଖାହୁଏ ଗଛ ମୂଳରେ ଆଉ ଚପରାସି ନିଏ ଗସ୍ତ ଖର୍ଚ୍ଚ । ତା’ର ଯିବା ନଯିବାର ଖବର ନାହିଁ । ଆଉ ଆମ ମହକୁମାରେ ମଣିଷ ରହି ମିଛରେ ଯାଇଛି ବୋଲି ରିପୋର୍ଟ ଦେଲେ ଚାକିରି ଶେଷ ।

 

–କାହିଁ, ମୁଁ ତ ଜଣେ କଚିରିର ହାକିମ । ଏ ସବୁ କିଛି ଜାଣେ ନାହିଁ ।

 

–ମୋତେ କ୍ଷମା କରିବେ । ମୁଁ ନ ବୁଝି କହିଦେଇଛି । ସେତେବେଳଯାଏ ସେ ସୁଭାଷବାବୁଙ୍କର ପରିଚୟ ନେଇ ନ ଥିଲେ । ଲଜ୍ଜିତ ସ୍ୱରରେ ପଚାରିଲେ–ଆପଣଙ୍କ ପରିଚୟ ପାଇଲି ନାହିଁ ।

 

–ଦେଲିଣି ତ ! ମୋ ନାଁ ସୁଭାଷ । ନୂଆ ଚାକିରି କରୁଛି–କଚିରି ମହକୁମାରେ ।

 

–ପଚାରିପାରେ କି ଆପଣଙ୍କ ପରିବାର ?

 

–ବିଭା ହୋଇ ନାହିଁ ।

 

–ତେବେ ଆପଣ ସୁଖୀ । ଆପଣ ସ୍ୱାଧୀନ ।

 

–ଲୋକେ ତ କହୁଛନ୍ତି ଆଉ ପ୍ରକାରରେ । ମୋର କେହି ନାହିଁ । ଗାଈ ଛୁଆ କି କୁକୁରପିଲାଟିଏ ବି ନାହିଁ ।

 

ଲାଜରା ହୋଇ ସେ କହିଲେ–ଆମ ଘର ପାଖରେ କେହି ହାକିମହୁକୁମା ନଥିଲେ ବୋଲି ପିଲାରୁ ବଡ଼ ଯାଏ ଘୋ’ଘା ହେଉ । ସେ ସବୁ କଥା ଧରିବେ ନାହିଁ ।

 

ଦିହେଁ ଦୁହିଙ୍କ କଥା ବୁଝିଲେ । ଜଣକ କଥା ଆର ଜଣକ ଶୁଣିଛି । କେଶବବାବୁ ସୁଭାଷବାବୁଙ୍କର ହାତ ଧରି ପକାଇ ହସି ହସି କହିଲେ–ଆମେ ପଡ଼ୋଶୀ ହେଲୁ । ତେଣୁ ଆପଣଙ୍କୁ ଆମ ଘରେ ଆଜି ନିମନ୍ତ୍ରଣ । ସେ ସବୁ ଧରନ୍ତୁ ନାହିଁ–ଉଡ଼ା କଥା । କିଏ କ’ଣ କହିଲା––ସେ ସବୁ ଧରି ରଖିଲେ ଆଉ ଚଳି ହେବ କି ?

 

ବେଣୁଧର ଲକ୍ଷ୍ୟ କରୁଥିଲା ବାହାରୁ । ବାବୁ ତ ରାତିରେ କୋପ ହେଉଥିଲେ ପଦେ କଥା ଶୁଣି । ଆଉ ପଦକରେ ଏକାବେଳକେ ପାଣି ଫାଟି ଗଲେଣି । ନିଜର ନାଁ ବି କହିଲେଣି । ଘରୁଆ କଥା କୁହାକୋହି ହେଲେଣି ।

 

–ଯିବେ ?

 

–ହଉ ! ଏବେ ନୁହେଁ । ଅଫିସ ବେଳକୁ ପାଇବ ନାହିଁ । ହଁ, ପଚାରିବାକୁ ଭୁଲିଥିଲି । କିଏ ସବୁ ଅଛନ୍ତି ଏଠି ?

 

–ଏତେ ଦିନ ରହିଲେଣି, ଜାଣି ନାହାନ୍ତି ! ଏଠି ଆଉ କିଏ ଅଛି ? ମୋର ସ୍ତ୍ରୀ ଆଉ ଯୋଡ଼ିଏ ପିଲା । ଦୁଇଟି ଗାଈ, ଗୋଟିଏ ବାଛୁରୀ, ଆଉ ଗୋଟିଏ କୁକୁର । ସେତିକି ଅଛି ବୋଲି ଆପଣ ମୋତେ କହୁଛନ୍ତି–ମୋର ସବୁ ଅଛି ।

 

–କାହିଁ ଆପଣ କ’ଣ କହିଲେ ନାହିଁ କି ସେଇ କଥା–ମୋର ସେଇ କେତୋଟି ନାହାଁନ୍ତି ବୋଲି ମୁଁ ସ୍ୱାଧୀନ, ଆଉ ଭଲରେ ଅଛି ।

 

ଦିହେଁ ହସିଥିଲେ । ଜଣକର ପ୍ରଶ୍ନ ଠିକ୍‌ ଆଉ ଜଣକର ଉତ୍ତର–ଦୁହିଁଙ୍କୁ ପ୍ରଥମ ଦେଖାର ମେଳ ଓ ସୌଜନ୍ୟରେ, ଶିଷ୍ଟାଚାରର ପ୍ରୀତିରେ ଗୁନ୍ଥି ଦେଇଥିଲା । ଜଣେ ନିମନ୍ତ୍ରଣ କରିଛି–ଯେତିକି ଶ୍ରଦ୍ଧା କି ଅଶ୍ରଦ୍ଧା ଥାଇ, ଆର ଜଣକ ଯାଉଛି ଠିକ୍‌ ସେତକ ନେଇ ।

 

ପରସ୍ପର ଅଲକ୍ଷ୍ୟରେ ଦୁହିଁଙ୍କର ଆଖି ଆଗରେ ଭାସି ଭାସି ଥିଲା ଗୋଟିଏ ନାରୀ–ଶ୍ୟାମା ଓ କୃଷ୍ଣପ୍ରିୟା । ସେ କ’ଣ କହିବ ନିମନ୍ତ୍ରଣ କଥା ଶୁଣିଲେ ? ସେ କ’ଣ ଖୁସି ହେବ ।

 

ଦୁହିଙ୍କ ଆଖିରେ ସନ୍ଦେହ ଓ ଶଙ୍କା । କେହି କାହାରି କଥା ବୁଝି ପାରି ନାହାନ୍ତି ।

 

–ଆଜି ତାଙ୍କୁ ଡାକିଛି ସନ୍ଧ୍ୟାବେଳେ । କେମିତି ହେଲା ? ସବୁ ସେ ଶୁଣିଛନ୍ତି ।

 

ଚମକି ପଡ଼ି ଶ୍ୟାମାଦେବୀ ଚାହିଁଲେ ସ୍ୱାମୀଙ୍କ ମୁହଁକୁ–ଡାକିଛ ! କ’ଣ ଏତେ ସକାଳୁ ଏତେ ଖର ବନ୍ଧୁତା ହୋଇଗଲା ଯେ ଏକାବେଳକେ ଭୋଜି ପାଇଁ ଡାକରା !

 

–ଡାକି ନଥାନ୍ତି ଯେ । କାହିଁକି ଭାରି ଭଲ ଲାଗିଲା । ମନ ହେଲା ତ ଡାକିଦେବାକୁ । ଆଜି ତ ନିଶ୍ଚେ ଭଲ ଖାନାପିନା ହେବ । ଭାବିଲି ଏକାଥରକେ ଦି’ କଥା ହେଇ ଯାଉ ।

 

–ଜଣାଶୁଣା ନାହିଁ । ସେ କ’ଣ ଆସିବାକୁ ରାଜି ହେଲେ ?

 

–ହଁ ତ । ସକାଳେ ଆସିପାରିବେ ନାହିଁ–ଅଫିସ ବେଳ ।

 

–କି କାମ କରନ୍ତି, ଘର କେଉଁଠି, ନାଁ କ’ଣ ?

 

–ହେଇ ଯା, ଭୁଲିଗଲି ସେ କଥା ତ । ଘର କଥା ପଚାରି ନାହିଁ । ନାଁ ହେଉଛି ସୁଭାଷ । କାମ କରନ୍ତି କଚେରିରେ–ଜଣେ ହାକିମ । ନୂଆ ଚାକିରି ପାଇଛନ୍ତି । ଘରସଂସାର ନାହିଁ । ଅର୍ଦ୍ଦଳି ରୋଷଇରେ ଅଛନ୍ତି । ଏକାଗ୍ର ମନରେ ଶ୍ୟାମାଦେବୀ ଶୁଣୁଥିଲେ । ତାଙ୍କର କୌତୂହଳ ଭାରାକ୍ରାନ୍ତ ମନରେ ଆଶ୍ଵାସ ଆସୁଥିଲା । କଥା ବନ୍ଦ ହେଲାବେଳେ ସେ ଚମକି ପଡ଼ିଲେ ।

 

–କ’ଣ ଭାବୁଛ କି ?

 

–ନା, କିଛି ନାହିଁ । ଆଜି ଦେହଟା ଲାଗୁ ନାହିଁ । ସେଥିରେ ଜଣକୁ ଡାକିଲ । କାହିଁ ଆଗରୁ ତ ପଚାରିଲ ନାହିଁ ।

 

–ଡାକିବା କଥା ନ ଥିଲା । ପାଟିରୁ ବାହାରି ଗଲା । କ’ଣ କରିବା ?

 

–କିଛି ନାହିଁ । ହେଇଯିବ ସବୁ । କହି ଦେଇଛ ତ । –ତାଙ୍କର କିଛି ଖାଇବାର ବାରଣ ଅଛି କି ?

 

–ଯାଃ, ସେତକ ବି ଭୁଲି ଗଲି । କିଛି ନଥିବ–ବାରଣ ଥିଲେ ସେ ନିଜେ କ’ଣ କହିନଥାନ୍ତେ । ଲୋକଟି ଭଲ–ଲାଜକୁଳା । ଲାଜ ଢାଙ୍କିବାକୁ ଭାରି ଗମ୍ଭୀର ବୋଲି ଦେଖାଇ ହୁଅନ୍ତି-

 

–କାହାକୁ ଲାଜ ! କ’ଣ ପାଇଁ ?

 

ବେବି ପଚାରିଲା–ବାପା କିଏ ଲାଜ କରେ ?

 

ଧୀର ଅଥଚ ଦୃଢ଼ ଶାସନରେ ଶ୍ୟାମାଦେବୀ କହିଲେ–ପାଟି ବନ୍ଦ୍‌ ନକଲେ ତୋ ପାଟିକି ଭାଙ୍ଗିଦେବି ।

 

ବେବି ତୁନି ପଡ଼ିଲା । ସେ ଦୋଷ କରିଛି ।

 

କେଶବବାବୁ କହିଲେ–କଞ୍ଚା ଉମରର ଲୋକ ତ । ସେମାନେ ନୂଆ ଲୋକ ଦେଖିଲେ ବିଚଳିତ ହୋଇ ପଡ଼ନ୍ତି । ମଣିଷ ସାଙ୍ଗରେ କଥା କହିବାକୁ ଲାଜ ମାଡ଼େ । କ’ଣ ବା କହିବେ ? ଆପଣା ଚିନ୍ତାରେ ଭୋର୍‌ । ପଢ଼ିଲାବେଳେ ବହି, ଆଉ ପଢ଼ା ସରିଲେ ଖବର କାଗଜ–ସେଇଥିରେ ତ ଢାଙ୍କିଥାନ୍ତି ମୁହଁଟାକୁ ।

 

ଓଠର ହସ ଖେଳାଇ ଶ୍ୟାମାଦେବୀ କଳ୍ପନା କରିଥିଲେ ସେ ଲୋକଟିକୁ । ଲାଜରଙ୍ଗା ମୁହଁ । ଆଖିରେ ପ୍ରୀତିର କଜଳ । ପାଖ ପଡ଼ୋଶୀ–ସେ ଆଜି ଆସିବେ ଘରକୁ ।

 

ଶ୍ୟାମାଦେବୀ ଚାଲିଗଲା ପରେ କେଶବବାବୁ ଛୋଟିଆ କାଗଜରେ ଲେଖି ପଚାରି ପଠାଇଲେ ରତନା ହାତରେ–ସେ ମସଲା, ଆଇଁଷ ଆଦି କୌଣସି ଖାଦ୍ୟ ବାରନ୍ତି କି ନାହିଁ ।

 

ଏହି ପ୍ରଶ୍ନଟା କେଶବବାବୁଙ୍କର ନୁହେଁ–ତାଙ୍କ ସ୍ତ୍ରୀ’ଙ୍କର । ନିଜେ ପଚାରିଲା ପରି ପଚାରିଛନ୍ତି । ସେ ଲେଖିଦେଲେ–ଯେଉଁ ପ୍ରକାରର ଯାହା ରନ୍ଧା ହୋଇଥାଉ ସୁଆଦିଆ ହୋଇଥିଲେ ସୁଭାଷବାବୁ ନିଶ୍ଚୟ ଖାଇବେ । ସୁଆଦ ହୋଇ ନଥିଲେ ବି ନଖାଇବାର ପ୍ରଶ୍ନ ଉଠିପାରେ ନାଁ.......

 

ହସି ହସି ସେହି କାଗଜ ଖଣ୍ଡିକ ଶ୍ୟାମାଦେବୀଙ୍କୁ ଗାଧୁଆଲୁଗା ପାଲଟିଲା ବେଳେ ଦେଇ କହିଲେ–ସବୁ ରକମ ଚଳିବ । ଖାଲି ବଢ଼ିଆ ରାନ୍ଧଣା ଦରକାର । ସଲ୍ଲଜ ଭ୍ରୂକୁଟି ଫୁଟି ଉଠିଲା ଶ୍ୟାମା ଦେବୀଙ୍କ ମୁହଁରେ । କାଗଜ ଦେଖି ରହସ୍ୟ କରି ସେ କହିଲେ–ଭଲ କାମ ବାଗେଇ ଜାଣନ୍ତି ତମ ବନ୍ଧୁ । ଆଉ ଲାଜ କଥା କ’ଣ କହୁଥିଲ !

 

–କହିବାରେ ଯେ ଲାଜ କରେ ଭାବିବାରେ ଆଉ ଲେଖିବାରେ ତା’ର ତ ଲାଜ ନାହିଁ ।

 

ମନ ଭିତରେ ସେଇ କଥା କେଇପଦ ସମ୍ପୂର୍ଣ୍ଣ ଭାବରେ ଧରି ରଖି ଶ୍ୟାମାଦେବୀ ମନେ ମନେ ଠାକୁରଙ୍କୁ ଜଣେଇଥିଲେ–ଭଲରେ ଭଲରେ ସବୁ ଜିନିଷ ହେଇଯାଉ । ମନ ଅନୁସାରେ ଫଳ ଫଳୁ ।

 

ଦିନଯାକ ଶ୍ୟାମାଦେବୀ ଓ ସୁଭାଷବାବୁ ଘଣ୍ଟାକୁ ବାରମ୍ବାର ଚାହୁଁଥିଲେ । ଉପରେ ସୂର୍ଯ୍ୟଙ୍କ ଆଡ଼କୁ ଆଉ ଭୂଇଁରେ ଖରା ଆଡ଼କୁ ବାରମ୍ବାର ଆଖି ପକାଉଥିଲେ । ଦିନଟା ମୋଟେ ସରୁ ନାହିଁ । ଅତ୍ୟନ୍ତ କ୍ଷିପ୍ର ଗତିରେ ପରସ୍ପର ନିକଟ ହୋଇ ଆସୁଛନ୍ତି । ଦିନକର ଦେଖା । ଦି’ଦିନର କଥା । କିନ୍ତୁ ଏତେ ବେଶି ଆଗ୍ରହ ଆଉ ଉଦ୍‌ବେଗ–ପ୍ରୀତି ଓ ବନ୍ଧୁତା ପାଇଁ ଆଉ ଏମିତି ପରମଣିଷକୁ ଆପଣାର କରିବା ପାଇଁ–ମନର ସବୁବେଳେ ଅସରନ୍ତି ଆଗ୍ରହ । ଯୌବନରେ ସେଇଟା ଯେତିକି ତୀବ୍ର, ପ୍ରୌଢ଼ ଅବସ୍ଥାରେ ସେତିକି ମନ୍ଥର ।

 

ସେଥିପାଇଁ ସମସ୍ତେ ଯୌବନର ତାରିଫ୍‌ କରନ୍ତି । ତରୁଣର ଦୁର୍ଦ୍ଧର୍ଷତାକୁ ତରଳ ଯୌବନର ଉନ୍ମାଦନାକୁ ଏତେ ବେଶି ବଡ଼ ସ୍ଥାନ ଦିଅନ୍ତି । ତା’ର ସଂସାରର ଲୀଳାଖେଳା–ଏଇ ଦୁନିଆର ଭଙ୍ଗାଗଢ଼ା, ଉନ୍ନତି ଅବନତି ସବୁ–ଏଇ ଯୌବନର ଓ ଯୁବକର ଉନ୍ମାଦନାରେ ସମ୍ଭବ ହୋଇଥାଏ ।

 

ବହୁତ ପ୍ରକାରରେ ଭାବି ଶ୍ୟାମାଦେବୀ ଆୟୋଜନ କଲେ–ଆଖି ରୁଚିଲା ପରି ରଙ୍ଗ, ବାସ ଆଉ ସୁଆଦ । ପୂଜା ସାମଗ୍ରୀ ବାଢ଼ିଲା ପୂର୍ବରୁ ଭକ୍ତ ଯେପରି ନିଜର ପୋଷାକ, ପରିଧାନ, ପରିପାଟୀ ପୂଜାର ଉପଯୁକ୍ତ କରି ସଜାଡ଼େ, ଶ୍ୟାମାଦେବୀ ସେହିପରି ନିଜକୁ ଯତ୍ନସହିତ ଘର ଆଉ ପର ଉଭୟଙ୍କ ପାଇଁ ପ୍ରସ୍ତୁତ କରିଥିଲେ ।

 

ସେ ଲୁଚନ୍ତି ନାହିଁ । ସେଇଟା ପିଲାଦିନରୁ ଅଭ୍ୟାସ । ଆଉ ସ୍ୱାମୀଙ୍କର ସେଥିରେ ସମ୍ପୂର୍ଣ୍ଣ ମତ । ଦେଖା ଯେ ନ ହେବ, ଏମିତି ନୁହେଁ ।

 

ବାରମ୍ବାର ଶ୍ୟାମାଦେବୀଙ୍କ ମନରେ ଗୋଟିଏ ଭାବନାର ଖିଅ ଉଠୁଥିଲା ।–ଆଜି....ଗୋଟିଏ ମନେ ରହିଲା ପରି ଦିନ ।

 

ଘରେ ଥିବା ଲୋକଙ୍କୁ ପାଶୋରି କେଶବବାବୁ ନାନା ପ୍ରକାର କଥାରେ ପ୍ରଗଳ୍‌ଭ ହୋଇ ଯାଇଥିଲେ ।

 

–ସବୁ କରିଛନ୍ତି ଏ, ନିଜେ । ଆପଣ ଜାଣନ୍ତି ନାହିଁ ମୋର ସ୍ତ୍ରୀ ଶ୍ୟାମାଦେବୀଙ୍କୁ । ତାଙ୍କ ପାଇଁ ମୋର କିଛି ଅଭାବ ହୁଏ ନାହିଁ । ମୋର ସବୁ ପ୍ରକାରର ଦୁଃଖ ମୁଁ ପାଶୋରି ଯାଏ । ଯେତେ ଟଙ୍କା ନିଅଣ୍ଟ ହେଉନା କାହିଁକି ଅଥଚ ଶ୍ୟାମା ଅଳ୍ପରେ ବହୁତ କରି ଲିପିପୋଛି ଏଇ ଦରିଦ୍ରର କୁଟୀରକୁ ସଜେଇ ରଖିପାରନ୍ତି.... । ଘରକରଣାର ପ୍ରତ୍ୟେକ ଦିଗ ତାଙ୍କର ଅସାଧାରଣ ହାତରୁ କି ଅସମ୍ଭବ ପ୍ରକାରର ନୂଆ ହୋଇଯାଏ ।

 

ସୁଭାଷବାବୁଙ୍କର କହିବାର କିଛି ନାହିଁ–ବେଳ ମଧ୍ୟ ନାହିଁ, ସେ ଖାଲି ଶୁଣୁଥାନ୍ତି । ଭିତରେ ଶ୍ୟାମାଦେବୀ ବାରମ୍ବାର ଲାଜରେ ତଙ୍ଗ ହୋଇପଡ଼ିଛନ୍ତି । ତାଙ୍କରି ପ୍ରଶଂସାରେ ସ୍ୱାମୀ ମୁଖର । ସେ ଅତିରିକ୍ତ ପ୍ରସନ୍ନ ।

 

ତଥାପି ସେ ଆସି ନାହାନ୍ତି । ବାହାରେ ଯେ ଦେଖା ଦେଇଥିଲା–ଘର ଭିତରେ ସେ ଛପି ରହୁଛି । ଦୁନିଆଟା ଏହିପରି । ନାରୀର ତ ସ୍ୱାଧୀନ ପରାଧୀନର ମିଶ୍ରିତ ଆବରଣ ଭିତରେ ଏମିତି ଚଳିପାରେ । ଓଢ଼ଣା ମଣିଷକୁ ଖାଲି ଯେ ମଣିଷଠାରୁ ଲୁଚାଏ ତା’ ନୁହେଁ, ମନ ବିଭିନ୍ନ ପ୍ରକାରର ଭାବକୁ ନିଜର କାମଦ୍ୱାରା ସେମିତି ହୁଏ ଆଉ ଲୁଚେଇ ଦିଏ ।

 

ଏଇ ରହସ୍ୟର ଭେଦ ଏଇ ଦୂରର ଲୋକକୁ ନିକଟକୁ ଆଣିବା ଆଉ ଲୋକ ନିକଟରେ ଥିଲାବେଳେ ତାହାରି ଭିତରେ ଦୂର ବୋଲି ମନେ ହେଉଥିବା ବିଷୟର ରହସ୍ୟ ଭେଦକରିବା–ହେଉଛି ପ୍ରୀତିମୟୀ ମନ, କେବଳ ଗୋଟିଏ କାମ !

 

ଖାଇବା ପିନ୍ଧିବା ଆଉ ପଇସା କମେଇବାର ଶ୍ରମ ଶାନ୍ତି ପରେ ମଣିଷ ଅହରହ ମନ ସାଙ୍ଗରେ ଖେଳୁଥାଏ । ସେତିକିବେଳେ ସେ ଅଧମ ପଶୁଠାରୁ ଯାହା ପ୍ରଭେଦ ।

 

ଚଞ୍ଚଳ ଚକିତ ଆଖି ଖୋଜି ବୁଲୁଥିଲା କୃଷ୍ଣପ୍ରିୟାକୁ । କେଶବ ବାବୁ ତାଙ୍କର ସ୍ତ୍ରୀର ନାଁ ଶ୍ୟାମାଦେବୀ ବୋଲି ଜଣାଇଲେ ସୁଦ୍ଧା ସୁଭାଷବାବୁ ଭାବୁଥିଲେ–ମୁଁ ତ ମୋ ମନରୁ ତା’ର ନାଁ ଦେଇଛି । ସେ କେଶବବାବୁଙ୍କ ପାଖରେ ଶ୍ୟାମା ହେଲେ ବି ମୋ ପାଖରେ ସେ କୃଷ୍ଣପ୍ରିୟା । ଆସୁନାହିଁ ବୋଧହୁଏ– !

 

ଶେଷକୁ କହିଲେ–ଆପଣ ପ୍ରକୃତରେ ସୁଖୀ ! ମୋତେ ସକାଳେ କହି ଆସିଥିଲେ ମୁଁ ସୁଖୀ ବୋଲି । ଆଜି ଆସି ଏଠିକାର ସମସ୍ତ ବିଷୟ ଦେଖିଲା ପରେ ମୁଁ ନିଜକୁ ନିଜେ ବାରମ୍ବାର କହୁଛି ଯେ ଏଇ ନିର୍ମଳ ସର୍ବବ୍ୟାପୀ ସୁଖର କାଣିଚାଏ ମୁଁ କେବେ ପାଇଲି ନାହିଁ । ଆପଣଙ୍କର ଏଇ ବାଧା–ବନ୍ଧନ–ମୁକ୍ତ ଶୃଙ୍ଖଳାଘେରା ପରାଧୀନତା ଭିତରର ସ୍ୱାଧୀନତା–ମୋର ସେହି ସ୍ୱାଧୀନ, ଜୀବନରେ ଥରେ ହେଲେ ଅନୁଭବ କରି ପାରୁ ନାହିଁ । ମୁଁ ମୋର ସ୍ୱାଧୀନତା ନିକଟରେ ବନ୍ଦୀ । ଆପଣ ନିଜର ପରାଧୀନତା ନିକଟରେ ମୁକ୍ତ !

 

ଶ୍ୟାମା ଦେବୀ ହସିଲେ ଘର ଭିତରୁ ।

 

–ଆସୁ ନାହିଁ ।

 

ଶ୍ୟାମାଦେବୀ ସ୍ୱାମୀଙ୍କର ଡାକରା ପାଇ ଦୁଆର ମୁହଁରୁ ଘୁଞ୍ଚିଗଲେ ଭିତରକୁ । ଦୁନିଆ ଯାକର ଲାଜ ଅଜାଡ଼ି ହୋଇପଡ଼ିଲା ତାଙ୍କ ଉପରେ । ସେ ବଉଦ ଉହାଡ଼ର ଜ୍ୟୋତ୍ସ୍ନାପରି ନିଜର ଲାଜର ଆଘାତରେ ଢାଙ୍କି ହୋଇଗଲେ ।

 

କେଶବ ବାବୁ ହସି କହିଲେ–ବଡ଼ ଅଦ୍ଭୁତ ମୋ’ର ସ୍ତ୍ରୀ ! ସେ ନିର୍ଭୟ ନିଶଙ୍କ ମନରେ ଯେତିକି ଅବାଧରେ ଚଳପ୍ରଚଳ ହୋଇ ପାରନ୍ତି ଠିକ୍‌ ସେତିକି ସେ ଅପ୍ରକାଶ୍ୟ ଓ ପ୍ରଚ୍ଛନ୍ନ ରହିବାକୁ ସମର୍ଥ । ତାଙ୍କୁ କେବେ ମୁଁ ଏକପ୍ରକାର ଦେଖି ନାହିଁ ।–ସେ ଡାକିଲେ ପୁଣି ।

 

ଚକିତ ଧୀର ଗତିରେ ସେ ରେକାବିରେ ମସଲା ଥୋଇ ଆସିଲେ–ଯେପରି ଗୋଡ଼ହାତ ଆଉ ମୁହଁରୁ କେଉଁଟି ପ୍ରଥମେ ପ୍ରକାଶ କରିବେ ସ୍ଥିର କରିପାରୁ ନାହାଁନ୍ତି । ରହିଗଲେ ପରଦା ସେପାଖେ । ହାତର ରେକାବିଟି ଠେଲିଥିଲା ପରଦାକୁ ।

 

ବିହ୍ୱଳ ହୋଇ ସୁଭାଷବାବୁ ଚାହିଁ ରହିଥିଲେ–ପରଦା ଖୋଲିବ । ଆଉ ତାଙ୍କର ସେଇ ହୃଦୟର ଅଧିକାରିଣୀ କୃଷ୍ଣପ୍ରିୟା ଶ୍ୟାମାଦେବୀଙ୍କ ରୂପରେ ଆସି ଠିଆ ହେବେ । ତାଙ୍କର ହୃତ୍‍ପିଣ୍ଡ ଯେମିତି ବନ୍ଦ ହୋଇଯାଇଥିଲା । ଆଉ ତାଙ୍କର ଆଖି ଉପରେ ନୂଆ ଅନୁଭୂତିର ସମସ୍ତ କୌତୂହଳ ଶୋଷି ନେବାପାଇଁ ସର୍ବଗ୍ରାସୀ ପ୍ରେମିକର ସେଇ ସ୍ଥିର ସଲଜ୍ଜ ସୁଦୂରପ୍ରସାରୀ ଅନ୍ତର୍ଭେଦୀ ଦୃଷ୍ଟି ଲାଖି ରହିଥିଲା ।

 

ଶ୍ୟାମା ଦେବୀ ନିଜେ ଆସି ତାଙ୍କର ପରିଚୟ ଦେଇଥିଲେ–ଅପ୍ରତିଭ ଭାବଭଙ୍ଗୀ ଦେଖାଇ ।

 

–ଆପଣ କେମିତି ପରାଧୀନ ଅଛନ୍ତି, ଦେଖିବାକୁ ଆସିଲି । ସୁଭାଷବାବୁ ତଳକୁ ମୁହଁ ପୋତିଲେ ।

 

କେଶବ ବାବୁ କହିଲେ–ସେ ଜାଣନ୍ତି ନାହିଁ କିଛି । ଅନେକ ଲୋକ ଏମିତି ମେଲାରେ ଖୋଲାରେ ବୁଲୁଥାନ୍ତି । ତାଙ୍କର ସ୍ୱାଧୀନତା କି ପରାଧୀନତାର କୌଣସି ଧାରଣା ନଥାଏ ।

 

ମୁହଁ ଉଠାଇ ସୁଭାଷ ବାବୁ ଚାହିଁଲେ ଶ୍ୟାମାଦେବୀଙ୍କୁ । ସେ ହସୁଛନ୍ତି ।

 

କେଶବ ବାବୁ କହିଲେ–ପ୍ରଥମେ ୟେ’ ବି କହୁଥିଲେ ବନ୍ଦୀ ହୋଇଛନ୍ତି ବୋଲି–କି କହୁନା । ତୁମେ କ’ଣ ପ୍ରକୃତରେ ବନ୍ଦୀ ?

 

ଲାଜର ଚାହାଣିରେ ଶ୍ୟାମାଦେବୀ ଚାହିଁଥିଲେ ସ୍ୱାମୀଙ୍କ ଆଡ଼େ ।

 

କେଶବ ବାବୁ କହିଲେ–ବନ୍ଦୀର ମନ ଅଟକଳ କରିବାକୁ ହେଲେ ତାଙ୍କୁ ପ୍ରଥମେ ବନ୍ଧନମୁକ୍ତ କରି ରଖିବା ଦରକାର । ଜଣକର ଇଚ୍ଛା ଓ ମନ ଉପରେ ଲଗାମ ରଖି ଭଲପାଇବା ମିଳୁଥିବାର ଅଭିନୟ ଦେଖାଯାଇ ପାରେ । କିନ୍ତୁ ସେଥିରେ ଅସଲ ହୃଦୟରେ ଭଲପାଇବା ସମ୍ଭବ ହୁଏ ନାହିଁ । ମୁକ୍ତ ଆକାଶର ବିହଙ୍ଗ ବଣଜଙ୍ଗଲର ଜୀବଜନ୍ତୁ ପରସ୍ପରକୁ ଯେଉଁ ଭଲପାଇବା ଦେଇ ପାରନ୍ତି ସେତକ ମଣିଷ ନିଶ୍ଚୟ ପାଇବା ଉଚିତ । ଆଉ କିଛି କରି ନପାରିଲେ ବି ଏଇ ଛୋଟିଆ କଥାଟି କରିବାକୁ ମୁଁ ବିଶେଷ ଚେଷ୍ଟା କରିଥାଏ ।

–ଥାଉ । ସବୁବେଳେ ସେଇ ଏକା କଥା ଘୋଷି ହୋଇ କ’ଣ ପାଅ ? ବନ୍ଧୁଙ୍କୁ ପଚାର–ରନ୍ଧା ଭଲ ହୋଇଥିଲା କି ନାହିଁ ।

–ଭାରି ଭଲ ହୋଇଥିଲା । ମୋତେ ସବୁ ଜିନିଷ ଭଲ ଲାଗିଲା । ଖାଲି ଭଲର ଅରୁଚିରେ ଯାହା ଓଲମବିଲୋମ ହୋଇଥିବ । ଏତେ ପ୍ରକାରର–ସୁଭାଷବାବୁ କହିଲେ ।

–ଆପଣ କହିଥିଲେ ପରା ସୁଆଦ ହୋଇଥିଲେ ଖାଇବେ ନ ହୋଇଥିଲେ ବି ଖାଇବେ-। ଏମିତି ଯେ ଭଲ ମନରେ ଖାଇବାକୁ ଖୋଜେ ସେପରି ଲୋକ ପାଇଁ ରାନ୍ଧୁରାନ୍ଧୁ ହାତ ପୋଡ଼ି ଗଲେ ବି ବାଧେ ନାହିଁ ।

ତନ୍ମୟ ହୋଇ ସୁଭାଷବାବୁ ଚାହିଁଥିଲେ ଶ୍ୟାମାଦେବୀଙ୍କ ମୁହଁକୁ । ସେ ତାଙ୍କୁ ସମ୍ପୂର୍ଣ୍ଣ ଭାବରେ ଜାଣିଛନ୍ତି ।

କଥାର ତରଙ୍ଗ ଭିତରେ ଉଠିବାବେଳ ହୋଇଯାଇଛି । କେଡ଼େ ଶୀଘ୍ର ଗଡ଼ି ଯାଇଛି ସେହି ସେତିକି ସମୟ–ସେଇ ସୁଖର ସ୍ପର୍ଶ । ସରିବାର ବେଳା–ବିଦାୟର ସମୟ ଆସି ପହୁଞ୍ଚି ଯାଇଛି ଘଡ଼ିର ମୁହଁ ଉପରେ ।

କିଏ କହିବ ଯା ବୋଲି–ଶ୍ୟାମାଦେବୀ ? କେଶବ ବାବୁ ? ନା ନିଜେ ସୁଭାଷ ବାବୁ ?

ସତେ ଯେପରି ସମସ୍ତେ ଚାହୁଁଥିଲେ ଆର ଜଣକ କହୁ–ବେଳ ହେଲାଣି । ଯିବା ଲୋକ ତ ଯିବ । ତାକୁ ଯିବାକୁ କହିବ କିଏ ? –କେମିତି କହିବ ? ମାଷ୍ଟ୍ର ପଢ଼ା ପଚାରିଲା ବେଳେ ଯେମିତି କ୍ଲାସରେ ଏକାବେଳକେ ମେଘଭରା ଆକାଶର ନୀରବତା ଘେରିଯାଏ, ସେହିପରି ହଠାତ୍‌ କେତେବେଳେ ଯାଏ ସେ ତିନିଜଣ ନୀରବ ହୋଇଗଲେ । କାନ୍ଥ ଘଣ୍ଟାର ଟିକ୍‌ ଟିକ୍‌ ଶବ୍ଦ ଶୁଭୁଥାଏ ସ୍ପଷ୍ଟ ହୋଇ ।

ଶେଷକୁ ସୁଭାଷବାବୁ କହିଲେ–ବହୁତ ଧନ୍ୟବାଦ ! ଭଦ୍ରତା ଖାତିରିରେ କହୁଛି । କିନ୍ତୁ ମୁଁ ପ୍ରକୃତରେ ବଡ଼ କୃତଜ୍ଞ । ଏଥର ଛୁଟି ମାଗିବି ଆପଣମାନଙ୍କଠାରୁ ।

–ଖରାପ ଲାଗୁଛି ବସିବାକୁ ପରଘରେ ? ଶ୍ୟାମାଦେବୀଙ୍କର ଅଳସ କଣ୍ଠସ୍ୱର ବାଜି ଉଠିଲା ।

–ପର ! ନାଁ । ତେବେ ମୁଁ ତ ଏଠି ସବୁବେଳେ ରହିପାରିବି ନାହିଁ । ବେଣୁଧର ବସିଥିବ-। ମୁଁ ଗଲେ ସେ ଶୋଇବ ।

–ଠିକ୍‌ କଥା କହିଛନ୍ତି । ଆପଣ ପରାଧୀନ–ବେଣୁଧରର ଅଧୀନ । ଏମିତି ଛୋଟିଆ ମଣିଷ କି ଛୋଟିଆ ଜିନିଷକୁ ଯେ ଆପଣାର ବୋଲି ଭାବି ପରକୁ ନିଜର କରି, ତାଙ୍କରି ସୁଖ ପାଇଁ ଅଳ୍ପବହୁତ ଦୁଃଖ ବରଣ କରିପାରେ–ସେ ହେଉଛି ଭଲ ମଣିଷ । କହି ସ୍ୱାମୀଙ୍କ ମୁହଁକୁ ଚାହିଁଲେ । ସେ ଚାହାଣିରେ ଅଭିଯୋଗ ।

 

ସୁଭାଷବାବୁ ବାକ୍ୟହୀନ ହୋଇଗଲେ ।

 

–ହଉ ତେବେ ଯାଆନ୍ତୁ । ଏମିତି ଦୀନ-ଦରିଦ୍ରଙ୍କ ପ୍ରତି ମନ ରଖିଥିବେ । ତେବେ ସିନା ଅପରର ସ୍ନେହ, ମନ, ସେବା ଓ କୃତଜ୍ଞତା ସବୁ ପାଇବେ । ସେଇ ପରାଧୀନତା ଭାରି ସୁଖ ଦିଏ । ସ୍ୱାଧୀନ ଜୀବନର ଦୁଃଖ ବହୁତ ପ୍ରକାରର । ଅନୁଭବ ହେଲେ ବୁଝିବେ । ହଉ ଯାଆନ୍ତୁ– ନମସ୍କାର-

 

ଶ୍ୟାମାଦେବୀ ଉଠିଗଲେ ଭିତରକୁ । ଗଲାବେଳେ ତାଙ୍କର ବ୍ୟବହାର କହି ଯାଇଥିଲା–ଏଇ ହେଉଛି ଆରମ୍ଭ । ମଣିଷ ଶୋଇ ଉଠି ନିଜକୁ କିଶୋରରୁ ବୃଦ୍ଧ ଅବସ୍ଥାକୁ ନେବା ପରି, ମଣିଷ ବାରମ୍ବାର ଆରମ୍ଭ ଓ ଶେଷ କରି କରି ବହୁତ ଥର ବିଦାୟ ମିଳନ ଭିତରେ ମାନ-ଅଭିମାନ, ରାଗ-କ୍ରୋଧ, ଶାନ୍ତ-କ୍ଷମା ଦେଇ ଗଢ଼ିନିଏ ଅନ୍ତରଙ୍ଗ ବନ୍ଧୁ ।

 

ସୁଭାଷବାବୁ ଉଠି ନାନା କଥା ମନରେ ଖେଳାଇ ଖେଳାଇ ସେଇ ଘର ଛାଡ଼ିଲାବେଳେ ନିଜକୁ କହିଥିଲେ–ଦେହ ଫେରି ଯାଉଛି, କିନ୍ତୁ ମନଟା ରହିଗଲା କୃଷ୍ଣପ୍ରିୟା ପାଖରେ । ସେ ତା’କୁ ବାନ୍ଧି ରଖିଛି ।

 

ତା’ପରେ ଦି’ଦିନ ଭାରି ବନ୍ଧୁତା–ଆତ୍ମିୟତା । ଅଫିସ୍‌ ବେଳ ଛାଡ଼ିଲେ ବାକି ବେଳ ସେ ଥାଆନ୍ତି ୟାଙ୍କ ଘରେ, ନହେଲେ ଏ ଥାଆନ୍ତି ତାଙ୍କ ଘରେ । ସୁଭାଷବାବୁ ଓ କେଶବ ବାବୁ ଯେପରି ବହୁ ଦିନର ବନ୍ଧୁ । କହି କହି କଥା ସରୁ ନାହିଁ ।

 

କେଶବ ବାବୁଙ୍କର ସବୁ ସୁଖଶାନ୍ତିର କାହାଣୀ ଶୁଣିବାର ଇଚ୍ଛା କେବେହେଲେ ତୃପ୍ତ ହୁଏ ନାହିଁ । ଶୁଣିଲେ ହିଂସା ହୁଏ । ନ ଶୁଣିଲେ ମନଟା ହାଇଁପାଇଁ ହୁଏ । କେଶବ ବାବୁଙ୍କର ବି କହିବାରେ କ୍ଳାନ୍ତି ନାହିଁ । ମଧୁର ଜୀବନର ମଧୁରତା କହିଲାବେଳେ ସତେ କି ବାହାରି ଆସେ ତାଙ୍କର ତୁଣ୍ଡ ଓ ଆଖିରେ ।

 

ସୁଭାଷବାବୁ ଯା’ଆସ କରନ୍ତି । କିନ୍ତୁ ଶ୍ୟାମାଦେବୀ ରହି ଯାଆନ୍ତି ସେହି ଉହାଡ଼ରେ । କବାଟ ଏ ପାଖକୁ ଆଉ ପାଦ ପଡ଼େ ନାହିଁ ।

 

ମଧୁର ଶାସନର ସ୍ୱରରେ ଥରେ ଅଧେ କହନ୍ତି ନିଜ ସ୍ୱାମୀଙ୍କୁ ଉପଲକ୍ଷ୍ୟ କରି ସୁଭାଷବାବୁଙ୍କୁ–କି ଭାରି ସିଗାରେଟ ଖିଆ ହେଲାଣି ଏବେ । ପଇସା ଅଣ୍ଟିବ ଟି ।

 

–ନାହିଁ, ଆମ ବଂଧୁ ଖଣ୍ଡେ ଦେଲେ ।

 

....ବଂଧୁ ଦେଲେ କ’ଣ ହେଲା । ତାଙ୍କର ଆଉ ତମର ପଇସାରେ କ’ଣ ଫରକ ଅଛି ନା ସିଗ୍ରେଟ୍‌ ଧୂଆଁ ଖାଲି ତମରି ଛାତିରେ କଳା ବସାଇବ ଆଉ ତାଙ୍କୁ କିଛି କରିବ ନାହିଁ ? ପଚାରିଲ ତାଙ୍କୁ–ସେ ଏହି ସିଗାରେଟରୁ କ’ଣ ପାଉଛନ୍ତି । ବେଶି ଅମଳ କଲେ କ’ଣ ଶ୍ୱାସ, କାଶ ଆଉ ପ୍ରକାର ପ୍ରକାର ବେମାରି–

 

ସୁଭାଷବାବୁ ଲିଭେଇ ଦିଅନ୍ତି ସିଗାରେଟ୍‌ ।

 

ପୁଣି କେତେବେଳେ ଦେଖିଲେ ଶ୍ୟାମାଦେବୀ ପଚାରନ୍ତି–ଅମାନିଆ ଲୋକକୁ ବାରମ୍ବାର କହିବା ଭୁଲ । ସବୁ ଅମାନିଆ ଲୋକ ଏକା ପ୍ରକାରର । କହିଲେ ଦୁଗୁଣେଇ କରୁଥାଆନ୍ତି ।

 

ସ୍ତ୍ରୀ ନଥିଲାବେଳେ କେଶବବାବୁ କହନ୍ତି,....ବିଭାହେଲେ ଭଲ ସ୍ତ୍ରୀ ଦେଖି ଆଣିବେ । ଯେ ଆପଣଙ୍କୁ ଶାସନ କରିବ କିନ୍ତୁ ହୁକୁମ କରିବ ନାହିଁ । ଅନୁରୋଧ କରିବ, ବିରକ୍ତ କରିବ ନାହିଁ...ଆମର ଶ୍ୟାମା ଭାରି ଭଲ । ମୁଁ ନଥିଲାବେଳେ ତାଙ୍କର କିଛି ନାହିଁ । ଫେରି ଆସିଲେ ତାଙ୍କର ସବୁ ଅଛି । ପ୍ରତ୍ୟେକଥର ବାହାରୁ ଆସିଲେ ମୋର ମନେହୁଏ ସେ ଯେପରି ପୁଣିଥରେ ବିବାହର ଆଦ୍ୟ ଦିବସକୁ ଫେରି ଯାଇଛନ୍ତି । ଅପୂର୍ଣ୍ଣରୁ ସମ୍ପୂର୍ଣ୍ଣ ହେଉଛି । ମୋର ମନ ଭରିଯାଏ ଅଶେଷ କୃତଜ୍ଞତାରେ ।

 

ପୁଣି ଗୋଟିଏ ଅଧ୍ୟାୟ–କେଶବବାବୁ ଚାଲିଗଲେଣି । ଆଉ କିଛି ବଦଳି ନାହିଁ । ଖାଲି ପରିବର୍ତ୍ତନ ଆସିଛି ଦୁଇଜଣଙ୍କର–କେଶବବାବୁ ଓ ଶ୍ୟାମାଦେବୀଙ୍କର ।

 

ଆଉ ସଂଧ୍ୟାରେ ସିତାର ବାଜେ ନାହିଁ । ସଂଧ୍ୟା ପୂର୍ବରୁ ସେ ବୁଲି ଯାଆନ୍ତି ନାହିଁ । ଆପଣାର ଲୋକ ସୁଭାଷ ବାବୁ ଛାତ ଉପରେ ବୁଲନ୍ତି । କିନ୍ତୁ ଶ୍ୟାମା ଦେବୀଙ୍କର ଦର୍ଶନ ମିଳେ ନାହିଁ । ସିଗାରେଟ୍‌ ଧୂଆଁର କୁଣ୍ଡଳି ସେମିତି କାହାରି ତୁଣ୍ଡରୁ ପ୍ରତିବାଦ ନ ଉଠାଇ ପବନରେ ମିଳେଇ ଯାଏ । ଅପଲକ ଆଖି ସେହି ଶୂନ୍ୟତାରେ ଭରିଯାଏ ।

 

ବେଳେବେଳେ ଶ୍ୟାମାଦେବୀ ସୁଭାଷ ବାବୁଙ୍କ ଅଜାଣତରେ ତାଙ୍କରି ଘର ଆଗ ଦେଇ ଫେରିଲାବେଳେ ରାସ୍ତାରେ ଚଟିରୁ ଧୂଳି ଝାଡ଼ନ୍ତି । ଧୀର ଅଥଚ ସ୍ପଷ୍ଟ ଗଳାରେ କହନ୍ତି–ରାସ୍ତା ମୋଟେ ଚଲାଇ ଦେଲା ନାହିଁ । ଘଣ୍ଟା ଶୁଭେ ଠିକ୍‌ ସୁଭାଷ ବାବୁଙ୍କ କୋଠରୀ ସାମନାରେ । ସେ ସତର୍କ ଦେଲାବେଳକୁ ଶ୍ୟାମାଦେବୀ ଚାଲିଗଲେଣି । ଆଉ ଯେତେ ଖୋଜିଲେ ବି ଦେଖା ମିଳନ୍ତି ନାହିଁ ।

 

ତାଙ୍କ ଘରକୁ ଯିବାପାଇଁ ସୁଭାଷବାବୁ ବ୍ୟସ୍ତ ହୋଇପଡ଼ନ୍ତି । ଗୋଡ଼ ଅଟକିଯାଏ । ପିଲାମାନେ ବି ଦେଖା ପଡ଼ନ୍ତି ନାହିଁ । ପହଲାମା କିଛି କହେ ନାହିଁ । ବେଣୁଧର ନୀରବ । ସମସ୍ତେ କ’ଣ ମେଳ ବାନ୍ଧି ଅସହଯୋଗ କରନ୍ତି ?

 

ମନର ଆବେଗ ଉଣା କରିବାକୁ ସେମିତି ସେ ଛାତ ଉପରେ ବୁଲୁଥାଆନ୍ତି ଘଣ୍ଟା ଘଣ୍ଟା ଧରି । ଆଉ ଶ୍ୟାମାଦେବୀ ଲୁଚି ରହନ୍ତି ଘର ଭିତରେ । ପରିଚିତ ହେବା ଆଗରୁ ଦେଖା କରିବାକୁ ଯେତିକି ସୁବିଧା ଦେଇଥିଲେ ଅନ୍ତରଙ୍ଗ ହେବାପରେ ସେତିକି ଅଦୃଶ୍ୟ ହୋଇଯାଇଛନ୍ତି । ସେଇ କଅଁଳ ଅଳସ ଗଳାର ସ୍ୱର ବରମ୍ବାର ଭାସି ଆସେ ସୁଭାଷବାବୁଙ୍କୁ ନିମନ୍ତ୍ରଣ କଲାପରି । ସେ ଶୁଣନ୍ତି । ହୃତ୍‌ପିଣ୍ଡ ଥରି ଉଠେ । ଶ୍ୟାମାଦେବୀଙ୍କର ସବୁ ସ୍ମୃତି ଭାସି ଉଠେ । ଅଭିମାନ କରି ସେ ନିଜକୁ ନିଜେ କହନ୍ତି–ତାଙ୍କର ମନ ଏବେ ତାଙ୍କର ଅଧୀନରେ ନାହିଁ ବୋଲି ଶ୍ୟାମାଦେବୀଙ୍କର ଏଇ ଅତ୍ୟାଚାର ।

 

ରତନାକୁ ଡାକନ୍ତି ଅତିରିକ୍ତ ଶାନ୍ତ ସ୍ୱରରେ । ପୁଣି କେତେ କେତେବେଳେ ସେହିପରି ଅତିରିକ୍ତ ତନାଘନା–ସବୁ କଥାରେ କେତେବେଳେ ସେ ବିକ୍ଷୁବ୍‌ଧ କେତେବେଳେ ଶାନ୍ତ ।

 

ଦୁହିଁଙ୍କ ମନରେ ବାରମ୍ବାର ପ୍ରଶ୍ନ ଉଠେ–ଆଉ କ’ଣ ଦେଖା ହେବନାହିଁ ସେ ନ ଫେରିବା ଯାକେ ?

 

ରହସ୍ୟମୟୀ ନାରୀ ଯେତେ ରହସ୍ୟ–ରଙ୍କୁଣୀ ହେଲେ ବି ନିଜେ ସୁବବେଳେ ରହସ୍ୟ ଖୋଲି ଦେଖିବାକୁ ଚାହେଁ । ବିନା କାରଣରେ ବାବୁଟି ଲୁଚି ରହିଛନ୍ତି–ଏଇଟା ତ ଠିକ୍‌ ନୁହେଁ । ଦେଖା ପଡ଼ୁଛନ୍ତି, କିନ୍ତୁ ଦେଖା କରିବାକୁ ଆସୁନାହାନ୍ତି । ଲାଜ ଲାଗୁଛି ବୋଧହୁଏ !

 

ଶ୍ୟାମା ଦେବୀ ବସି ବସି ତାଙ୍କର ଫଟୋଗୁଡ଼ିକୁ ଦେଖୁଥିଲେ । ପାଖରେ କୁନା ଆଉ ବେବି ହାମୁଡ଼େଇ ପଡ଼ିଥିଲେ । ଶ୍ୟାମାଦେବୀ ପଚାରିଲେ–ଦେଖିଲ ପିଲାଏ, କେଉଁଟା ଭଲ ହୋଇଛି ?

 

–ଏଇଟା–ଏଇଟା ।

 

କଳି ଲାଗିଲା–କେଉଁଟା ଭଲ ହୋଇଛି ମା’ କହିବ । ....ମୁଁ କହିପାରିବି ନାହିଁ । .....କାହାକୁ ପଚାରିବା ?

 

–ଆଚ୍ଛା ଦେଖ, ବେବି କୁନା କେମିତି ଦିଶୁଛନ୍ତି ।

 

ପିଲାମାନେ ପୁଣି ଭଲକରି କହିଲେ–ଆମେ ତ ଏଥିରେ ନାହୁଁ ।

 

–ହଁ ଅଛ ତମେ, ଯା, ବୁଝି ଆସିବ ସେ ବାବୁଙ୍କ ଘରୁ । ସେ ଚିହ୍ନିବେ ।

 

କୁନା ସବୁଯାକ ଛବି ନେଇ ଧାଇଁଲା ଦେଖାଇବାକୁ–ପଛରେ ବେବି ।

 

ଶ୍ୟାମାଦେବୀ ଚାହିଁ ରହିଲେ ପିଲା ଦୁଇଟିଙ୍କୁ । ସେମାନେ ଲେଉଟ ସମ୍ବାଦ ଆଣିବେ । ସେ ଉତ୍ତର ଶ୍ୟାମାଦେବୀଙ୍କ ଭାରି ଦରକାର । ସେ କିଛି ଖବର ପାଇ ନାହାନ୍ତି । ପାଖରେ ଥିବା ଲୋକଟି ଦୂର ହୋଇଯାଉଛି ।

 

ଆଗ ପଛ ହୋଇ ଅଜାଡ଼ି ହୋଇଗଲେ ଦୁଇଜଣ ଯାକ । ଉତ୍ସାହ ଯୋଗୁଁ ସେମାନେ ସୁଭାଷବାବୁଙ୍କର ଦୂରତା ମାପି ପାରୁନଥିଲେ । ପିଲାମାନଙ୍କୁ ଅଡ଼ୁଆ ଲାଗୁ ନାହିଁ ।

 

–ମା’ ପଚାରିଛି କହି ଦେବାକୁ କୋଉଟା ଭଲ–କହି ଫଟୋଗୁଡ଼ିକ ଥୋଇଲେ ସୁଭାଷବାବୁଙ୍କ ଆଗରେ । ସବୁ ଫଟୋଗୁଡ଼ିକ ପୁରୁଣା ଦିନର ଭିନ୍ନ ଭିନ୍ନ ଅବସ୍ଥାର–ଶ୍ୟାମାଦେବୀଙ୍କର । କୁନା, ବେବି, ସମସ୍ତଙ୍କର । ଖାଲି ନାହାନ୍ତି ସୁଭାଷବାବୁ ।

 

ମନ ଦେଇ ସେ ସବୁଗୁଡ଼ିକ ଦେଖିଲେ । ହସି କୁନାକୁ କହିଲେ–ଆଜିକାଲି କାହିଁକି ମା କାଖରେ ବସୁ ନାହଁ ? ପିଲାବେଳେ ମା’ କାଖରେ ରହୁଥିଲ ତ ଭଲ ।

 

–ମା’ ଆଉ ଭଲ ପାଉ ନାହିଁ । ପଢ଼ା ନକଲେ ମାଡ଼ ଦେବ ବୋଲି କହୁଛି । ବେବି ପ୍ରତିବାଦ କଲା ଭାଇ କଥାରେ । ଚାଲ, ମା’କୁ କହି ଦେଉଛି । କୁନା ପଚାରିଲା–କେମିତି ହୋଇଛି ଫଟୋ ? ବାଘା ବି ଉଠିଛି ଫଟରେ....ମା’ର କେଉଁ ଛବିଟା ଭଲ ?

 

ଧୀର ସ୍ୱରରେ ସୁଭାଷବାବୁ କହିଲେ–ସବୁଯାକ ଭଲ ହୋଇଛି । ଭଲ ମଣିଷର ଛବି ଭାରି ଭଲ ଉଠେ । ତମେମାନେ ଯେମିତି ଭାରି ଭଲ, ମା’ବି ସେମିତି ।

 

କୁନା ଏକା ନିଶ୍ୱାସରେ କହିଗଲା–ମା’ ଭାରି ଭଲ ଗୀତ ଗାଇ ପାରେ । ରାନ୍ଧି ପାରେ ଆଉ ଛବି ଆଙ୍କି ପାରେ ।

 

ବେଣୁଧର ଆସି କାନ ପାରୁଥିଲା ପିଲା ଦୁଇଟିଙ୍କ କଥାରେ ଓଠ କଣରେ ସୁଭାଷବାବୁ କହୁଥିଲେ ଘର ଛାଡ଼ିବେ ବୋଲି । ଏବେ ତ ବଦଳ ବନ୍ଦ କରିବାକୁ ମନ କରିବେ ।

 

ବେଣୁଧର ନଥିଲେ ପଦେ ଅଧେ କହିଥାନ୍ତେ–ଶ୍ୟାମାଦେବୀ ବୁଝିପାରେ ।

 

ଅତିରିକ୍ତ ଆଦର ପିଲା ଦୁଇଟିଙ୍କୁ ଉଲୁସାଇ ଦେଇଥିଲା । ଦୁହିଁଙ୍କ କଥା ଠିକ୍‌ ହୋଇଛି ।

 

ଉତ୍କଣ୍ଠାରେ ଶ୍ୟାମାଦେବୀ ପିଲା ଦୁଇଟିଙ୍କର ଆସିବାକୁ ଅପେକ୍ଷା କରିଥିଲେ । ସେଇ ଦୁଆର ଆଡ଼ୁ ଚିତ୍କାର କରି କରି ପିଲାମାନେ ଆସିଲେ–ଏଇ ମା ! କହିଲେ ସବୁ ଭଲ ହୋଇଛି ବୋଲି । ଭଲ ମଣିଷଙ୍କ ଫଟ ଭଲ ହୁଏ । ଆମ ସମସ୍ତଙ୍କର ଭଲ ହୋଇଛି ।

 

–ଦେଖିଲେ ନାହିଁ କି ଠିକ୍‌ କରି ?

 

–ନାହିଁ । ବହୁତ ଦେଖିଛନ୍ତି ।

 

ଶ୍ୟାମାଦେବୀ ହସିଥିଲେ । ଥାଉ ପିଲା ଦୁଇଟିଙ୍କୁ ପିଠି ଥାପୁଡ଼ାଇ କହିଥିଲେ–ସେମିତି ଭଲପିଲା ହେଉଥିଲେ ସବୁଦିନେ ତମର ଫଟ ଭଲ ଉଠୁଥିବ ।

 

ସେଦିନ ଅଫିସ୍‌ ଫେରନ୍ତା ବେଳେ ଶ୍ୟାମାଦେବୀ ଜୂଡ଼ାରେ ଫୁଲ ଖୋସି ଚାଲ୍‌ ବୁଲ୍‌ ହେଉଥିଲେ–ସୁଭାଷବାବୁଙ୍କ ଦୃଷ୍ଟି ଆକର୍ଷଣ କରିବାପାଇଁ । ସେ ଠିଆ ହୋଇ ଚାହିଁବେ କି ଚାଲିଯିବେ ସେତକ ପରଖ କରିବାକୁ ।

 

ସୌନ୍ଦର୍ଯ୍ୟର ଗୋଟିଏ ବିଶେଷ ଗୁଣ କି ଦୋଷ ହେଉଛି ଯେ ସେ ଅନ୍ୟର ପ୍ରଶଂସା ଖୋଜେ । ନିର୍ଜୀବ ଛବିକୁ ଚାହିଁଲେ ବି ମନେ ହୁଏ ଯେପରି ଅସୀମ କାକୁତରେ ସେ ଚାହିଁ ରହିଛି ଟିକିଏ ପ୍ରଶଂସା ପାଇଁ । ଶ୍ୟାମାଦେବୀଙ୍କୁ ସେଦିନ ଦେଖି ସୁଭାଷବାବୁ ନିଜର କାଙ୍ଗାଳ ମନର ସବୁ ଦୈନ୍ୟ ଭିତରେ ବୁଝିଥିଲେ ଯେ ଶ୍ୟାମାଦେବୀ ମଧ୍ୟ ଖୋଜୁଛନ୍ତି ପ୍ରଶଂସା–ନିଜ ଖିଆଲରେ ଦେଖା ଦେଉ ନ ଥିଲେ ଏତେ ଦିନ ।

 

ତାଙ୍କର ଦୃଷ୍ଟି ସୁଭାଷବାବୁଙ୍କ ଉପରେ । ଦୂରରୁ ତାଙ୍କର ଲାଜ ସରମ ଦିଶୁନାହିଁ । କିନ୍ତୁ ସେ ଲୁଚିବାକୁ ଚାହାନ୍ତି ନାହିଁ । ତେଣେ ସୁଭାଷବାବୁଙ୍କର ମନେ ହଉଥିଲା–ଯେପରି ସେ ଠିଆ ହୋଇ ଶ୍ୟାମାଦେବୀଙ୍କୁ ଚାହୁଁଛନ୍ତି । ଆଉ ତାଙ୍କୁ ଦେଖୁଛନ୍ତି ସମସ୍ତେ ।

 

ଶ୍ୟାମାଦେବୀ ନଥିଲାବେଳେ ସେ ସେତେବେଳେ ରହି ପାରୁଥିଲେ । ସେଦିନ ସେ ଓହ୍ଲାଇଗଲେ ତଳକୁ ।

 

ଶ୍ୟାମାଦେବୀ ଚାଲିଗଲେ ଘର ଭିତରକୁ–ଏଇ ରୂପକାଙ୍ଗାଳ ପ୍ରୀତିକାଙ୍ଗାଳ ଲୋକେ ସବୁବେଳେ ଏମିତି ମନର ଆଶାକୁ ସଫଳ ନକରି ବ୍ୟର୍ଥ କରନ୍ତି । ଅନ୍ଧାରରେ ଲୋକଲୋଚନ ଅନ୍ତରାଳରେ ସେମାନେ ଆଶାଦୀପ ଜଳେଇ ରଖିବାକୁ ଯେତିକି ବ୍ୟଗ୍ର; ଦେଖା ହେଲେ ଅନ୍ୟର ଦୃଷ୍ଟି ଆଗରୁ ପ୍ରଚ୍ଛନ୍ନ ରହିବାକୁ ସେତିକି ବ୍ୟଗ୍ର ।

 

ସେଦିନ ସୁଭାଷ ବାବୁ ଶ୍ୟାମାଦେବୀଙ୍କ ଘର ଆଡ଼େ ଯିବାକୁ ଭାବି ରହିଯାଇଥିଲେ ଘର ପାଖରେ । ଭିତରକୁ ଯାଇ ପାରିଲେ ନାହିଁ । ଆଗ ବଢ଼ି ଚାଲିଗଲେ । ଶ୍ୟାମାଦେବୀ ଦେଖିଥିଲେ ତାଙ୍କୁ ଆଉ ସେ ବି ଦେଖିଛନ୍ତି । କେହି ଅଟକି ରହିନାହିଁ । କେହି ମଧ୍ୟ ଅଟକାଇଲା ନାହିଁ । ପିଲାମାନେ ନଥିଲେ ।

 

ସନ୍ଧ୍ୟାବେଳକୁ ଶ୍ୟାମାଦେବୀଙ୍କର ଦୁଆରେ ବହୁତ ଲୋକଙ୍କର ମେଳ । ତାଙ୍କର ପରିଚିତ ପରିବାରଟିଏ ଆସିଥିଲେ । ହସମିଶା କଥାର ଝଙ୍କାର ବାରମ୍ବାର ସୁଭାଷବାବୁଙ୍କର ତନ୍ମୟତା ଭାଙ୍ଗୁଥିଲା ।

 

ବାରମ୍ବାର ହସ–କଥା କଥାରେ, ଆଲୋଚନାର ପ୍ରତ୍ୟେକ ସ୍ତର ଯୋଗାଉଛି ଅଫୁରନ୍ତ ହସର ଫୁଆରା । ଏତେ ଆନନ୍ଦ ଏକାଠି ଠୂଳ କରି ପାରନ୍ତି ସ୍ତ୍ରୀମାନେ ! ସଙ୍ଗୀତର ବିଭିନ୍ନ ପଦ ପରି ପିଲାମାନଙ୍କର ଆନନ୍ଦ କୋଳାହଳ ସୁଭାଷ ବାବୁଙ୍କର ନିର୍ଜନତାର ପଟ୍ଟଭୂମିରେ ଆଘାତ ଦେଉଥାଏ ।

 

ଶ୍ୟାମାଦେବୀଙ୍କୁ ବାରମ୍ବାର ଦେଖିଥିଲେ । ତାଙ୍କରି କଥା ଶୁଣିଥିଲେ । କିନ୍ତୁ ହସ ଶୁଣି ନ ଥିଲେ । ସେହି ହସର ଲହର ସରିଯାଇଥିବା ସଙ୍ଗୀତର ଶେଷ ମୂର୍ଚ୍ଛନା ପରି ବାରମ୍ବାର କାନରେ ଆସି ବାଜୁଥିଲା । କଥା ଯେମିତି ଅଳସ, ହସ ସେହିପରି ତରଳ । ସତେ ଯେପରି ଦୁଇ ପ୍ରକାରର ସ୍ୱର ଓ ଦୁଇ ପ୍ରକାର ରାଗିଣୀ ଶ୍ୟାମାଦେବୀଙ୍କର କଣ୍ଠରେ ରହିଛି ।

 

ବାବୁଙ୍କ ମନରେ ଈର୍ଷା । ଶ୍ୟାମାଦେବୀଙ୍କର ଏତେ ଆନନ୍ଦ ! ସେଥିରୁ ତାଙ୍କୁ ବଞ୍ଚିତ କରି ସେ ଏକା ଏକା ଉପଭୋଗ କରୁଛନ୍ତି । ବାହାରର ଲୋକେ କ’ଣ ତାଙ୍କର ଏତେ ପ୍ରିୟ ? ସେଥିରେ କ’ଣ ସୁଭାଷବାବୁଙ୍କର ଭାଗ ନାହିଁ ?

 

ବାରମ୍ବାର ଚାହୁଁଥିଲେ କୋଠାଉପରୁ–ରଙ୍କୁଣା ଚାହାଣି, ଈର୍ଷା–କାତର ଚାହାଣି ! ଦୁଆରେ ଜଳାହୋଇଛି ଗୋଟିଏ ଗ୍ୟାସ ଆଲୁଅ । ବିଜୁଳି ଆଲୁଅ ନଥାଇ ବିଜୁଳି ଆଲୁଅର ଉଜ୍ଜଳତା ଆଣିବାକୁ ଶ୍ୟାମାଦେବୀ ସେହି ସନ୍ଧ୍ୟାଟିକୁ ଆଲୋକ–ପ୍ଲାବିତ କରିଥିଲେ । ବିଭିନ୍ନ ପ୍ରକାରର ରୂପ ଓ ବର୍ଣ୍ଣର ସମାବେଶ ସୁଭାଷବାବୁ ଦେଖୁଥିଲେ ପ୍ରେମିକର ଏକମନା ଦୃଷ୍ଟିରେ ତାଙ୍କର ସେହି କୃଷ୍ଣପ୍ରିୟା ବା ଶ୍ୟାମାଦେବୀଙ୍କୁ–ବାରି ହୋଇ ପଡ଼ୁଛି ତ !

 

ସେଇଠି କଥା ପଡ଼ିଥାଏ–ଶ୍ୟାମଦେବୀ ଯିବେ ସହର ଛାଡ଼ି । ତାଙ୍କର ଗୋଟିଏ ବନ୍ଧୁର ଭଉଣୀ ବିଭାଘର । ଶ୍ୟାମାଦେବୀ ନ ଗଲେ ଚଳିବ ନାହିଁ ।

 

–କ’ଣ, କହ ଶ୍ୟାମା, ଯିବୁ କି ନାହିଁ ?

 

ସେଇ ଅଳସ କଣ୍ଠରେ ଉତ୍ତର ନ ଦେଇ କୁମାରୀ–ସୁଲଭ ପ୍ରଗ୍‌ଳଭତାରେ ଶ୍ୟାମାଦେବୀ କହୁଥାନ୍ତି–ଘରେ ପରା କେହି ନାହାନ୍ତି–ସେ ଗସ୍ତରେ ଯାଇଛନ୍ତି ।

 

କାନ ଡେରିଥାନ୍ତି ସୁଭାଷବାବୁ–ଆଉ କେହି ! ନା କିଛି ଶୁଭିଲା ନାହିଁ । ଛାଡ଼ିଯିବା ପାଇଁ ଶ୍ୟାମାଦେବୀଙ୍କର ଅନ୍ୟ କିଛି ବନ୍ଧନ ନାହିଁ ଖାଲି ତାଙ୍କର ଘର ଓ ପରିବାରକୁ ଛାଡ଼ି ।

 

–ବାବୁ ଗସ୍ତରେ ଗଲେ ତ ରହିପାରୁଛୁ ବେଶ୍ । ଆଉ ତୁ ସେମିତି ଗଲେ ବାବୁ କ’ଣ ଚଳିଯିବେ ନାହିଁ କି ? କାକୁଡ଼ି ଲଟା ଭାଡ଼ିପରି ଆମ ଶ୍ୟାମା ଏବେ ଶିଖିଗଲାଣି–ସେ ଗଲେ ଗଛ ମରିଯିବ...ପୁଣି କିଏ କହିଲେ ଦେଖ ମ, ଦରଦ ! ଦିନ ଯେତିକି ବେଶି ହେଉଛି ସେତିକି ସୁହାଗ ବଢ଼ୁଛି ।

 

– ମାୟା ସିନା ବଢ଼ନ୍ତା । ଏ ତ ବଢ଼ଉଛି ଛଟକ ! ଏଣେ ଏକା ରହିଛି ସହର ବଜାରରେ-! ...ଦି’ ଚାରି ଦିନ ଗଲେ ସବୁ ୟା' ର ବିଗିଡ଼ି ଯାଉଛି... ! ଘର ଭଙ୍ଗି ପଡ଼ିବ...

 

ଏହି ପ୍ରକାରର ଆଲୋଚନା ଶ୍ୟାମାଦେବୀଙ୍କୁ ଘେରି ଚାଲିଥାଏ–ତାଙ୍କୁ କାଢ଼ି ନେବାପାଇଁ ସେଇ ଘରୁ । ନଇଁ ପଡ଼ି ସୁଭାଷବାବୁ ଚାହିଁ ଥାଆନ୍ତି ଶ୍ୟାମାଦେବୀଙ୍କ ମୁହଁ ଆଡ଼କୁ–ଯେତେ ଅସ୍ପଷ୍ଟ ହେଲେ ବି କାଳେ ଦିଶିଯିବ ! କି ଶୁଭିଯିବ....‘ସେ ନାହିଁ କରିଦେଲେ ।’

 

କାହିଁ ହେଲା ନାହିଁ ତ ! ପୁରୁଣା ବନ୍ଧୁମାନଙ୍କର ଅଳି ଉପରୋଧ ରଖି ଶ୍ୟାମାଦେବୀ ରାଜିହେଲେ ଯିବାଲାଗି । ବେଶି ନୁହେଁ –ଚାରିଦିନ । ସେଥିପାଇଁ ଯଦି ବାବୁ ଅନୁମତି ଦିଅନ୍ତି ଆଉ ବନ୍ଧୁମାନେ ଲୋକ ପଠାଇ ଅବାତର କରି ତାଙ୍କଠାରୁ ନିର୍ଭର ଆଉ ନିର୍ଦ୍ଦିଷ୍ଟ ଅନୁମତି ଆଣିପାରନ୍ତି ।

 

–ଆହା ! ଏମିତି କିଣି କିଳଖ୍‌ କାହୁଁ ଅଇଲା !

 

ପୁଣି ହସର ତୋଫାନ ଭାଙ୍ଗି ପଡ଼ିଲା ଦୁଆର ଉପରେ । ଗ୍ୟାସ ଆଲୁଅର ଶିଖା ନିଷ୍ପ୍ରଭ ଦିଶିଲା ସେହି କୋଳାହଳ ପାଖରେ ।

 

ସମସ୍ତେ ଏକାଠି ହୋଇ ଏକା ପ୍ରକାରରେ କହୁଥିଲେ–ଶ୍ୟାମା ଭଲ ଛଳନା କରିଜାଣେ-। ଛଟକ ଦେଖାଇ ପାରେ । ଯେତିକି ଭକ୍ତି ଅଛି, ତହିଁରୁ ଅଧିକ ଦେଖାଇ ପାରୁଛି । …ବାଃ

 

–ଏତେ, ବାଧ୍ୟ ସୁଧାର ହେବ ବୋଲି କିଏ ଭାବିଥିଲା । ଯାହା ହେଉ ଶ୍ୟାମା ଭଲ ବାଗେଇ ନେଇଛି ତା'ର ଘରଟିକୁ ଆଉ ବରଙ୍କୁ ବି !

 

ଆଉ ଜଣେ କହିଲା–ଏମିତି ମନ ନେଇଜାଣିଲେ ସବୁଆଡ଼େ ତ ଇନ୍ଦ୍ରଭୂବନ ପାଲଟି ଯାଆନ୍ତା ! ସମସ୍ତେ ସମସ୍ତଙ୍କୁ ଟେକି ଧରିଥାନ୍ତେ ମୁଣ୍ଡରେ । ଶୁଖିଲାମୁହିଁ ଘରଣୀମାନଙ୍କଠାରୁ କୁଶଳୀ ଛଟକୀମାନେ ବଡ଼ ହୋଇ ପୂଜା ପାଆନ୍ତେ ।

 

...ପାଇ ନାହାନ୍ତି କି ? ପାଇଛନ୍ତି ଆଉ ପାଇବେ ଓ ପାଉଥିବେ । ଯେ ବ୍ୟବହାରରେ ଭଣ୍ଡି ପାରିଲା, କଥାରେ ମୋହିପାରିଲା, ସେଇ ତ ଆଣି ସମସ୍ତଙ୍କ ଆଖିରେ ବୋଳିଦେଲା ମନଲୋଭା ଅଞ୍ଜନ । ସେହି ମୋହିନୀକୁ କିଏ ବଶ କରିପାରିବେ ? ଦୁନିଆଁ ତା’ର ଗୋଡ଼ ତଳେ । ସଂସାରର ମୂଲ୍ୟବାନ ବିଷୟ ହେଲା–ଅଭିନୟ ।

 

ସେ ଦିନର ଗହଳି ଭାଙ୍ଗିବା ପରେ ବହୁତ ବେଳଯାଏ ସୁଭାଷ ବାବୁଙ୍କର କାନ ପାଖରେ ଦୁଇଟି ସ୍ଵର ଶୁଭୁଥିଲା । ଗୋଟିଏ ଶ୍ୟାମା ଦେବୀଙ୍କର ହସ । ଆରଟି ତାଙ୍କର ଅଭିନୟକୁଶଳତାର ବିବରଣୀ । ବାରମ୍ବାର ସେ ମନକୁ ପଚାରୁଥିଲେ–ଏଇ କ’ଣ ଶ୍ୟାମାଦେବୀଙ୍କର ପରିଚୟ ? ସତେ କ'ଣ ସେ ଖାଲି ଅଭିନୟ କରେ !

 

ଅଭିନୟରେ ହୃଦୟ ନଥାଏ । ଅଭିନୟଠାରୁ ହୃଦୟ–ଭରା କଥା କେଇପଦ ସଂସାରରେ ବହୁତ କାମରେ ଲାଗେ ।

 

ଡରି ଡରି ଫୁଲଗୁଡ଼ିଏ ସକାଳେ ଆଣି ଥୋଇଲାବେଳେ ବେଣୁଧର ପଚାରିଥିଲା ବାବୁଙ୍କୁ–ଆସିବ କି ନାହିଁ ।

 

ବାବୁ ବୁଝିପାରିଲେ ନାହିଁ । ଭଲ ଫୁଲଗୁଡ଼ିଏ ! ବିଚକ୍ଷଣ ବେଣୁଧର ସଂଗ୍ରହ କରିଛି । ବୁଝି ନପାରି ପଚାରିଲେ–କ'ଣ କହୁଛ ବେଣୁଧର ?

 

–ସବୁଦିନେ ଆଣିବି ?

 

କୋଉଠୁ ଆଣୁଛ କି ?

 

ଭୟରେ ଛଳନା କରି କହିଲା–ତାଙ୍କ ଘରୁ । ମା’ ଦେଲେ ।–ଦେଲାବେଳେ କହିଲେ–ଫୁଲଗୁଡ଼ାକ ଝଡ଼ିପଡ଼ୁଛି ତଳେ । ନେଉନାହଁ । ବାବୁ କ’ଣ ଫୁଲକୁ ସୁଖ ପାଆନ୍ତିନାହିଁ ?

 

ବାବୁଙ୍କ ମୁହଁର ରେଖାଗୁଡ଼ିକ ଫୁଟି ଉଠିଲା । ଆଗଦିନ ରାତିରେ ଶୁଣିଥିଲେ–ଶ୍ୟାମାଦେବୀ ଅଭିନୟ କରି ଜାଣନ୍ତି । ବିକ୍ଷୁବ୍‌ଧ ସ୍ଵରରେ ପଚାରିଲେ–ହଁ ତମେ କ'ଣ କହିଲ ?

 

–ଛାଡ଼ିଛି ? କହିଲି–ଫୁଲକୁ କିଏ ସୁଖ ନ ପାଏ । ଆପଣ କାଳେ ଦେବେ ନାହିଁ ବୋଲି ମୁଁ ମାଗୁ ନଥିଲି । ସେଇଠୁ ସେ ନିଜେ ବାଛିବୁଛି ଏତକ ଦେଇ କହିଲେ–ଏଥିରେ ସବୁ ରଙ୍ଗର ଫୁଲ ଅଛି । ବଡ଼ ସାନ ସବୁ ପ୍ରକାରର ଫୁଲ ଅଛି । ଠିକ୍ କରି ସଜେଇବ–ଯୁଆଡ଼ୁ ଚାହିଁଲେ ନୂଆ ପ୍ରକାରର ଦିଶିବ । ଆଜ୍ଞା,–ଭାରି ବୁଦ୍ଧି ତାଙ୍କର !

 

ମୁହଁରେ ଆନନ୍ଦ ଉକୁଟି ଉଠିଲା ନାହିଁ । ବେଣୁଧର ବିବ୍ରତ ହୋଇ ପଡ଼ିଲା । ଆପଣା ଭୁଲ ସଜାଡ଼ିବାକୁ ଯାଇ କହିଲା–କି ଫୁଲ ଏଗୁଡ଼ାକ ! ଦେଲେ ବୋଲି ସିନା ବୋହିଆଣିଲି । ଆମ ସାହିବଙ୍କ ହତାରେ ଯୋଉ ଜାତିଜାତିକା ଫୁଲ ଅଛି, ସେଥିରୁ ଗୋଟାଏ ଆଉ ଏଥିରୁ ପାଛିଆଏ–

 

ପହଲାମା ଆସି ପହଞ୍ଚି ଯାଇଛି । ଦୁହେଁ ଅପରାଧୀ ପରି ପହଲାମାକୁ ଚାହିଁଲେ । ଶ୍ୟାମାଦେବୀଙ୍କର ବଗିଚାର ଫୁଲ ରହିବ ନା କଢ଼ା ହେବ–ବେଣୁଧର ଭାବୁଛି ଥୋଇଦେବାକୁ ବାହାରେ । ବାବୁଙ୍କଠାରୁ ଇସାରା ପାଇଲେ ହେଲା ।

 

ପହଲାମା ବେଣୁଧରକୁ ତାଗିଦ୍ କରି କହିଲା–ଯେମିତି ମା କହିଛନ୍ତି ସେସିତି ରଖ । ସେ ଆଜି ଆସି ପରୀକ୍ଷା କରିବେ ଖରାବେଳେ । ଯାଉଛନ୍ତି ବାହାଘରକୁ । ସେ ମତେ କହିଛନ୍ତି–ସବୁଦିନେ ମୁଁ ଫୁଲ ଆଣି ଦେଉଥିବି ଏଠି । ସେ ଫେରିବା ଯାଏ,

 

ସୁଭାଷ ବାବୁ ପଚାରିଲେ–କାହିଁକି ?

 

–ମୁଁ କେମିତି ଜାଣିବି ? ତାଙ୍କର କେତେବେଳେ କୋଉ ମନ । ପିଲାଏ ଗୋଟିଏ ଫୁଲ ଛିଣ୍ଡାଇଲେ ସେ ନିଆଁ ହୋଇ ଯାଆନ୍ତି । ଆଜି ତ ପୁଣି ଏତେ ପଠେଇଦେଲେ ଏଠିକି । କେଜାଣି ବାବୁ...

 

କ’ଣ କହୁଥିଲା କହିପାରିଲା ନାହିଁ । କହିଥିଲେ ହୁଏ ତ କଥାଟି ଶେଷ ହୋଇଥାଅନ୍ତା ! ବାବୁ ଆଉ ବେଣୁଧର କହି ଥାଆନ୍ତେ କିଛି ।

 

ଫୁଲଗୁଡ଼ିକ ବେଶ୍–ଗଛରେ ଥିଲେ ସିନା ଶୋଭାପାଏ । ମଉଳି ଯିବ । ତା ଗଛରୁ ଶିରୀ ତୁଟିଯିବ... । ହଉ ବେଣୁଧର ! ସଜେଇ ରଖ । ବାବୁ କହିଦେଇ ଚାଲିଗଲେ ଦୁଆରକୁ ।

 

ସୁଭାଷ ବାବୁ ରୁଷିଛନ୍ତି । ସେ ଠିକଣା କରିଛନ୍ତି ଯେ ଶ୍ୟାମା ଦେବୀଙ୍କ କଥା ଆଉ ଭାବିବେ ନାହିଁ ।

 

ଦୁଆରେ ବାବୁଙ୍କୁ ଦେଖି ପହଲାମା ନିଜର ଲୋକପରି ଶ୍ରଦ୍ଧାର ଅତ୍ୟାଚାର ଆରମ୍ଭ କଲା–ସତେରେ ବାବୁ, ମା ନ ଆସିଲେ ଘରକୁ ମାନୁନାହିଁ ।

 

ସେ କିଛି ନ କହିବାରୁ ପହଲାମା ପୁଣି କହିଲା–ଦେଖୁନାହାନ୍ତି ସେ ବାବୁଙ୍କୁ । ସବୁବେଳେ ଘର ପୂରି ରହିଛି । ଆଉ ଏଠି ଚଢ଼େଇଟିଏ ବି ଆସୁ ନାହିଁ । ଘରଟା ଖଲିଖାଲି ଲାଗୁଛି ବୋଲି ମୁଁ କହିଥିଲି ଆମ ମା’ଙ୍କୁ । ଶୁଣି ସେ କହିଲେ, ବାବୁ କ'ଣ ବାହାହେବେ ନାହିଁ କି, ହେବେ । ଖାଲି ସଅଳ ଉଛୁର କଥା ଯାହା ।

 

–ସେ କେମିତି ଜାଣିଲେ ?

 

–ମା’ ନ ଥାଇ ମାୟା ନାହିଁ । ସେଠି ପରା କଥା ପଡ଼େ–ବାବୁ ଆପଣ ଭାରି ସ୍ନେହୀ ଲୋକ । ଭାରି ଭଲ ଲୋକ.....

 

–ଥାଉ । ତାଙ୍କୁ କହିବ ବାବୁଙ୍କ କଥା ଘରେ କଥା ହେବେ ନାହିଁ । ବାବୁ ତ ତାଙ୍କ ଘର କଥା ବୁଝୁନାହାନ୍ତି ଏଠି ।

 

ପହଲାମା ମୁହଁ ଉପରେ ଚିନ୍ତାର ଗଭୀର ରେଖା ଫୁଟି ଉଠିଲା । ଏଇ ହାକିମହୁକୁମା ଲୋକେ ଭାରି ଏକବାଗିଆ । କିଛି ବୁଝନ୍ତି ନାହିଁ । ସବୁବେଳେ ତମତମ ହେଉଥାଆନ୍ତି । ସମସ୍ତଙ୍କ ଅଲକ୍ଷ୍ୟରେ ସେ ଥରେ ନାକ ଛିଞ୍ଚାଡ଼ି ଦେଲା ।

 

ବେଣୁଧର ବାହାରି ଆସିଲା କୋଠରୀ ଭିତରୁ । ପହଲାମା’କୁ ଲକ୍ଷ୍ୟ କରି କହିଲା–କି ଫୁଲଗୁଡ଼ାକ ! ମୋଟେ ସଜାଡ଼ି ହେଉନାହିଁ । ମୁଁ ତାକୁ ରଖିଦେଇଛି କାଚ ଥାଳିଆରେ । ଉପରେ ପାଣି ଛିଞ୍ଚି ରଖିଛି ।

 

ଶ୍ୟାମାଦେବୀ ସବୁ ସମ୍ବାଦ ମୋଟାମୋଟି ସଂଗ୍ରହ କରିନେଲେ । ବାବୁଟି ଭାରି ଚିଡ଼ି ଯାଇଛନ୍ତି । ନିଜକୁ କହିଲେ–ଅଧିକାର ନ ଥାଇ ଯେ ଅଧିକାର ଚଳାଇବାକୁ ବସେ ତାକୁ ବୋକା ନ କହି ଆଉ କ’ଣ କହିବ ! ଦେଖ ମ ! ଆମ ଉପରେ ରୁଷା ଚାଲିଲାଣି ।

 

ଓଠରେ ଓଠ ଚିପି ଶ୍ୟାମାଦେବୀ ଚାହିଁଲେ ସେ ଘରଟି ଆଡ଼କୁ । ମନେ ମନେ ହେଲେ–ବାବୁ ଖେଳି ଜାଣନ୍ତି ନାହିଁ ବୋଲି ଖେଳି ନ ଥିଲି । ଖେଳିଲେ ବାବୁ ଜାଣନ୍ତେ । ଆଉ ରୁଷନ୍ତେ ନାହିଁ ଯେ–

 

ଛଇଳା ନାରୀର ଅଭିମାନ ଓ ଗର୍ବରେ ଆଘାତ ଦେବା ସବୁବେଳେ ଭୁଲ । ସେ ଇଚ୍ଛାକଲେ ନିଆଁ ଜାଳିଦେଇ ପାରେ । ପୁଣି ସେମିତି ନିଆଁକୁ ଲିଭେଇ ପାରେ ।

 

ଫୁଲଗୁଡ଼ିକୁ ଚାହିଁ ସୁଭାଷବାବୁ ଟିକିଏ ଅନୁତାପ କରିଥିଲେ ।–ସତରେ ଭଲ ଫୁଲଗୁଡ଼ିଏ । ଅଭିନୟ ହେଉ କି ମନର ସରାଗରେ ହେଉ, ବିଚାରୀ ପଠାଇଥିଲା ତାଙ୍କର ମନ ନେବାକୁ । ପଦେ ଭଲ କଥା ଶୁଣିଲା ନାହିଁ ।–ଯେତେହେଲେ ଚାଲିଯାଉଛି ତ । ଗଲାବେଳେ ଦି'ଘର ଭିତରେ ଗୋଛିଏ ଡୋର ବାନ୍ଧି ଦେଇଯାଉଛି––ଫୁଲ ଡୋର ।

 

ଭୁଲିବାକୁ ଚେଷ୍ଟା କରି ସେ ନିଜକୁ କାମରେ ଲଗାଇଲେ । ମନ ଯାହା ହେଉ ପଛକେ, ଆଉ ସୁଭାଷବାବୁ କୋଠାଉପରକୁ ଯାଇ ନାହାନ୍ତି କି ସେ ରାସ୍ତାରେ ଆଉ ଶ୍ୟାମାଦେବୀଙ୍କ ଘର ଆଡ଼କୁ ପାଦ ପକାଇ ନାହାନ୍ତି ।

 

ଶ୍ୟାମାଦେବୀ ଚାହିଁଛନ୍ତି । ତାଙ୍କର ସମସ୍ତ ପ୍ରତୀକ୍ଷା ବୃଥା ହୋଇଛି । ସେ କିଛି ବୁଝି ପାରିଲେ ନାହିଁ ।

 

ସେ ଦିନଟି ପାର ହୋଇଗଲା । ତାଙ୍କର କ୍ରୋଧ ଛଳନାର ରୂପ ନେଲା । ସେ ପିଲା ଦୁଇଟିଙ୍କୁ ପଠେଇଲେ ସୁଭାଷବାବୁଙ୍କୁ ଡାକିନେବାକୁ ।

 

–ଆସ, ମା’ ଡାକୁଛନ୍ତି । ଦୁଇଟିଯାକ ପିଲା ଦି'ହାତ ଧରି ଟାଣିଲେ । ସେଇ କଅଁଳ ସ୍ପର୍ଶ ତାଙ୍କୁ ଶ୍ୟାମଦେବୀଙ୍କର ସ୍ପର୍ଶ ପରି ମନେହେଲା ।

 

–କାହିଁକି ଡାକୁଛନ୍ତି ?

–କେଜାଣି । କହିଲେ ତ ଝଅଟ ଡାକିଆଣିବ । ଚାଲ ଝଅଟ– । ...ପିଲା ଦୁଇଟି ଟାଣିଲେ ।

ହସି ହସି ସୁଭାଷବାବୁ ବାହାରିଲେ । ଦୁଇ ପାଖରେ ଦୁଇଟି ପ୍ରହରୀ । ତାଙ୍କର ଯିବାକୁ ଯେପରି ମୋଟେ ଇଚ୍ଛା ନୁହେଁ ।

ସେଇ ଗୋଳମାଳ ଭିତରେ ସେ ଭାବିବାକୁ ଚେଷ୍ଟା କରୁଥିଲେ–ଏଇ ଯୋଉ ନୂଆ ଚିତ୍ର ଆରମ୍ଭ ହେଲା, ସେଇଟା କଣ ଭଲ ନା ମନ୍ଦ ! ମିଳନ ନା ବିଚ୍ଛେଦ ! –ଆଗରେ ଶ୍ୟାମାଦେବୀଙ୍କ ଘର ।

କେହି ଦିଶୁ ନାହାଁନ୍ତି । ପିଲାମାନେ ତାଙ୍କୁ ନେଇ ଘରେ ବସାଇଲେ ।

ପିଲମାନେ ଧାଇଁ ବାହାରିଗଲେ ଭିତରକୁ । ସେ ବସିଥାନ୍ତି ସେଠି–ଶ୍ୟାମାଦେବୀଙ୍କର ଓ କେଶବବାବୁଙ୍କର ଛବି ଦୁଇଟିକୁ ଚାହିଁ । ଶ୍ୟାମାଦେବୀଙ୍କର ଦେଖା ନାହିଁ । ସୁଭାଷବାବୁ ଚଞ୍ଚଳ ହୋଇ ଉଠିଲେ ।

ନୀରବତା ଠେଲି ଶ୍ୟାମାଦେବୀଙ୍କର ସେହି ଅଳସ କଣ୍ଠସ୍ଵର ବାଜି ଉଠିଲା––ଘର ଜିମା ଦେବାକୁ ଡାକିଲି । ମୁଁ ଯାଉଛି ପିଲାମାନଙ୍କୁ ନେଇ ଚାରିଦିନ ପାଇଁ । ବାବୁଙ୍କୁ ଖବର ଦିଆହୋଇଛି-। ଯେବେ ସେ ଖବର ପାଇ ନ ଥାନ୍ତି, ତେବେ ସେ ଆସି ପହଞ୍ଚିଲେ ଆପଣ ତାଙ୍କର ଖାଇବାର ବ୍ୟବସ୍ଥା ବୁଝିବେ ।

 

ସୁଭାଷ ବାବୁ ଆଶ୍ଚର୍ଯ୍ୟ ହେଲା ପରି ଚାହିଁ ରହିଲେ–ଦୁଆର ପରଦାର ସେ ପାଖେ ଟିକିଏ ଦୂରରେ ସମ୍ପୂର୍ଣ୍ଣ ଭାବରେ ଦେଖା ଦେଇ ଠିଆ ହୋଇଛନ୍ତି ଶ୍ୟାମାଦେବୀ । ମୁହଁରେ ଲାଜ । ଆଖିରେ ଭୟ ।

 

–ଏଡ଼େ ହଠାତ୍ ?

 

–ହଠାତ୍ ନୁହେଁ । କାଲି ଆସିଥିଲେ ଯେ ମୋର ବନ୍ଧୁମାନେ–ବହୁତ କରି ବଳେଇ ଯାଇଛନ୍ତି । ଝିଅବେଳେ ସେମାନେ ମୋତେ ଦି’ ଆଖିରେ ଦେଖି ପାରୁ ନ ଥିଲେ ! ଏବେ ଆସି ଯୋଉ ଅଭିନୟ କଲେ ଦେଖିଲେ ଆପଣ ଜାଣି ଥାଆନ୍ତେ । ସେମାନେ ବହୁତ ଢଙ୍ଗ ଦେଖାଇ ପାରନ୍ତି !

 

–ସତେ, ଆପଣ ତାଙ୍କୁ କଣ କହିଲେ ?

 

–କିଛି ନାହିଁ । ନିନ୍ଦା କରିବା ଲୋକ ଯଦି ପ୍ରଶଂସା କରିବାକୁ ଆସିଛି ତେବେ ସେଇଟା ସତ ହେଉ କି ମିଛ ହେଉ, ସେ ପ୍ରଶଂସା ନ ଶୁଣିବି କାହିଁକି ?

 

...ଏଇ ଦୁନିଆରେ ତ କେହି କାହାରି ନୁହେଁ । ସେଥି ଭିତରେ ଯାହା ମିଳିଲା...ଛଟକ ହେଉ, ରଙ୍ଗରହସ୍ୟ ହେଉ ଅବା ପ୍ରକୃତ କଥା ହେଉ । ସବୁ ମୁଁ ଧରି ରଖି ପାରୁଛି ବୋଲି ଆଜି ଆପଣଙ୍କପରି ବଡ଼ ମଣିଷଙ୍କ ଆଗରେ ଠିଆ ହୋଇପାରୁଛି–ନୁହେଁ ?

 

ସୁଭାଷବାବୁ ସେମିତି ଏକା ନିଶ୍ୱାସରେ ଶୁଣି ଯାଉଥିଲେ ଶ୍ୟାମାଦେବୀଙ୍କର ସେହି ଉଚ୍ଛ୍ୱାସ । ସେ ସତେ କି ରହିରହି ନିଜର ମନର ଭାବକୁ ସୁଭାଷବାବୁଙ୍କ ମନରେ ବସେଇ ବସେଇ କହୁଥିଲେ ।

 

–ତେବେ ଆପଣ ପ୍ରଶଂସା ଶୁଣି ମିଛକୁ ସତ ଭାବି ଯାଉଛନ୍ତି ? ନଗଲେ ଚଳନ୍ତା ନାହିଁ-?

 

ଦୀର୍ଘନିଶ୍ଵାସ ପକାଇ ଶ୍ୟାମାଦେବୀ କହିଲେ–ହଁ ଚଳନ୍ତା । ତେବେ ଏତିକି ଅଧିକାର କରି ମୋତେ ବାନ୍ଧି ରଖୁଛି କିଏ ? ମୋର ତ କେହି ନାହିଁ ।

 

–ମୁଁ କହୁଛି, ରହନ୍ତୁ ।

 

–‘ଆପଣ’ ! ଟିକିଏ ଛାଡ଼ି କହିଲା–ଆପଣଙ୍କର ସେ ଅଧିକାର ଅଛି ? ନିଜେ ତ ନେଇ ନାହାନ୍ତି ଆପଣ । ମୁଁ କ’ଣ ଦେଇଛି ଆପଣଙ୍କୁ ? କାହିଁ ଆଗରୁ ତ କହିଲେ ନାହିଁ ! ମୁଁ ପଚାରି ପଠାଇଥିଲି ଯେ ଉତ୍ତର ପାଇଲି ନାହିଁ ! ଏବେ ଯିବାପାଇଁ ବାହାରିଲିଣି ।

 

–କେତେବେଳେ ପଚାରିଲେ ?

 

ଶ୍ୟାମାଦେବୀ ଚାହିଁଲେ ସୁଭାଷବାବୁଙ୍କ ମୁହଁକୁ । ସେ ମୁହଁ ତ ସେତେ ନିଷ୍ପାପ ଓ ସରଳ ନୁହେଁ l ବୁଝି ନପାରିବାର କିଛି ଚିହ୍ନବର୍ଣ୍ଣ ନାହିଁ । ସେଇଠୁ ପୁଣି ଥରେ ଖରନିଃଶ୍ୱାସ ପକାଇ କହିଲେ–ହଉ ଛାଡ଼ନ୍ତୁ ସେ କଥା l କାହିଁକି ବା ଆପଣ ବୁଝନ୍ତେ ? ଆପଣ ବିରକ୍ତ ହୋଇଛନ୍ତି ଆମ ଉପରେ ।

 

–ସେ ଅଧିକାର କ’ଣ ମୋର ଅଛି ?

 

–ହଁ ଅଛି । ନଥିଲେ ବି ଆପଣ ଅଧିକାର କରିବସିଲେ ସେଇ ଅଧିକାର ପାଇବେ । ପାଇଛନ୍ତି ।

 

ସୁଭାଷ ବାବୁଙ୍କର ଓଠ ଉପରେ ଗଭୀର ଆନନ୍ଦର ରେଖା ଆଙ୍କି ହୋଇଗଲା ।

 

–ପ୍ରକୃତରେ ଆପଣ ଭାରି ସରଳ । ଟିକକରେ ଯେମିତି ବିଗିଡ଼ି ଯାଉଛନ୍ତି, ସେମିତି ଆଉ ଟିକକରେ ଆପଣ ସଜାଡ଼ି ହେଉଛନ୍ତି । କିନ୍ତୁ ଆମେ ଖୋଜୁ–ମୁଁ ଆଉ ମୋ’ରି ପରି ଲୋକେ–ଯେ ଆପଣମାନେ ଗଭୀର ହୋଇଥିବେ, ଝଡ଼ବତାସ ଆପଣମାନଙ୍କୁ ବଦଳାଇ ପାରୁନଥିବେ ।

 

–ଆଉ କ’ଣ ବଦଳିବାର ଅଧିକାର ଖାଲି ଆପଣମାନଙ୍କର ?

 

–ସେ ତ ଦୁର୍ବଳର ଜନ୍ମଗତ ଅଧିକାର । ଯେ ପ୍ରତିବାଦ କରିପାରେ ନାହିଁ କି ବାଧା ଦେଇପାରେ ନାହିଁ; ସେଇ ନିଜ ରଙ୍ଗକୁ ବହୁତ ପ୍ରକାରର କରି ଚଳେ । ଆମର ସେ ଅଧିକାର ଅଛି-। ଠିକ୍ ସେମିତି ହେଲେ ଆପଣ ବି ଆମପରି ହୋଇଯିବେ । ଆଉ ହେବ ଆମର ବନ୍ଧୁତାର ସମାଧି-

 

କହିଦେଇ ଶ୍ୟାମାଦେବୀ ଫେରିଗଲେ ଭିତରକୁ । ଚାକର ହାତରୁ ଚା’ ଜଳଖିଆ ଆଣି ସୁଭାଷବାବୁଙ୍କ ଆଗରେ ଥୋଇ ସେମିତି ହସି କହିଲେ–ସେ ସବୁ କଥା ଛାଡ଼ି ଏଇଥିରେ ଖୁସି ହୁଅନ୍ତୁ । ଘର ଜଗିବେ । ତାଙ୍କ କଥା ବୁଝିବେ । ମୁଁ ଫେରିବି ଚାରିଦିନ ପରେ ।

 

ସୁଭାଷବାବୁ ବାରମ୍ବାର ଚାହୁଁଥିଲେ । ତାଙ୍କର ଆଖି କହି ଦେଉଥିଲା–ଖାଇଲାବେଳେ ଟିକିଏ କଥାଭାଷା ହେଲେ ଭଲ ହୁଅନ୍ତା ।

 

ଇଙ୍ଗିତ ବୁଝି ଶ୍ୟାମାଦେବୀ କହିଲେ–ଯେଉଁ କାମଟି କରିବେ ସେଥିରେ ଅନ୍ୟ କାମ ମିଶାଇବେ ନାହିଁ । ସେ ଅଧିକାର ଖାଲି ଆମମାନଙ୍କର । ଆମେ ଏକାଠି ପାଞ୍ଚ ପ୍ରକାରର କାମ କରୁ–କରିବା କଥା ଆଉ ନ କରିବା କଥା ଏକାଠି ମିଶେଇମାଶେଇ । ସେଇଥିପାଇଁ ଆମେ ସବୁଠାରେ ଦୋଷୀ ହେଉ । କିନ୍ତୁ ଆପଣମାନେ–

 

ସୁଭାଷବାବୁଙ୍କର ଆଖି ନଇଁ ଆସିଲା ଶ୍ୟାମାଦେବୀଙ୍କ ବ୍ୟକ୍ତିତ୍ଵ ଆଗରେ । ସେ ଭାବିଲେ–ଏ ସବୁ ତ ଛଳନା ନୁହେଁ–ହୃଦୟର କଥା ।

 

ପୁଣି ନୀରବତା ଭାଙ୍ଗି ଦୁଃଖମିଶା ସ୍ଵରରେ ଶ୍ୟାମାଦେବୀ କହିଲେ–ଏହି ସବୁ ହେଉଛି ଏକୁଟିଆ ଜୀବନର କେଇଟି କଥା । ବହୁ ଲୋକଙ୍କ ମେଳରେ ବି ମୁଁ ଏକୁଟିଆ । ଠିକ୍ ଆପଣଙ୍କ ପରି । ସେଥିପାଇଁ ଆପଣଙ୍କୁ ଦେଖିଲା ଦିନୁ ମନ ଭିତରେ କେତେ ଦୁରାଶା–ଆପଣ ମୋର ଜଣେ ବନ୍ଧୁ ! କ’ଣ ହେବେ ନାହିଁ ?

 

ସୁଭାଷବାବୁଙ୍କୁ କଥାଗୁଡ଼ିକ ବାକ୍ୟହୀନ କରି ଦେଇଥିଲା । ସେ ନିଜର ସ୍ଥିତି ହରେଇଥିଲେ ।

 

ବାହାରର ଲୋକେ ଏହିସବୁ ଘଟଣାକୁ ମାୟାବିନୀର ମାୟା, କୁହୁକିନୀର କୁହୁକ, ଛଇଳୀର ଛଟକ ବୋଲି ବୁଝିଲେ ସୁଦ୍ଧା ଯେତେବେଳେ ଏ ସବୁ ଜୀବନରେ ଘଟେ–ଘଟିଲାବେଳେ ସେତକ ହୁଏ ଜୀବନର ଅବିସ୍ମରଣୀୟ, ଚିର–ସ୍ମରଣୀୟ ଘଟଣା ! ମଣିଷ ସତକଥା କି ଭଲକଥାକୁ ଯେତେ ଗୁରୁତ୍ୱ ଦିଏ ନାହିଁ, ଏହିସବୁ ଭଳିକି ଭଳି କଥାର ଝଙ୍କାରକୁ ତହିଁରୁ ଅଧିକ ସ୍ଥାନ ଦିଏ । ଏତକ ହେଉଛି ଏ ମାୟାଘେରା ସଂସାରର ଇନ୍ଦ୍ରଜାଲ । ଏଠି ମିଛ ସତ ଉପରେ ବଡ଼ । ଛଳନା ଅସଲ ଉପରେ ରାଜା ।

 

ଚାବି ପଠାଇ ଦେଇ ଶ୍ୟାମାଦେବୀ ଚାଲି ଯାଇଥିଲେ ! କେଶବବାବୁଙ୍କର ଫେରିବାକୁ ଅପେକ୍ଷା ନାହିଁ ।

 

ଗୋରୁଗାଈ କୁକୁର ରହିଲେ ନିଜ ଘରେ । ରତନା ବି ରହିଲା । ଘରେ ତାଲା ବନ୍ଦ । ଚାବି ସୁଭାଷବାବୁଙ୍କ ଜିମା । ରତନା ଖାଇବ ସୁଭାଷବାବୁଙ୍କ ଘରେ । ଘର ଜଗିବ ।

ଏମିତି ଉପରେ କିଛି ଲେଖା ଓ ତଳେ ଦସ୍ତଖତ ନଥାଇ ଖଣ୍ଡିଏ କାଗଜ ଆଉ ଚାବି ଆସି ପହଞ୍ଚିଲା ସୁଭାଷବାବୁଙ୍କ ପାଖରେ । ଅଫିସରୁ ଫେରି ରତନା ହାତରେ ଚାବି ଆଉ ଚିଠି ଦେଖି ସୁଭାଷବାବୁ ନିରୁତ୍ତର ରହିଥିଲେ ।

ତେବେ ଏଇ ପ୍ରକାରରେ ଶ୍ୟାମାଦେବୀ ବିଦାୟ ନେଇଛନ୍ତି !

ଚାବିକୁ ଦେଖି ଦେଖି ସୁଭାଷବାବୁ ଶ୍ୟାମାଦେବୀଙ୍କର ଉପସ୍ଥିତି ଅନୁଭବ କରିଛନ୍ତି । ସେ ନିଜେ ଚାବି ଦେଇଯାଉଥିଲେ ପହଲାମାକୁ । ଆଉ ଶ୍ୟାମାଦେବୀ ତାକୁ ନଦେଇ ଜିମା କରିଦେଇ ଯାଇଛନ୍ତି ସୁଭାଷ ବାବୁଙ୍କୁ ।

ମନେ ପଡ଼ିଲା । ଶ୍ୟାମାଦେବୀଙ୍କର ସକାଳ ଓଳିର ଅନୁରୋଧ–ପ୍ରତିଦିନ ଫୁଲ ଦେଇ ଆସୁଥିବ ବାବୁଙ୍କ ଘରେ…ସେ ଫେରିବା ଯାଏ ।

ଛାତ ଉପରକୁ ଯାଇ ସେ ଶ୍ୟାମାଦେବୀଙ୍କର ଫୁଲଗଛ ଆଡ଼କୁ ଚାହିଁ ଦାର୍ଘ ନିଶ୍ଵାସ ପକାଇଥିଲେ––ତମେ ନାହଁ ! ଫୁଲ ଆଉ ଛିଣ୍ଡାଇବ କିଏ…..ନା ଥାଉ । ଫୁଲ ଫୁଟୁଥାଉ ଗଛରେ ।

ସୁଭାଷବାବୁଙ୍କ ଦିନଗୁଡ଼ିକ ହତଶ୍ରୀ ହେଇଥିଲା । ଶ୍ୟାମାଦେବୀଙ୍କ ଦୁଆରେ ବେଳେବେଳେ ରତନା ଦେଖାପଡ଼େ । ସେ ଘରଟି ବି ହତଶ୍ରୀ ଦିଶୁଛି–ଶ୍ୟାମାଦେବୀ ଚାଲିଯିବା ପରେ । ସୁଭାଷବାବୁ ବୁଝିଗଲେ–ତାଙ୍କ ଜୀବନରେ ଶ୍ୟାମାଦେବୀ କେତେ ବଡ଼ !

କେଶବବାବୁ ଫେରି ନାହାନ୍ତି । ଶ୍ୟାମାଦେବୀ ଫେରି ଆସିଲେ । ସେମିତି ଠିକ୍ ହଠାତ୍–ଚାରିଦିନ ପୂରିବା ପୂର୍ବରୁ । ସୁଭାଷବାବୁ ଅଫିସ ବାହାରିଲା ବେଳକୁ ଖବର ଆସିଲା ଚାବି ପାଇଁ ।

ଏତେବେଳେ ଏଇ ଅବେଳରେ–ତେବେ କ’ଣ ଅଫିସ ନଗଲେ ଭଲ ହୁଅନ୍ତା ! ସୁଭାଷବାବୁ ଚାହିଁଲେ ନିଜଆଡ଼େ । ଅଫିସ ଯିବାପାଇଁ ତିଆର ହୋଇ ସାରିଲେଣି । ରହିଯିବାକୁ ମନ ହେଲା ନାହିଁ । ଇଚ୍ଛା ନଥିଲେ ବି ସେ ଅଫିସକୁ ଗଲେ ।

 

ଶ୍ୟାମାଦେବୀ ଭାବିଲେ–ବାବୁ ବଦଳି ନାହାନ୍ତି ତେବେ ! ପୁଣି ଦେଖାହେଲେ–

 

ଗୋଟିଏ ଜାଗାରୁ କେତେଦିନ ଚାଲିଯାଇ ପୁଣି ସେଠିକି ଫେରିଆସିଲେ ସେହି ଜାଗାର ଆଉ ସେଠି ଚଳପ୍ରଚଳ ହେଉଥିବା ଲୋକଙ୍କର କେତେକ ଦୋଷଗୁଣ ହଠାତ୍ ବାରି ହୋଇ ପଡ଼େ-। ଶ୍ୟାମାଦେବୀ ଫେରିଆସି ସେହିପରି କେତେଗୁଡ଼ିଏ ବିଷୟରେ ମତ ବଦଳାଇଥିଲେ ।

 

ସୁଭାଷବାବୁଙ୍କୁ ଦେଖିବାକୁ ଓ ଦେଖାଦେବାକୁ ତାଙ୍କୁ ମୋଟେ ଭଲ ଲାଗିଲା ନାହିଁ । ତାଙ୍କ ପାଖରେ ରଖା ହୋଇଥିବା ଚାବିଟିକୁ ହାତରେ ଏପାଖ ସେପାଖ କଲାବେଳେ ସେଥିରୁ ସେ କୌଣସି ପ୍ରକାର ଅନୁଭୂତିର ମଦିରା ପାଇପାରିଲେ ନାହିଁ । ଗଛଗୁଡ଼ିକ ସେମିତି ଫୁଲର ଭାରାରେ ଓହଳି ପଡ଼ିଥାନ୍ତି–ସେଗୁଡ଼ାକୁ କେହି ଛିଣ୍ଡେଇ ନାହିଁ । ଟିକିଏ ଚାହିଁ ରହିଲେ ତେଣେ । କିନ୍ତୁ ମନ ଟଣକିଲା ନାହିଁ ।

 

ତାଙ୍କର ଘଷରା ଜୀବନ–ଶୁଖିଲା ଠକ୍ ଠକ୍ କ୍ଳାନ୍ତିକର ଓ ବିରକ୍ତିକର ଏକ ପ୍ରକାରର–ମାଟି ଓ ଆକାଶପରି ନୂଆଦୃଶ୍ୟର ଅନୁଭୂତି ବିହୀନ–ତାଙ୍କୁ ମଧ୍ୟ ଚଞ୍ଚଳ କଲା ନାହିଁ । ସବୁ ଚାଲିଛି ତ ପ୍ରକାରେ । ପିଲମାନଙ୍କର କୋଳାହଳ, ଗାଈ ବାଛୁରି କୁକୁରଙ୍କର ଗତିବିଧି ଆଉ ରତନା–ସମସ୍ତେ ଏକାଠି ଏକ ପ୍ରକାରର ଘୂରନ୍ତ ଚକର ଧାରା ଦେଖାଉଥିଲେ ତାଙ୍କୁ ।

 

ସେ ବହୁତ ବେଳ ଥିର ହୋଇ ବସି ଶୋଇ କିଛି ସମୟ କଟାଇଲେ । ଶେଷରେ ଅଭ୍ୟାସ ଯୋଗୁଁ ସଜାଡ଼ି ହେଲେ । ଆଖିରେ କ୍ଳାନ୍ତି । ମନରେ ଅବସାଦ । ଦେହରେ ଆଳସ୍ୟ । ଆଖି ଆଗରେ ନାନା ବୈଚିତ୍ର୍ୟଭରା ସୃଷ୍ଟି । ସେଦିନ ବି ବୈଚିତ୍ର୍ୟହୀନ । ନିରସକୁ ସରସ କରିବାକୁ ଅରୂପକୁ ରୂପ ଦେବାକୁ ତାଙ୍କର ଉତ୍ସାହୀ ମନରେ ଯେଉଁ ଟିକକ ଆଗ୍ରହ ଥିଲା, ସେତକ ଆଉ ନାହିଁ-

 

କେହି ନାହାଁନ୍ତି–କେହି ନ ଆସନ୍ତୁ । ସେ ସେମିତି ଏକୁଟିଆ ହୋଇ ବସି ରହିବେ ଜଡ଼ପରି । ମୂକ ହୋଇ ଚାହିଁଥିବେ ସମସ୍ତଙ୍କୁ ।

 

ଦେବ ଆସି ପହଞ୍ଚିଲା । ଦେବ ଟିକିଏ ଅଲଗା ପ୍ରକାରର ପିଲା । ସବୁ କଥାରେ ତାର ଆନନ୍ଦ । କୌଣସି କାମରେ ତା’ର ଈର୍ଷା ହିଂସା କି କ୍ରୋଧ ନାହିଁ । ଭଲ ଆଉ ମନ୍ଦ ଯେଉଁଥିରୁ ଯାହା ପାଉ ସେ ପ୍ରତିବାଦ କରେ ନାହିଁ । ହସି ହସି ସବୁ ସାଉଣ୍ଟି ନିଏ । ବେଣୁଧର ଆସିବା ଦିନ ସେ ଯାହା ଆସିଥିଲା–ଆଉ ଯାଇ ନାହିଁ । ସେଦିନ ସେ ରୋଷ ଓ ଅଭିମାନ ଦେଖାଇଥିଲା ଶ୍ୟାମାଦେବୀଙ୍କ ଉପରେ ... କେଜାଣି କାହିଁକି ସେ ଟିକିଏ ଅଲଗା ପ୍ରକାରର ହେଲାଣି । କୋଉ ଦିନରୁ...

 

କୈଫିୟତ ପାଇନାହିଁ । ତା’ର ମନକଥା ବୁଝିବାକୁ କେହି ଚେଷ୍ଟା କରିନାହାନ୍ତି । ତାକୁ ଭଲ ଲାଗୁଥିଲା–ଆସୁଛି । ଭଲ ଲାଗୁନାହିଁ–ଆସୁନାହିଁ । ସେଥିରେ ଶ୍ୟାମାଦେବୀଙ୍କର ସମ୍ପର୍କ କ’ଣ-?

 

ତା’ର ବିରସ ମୁହଁ, ଉତ୍ସାହହୀନ ଆଖି ଦେଖି ଶ୍ୟାମାଦେବୀ ପଚାରିଲେ–ଆଜି ନୂଆ ଦିଶୁଛ ଦେବ । କେତେଦିନ ହେଲାଣି କେମିତି ଅଲଗା ପ୍ରକାରର ହେଇଗଲାଣି ।

 

ଦେବ ତୁନି ପଡ଼ିଲା; ଶ୍ୟାମାଦେବୀଙ୍କ ମୁହଁକୁ ଚାହିଁ ରହିଲା । ସତେ ଯେପରି ସେଥିରେ ଗୋପନ କଥା ସେ ଲକ୍ଷ୍ୟ କରୁଥିଲା ।

 

–ମୁଁ ବଦଳି ନାହିଁ । ନିଜକୁ ଦେଖିଲେ ବୁଝିପାରିବ ।

 

–ମଣିଷ ନିଜ କଥା ବୁଝିବାକୁ ଅନ୍ୟକୁ ଚାହେଁ । ନିଜର ଭଲ ମନ୍ଦ ମାପିବାକୁ ଅନ୍ୟର ଚାହାଣି, ଅପରର କଥା ତା'ର ସବୁଠାରୁ ବେଶି ଦରକାର । ମାପି ସାରିଲିଣି । ଏବେ ମୁଁ ବୁଝୁଛି ଯେ ।

 

ତମେ ମତେ କହୁଛ ଚାଲିଯିବାକୁ । ଆସୁ ନ ଥିଲି । ଭଲ ଲାଗିଲା ନାହିଁ । ଆସିଛି ପୁଣି-। ଦେବ କହିଲା ।

 

–କ’ଣ ହେଲା ? କିଏ ତମକୁ କ’ଣ କହିଲା ? ଆମେ ତ କେହି କିଛି କିହିନାହୁଁ !

 

–ନିଜେ ନ କହି କୁହାଇଛ । ତମକୁ ଏକୁଟିଆ ଲାଗୁଥିଲା ବୋଲି ସିନା ମୋତେ ବସାଇ ଏବେ ଆଦର ସୋହାଗ ଦେଖାଉଥିଲ ! ଏବେ ତ ତୁମେ ଆଉ ଏକୁଟିଆ ନଥିବ–

 

ଗମ୍ଭୀର ହୋଇ ଶ୍ୟାମାଦେବୀ ପଚାରିଲେ–କ’ଣ କହୁଛ ତମେ ! ଆଜି କ’ଣ ଗୋଟାଏ ନୂଆପାଠ ପଢ଼ୁଛ କି ?

 

–ଚିଡ଼ୁଛ କାହିଁକି......ହେଇ ଶୁଣ କୋଉଠି ଗୋଟାଏ କବାଟ ଫିଟିଲା....ସେଇ ନୂଆଘରେ ହେବ ପରା....

 

ଶ୍ୟାମାଦେବୀ ବିବ୍ରତ ହୋଇ ପଡ଼ିଲେ ! ଦେବର ଅଭିଯୋଗ ସୁଭାଷବାବୁ ବିଷୟରେ । ଆସିଲେଣି ସେ । ହୁଏତ କାନ ପାରିଥିବେ ।

 

ସ୍ୱରକୁ ଯଥାସମ୍ଭବ କରୁଣ କରି ଶ୍ୟାମାଦେବୀ କହିଲେ–ମନେ ରଖିଥିବ ଦେବ । ଏଇ ଭଗବାନଙ୍କ ରାଜ୍ୟରେ ସମସ୍ତେ ପାପ କରନ୍ତି । କିଏ ଦେଖେଇ ଦେଖେଇ କରେ । ଆଉ କିଏ ଲୁଚେଇ ଛପେଇ କରେ । କିନ୍ତୁ ଯିଏ ପାପ କରି ନଥିବା ଲୋକକୁ ସନ୍ଦେହ କରେ ସେଇ ଏକା ହେଉଛି ପାପୀ ।

 

ସୁଭାଷବାବୁଙ୍କୁ ଶ୍ୟାମାଦେବୀଙ୍କ କଥା ନୂଆ ପ୍ରକାରର ଶୁଭିଲା–ଏବେ ଶ୍ୟାମାଦେବୀ କାହାକୁ କ'ଣ ପାଇଁ ଏତେ କୈଫିୟତ ଦେଉଛନ୍ତି ।

 

ଦେବ ଟିକିଏ ବିରକ୍ତ ହୋଇ କହିଲା–ଛୋଟ କଥାକୁ ବଡ଼ କରିବା ଯେତିକି ଭୁଲ; ଗୁରୁତର କଥାକୁ କିଛି ନୁହେଁ ବୋଲି ଲୁଚେଇ ଦେବା ସେମିତି ଭୁଲ । ଖାଲି ପାଟିକଲେ ଭୁଲ୍ ଠିକ୍ ଜଣାପଡ଼େ ନାହିଁ ।

 

ନରମି ଯାଇ ଶ୍ୟାମାଦେବୀ କହିଲେ–କ’ଣ କରିବା, ମଣିଷ ତ ଯାହାକୁ ସ୍ନେହ କଲା ସେଇ ଲୋକ ତ ଆସି ତାକୁ ଶାସନ କରିବାକୁ ତିଆର । ଆଜି ପହଞ୍ଚିଲି ଯେ–ଆଦ୍ୟରୁ ଦେବ ଆସି ଦୋଷ ଦେଖାଇଲେଣି ।

 

ଦେବ ଚାହିଁ ରହିଲା ଶ୍ୟାମାଦେବୀଙ୍କୁ । ସେ ତଳକୁ ମୁହଁ ପୋତିଛନ୍ତି । କ୍ରୋଧ ବିରକ୍ତି ଦେଖାଇବାର ଏଇ ଅଭ୍ୟାସଟି ଶ୍ୟାମାଦେବୀଙ୍କର । ଦେବ କହିଲା–ଆଜି ଯାଏ । ପୁଣି କେଇଦିନ ଛାଡ଼ି ଆସିବି । ସେତେବେଳକୁ ବୁଝିଥିବ ଯେ ସମସ୍ତେ ଏକ ପ୍ରକାରର ନୁହନ୍ତି । ସମସ୍ତଙ୍କ ଉପରେ ସମାନ ଭରସା ରଖାଯାଏ ନାହିଁ ।

 

କହି ଧପ୍‌ ଧପ୍‌ ହୋଇ ଦେବ ବାହାରିଗଲା ।

 

ଦୁଆର ମୁହଁରେ ସୁଭାଷବାବୁ ଠିଆ ହୋଇଥିଲେ । ଦେବ ତାଙ୍କୁ ଭଲ କରି ଚାହିଁଲା–ପ୍ରତିଦ୍ୱନ୍ଦୀର ଆଖିରେ । ଅଳ୍ପଦିନ ହେଲା ଆସି ସେ ପତିଆରା ଦେଖାଇ ବଡ଼ ହୋଇ ଗଲେଣି ଶ୍ୟାମା ଦେବୀଙ୍କ ଆଗରେ । ଦେବକୁ ସେଇ ଠେଲି ବାହାର କରି ଦେଇଛନ୍ତି ।

 

ସୁଭାଷବାବୁ ପାଞ୍ଚୁଥିଲେ ଦେବ ସହିତ ପରିଚିତ ହେବାପାଇଁ । ଶ୍ୟାମାଦେବୀ ତେବେ ତାଙ୍କୁଇ ପାପପୂଣ୍ୟ ବିଷୟରେ ବୁଝାଉଥିଲେ । ଘଟଣାଟି ସୁଭାଷବାବୁଙ୍କୁ ଚଞ୍ଚଳ କରିଥିଲା ।–ତରୁଣ ଛାତ୍ରପରି ଦିଶୁଛି । କ’ଣ ସେ ଆସି ଶ୍ୟାମାକୁ କିଛି କହିଛି ଅବା ଶିଷ୍ଟାଚାର ନମାନି କିଛି ବ୍ୟବହାର ଦେଖାଇଛି–

 

ସେଇ ସନ୍ଦେହର ଉତ୍ତର ତାଙ୍କର ମନ ଦେଇପାରୁ ନଥିଲା । ସେ ନିଜେ ବୁଝିଥିଲେ ଯେ ମୌନ ନାରୀଠାରୁ ବାକ୍ୟମୟୀ ନାରୀ ବିଶେଷଭାବେ ନିରାପଦ । ଶ୍ୟାମାଦେବୀଙ୍କର କଥା ତାଙ୍କର ଖାଲି ସେ ଆବରଣ ସେତିକି ନୁହେଁ, ସୁବିଧା ଅସୁବିଧାରେ ତାଙ୍କର ରକ୍ଷାକବଚ ପରି କାମ କରୁଛି । ତେବେ ଦେବକୁ ସେ ଏତେ କଥା କହୁଥିଲେ କ’ଣ ପାଇଁ ?

 

ଦେବ ମଧ୍ୟ ସାହସ କରିପାରିଲା ନାହିଁ ସେଠି ଓହ୍ଲାଇ ସୁଭାଷବାବୁଙ୍କର ପରିଚୟ ନେବାକୁ । ସେଇ ଅପରିଚିତ ଆଉ ପ୍ରତିଦ୍ୱନ୍ଦୀ ଲୋକଟି ଶ୍ୟାମାଦେବୀଙ୍କର ସବୁଯାକ କୌତୂହଳ ଟାଣି ନେଇଛନ୍ତି ନିଜ ଆଡ଼କୁ ।

 

ଦେବ ଚାଲିଗଲା । କିନ୍ତୁ ଦୁହେଁ ନିଜ ନିଜର ସଙ୍କୋଚ ପାଇଁ ଦୁଃଖିତ ହୋଇଥିଲେ । ଉଭୟଙ୍କର ଯେପରି ଟିକିଏ ମାମୁଲି ପରିଚୟର ଆବଶ୍ୟକତା ଥିଲା–ଶ୍ୟାମାଦେବୀଙ୍କ ବିଷୟରେ ଜାଣିବାକୁ । ଦୁହିଁଙ୍କ ମନରେ ଈର୍ଷା ଓ ସନ୍ଦେହ । ଦୁହେଁଯାକ ଭାବୁଥିଲେ ଯେ ଆର ଜଣକ ଓ ଶ୍ୟାମାଦେବୀ ବହୁ ଦୋଷରେ ଦୋଷୀ ।

 

ଖୁବ୍ ଶୀଘ୍ର ଡାକରା ଆସିଲା ଶ୍ୟାମାଦେବୀଙ୍କ ଘରୁ । ସୁଭାଷ ବାବୁ କହି ପଠାଇଲେ ଟିକକ ପରେ ଯାଇଁ ପହଞ୍ଚୁଛନ୍ତି ଯାଇଥିଲେ ।

 

–ଡାକିଥିଲି ଆପଣଙ୍କୁ । କିଛି ବିରକ୍ତ ହେଲେ କି ?

 

–ଶ୍ୟମାଦେବୀ କୁନା ତୁଣ୍ଡରେ କୁହାଉଥାନ୍ତି ।

 

–ବିରକ୍ତ ହେବାର କ’ଣ ଅଛି । ବିଭାଘର କେମିତି ହେଲା ?

 

କୁନା ନିଜେ ଆରମ୍ଭ କରିଦେଲା–ଭାରି ଭଲ । ବହୁତ ବାଣ ଫୁଟିଲା ! ବହୁତ ଲୋକ । ଏତେ ମଜା ଯେ ମୁଁ ଭାବୁଥିଲି ଏକାବେଳକେ ରହିଯିବାକୁ ।

 

–ସତେ । ଏତେ ବଢ଼ିଆ ହେଲା ?

 

–ଭାରି ବଢ଼ିଆ । ମା’ ଆମେ କେବେ ଯିବା ଆଉ ଗୋଟାଏ ବାହାଘରକୁ ?

 

ଶ୍ୟାମାଦେବୀ କୁନାକୁ କହିଲେ–ଯିବା ନାହିଁ, ବାହାଘର ଏଇଠି ହେବ । ତମେ ଦେଖିବ, ଆମରି ଘରେ–ଏଇଠି ।

 

–ସତରେ ହେବ । ମିଛ କହୁଛ ମ । କେବେ ହେବ କୁହ ।–ହଉଛି–ହବ–କହି, ଚାହିଁଲେ ସୁଭାଷବାବୁଙ୍କୁ ।

 

ଶ୍ୟାମାଦେବୀ ସେମିତି ପାଖ କୋଠରିର ପରଦା ସେପାଖେ ସାକ୍ଷାତରେ ଠିଆ ହୋଇ କହୁଥାନ୍ତି । ପାଖକୁ ଅସିବାକୁ ଇଚ୍ଛା ନାହିଁ । ଦୂରରେ ରହୁଥିବା ଲୋକକୁ ଡାକି ଆଣିଛନ୍ତି । ତାଙ୍କର ଯେପରି ଗୋଟିଏ ଖିଆଲ ହୋଇଛି ଦୂରର ଲୋକକୁ ନିକଟକୁ ନେଇ ଆସି କେତେ ଦୂରରେ ରଖିବା ସମ୍ଭବ–ସେତିକି ପରୀକ୍ଷା କରିବେ ।

 

କୁନାର କଥାକୁ ଆଡ଼େଇ ଦେଇ, ବାହାରକୁ ନ ଶୁଭିଲାପରି ସେ ପୁଣି ପଚାରିଲେ–ତେବେ କ’ଣ ପିଲାମାନଙ୍କର କଥା ରହିବ ?

 

–କି କଥା ?

 

–କହୁଥିଲି ପରା ଆପଣଙ୍କୁ ଏମିତି ଦେଖିବାକୁ ଆଉ ଭଲ ଲାଗୁ ନାହିଁ ।

 

–କ’ଣ ? ଯାତ୍ରାରୁ ଫେରି ଲୋକ ନିଜେ ଯାତ୍ରା ଦଳ ଗଢ଼େ । ଆପଣଙ୍କର ମନ ହେଲାଣି କି ?

 

କୁନା ଆଉ ବେବି କଳି ଲଗାଇଲେ କଣ୍ଢେଇ ପାଇଁ । ଶ୍ୟାମାଦେବୀ କହିଲେ–ହେଇ ଦେଖ ଛୁଆଏ, ପାଟି କଲେ ଆଜି ମାଡ଼ ଖାଇବ ।

 

–ଆମେ ପଢ଼ିବୁ ନାହିଁ ଆଜି ।

 

–କ’ଣ, ପଢ଼ା ଛାଡ଼ିଲଣି ଏତେ ଦିନ ହେଲାଣି । ଆଜି କାହିଁକି ପଢ଼ିବ ନାହିଁ ?

 

–ନାହିଁ, ଆଜି ଓଳିକ ଛୁଟି । କାଲି ସକାଳୁ ପଢ଼ିବୁ । ପିଲା ଦୁଇଟି ଓଜର କରି ଚାହିଁଲେ ସୁଭାଷବାବୁଙ୍କୁ । ପ୍ରାର୍ଥନାଭରା ଚାହାଣି ଛୁଟି ମାଗୁଛି ।

 

ସୁଭାଷବାବୁ କହିଲେ–ଆଜି ଦିନଟା ଛୁଟି ମିଳୁ ତାଙ୍କୁ ।

 

–ନାଁ । ସେମାନେ ବିଗିଡ଼ିଯିବେ ।

 

ପିଲା ଦୁହେଁ 'ଛୁଟି' 'ଛୁଟି' ପାଟିକରି ଉଠିଲେ । ସେହି ଗହଳି ଭିତରେ ଧାପେ ଘୁଞ୍ଚି ଅସି ଶ୍ୟାମାଦେବୀ ସୁଭାଷବାବୁଙ୍କ ଉପରେ ମୁରବୀ ପଣିଆ ଦେଖାଇ କହିଲେ–ଆପଣ ପିଲାଙ୍କୁ ମୁହଁ ଦେଉଛନ୍ତି ।

 

–ଓଳିଏ ଛୁଟି ତ !

 

–ନାଁ । ଦିନେ ହେଲେ କ’ଣ ହେଲା ! ତେବେ ମୁଁ ବେଶ୍ ବୁଝି ପାରୁଛି । ଆପଣଙ୍କର ଜଣେ ମୁରବୀ ଦରକାର ।

 

–ମୋର ମୁରବୀ ! ଅଛନ୍ତି ତ ଏଇଠି ।

 

ଆଖି ଛଳଛଳ କରି ଶ୍ୟାମାଦେବୀ କହିଲେ–ଅମାନିଆଁ ହେଉଛନ୍ତି ଆପଣ । ମୁଁ ତ ଚାଲିଯାଇଛି–ଏଇ ସୃଷ୍ଟିରୁ । ମୋତେ ଆପଣ ନେଇ ଏଠିସେଠି ଥୋଉଛନ୍ତି କାହିଁକି ? ପାଣିରୁ ମାଛକୁ କାଢ଼ି ନେଲେ ସେ ମରେ ।

 

–କ’ଣ ଏମିତି କଥା କହିଲି ଯେ–

 

–କିଛି ନୁହେଁ । ଟିକିଏ ଭୁଲ, ପଦେ କଥା, ପଛକୁ କେଜାଣି କ’ଣ ନ ହୋଇ ପାରେ ! ଆପଣ ଶୀଘ୍ର ଘର କରନ୍ତୁ । କଥାରେ ଶ୍ୟାମାଦେବୀଙ୍କର ଆଦେଶ ।

 

–ଘର କଲେ କ’ଣ ଆପଣ ଏମିତି ଭଲରେ ମନ୍ଦରେ ପଚାରି ପାରିବେ ? ଖୁସି ହୋଇ ପାରିବେ ? ସ୍ନେହ ଆଦର ଦେଖାଇ ପାରିବେ ?

 

–ପାରିବି ନାହିଁ କାହିଁକି ! ମୁଁ ପାରିବି ତ.....

 

ସୁଭାଷବାବୁ ଚାହିଁ ରହିଲେ ଶ୍ୟାମାଦେବୀଙ୍କର ମୁହଁକୁ । ସେହି ଓଠରୁ ଫୁଲ ପାଖୁଡ଼ା ପରି ହସ ଝରି ପଡ଼ୁଥିଲା । ତାଙ୍କର ତୁଣ୍ଡର କଥାଗୁଡ଼ିକ ତାଙ୍କର ବେଶପୋଷାକ ପରି ତାଙ୍କରି ଚାରିଆଡ଼େ ଖଞ୍ଜି ହୋଇଯାଇଥିଲା । ଲାବଣ୍ୟଭରା ମୁହଁର ଓ ମଦିର ଚାହାଣିର ସେହି ଅଳସ କଣ୍ଠସ୍ଵର ସତେ ଯେପରି ପ୍ରକାଶର ଗୋଟିଏ ମାର୍ଗ । ଶ୍ୟାମାଦେବୀ ନିଜେ ସୁଭାଷବାବୁଙ୍କୁ ଦେଖାଉଥିଲେ ଓଲଟା ବାଟ । ସେଠି ଶ୍ୟାମାଦେବୀ ଆପଣାର ଲୋକ ନୁହନ୍ତି–ପର ।

 

ସୁଭାଷବାବୁଙ୍କୁ ନିରେଖି ଚାହିଁ ଶ୍ୟାମାଦେବୀ କହିଲେ–ଦୁନିଆର ହାଟରେ ସମସ୍ତେ ଗୋଟିଏ ଗୋଟିଏ ପସରା ରଖନ୍ତି । ପସରା ନ ଥାଇ ବଣିଜ ଚଳେ ନାହିଁ । ପସରା ନ ଥିଲେ ହାଟ ଆପଣଙ୍କୁ ବାସନ୍ଦ କରିବ ।

 

–କ’ଣ ଆଜି ଦିନଯାକ ଆପଣ ଉପଦେଶ ଦେଉଛନ୍ତି ? ସେତେବେଳେ ପାପପୂଣ୍ୟ ବିଷୟରେ କହୁଥିଲେ ।

 

–ହଁ, କହୁଥିଲି ଦେବକୁ । ସେ ମତେ ଆସି ବୁଝାଉଥିଲା–ଆପଣଙ୍କୁ କହିବା ଉଚିତ ନୁହେଁ । ଆପଣ ଚିହ୍ନନ୍ତି ତାକୁ ?

 

–ନାଁ । ଆଜି ଯାହାକୁ ଦେଖିଥିଲି ଅଫିସରୁ ଫେରିଲାବେଳେ ସେଇ ହେଲେ ହେବେ ପରା ! ହେଇଥିଲେ ଚିହ୍ନିଛି । କିନ୍ତୁ କଥାଭାଷା ହୋଇ ନାହିଁ । ତାଙ୍କୁ ଦେଖି ମୋର ମନେ ହେଉଥିଲା ସେ ଯେମିତି କ’ଣ କହିବାକୁ ଚାହୁଁଥିଲେ ।

 

ନିଜର ଚଞ୍ଚଳତା ଲୁଚାଇ ଶ୍ୟାମାଦେବୀ କହିଲେ–ବଡ଼ ଭଲ ପିଲାଟିଏ । ହେଲେ ଭାରି ଅଭିମାନୀ । ଟିକିଏ ସ୍ନେହ ପାଇଁ ତାର ଭାରି ଅହନ୍ତା ।

 

–ପିଲା !

 

–ପିଲା ନୁହେଁ ତ ଆଉ କ’ଣ ?

 

ସୁଭାଷବାବୁ ହସିଲେ । ଶ୍ୟାମାଦେବୀ ଗମ୍ଭୀର ହୋଇଗଲେ । ତାଙ୍କ ଚାହାଣିରୁ ଉଦ୍ଧତ ଆସ୍ଫାଳନ ଝରି ପଡ଼ୁଥିଲା–ହିଂସ୍ର ପଶୁର କ୍ରୋଧ ପରି ।

 

ଧୀର ସଂଯତ ସ୍ଵରରେ ସୁଭାଷବାବୁ କହିଲେ–ଆପଣ ଗୋଟିଏ ଅଦ୍ଭୁତ ଲୋକ ।

 

–ସମସ୍ତେ ତ ଅଦ୍ଭୁତ ମୁଁ ଏକା କାହିଁକି । ଚାଲୁ ଚାଲୁ ଯାହା ଦେହରେ ଧକ୍କା ବାଜିଯାଏ । ସେ ହଠାତ୍ ଆଉ ଗୋଟିଏ ରୂପ ଦେଖାଇ ଦିଏ । ଆପଣ କ’ଣ ସେମିତି ନୁହଁନ୍ତି କି ?

 

–ମୁଁ କ’ଣ ସେମିତି ? କ’ଣ ଟିକିଏ–ଜିନିଷ ତ ନୁହେଁ, ଜିନିଷର ବାସ–ଛୁଇଁବା ତ ନୁହେଁ, ଖାଲି ଦେଖିବାକୁ ନିଜର ନୁହେଁ ବୋଲି ଜାଣି ମଧ୍ୟ ନିଜର କରିବାକୁ, କ’ଣ ମୁଁ ଆସି ନାହିଁ ? ମୁଁ ଅନ୍ୟ ପ୍ରକାରର କି ରୂପ ଦେଖାଇବି ? ଭିକ୍ଷୁକର ଓ ଆଶ୍ରୟ–ପ୍ରାର୍ଥୀର ଖାଲି ଗୋଟିଏ ରୂପ–କାକୁତି ମିନତି ଓ ଅଳି ।

 

ଚାରି ଆଖି ଏକାଠି ହୋଇଥିଲା । ଦୁହେଁ ହସିଥିଲେ ।

 

ନୀରବତା ଦୂର କରି ଶ୍ୟାମାଦେବୀ କହିଥିଲେ–ଯାଉଛି । ବହୁତ କାମ । ସଞ୍ଜ ଦେବି । ଘଣ୍ଟା ବାଜିଲାଣି ! ଆପଣ ଯାଆନ୍ତୁ । ଭାବିବେ । ପୁଣି ଦେଖା ହେବ ।

 

ଶ୍ୟାମାଦେବୀ ତାଙ୍କୁ ଠେଲି ବାହାର କରି ଦେଇଛନ୍ତି । ବାହାର କରିଦେବା ଆଗରୁ ଟାଣି ନେଇଥିଲେ ଅତି ନିକଟକୁ । ଏତେ ଆତ୍ମୀୟ ଅନ୍ତରଙ୍ଗ ପରି କେବେ ସେ କଥା କହି ନ ଥିଲେ-। ଆଉ ବି ଏତେ ତିରସ୍କାର କେବେ ସେ କରି ନ ଥିଲେ ।

 

ସୁଭାଷବାବୁଙ୍କୁ ଭଲ ଲାଗିଲା ନାହିଁ । ବଡ଼ ପସ୍ତେଇ ହେଲେ ସେଠିକି ଯାଇଥିବାରୁ । ଶ୍ୟାମାଦେବୀଙ୍କର ସମସ୍ତ ଆକର୍ଷଣ, ସମସ୍ତ ସୌନ୍ଦର୍ଯ୍ୟ ଲୁଚି ଯାଇଥିଲା । ସେଇ ବିଦାୟ ବେଳର ଶେଷ କେଇପଦ କଥା ଭିତରେ ।

 

ତହିଁ ଆରଦିନ ଆଉ ଦେଖା ହୋଇନାହିଁ । ପୁଣି ଦିନେ ତା’ ପରେ ଆଉଦିନେ ।

 

ଖାଲି ଯାହା ଦୂରରୁ ଶୁଭିଯାଏ ଶ୍ୟାମାଦେବୀଙ୍କର ପିଲାଙ୍କ ଉପରେ ଅତ୍ୟାଚାର, ଶାସନ.....କିରେ, ପଢ଼ୁନାହଁ, ଦୁଷ୍ଟାମି କରୁଛ ! ମତେ ଚିହ୍ନିନାହଁ ? ମୁଁ ଯେତିକି ସ୍ନେହ କରିପାରେ ସେତିକି ତମକୁ ସାଧ୍ୟ କରିପାରେ.....ଚାଲିଯାଉଛ କ’ଣ......ଯାଇପାରିବ ? କୋଉଠିକି ଯିବ ?

 

ଶ୍ୟାମାଦେବୀ କାହାକୁ କହୁଥିଲେ–ଭାରି ହୀନୀମାନ ହେଲେଣି । କ’ଣ ପାଇଁ କେଜାଣି–ମନଟା ସବୁବେଳେ ନଥିବା ଲୋକଙ୍କ ପାଇଁ ଅଧୀର ହୁଏ । ଦେଖି ନ ଥିଲେ ଦେଖିବାକୁ ଇଚ୍ଛାହୁଏ...କେହି ତ ବୁଝୁନାହାଁନ୍ତି ମୋ କଥା.....ଟିକକରେ ରୁଷିଯାଉଛନ୍ତି.......ମନରେ କେତେ କାନ୍ଦିବି ? –ମନଟା ବଡ଼ ଅବୁଝା.... ଯାହା ନ ମିଳଲା ତାରି ପାଇଁ ଝୁରିଲି !

 

ଓଠରେ ଓଠ ଚିପି ସୁଭାଷ ବାବୁ ପ୍ରତିଜ୍ଞା କରନ୍ତି–ନାଁ, ଏଥର ଆଉ ନୁହେଁ । ଦୁର୍ବଳତାର ସୁଯୋଗ ସେ ନେଉଛି । ଦୁର୍ବଳ କରିଦେଇ ହତାଦର ଦେଖାଉଛି ।

 

ଗୋଟିଏ ପ୍ରଶ୍ନବାଚକ ଚିହ୍ନ ପରି ଶ୍ୟାମାଦେବୀ ବାରମ୍ବାର ଭାସି ଉଠନ୍ତି ସୁଭାଷ ବାବୁଙ୍କ ଆଖି ଆଗରେ । ତାଙ୍କୁ ସେ ଚିହ୍ନିବାକୁ ଚେଷ୍ଟା କରନ୍ତି । ଶ୍ୟାମାଦେବୀ ତାଙ୍କୁ ଭଲ ପାଆନ୍ତି କି ନାହିଁ ବୁଝିବାକୁ ଚାହାଁନ୍ତି । ବିବ୍ରତ ହୋଇ ପଡ଼ନ୍ତି ।

 

ସେଇ ପ୍ରଶ୍ନର ଉତ୍ତର ତାଙ୍କର ଦରକାର । ତା’ରି ଉପରେ ସତେ ଯେପରି ତାଙ୍କର ଭବିଷ୍ୟତ ଥୁଆ ହୋଇଛି ।

 

ବାରମ୍ବାର ପାଖକୁ ଡାକି ଠେଲି ଦେଲେ ମଣିଷ କ’ଣ ସତରେ ଆନନ୍ଦ ପାଏ–ନାଁ ସେଇଟା ତା’ର ଅଭ୍ୟାସ ! ସବୁ ଉପରିସ୍ଥ କର୍ମଚାରୀ ଏମିତି ପାଖକୁ ନେଇ ଦୂରକୁ ଠେଲି ମାଡ଼ ମାରି ଆଉଁସି ଦେଇ, ବାରମ୍ବାର ଆଶ୍ଵାସନା ଦେଇ ଓ ହୁଙ୍କାର ଶୁଣାଇ ମନ ଭିତରୁ କାଢ଼ି ନେଉଛନ୍ତି–ମନର ରସ ।

 

ଦେବ ଆସେ––ଯାଏ । ସୁଭାଷ ବାବୁ ଲକ୍ଷ୍ୟ କରିଥିଲେ ଯେ ସେ ଦିନଠାରୁ ଦେବର ଯିବାଆସିବା ବହୁତ ବଢ଼ି ଯାଇଛି । ବହୁତ ବେଳ ରହେ । ଫେରିଲାବେଳେ ଖୁସି ଥିଲାପରି ଜଣାଯାଏ । ଆସିଲାବେଳେ ବଡ଼ ଉତ୍ସାହୀ ଥାଏ । ପିଲାମାନେ ମାମୁଁ ମାମୁଁ ହେଉଥାଆନ୍ତି । କିନ୍ତୁ ସେ ଶ୍ୟାମାଦେବୀଙ୍କୁ କ’ଣ କହେ କି ଶ୍ୟାମାଦେବୀ କ’ଣ କହନ୍ତି କିଛି ଶୁଭେ ନାହିଁ ।

 

ପହଲାମା’କୁ ପଚାରିବାକୁ ବେଳେବେଳେ ସୁଭାଷ ବାବୁ ମନ କରି ରହି ଯାଆନ୍ତି । ସେ ବି କିଛି କହେ ନାହିଁ । ସେ ଗୋଟାଏ ଅଦରକାରୀ ଲୋକ ପରି ଆସେ ଓ ଯାଏ–ଖାଲି ହାଜିରା ଦେବାକୁ ।

 

ସ୍ମୃତିର ମାଳା ଆଉ ନୂଆ ଫୁଲରେ ବୋଝେଇ ହୁଏ ନାହିଁ । ଝାଉଁଳି ଯାଏ ମନ ଭିତରେ-। କିନ୍ତୁ କୌତୂହଳ ବଢ଼ି ଉଠେ । ଶ୍ୟାମାଦେବୀଙ୍କୁ ଭଲରୂପେ ଜାଣିବାକୁ ନାନା ପାଞ୍ଚ କରନ୍ତି-

 

ବହୁତ ରୂପ ଦେଖାଇଛି । ବହୁତ ଅଭିନୟ କରିଛି । ଦେଖାଯାଉଛି ଯେ ଯେପରି ସେ ନିର୍ଦ୍ୱନ୍ଦ୍ୱରେ ନିର୍ବିରୋଧରେ ସୁଭାଷ ବାବୁଙ୍କ ସାଙ୍ଗରେ ମିଳାମିଶା କରିପାରେ, ସେମିତି ସେ ଦେବ ସାଙ୍ଗରେ ଖେଳେ । ଖେଳାଳୀ ବିଭିନ୍ନ ଖେଳ–ସାମଗ୍ରୀକୁ ନେଇ ଖେଳିଲାବେଳେ ସେ ଗୋଟିକ ଯାକ ତା’ରି । ଏହି ଅଭିନୟ କ’ଣ ତା’ର ଜୀବନ ! ତା’ର ପ୍ରକୃତି–ତା’ର ଅଭ୍ୟାସ ? ଅଭିନୟ ଭିତରେ କ’ଣ କେହି ସୁଖୀ ହୋଇପାରେ ?

 

ତାଙ୍କର ଦ୍ଵନ୍ଦ୍ୱ ଦୂର କରିବାକୁ ଶ୍ୟାମାଦେବୀଙ୍କର କଥା ବିଭିନ୍ନ ପ୍ରସଙ୍ଗରେ ଆସି କାନରେ ବାଜେ । କିନ୍ତୁ ଡାକରା ଆସେ ନାହିଁ । ସିତାର ବାଜେ ନାହିଁ । ପିଲାମାନେ ଆସନ୍ତି ନାହିଁ । ଶ୍ୟମାଦେବୀ ବି ଆଉ ଦେଖାଯାନ୍ତି ନାହିଁ ।

 

ସୁଭାଷବାବୁ କୋଠାଉପରେ ବସିଥାଆନ୍ତି ନିୟମ କଲାପରି ।

 

କେଶବବାବୁ ଫେରି ଆସିଛନ୍ତି । ସେ ଆସି ହଠାତ୍ ଅଭିଯୋଗ ଆରମ୍ଭ କଲେ–ଆପଣ କ୍ଷମା କରିବେ ଶ୍ୟାମାକୁ । ସେ ଜାଣେ ନାହିଁ ସେ ଆପଣଙ୍କ ପରି ଲେକକୁ ଘର ଜିମା ଦେବା ଏକାବେଳକେ ଭୁଲ୍ । ସେ ଆପଣଙ୍କୁ ଆମର ସମାନ ବନ୍ଧୁ ବୋଲି ସେପରି ଅନୁରୋଧ କରିଥିଲା । ସେ ବହୁତ କରି କ୍ଷମା ମାଗିଛି । ସେହି ଦିନୁ କୁଆଡ଼େ ରାଗକରି ଆମ ଘରଆଡ଼କୁ ଯାଉ ନାହାନ୍ତି ?

 

–କାହିଁ ନାହିଁ ତ ! ଯାଇ ପାରି ନାହିଁ କାମ ଥିଲା ବୋଲି ।

–ସେ ତ ସେୟା କହୁଛି । ଏତେ ପାଖରେ ଘର । ଆପଣ କୁଆଡ଼େ ଯାଆନ୍ତି ନାହିଁ । ରାତି ଅଧଯାଏ ଥଣ୍ଡା କାକରରେ ଛାତ ଉପରଟାରେ ବସିଥାଆନ୍ତି । କେବେ ଆସନ୍ତି ନାହିଁ । ତାକୁ ଡାକିବାକୁ ଡର ଲାଗେ କାଳେ ଆପଣ ଖରାପ ଭାବିବେ ବୋଲି ।

–ନାହିଁ ତ । ବେଳେ ବେଳେ ସିନା ବସେ । କ’ଣ ଆଉ କରନ୍ତି ? ତେବେ ଅନେକ ସମୟରେ ବାହାରେ ଥାଏ ।

–ମିଛ କଥା । ସେ ତ ଡାଇରି ରଖିଛି ଆପଣଙ୍କର । ମୁଁ ଦେଖି ଯାହା ହସିଲି ! ସେ ମତେ ବୁଝାଇଲା ଯେ, ବାହା ହୋଇନଥିବା ଲୋକେ ଏତିକି ବେଳରୁ ଏତିକି ବେଳ ତୁଚ୍ଛାଟାରେ ବସି ପାରନ୍ତି । ଆଉ କହିଲା–

–କ’ଣ କହିଲେ ?

–କହିବି ? ବିରକ୍ତ ହେବେ ନାହିଁ ତ ?

–କହନ୍ତୁ, କ’ଣ ସେ କହିଲେ ।

ହସି କେଶବବାବୁ କହିଲେ–କହୁଥିଲା ତମର ବନ୍ଧୁ, ଯେତେବେଳେ ଏକୁଟିଆ ଆସନ ପ୍ରାଣାୟାମ କି ଜପ ତପ କରୁଛନ୍ତି, ସେମିତି ବହୁତଦିନ କରିଗଲେ ଆମେ ତାଙ୍କୁ ହଜେଇବା । ସେ ଛାଡ଼ିଯିବେ ସମସ୍ତଙ୍କୁ–ଏଇ ବସା ଘର, ତାଙ୍କର ଚାକିରି ଆଉ ଆମ ସମସ୍ତଙ୍କୁ–ସବୁ ଛାଡ଼ିଦେବେ ।

 

ସୁଭାଷ ବାବୁ ହସିଲେ । –ଭଲ ଅଭିନୟ ଜାଣନ୍ତି ସେ । କେଡ଼େ ସୁନ୍ଦର କରି ମୋତେ ଆପଣଙ୍କ ଆଗରେ ଆଙ୍କି ଦେଲେ । ଆପଣ ବି ସତ ବୁଝିଲେ ।

 

–ଛନ୍ଦ କପଟ ନଥିବା ମଣିଷ । ସେଥିପାଇଁ ସେ ବଡ଼ ଦୁଃଖ କରେ ଯେ ତାକୁ ସମସ୍ତେ ଠକି ଦେଉଛନ୍ତି । କେହି ତାର ଆଦର ରଖେ ନାହିଁ । ମୋ ଉପରେ ତ ବହୁତ ଅଭିଯୋଗ, ବହୁତ ରାଗ । ଏଇ ଚାକିରି ଆମର ପେଟ ପୋଷୁ ନାହିଁ ଯେ ଆମ ମନକୁ ଦୁଇ ଭାଗ କରି ଦେଇଛି ।

 

–ଆପଣ କ’ଣ କହନ୍ତି ?

 

–କିଛି କହେ ନାହିଁ । ମୁଁ ଜାଣେ ଏଇଟା ତା’ର ଅଭିମାନ । ଅଭିମାନର କୌଣସି ମୂଲ୍ୟ ନାହିଁ–ଏଇ ଟଙ୍କା ପଇସାର, ପେଟ ପୋଷିବାର ଧନ୍ଦା ଭିତରେ । ସେଥିପାଇଁ ଶୁଣେ ଆଉ ତୁନି ରହେ ।

 

ସୁଭାଷ ବାବୁ କ’ଣ ସବୁ ଭାବୁଥିଲେ । କେଶବ ବାବୁ ପଚାରିଲେ–କଥା କ’ଣ କି, ଶ୍ୟାମାର ଜଣେ ସାଙ୍ଗ ତା’ର ସାନ ଭଉଣୀର ବିଭାଘର ପାଇଁ ତାଙ୍କୁ ଡାକି ନେଇଥିଲା । ମୁଁ ଜାଣୁଛି ଆଜି । ସେତିକିବେଳେ ଆପଣଙ୍କୁ ସେ ଘରର ଦାୟିତ୍ଵ ଦେଇଥିବାରୁ ଆପଣଙ୍କୁ କ୍ଷମା ମାଗିଛି । କ୍ଷମା ଦେଇ ଆପଣ ଆସିବେ ଆମ ଘରକୁ ।

 

–ଯାଇ ଥାଆନ୍ତି ତ ଆଜି । ଯିବି ନିଶ୍ଚୟ ।

 

–ଆଉ ଗସ୍ତରେ ଯାଇଥିଲେ ?

 

–ନାଁ ।

 

କୁନା ପହଞ୍ଚିଲା ବାପାଙ୍କୁ ଡାକିବାକୁ । କେଶବ ବାବୁ ଉଠିଲେ । ବ୍ୟସ୍ତ ହୋଇ କୁନା କହିଲା––ମଉସା ଯିବେ । ମା’ କହିଛନ୍ତି ।

 

–ଆସନ୍ତୁ ।

 

–ଏବେ ଟିକିଏ କାମ ଅଛି । ଗଲେ ଡେରି ହୋଇଯିବ । ଉପରଓଳି ଯିବି । ନିଶ୍ଚୟ ଯିବି-

 

ମୁହଁ ଶୁଖାଇ କେଶବ ବାବୁ କୁନାର ହାତ ଧରି ବାହାରି ଗଲେ । ଆହତ ଚାହାଣି କହି ଦେଉଥିଲା–ସୁଭାଷବାବୁଙ୍କର ହୃଦୟ ନାହିଁ ।

 

ବଡ଼ ଜଞ୍ଜାଳ ହେଲାଣି । ଅସମ୍ଭବ କଥା ! ଛାଡ଼ି ହେବ ନାହିଁ କି ଧରି ହେବ ନାହିଁ । ଏଇ ଘର ନ ଛାଡ଼ିଲେ ଆଉ ମୁକ୍ତି ନାହିଁ ।

 

–ହୋ ବେଣୁଧର, ଆଉ ଘର ପାଇବା ?

 

ଲଜ୍ଜିତ ହେଲା ପରେ ବେଣୁଧର କହିଲା ଯେ ସେ ଘର ଖୋଜି ନାହିଁ–ଖୋଜିବ କି ?

 

–ହଁ–ଖୋଜ । ଏ ଘରଟା ଏକଦମ୍ ନୂଆ । କବାଟର ରଙ୍ଗ ସବୁବେଳେ ଦେହରେ ଲାଗି ରହୁଛି । ମଣିଷ କେତେ କୋଠା ଉପରେ ବସି ରହିବ ।

 

–ତାକୁ ଭଡ଼ା ଦିଆ ହୋଇଛି ଦି’ ମାସର ।

 

–ସେ କ’ଣ ଫେରେଇବ ନାହିଁ ?

 

–କେଜାଣି ବାବୁ, ମୋର ବିଶ୍ଵାସ ପାଉନାହିଁ ।

 

ଦୀର୍ଘ ନିଶ୍ୱାସ ପକାଇ ସୁଭାଷବାବୁ କହିଲେ–ତେବେ ଦି’ ମାସ ଭୋଗିବା । ଅଉ ଉପାୟ କ’ଣ ।

 

ଆଖି ଆଗରେ ଶ୍ୟାମାଦେବୀ ଭାସି ଉଠିଥିଲେ–ଦୁଇମାସ ଯାଏ ତାଙ୍କର ସ୍ନେହ କହ, ପ୍ରୀତି କି ଅତ୍ୟାଚାର ଯାହା ବୁଝ–ତାଙ୍କର ଦୌରାତ୍ମ୍ୟରୁ ମୁକ୍ତି ନାହିଁ ।

 

ତୁହାଇ ତୁହାଇ ତାଙ୍କରି କଥା ମନକୁ ଆସୁଥିଲା । ଅଭିନୟ ହେଉ ଅବା ମନର କଥା ହେଉ, ଖିଆଲ ହେଉ କି ଯୋଜନା ହେଉ, ଶ୍ୟାମାଦେବୀ ସୁଭାଷବାବୁଙ୍କୁ ଭଲ ପାଆନ୍ତି–ଏଥିରେ କିଛି ମିଛ ନାହିଁ ।

 

ପଢ଼ାବେଳର କଥାସବୁ ମନେ ପଡ଼ୁଥିଲା । ଯୌବନ ହେଉଛି ଉପଭୋଗ ପାଇଁ । ତେବେ ଥରେ ଶ୍ୟାମାଦେବୀଙ୍କ ସାଙ୍ଗରେ ଖୋଲାଖୋଲି ବୁଝାମଣା କରିବା ଦରକାର । ତାଙ୍କରି ମୁହଁରୁ ଜାଣିବା ଚାହି–ସେ କ’ଣ ପାଇଁ, କି ଲାଭ ଆଶାରେ, ତାଙ୍କର କେଉଁ ଲକ୍ଷ୍ୟର ସିଦ୍ଧି ପାଇଁ ଜଣେ ଅଜଣା ଅଶୁଣା ଲୋକକୁ ଏପରି ମର୍ମାନ୍ତିକ କରିଛନ୍ତି !

 

ଶ୍ୟାମାଦେବୀଙ୍କ ଅଳସ କଣ୍ଠସ୍ଵର ତାଙ୍କୁ ଶୁଭିଲା । ସେ କେଶବବାବୁଙ୍କ ଉପରେ ବିରକ୍ତ ହୋଇ କହୁଛନ୍ତି–ଯେ ଏମିତି କଥାକୁ ଢାଙ୍କି ନପାରି ଘର କଥାକୁ ଯାଇ ବାହାରେ ଡାକେ ଫୁକାରେ ତାଙ୍କୁ କୋଉଠିକି ପଠାଇବା ଉଚିତ ନୁହେଁ ।

 

...ନାହିଁ ମ ! ସେ ମୋଟେ ସେ କଥାକୁ ଧରି ନାହାନ୍ତି ! ମୁଁ ଠିକ୍ ବୁଝିଛି ।

 

–କିଛି ବୁଝିନା ! ସେ ତେବେ ନିଶ୍ଚେ ଆସିବେ ?

 

–ହଉ ଦେଖିବା ।

 

ସୁଭାଷ ବାବୁ କାନ ଡେରି ବସି ରହିଲେ । ଆଉ କିଛି ଶୁଭିଲା ନାହିଁ । କିନ୍ତୁ ତାଙ୍କ ମନରୁ ସବୁ ଅଭିଯୋଗ ପୋଛି ହୋଇଗଲା । ନିଜକୁ ଦୋଷୀ ମନେ କରି ସେ ନିଜ ପାଖରେ କ୍ଷମା ମାଗିଲେ ।

 

ମଣିଷର ହୃଦୟ ହେଉଛି ତା’ର ସବୁଠାରୁ ବଡ଼ ବିଡ଼ମ୍ବନା ।

 

ଏତେ ଆଘାତ ଭିତରେ ପୁଣି ଥରେ ସୁଭାଷବାବୁଙ୍କ ମନ ଢଳିଥିଲା ଶ୍ୟାମାଦେବୀଙ୍କ ଆଡ଼େ । ସେ ଘଟଣାର କ୍ରମକୁ ବାରମ୍ବାର ମନେ ପକାଇ ଅଫିସ କାମରେ ଅନ୍ୟମନସ୍କ ହୋଇ ପଡ଼ିଥିଲେ । ସୁଖ ପାଉନଥିବା ଲୋକ ଏତେ ଏକାନ୍ତ ଭାବରେ ମନକୁ ଅଧିକାର କରିପାରେ ନାହିଁ-

 

ତଥାପି ଗୋଟାଏ ଦ୍ଵନ୍ଦ୍ୱ–ଗୋଟାଏ ସନ୍ଦେହ ବାରମ୍ବାର ଆସୁଥିଲା ଶ୍ୟାମାଦେବୀଙ୍କ ବ୍ୟବହାରର ରୁକ୍ଷତା କଥା ଭାବି ।

 

ସେ ଘଡ଼ି ଦେଖୁଥିଲେ । ବିକ୍ଷିପ୍ତ ମନରେ ବାହାରକୁ ଚାହୁଁଥିଲେ । ମନ ଭିତରେ ଗୋଟିଏ କଳ୍ପନାର ମାଳା–ଶ୍ୟାମାଦେବୀଙ୍କ ସାଙ୍ଗରେ ଦେଖା ହେବ । ପୁଣି ସେ ଫେରି ଯାଇଛନ୍ତି ପଛକୁ । ମନରେ କେମିତି ଉତ୍ସାହ ଓ ଆଗ୍ରହ–ଖାଲି ଯାହା ଟିକିଏ ବାଧା !

 

କାଳେ ଡେରି ହେଲେ ଡକରା ଆସିବ ସେଥିପାଇଁ ସୁଭାଷବାବୁ ଯାଇ ପହଞ୍ଚିଲେ । କେଶବବାବୁ ଗାଧୁଆ ଘରେ । ଶ୍ୟାମାଦେବୀ ମନ-ଉଛୁଳା ହସ ହସି ପଚାରିଲେ–ଆପଣଙ୍କପରି ଲୋକଙ୍କୁ ବିଶ୍ୱାସ ନାହିଁ । ଯିଏ ଆପଣଙ୍କୁ ମନ ବିକିବ ସେ ମଲା...ଆସନ୍ତୁ । ଆପଣଙ୍କ ପାଇଁ ଗୋଟିଏ ଭଲ ଜିନିଷ ରଖିଛି । ସେ ଆସିଲେ ସେ କଥା ପଡ଼ିବ ।

 

–‘ଯାଉଛି’ ବୋଲି ଭିତରୁ କେଶବବାବୁ କହିଲେ ।

 

–ହଁ ଆସ... ସୁଭାଷବାବୁ ତ ଏବେ ରହିବେ ବହୁତ ବେଳ... ଆପଣ ରାଗିଥିଲେ ନା ?

 

ଅଭିମାନିଆ ସ୍ଵରରେ ଅସ୍ପଷ୍ଟ କରି ସେ କହିଲେ–ଆଉ କ’ଣ କରନ୍ତି !

 

–ଛି, ମତେ କେତେ ବାଧିଛି ! ଆପଣ କ'ଣ ବୁଝିବେ !

 

–ଶ୍ୟାମାଦେବୀଙ୍କ ଆଖି ଛଳଛଳ ହୋଇ ଆସିଲା ।

 

ସୁଭାଷବାବୁ ଶ୍ୟାମାଦେବୀଙ୍କ ମନକୁ ବୁଝାଇବାକୁ କହିଲେ–ଆପଣ ଭାରି ଗୋଳମାଳ କଲେ । ଦି’ଦିନ ଦିନେ ନ ଆସିବାରୁ କେଶବବାବୁଙ୍କ ଆଗରେ ଫେରାଦ ହୋଇଗଲେ ନା ?

 

ଶ୍ୟାମାଦେବୀ ମୁହଁପୋତି ଠିଆ ହେଲେ–ସେ ଯେପରି ଆଉ କିଛି କହିବାକୁ ଚାହାନ୍ତି ନାହିଁ ସୁଭାଷ ବାବୁଙ୍କୁ ।

 

–ବଡ଼ ଭଲ ଫୁଲଗୁଡ଼ିଏ ହୋଇଛି ।

 

କେଶବବାବୁ ଆସି ଜବାବ ଦେଲେ–ଏ ଫୁଲରେ କ’ଣ କମ ଖର୍ଚ୍ଚ ! ସବୁଆଡ଼େ କଟାକଟି ହୋଇ ପାରିଲା । ଫୁଲ ବାବଦରେ କିଛି କଟିପାରିଲା ନାହିଁ...ମୁଁ ଭୁଲିଯାଇଥିଲି କହିବାକୁ-। ଆପଣ ମନାକଲେ ଫୁଲ ନେବାକୁ.... ସେଥିପାଇଁ ସେ ଭାରି ରୁଷିଛନ୍ତି ପରା ।

 

–ମନାକଲି ନାହିଁ ଯେ ଭାବିଲି, ଆମ ଘରର ନୂଆ କବାଟ ଖିଡ଼ିକି ରଙ୍ଗରେ ଭାସୁଛି । ସେଥିରେ ଫୁଲଗୁଡ଼ିକୁ ଅପଦସ୍ଥ କରି କିଛି ଲାଭ ନାହିଁ ।

 

ଶ୍ୟାମାଦେବୀ କହିଲେ–ସେଥିରେ ଆପଣଙ୍କର କ'ଣ ହେଲା ? ଯେ ଯାହା ଆପଣଙ୍କ ପାଇଁ କରିବ ସେଥିରେ ଆପଣଙ୍କର କ’ଣ ଅଛି କି ନାହିଁ – ସେକଥା ଭାବିବ କି ?

 

–ଠିଆହୋଇ ରହିଲେ ଯେ–କେଶବବାବୁ କହିଲେ ।

 

କେଶବବାବୁଙ୍କର କଥା ସମସ୍ତଙ୍କୁ ମନେପକାଇ ଦେଲା ଯେ ସୁଭାଷବାବୁ ଠିଆ ହୋଇ ରହିଛନ୍ତି ।

 

ବାଟ କଢ଼ାଇ ଗଲାବେଳେ ଶ୍ୟାମାଦେବୀ କହିଲେ–ତାଙ୍କର ତ ସବୁ କଥାକୁ ଅପମାନ–ରାଗ । କେଜାଣି ଏତିକି ଶୁଣି କାଳେ ସେ ପୁଣି ଶାସ୍ତି ଦେବେ !

 

ଗାଲିଚା ଉପରେ ବସିବା ଜାଗା । ପାଖରେ କାନ୍ଥକୁ ଡେରା ହୋଇଛି ସିତାରଟି, ଆଉ ଗୋଟିଏ ପାଖକୁ ଛୋଟ ଟେବୁଲ୍ ଉପରେ ଗୋଟିଏ ହାରମୋନିୟମ୍ ।

 

–ଆଜି ବାବୁ ତଳେ ବସିବେ । ଆପତ୍ତି ଅଛି କି ?

 

ଶ୍ୟାମାଦେବୀଙ୍କ କଥାଶୁଣି ସୁଭାଷବାବୁଙ୍କ ମୁହଁ ରଙ୍ଗ ପଡ଼ିଗଲା । ସେ ବିବ୍ରତ ହୋଇ କହିଲେ–ଆଜି ମୁଁ ଆପଣଙ୍କୁ ପଚାରୁଛି–ଏମିତି କଥାମାନ କହି ଆପଣ କି ସୁଖ ପାଆନ୍ତି ?

 

କେଶବବାବୁଙ୍କର ବିବ୍ରତ ମୁହଁକୁ ଚାହିଁ ଶ୍ୟାମାଦେବୀ ପଚାରିଲେ ସୁଭାଷବାବୁଙ୍କୁ–ଆପଣ ସେମିତି ବ୍ୟବହାରମାନ ଦେଖାଇ କ’ଣ ପାଆନ୍ତି ଜାଣିବାକୁ ମୁଁ କହୁଥିଲି । ...କହି ହସିଲେ-

 

–କି ବ୍ୟବହାର ?

 

–ଆସୁ ନ ଥିଲେ ନିମନ୍ତ୍ରଣ ନଗଲା ଯାଏ ।

 

–ଆସିବା ନ ଆସିବାର କାରଣ ଆପଣ ତ ନିଶ୍ଚୟ ଜାଣିଥିବେ । ତାଙ୍କୁ ଆଉ କହୁଥିଲେ କାହିଁକି ?

 

ସେମିତି ଅପ୍ରତିଭ ଅବିଚଳିତ କଣ୍ଠରେ ଶ୍ୟାମାଦେବୀ କହିଲେ ଜାଣେ ତ । ଆପଣଙ୍କ ପରି ଲୋକମାନେ ଖାଲି ବାହାରଟା ଦେଖନ୍ତି । ଭିତର ବୁଝନ୍ତି ନାହିଁ । ସାମାନ୍ୟ କଥାକୁ ଅପମାନ ଆଘାତ ବୋଲି ଧରି ନେବାରେ ବଡ଼ ପାରିବାର ।

 

–ଚାବି ପାଇଁ ମୁଁ ବି ମୋଟେ ବିରକ୍ତ ହୋଇ ନାହିଁ ।

 

–ହଁ ହେଇଛନ୍ତି । ଗଲାପରେ ମୋର ମନେ ପଡ଼ିଲା–ବାବୁ ପହଲାମା ଜିମାରେ ଘର ଦେଇଯାଆନ୍ତି । ଆଉ ଆମେ ବାବୁଙ୍କୁ ଜଗୁଆଳି ରଖେଇ ଗଲୁ ।

 

–ସେ ତ ମୋର ଗୌରବ ।

 

–ହଁ, ଗୌରବ ତ ! ଆପଣ ଦିନକର ଚିହ୍ନାରେ ପହଲାମା’କୁ ବିଶ୍ୱାସ କରି ପାରନ୍ତି । ଆଉ ଆମେ ଏତେ ଚଳପ୍ରଚଳ ହୋଇ ପହଲାମା’କୁ ସେତିକି ଅଧିକାର ଦେଇ ପାରୁନାହିଁ ।

 

କେଶବବାବୁ ଶ୍ୟାମାଦେବୀଙ୍କ କଥାକୁ ସମର୍ଥନ କରି କହିଲେ–ସୁଭାଷବାବୁ ଜଣେ ଦେବ–ପ୍ରକୃତିର ଲୋକ !

 

ବିଦ୍ରୂପ, କଲାପରି ଶ୍ୟାମାଦେବୀ କହିଲେ–ତୁମେ ଏବେ ଗାଧୋଇ ଆସିଛ ନାଁ । ଚାରିଆଡ଼େ ଦେବତା ଦେଖୁଛ । ହଉ, ଯାଅ କି ଭଲକରି ମୁଣ୍ଡ ସଜାଡ଼ି ଲୁଗାପଟା ପିନ୍ଧି ଆସିବ ।

 

ହୁକୁମ ମାନି କେଶବବାବୁ ଉଠିଗଲେ ଭିତରକୁ । ଶ୍ୟାମାଦେବୀ ଧୀର ସ୍ୱରରେ ପଚାରିଲେ–ଦେବତା ! ଆଉ କ’ଣ କହିବାର ଅଛି ?

 

କରୁଣ ପ୍ରୀତିମଖା ଆଖିରେ ସୁଭାଷବାବୁ ଚାହିଁଲେ ଶ୍ୟାମାଦେବୀଙ୍କୁ । ଏକାଠି ବସିଛନ୍ତି ପରସ୍ପର ନିକଟରେ । ଘରେ ଆଉ କେହି ନାହିଁ । ପିଲାମାନେ ବୁଲି ଯାଇଛନ୍ତି । କେଶବବାବୁ ପାଖ ଘରେ ।

 

ଦି’ପଦ କଥା କହିବାର ସୁବିଧା ଯେତିକି ଅଛି, ସେତିକି ନାହିଁ ।

 

କ୍ଷୀଣ ସ୍ଵରରେ ପଚାରିଲେ–ମୋତେ କ୍ଷମା ଦେଇଛନ୍ତି ?

 

ମୁଣ୍ଡ ହଲାଇ ଶ୍ୟାମାଦେବୀ ସମ୍ମତି ଜଣାଇଲେ । ଠିକ୍ ତା’ରି ପରେ ପରେ କହିଲେ–କେତେବେଳେ ହେଲେ ଦେବତ୍ଵ ଛାଡ଼ିବେ ନାହିଁଟି । ମଣିଷ ବାଛିନେବା ଉଚିତ–ସେ ଠାକୁର ହେବ କି ହେବ ନାହିଁ । ଠାକୁର ହୋଇ ତଳକୁ ଖସିବା ଉଚିତ ନୁହେଁ ।...ସେମିତି ପହଲାମା’କୁ ସବୁଦିନେ ପୂଜା କରୁଥାନ୍ତୁ ।

 

ସୁଭାଷବାବୁଙ୍କର ଆଖି ଲାଲ ପଡ଼ି ଯାଇଥିଲା । ସେ ବିହ୍ଵଳ ଦୃଷ୍ଟିରେ, ଅପଲକ ଆଖିରେ ଚାହିଁଥିଲେ ଶ୍ୟାମାଦେବୀଙ୍କୁ । ଶ୍ୟାମାଦେବୀଙ୍କର ଭୟ ହୋଇଥିଲା–ସେ ଝଡ଼ ଉଠାଇଛନ୍ତି ବୁଭୁକ୍ଷୁ ପୁରୁଷର ମନରେ । ଦୁର୍ନିବାର କାମନାର ଝଡ଼ ।

 

କଥା ବୁଲାଇବାକୁ ସେ ଥରଥର କଣ୍ଠ ସ୍ଵରରେ ପଚାରିଲେ–ସିତାର ଶୁଣିବେ କି ? ମତେ ସିତାର ବଜାଇବାକୁ ଭାରି ଭଲ ଲାଗେ ।

 

ସୁଭାଷବାବୁଙ୍କର ଚାହାଣି ବଦଳି ନାହିଁ ।

 

ସେ ପୁଣି ପଚାରିଲେ ସିତାର ପାଖକୁ ଘୁଞ୍ଚିଯାଇ–ଏଇଟା ମୋର ସବୁଠାରୁ ପ୍ରିୟ ସାଥି । ମନର ବହୁତ ଦୁଃଖ, ନାନାପ୍ରକାରର ଅଭିମାନ, ବାଧା ମୋର ଦୂର ହୋଇଯାଏ....ଧ ରେ କହିଲେ–ଆଜି ବି ବିପଦର ମେଘ କଟିଯିବ ।

 

ତାଙ୍କର ଶେଷ କେଇପଦ ଶୁଣିବାକୁ ସୁଭାଷବାବୁ ଟିକିଏ ମୁଣ୍ଡ ତଳକୁ କଲେ ।

 

ଶ୍ୟାମାଦେବୀ ପଚାରିଲେ–ଶୁଣିବେ ?

 

–ଆପଣଙ୍କର ଯାହା ଇଚ୍ଛା !

 

ସିତାର ତାରରେ ମେଜ୍‍ରାବ୍ ଦ୍ଵାରା ଝଙ୍କାର ଉଠାଇ, ଅଳସ ହସ ହସି, ଯନ୍ତ୍ରର ଶବ୍ଦଠାରୁ ନୂଆଁଣିଆ ସ୍ୱରରେ କହିଲେ–ଇଚ୍ଛା ସ୍ୱାଧୀନତାର ଆଶ୍ରୟ ନିଏ । ମୋର ଇଚ୍ଛା ହେଉଛି–ଏମିତି ବସି ଅଖଣ୍ଡ କାଳଯାଏ କଥା ହେଉଥାନ୍ତେ, କିନ୍ତୁ ସେ....

 

ସିତାର ବାଜି ଉଠିଲା । ଶ୍ୟାମାଦେବୀଙ୍କ ମନରେ ବିକ୍ଷୋଭ ଝରି ପଡ଼ିଲା ସିତାର’ର ତାର ଉପରେ । ସିତାର ବଜାଇଲାବେଳେ ନର୍ତ୍ତକୀର ଛନ୍ଦଭରା ମୁଦ୍ରା ପରି ସୁଭାଷବାବୁଙ୍କ ଅପଲକ ଆଖି ଆଗରେ ଶ୍ୟାମାଦେବୀଙ୍କର ସବୁ ଲାବଣ୍ୟ ଉଲ୍‍କାପାତର ଉଜ୍ଜ୍ୱଳତାରେ ବିଞ୍ଚିହୋଇ ପଡ଼ୁଥିଲା ।

 

କେଶବବାବୁ ଆସିଲେ । ସିତାର ବନ୍ଦ କରି ଶ୍ୟାମାଦେବୀ କହିଲେ–ତୁମେ ଯେତେ ସିତାରକୁ ଭଲପାଅ; ସୁଭାଷବାବୁ ସେତିକି ନାପସନ୍ଦ କରନ୍ତି । ଖାଲି ବାଧ୍ୟରେ ସେ ଶୁଣୁଥିଲେ ।

 

–‘ନାହିଁ ବଜାନ୍ତୁ'– ସୁଭାଷବାବୁ କହିଲେ ।

 

ମନ ଏକୁଟିଆ ଥିଲାବେଳେ ଆଉ ବ୍ୟସ୍ତ ଥିଲାବେଳେ ଏହି ସିତାରଟି ଅଲଗା ଅଲଗା ପ୍ରକାରର ବାଜେ । ଶୁଣିବା ଲୋକ ବି ସେମିତି ତା’ର ମନନେଇ ସେଥିରୁ ଅଲଗା ଅଲଗା ଆନନ୍ଦ ପାଏ । ଆପଣ ଆଜି ଚିନ୍ତିତ ଅଛନ୍ତି । ମନ ବିରକ୍ତ ଥିଲାବେଳେ ଏସବୁ ଭଲ ଲାଗେ ନାହିଁ । ମୁଁ ବି ବଜାଏ ନାହିଁ । ....ଆପଣ ଶୁଣିଥିବେ ଦିନେ ।

 

–ହଁ, ଥରେ ଆପଣ ବଜାଉଥିଲେ । ମତେ ଭାରି ଭଲ ଲାଗୁଥିଲା ଦୂରରୁ । ପାଖରେ ଶୁଣିଲି ଆଜି–ଆଉ ପ୍ରକାରେ ଲାଗୁଛି ।

 

–ଚା’ ଆଣେ, କହି ଉଠିଲାବେଳେ ଶ୍ୟାମାଦେବୀ କହିଲେ–ସବୁ ଜିନିଷ ତ ସେମିତି ଦୁଇଟା ରୂପ, ଦୁଇ ପ୍ରକାରର ଅନୁଭବ ଆଣି ଦିଅନ୍ତି–ପାଖରେ ଆଉ ଦୂରରେ । ଏକାଠି କରି ମଣିଷ କେତେବେଳେ ହେଲେ ସେଇ ଜିନିଷକୁ ପାଖରେ ଆଉ ଦୂରରେ ଏକାପରି ଭଲ ପାଇପାରେ ନାହିଁ । ପାଉଥିଲେ ଏ ସଂସାରଟା କେତେ ମନୋହର ନ ହୁଅନ୍ତା ।

ଶ୍ୟାମାଦେବୀ ରୋଷେଇ ଘରକୁ ଚାଲିଗଲେ । ଛାଡ଼ିଦେଇ ଗଲେ ଦୁଇଟି ପ୍ରେମିକଙ୍କୁ–ଜଣେ ଦୂରରୁ, ଆଉ ଜଣେ ନିକଟରୁ ତାଙ୍କୁ ସବୁ ପ୍ରକାରରେ ପୂଜା କରୁଛନ୍ତି ।

ସୁଭାଷବାବୁ କେଶବବାବୁଙ୍କୁ ଅଭିବାଦନ ଜଣାଇଲେ–ଶ୍ୟାମାଦେବୀ ବଡ଼ ବିଚକ୍ଷଣ ।

–ବିଚକ୍ଷଣ କ’ଣ ? ସବୁ ସ୍ତ୍ରୀ ତ ଏମିତି । ଟିକିଏ ବେଶି କମ–ନ ହେଲେ–

–ପାଖରେ ପାଇ ଆପଣ ବୁଝି ନାହାନ୍ତି । ପ୍ରକୃତରେ ଅତି ପରିଚୟରୁ ଗୌରବ ନଷ୍ଟ ହୁଏ ।

–ଆପଣ ବିଭା ହେଲେ ବୁଝିବେ ଯେ ଆପଣଙ୍କର ସ୍ତ୍ରୀ ଠିକ୍‍ ସେମିତି ଆମର ଏଇ ଶ୍ୟାମାପରି ବୁଦ୍ଧିମତୀ ଆଉ ସୁନ୍ଦରୀ । ସେ ଭରିଦେବେ ଆପଣଙ୍କର ଜୀବନକୁ ଆନନ୍ଦ କୋଳାହଳରେ ।

ସୁଭାଷବାବୁ ସନ୍ଦେହ କରିଥିଲେ–ଏମିତି କ’ଣ ସବୁଠାରେ ଆଉ ସବୁବେଳେ ସମ୍ଭବ ?

ତାଙ୍କୁ ନୀରବ ରହିବା ଦେଖି କେଶବବାବୁ ପୁଣି ଥରେ କହିଥିଲେ–ବିଭା ହୁଅନ୍ତୁ । ପରୀକ୍ଷାକରି ଦେଖନ୍ତୁ । ଭାବିବା ଆଉ ଦେଖିବା ଭିତରେ ବହୁତ ପ୍ରଭେଦ । ନିଜେ କରିବା ଆଉ ଅନ୍ୟର କରିବା ଭିତରେ ବହୁତ ଫରକ ।

 

ଶ୍ୟାମାଦେବୀ ଫେରିଆସି ସ୍ଵାମୀଙ୍କ କଥାରେ ଜବାବ ଦେଲେ । ଯାହାହେଉ, ଗାଧୋଇବା ପରେ ଯାହାଙ୍କୁ ଦେବତା ସ୍ଥାନରେ ବସାଇଥିଲ, ତାଙ୍କୁ ଏବେ ଶିଷ୍ୟର ସ୍ଥାନ ଦେଲଣି । ବଢ଼ିଆ ଥିଏଟର କରିପାରୁଛ ।–କହି ହସିଲେ ଦୁହିଁଙ୍କୁ ଚାହିଁ ।

 

ଶ୍ୟାମାଦେବୀଙ୍କର ହସ ଦୁହିଁଙ୍କ ମନରେ ବିଭିନ୍ନ ପ୍ରକାରର ଭାବର ତରଙ୍ଗ ଖେଳାଇଥିଲା । ସେ ଯେମିତି ଅଳପ କଥାରେ ତୁଳନା କରି ପରାମର୍ଶ ଦେଇ କହିଥିଲେ–ପରାମର୍ଶ ଦେବାର ଯୋଗ୍ୟତା ଏକା ଶ୍ୟାମାଦେବୀଙ୍କର ଅଛି ।

 

ଖାଇବା ସରଞ୍ଜାମ ହାତରୁ ଓହ୍ଲାଇ ଦେଇ ସେ ପଚାରିଲେ–ହଁ, ଏଥର ଶୁଣିବା, କ’ଣ ସବୁ ହେଲା । ମୋତେ ଅଳ୍ପ ଅଳ୍ପ ଶୁଭିଛି । ସୁଭାଷବାବୁଙ୍କୁ ଚାହିଁ ପଚାରିଲେ–ଆପଣ ତ ବେଶି ତୁଣ୍ଡ ଖୋଲନ୍ତି ନାହିଁ । ଆପଣ କହନ୍ତୁ କ'ଣ ସବୁ ସ୍ଥିର ହେଲା ।

 

–ସେ କହୁଥିଲେ ଆପଣ ଭାରି ଭଲ ବୋଲି ।

 

–ସେ କହିଲେ କ'ଣ ହେଲା । ନିଜର ଲୋକେ ତ ଭଲ କହିବେ । ଭଲ ନ କହି ତାଙ୍କର ଚାରା କାହିଁ ? ବାହାରର ଲୋକ ଭଲ କହିଲେ ସିନା କାମକୁ ପାଆନ୍ତା । ଆପଣ କଣ କହୁଛନ୍ତି ? ଗୋଟିଏ ଭଲ ଉତ୍ତର ଦେବାକୁ ସୁଭାଷବାବୁ ମନରେ ଯୋଜନା କଲେ । କେଶବବାବୁ ଚା’ରେ ଚିନି ମିଶାଉଥିଲେ ।

 

–ମୁଁ ତ ସବୁବେଳେ କହୁଛି ଯେ ଆପଣଙ୍କ ପରି ଲୋକ ଲକ୍ଷେ ହଜାରରେ ଗୋଟିଏ ବି ମିଳିବେ ନାହିଁ ।

 

–ଆହା, ସତେ ଯେମିତି ଲକ୍ଷେ ହଜାର ଲୋକ ଦେଖିଛନ୍ତି । ପାଞ୍ଚ ତିନୋଟି ଦେଖି ନ ଥିବେ–କହି ଶ୍ୟାମାଦେବୀ ହସିଲେ । ସେ ହସ ସୁଭାଷବାବୁଙ୍କୁ ଥରେଇ ଦେଲା ମନ ଭିତରେ ।

 

କେଶବବାବୁ କହିଲେ–ଜଣକୁ ଭଲ ବୋଲି ଜାଣିବାକୁ ଦୁନିଆଯାକ ଲୋକଙ୍କୁ ଜାଣିବା ଦରକାର ନାହିଁ । ତମେ ସବୁ କଥାରେ ଅସନ୍ତୁଷ୍ଟ । ପ୍ରଶଂସାରେ ବି–

 

–ପ୍ରଶଂସା ! ମୋ'ର ନା ତମର ? ତମ ମନରେ ସନ୍ଦେହ ରହୁଛି ନା, ସେଥିପାଇଁ ବାହାର ଲୋକଙ୍କର ପ୍ରଶଂସା ଶୁଣିଲେ ତମେ ଖୁସି ହୋଇଯାଅ । ତମର ସନ୍ଦେହ କମିଯାଏ ।

 

ସୁଭାଷବାବୁ ପ୍ରତିବାଦ କରି କହିଲେ–କିଛି ବୁଝନ୍ତି ନାହିଁ ଆପଣ । ବିଚାର କରିବାର ବାଟ ଆପଣ ଶିଖି ନାହାନ୍ତି । ବହୁତ ଜିନିଷରେ ବି ଯେମିତି ଭଲ ମନ୍ଦ ବାରି ହୁଏ, ଗୋଟିଏ ଜିନିଷକୁ ଭଲ କରି ଦେଖିଲେ ଠିକ୍ ସେମିତି ଜାଣି ହୁଏ ।

 

–ଆପଣ କିଛି ଦେଖି ନାହାନ୍ତି । ଗୋଟିଏ ବି ନୁହେଁ,ଦଶ ପଚିଶ ବି ନୁହେଁ । ଆପଣଙ୍କର କହିବା କଥାର କି କଦର ?

 

–ତେବେ ମୋର କହିବାର କିଛି ନାହିଁ ।

 

–ନାହିଁ କାହିଁକି, ଅଛି । ଠିକ୍ କଥା କହିଲେ ସିନା–ମୁଁ କହୁଛି ଶୁଣନ୍ତୁ । ମଣିଷକୁ ଠିକ୍ ଚଳେଇ ପାରିଲେ ମଣିଷ ସବୁ ଦେବ ଆପଣଙ୍କୁ । ଭୁଲ ବାଟରେ ତାକୁ ବ୍ୟବହାର କଲେ ସେ ଆପଣଙ୍କୁ ଖାଲି ଗାଳିମନ୍ଦ ଅଭିଶାପ ନୁହେଁ–ନିନ୍ଦା, ଅପମାନ, ଆଘାତ–ସବୁ ଦେବ । ଭଲ ଜିନିଷ ମିଳିଲେ ପ୍ରଶଂସା ଯେମିତି ଅଜାଡ଼ି ହୋଇପଡ଼େ, ଭଲ ଭଲ ବୋଲି ପାଟି ଗୋଳ ହୁଏ; ସେମିତି ଖରାପ ଜିନିଷ ମିଳିଲେ ନିନ୍ଦା ବି ଅଜାଡ଼ି ହୋଇପଡ଼େ ।

 

–ଆପଣ ସେମିତି ନୁହନ୍ତି ତ !

 

–ଅବଜ୍ଞାର ହସ ହସି ଶ୍ୟାମାଦେବୀ କହିଲେ–ମୁଁ କଣ ମୋର ଦୋଷଗୁଣ ବୁଝେ ନାହିଁ-? ମୋର ଗୁଣ ଯେମିତି ଅଛି, ଦୋଷ ବି ସେମିତି ଅଛି । ଆଜି ଆପଣଙ୍କୁ ମୋର ସବୁ ଗୁଣ ଦିଶିଯାଉଛି । ଆଉ ଟିକକରେ ସେମିତି ଖାଲି ଦୋଷ ଦିଶିବ । ହଉ, କଥା ବହୁତ ହେଲାଣି-

 

ବିଷଣ୍ଣ ଚାହାଣିରେ ସୁଭାଷବାବୁ ଚାହିଁଲେ–ଚା’ ଜଳଖିଆ ଆଡ଼େ । ମନଟାକୁ ଅସ୍ଥିର ଅଶାନ୍ତ କରି ଛାଡ଼ି ଦେଇ ଶ୍ୟାମାଦେବୀ ତାଙ୍କୁ ଅନ୍ୟ ଜିନିଷରେ ଲଗାଇବାକୁ ଚାହୁଁଛନ୍ତି ।

 

ତାଙ୍କର ମଳିନ ମୁହଁକୁ ଚାହିଁ ଆଖିରେ ସହାନୁଭୂତି ଦେଖାଇ ଶ୍ୟାମାଦେବୀ ଉଠିଗଲେ । ଗଲାବେଳେ କହିଲେ....

 

–ଭଲ ମଣିଷର ହାତ ତିଆରି ଜିନିଷ ଭଲ ଲାଗୁଛି କି ନାହିଁ ଦେଖନ୍ତୁ । ରୂପ ନ ଥିଲେ ବି ବ୍ୟବହାର ସୁନ୍ଦର ହୋଇପାରେ । ଭଲ ବ୍ୟବହାର ନ ଥିଲେ ବି ହାତ ତିଆରି କାମ ମନକୁ ରୁଚି କରେ । ତେବେ ଖାଇଲାବେଳେ ଭାବି ଦେଖନ୍ତୁ ଶ୍ୟାମା କେତେ ଭଲ କି ଖରାପ ।

 

ଦିହେଁ ଚାହିଁ ରହିଲେ ଶ୍ୟାମାଦେବୀଙ୍କ ଆଡ଼େ । କେଶବବାବୁ ଜୋର ଗଳାରେ କହିଲେ–ସବୁବେଳେ ପରା ଏମିତି । ସବୁ ଜିନିଷରୁ ଚୋପା ଛଡ଼ାନ୍ତି ବୋଲି ମତେ ବେଳେବେଳେ ଭାରି ବିରକ୍ତ ଲାଗେ ।

 

–ଭାରି ସୁନ୍ଦର କଥାମାନ କହୁଛନ୍ତି ।

 

–ସୁନ୍ଦର କଥା ଶୁଣିବାକୁ ପିଲାବେଳେ ଭଲ ଲାଗେ । ଏଇ ସଂସାରୀର ଘୋରଣା ଭିତରେ ସେଗୁଡ଼ାକ କ'ଣ ଦରକାର ? ମୁଁ ତ ଦେଖିଛି କାମ ନ କରି ଗୁଡ଼ାଏ ଭଲ କଥା କହିଲେ କିଛି ସୁବିଧା ହୁଏ ନାହିଁ ।

 

–ତେବେ ଜୀବନକୁ ଉପଭୋଗ କରିବାକୁ–

 

–ଏତିକି କ'ଣ ଆପଣ ଜାଣନ୍ତି ନାହିଁ ଯେ ଜୀବନକୁ ଉପଭୋଗ କରିବାକୁ କଥା କିଛି କାମରେ ଲାଗେ ନାହିଁ । ରସରସିଆ କଥା ଖାଲି ପଢ଼ିବାକୁ–ନ ହେଲେ ଥିଏଟରରେ ଦେଖିବାକୁ ଭଲଲାଗେ । ଘରେ ସେଗୁଡ଼ିକ କିଛି କାମ ଦିଏ ନାହିଁ ।

 

–ଭାରି ଗଦ୍ୟମୟ ଜୀବନ ଆପଣଙ୍କର !

 

–ଯାହାହେଉ ଖୁସି ହେଲି । ଆପଣ ଅନୁଭବୀ ହୋଇ ନାହାନ୍ତି ବୋଲି ଜୀବନରୁ କବିତା–କାଢ଼ୁଛନ୍ତି । କବିତା ବହି ଯେମିତି ବିକ୍ରି ହୁଏନାହିଁ, କବିତା–ଭରା ଜୀବନ ସେମିତି ଭଲ ଚାଲେ ନାହିଁ ।

 

କଜଳ ଗାର

–ହବାର କଥା ତ ! ଆପଣ ସବୁବେଳେ ଏତେ ସୁନ୍ଦର କବିତା ପାଉଛନ୍ତି ବୋଲି ସେଥିରେ ଅନୁରାଗୀ ନୁହଁନ୍ତି । ଆମେ କିନ୍ତୁ ସେତିକି ନିଜର ଆଦର୍ଶ ଆଉ ଲକ୍ଷ୍ୟ ବୋଲି ଧରି ରଖିଛୁ-

 

–ସୁବିଧା ଥିଲେ ମୁଁ ଆପଣଙ୍କୁ ଦେଖାଇ ଦିଅନ୍ତି ଯେ କବିତା ସାଙ୍ଗରେ ଘର କରିବା ବିଡ଼ମ୍ବନା । ଶ୍ୟାମାଦେବୀ ଫେରି ଆସୁଛନ୍ତି । ତାଙ୍କ ବିଷୟରେ ଆଉ ଆଲୋଚନା କରିବା ଠିକ୍ ହେବ ନାହିଁ । କେଶବବାବୁ ମୁହଁ ବୁଲାଇ ଚାହିଁଲେ ଶ୍ୟାମାଦେବୀଙ୍କୁ– ଖାଲି ଦରକାରୀ ମଣିଷଟିଏ-। କବିତା କାହିଁ ?

 

ଶ୍ୟାମାଦେବୀଙ୍କୁ କହିଲେ–ସୁଭାଷବାବୁ କହୁଛନ୍ତି ଯେ ଆମେ ଗୋଟିଏ ଗୋଟିଏ କବିତା । ତାଙ୍କୁ ଗୋଟିଏ ଦିଅନ୍ତ ନାହିଁ ?

 

–ନେବେ କି ? ମୁଁ ତ ଗୋଟିଏ ଝିଅ ବାଛିଛି । ଦେଖିବାକୁ ଶ୍ୟାମଳୀ । ସଙ୍ଗୀତରେ ପୁରସ୍କାର ପାଇଛି । ଘର କାମ ସବୁ ଜାଣେ । ମୋଠାରୁ ବେଶୀ ପଢ଼ିଛି । ଭାରି ମିଠା ବ୍ୟବହାର......

 

ସୁଭାଷବାବୁଙ୍କର ମୁହଁରେ ଘୋର ବିରକ୍ତି ଦେଖା ଦେଉଥିଲା । କେଶବବାବୁ କହିଲେ–ଥାଉ, ସେ ସୁଖ ପାଉ ନାହାନ୍ତି ଶୁଣିବାକୁ ।

 

ସୁଭାଷବାବୁ ଚମକି ପଡ଼ିଲେ । ଶ୍ୟାମାଦେବୀଙ୍କ ମୁହଁକୁ ଚାହିଁ ପଚାରିଲେ–ମଣିଷ କ’ଣ ଏକାପରି ସବୁ ବିଷୟରେ ମଜ୍ଜି ଯାଇପାରେ ? ଜଣକୁ ଭଲ ପାଇ ପାରିଲେ କ’ଣ ସମସ୍ତଙ୍କୁ ଠିକ୍ ସେମିତି ଭଲ ପାଇ ପାରିବ ?

 

–ତାହାହେଲେ ଆପଣ ଭଲ ମଣିଷ ନୁହନ୍ତି । ଆପଣଙ୍କ ମନରେ ନଥିବା ପଦାର୍ଥ ପାଇଁ, ନ ମିଳିବା ଜିନିଷ ପାଇଁ ଆଗ୍ରହ ଅଛି । ଆପଣ ଭଲ ଜିନିଷରେ ସେହି ମନକୁ ଲଗାଇ ପାରିବେ ନାହିଁ । ଆମେ ସ୍ତ୍ରୀମାନେ ଏମିତିକା ଲୋକଙ୍କୁ ଭଲ ପାଉ ନାହିଁ । କେହି ଭଲ ପାଆନ୍ତି ନାହିଁ । ଆମର ପିଲାମାନେ ବି ଯଦି କଣ୍ଢେଇ ଆଉ କଣ୍ଢେଇ ଭିତରେ ପାତର ଅନ୍ତର କରନ୍ତି–ତେବେ ଆପଣଙ୍କୁ ଏତେ ବୁଝେଇ ଲାଭ କ’ଣ । ବିଭା ହେବେ ?

 

–ନାଁ ।

 

–କାହିଁକି ? ସ୍ଵାଧୀନତା ଚାଲିଯିବ ବୋଲି ଡରୁଛନ୍ତି କି ? ମନେ ରଖିଥିବେ କାହାରି ସ୍ଵାଧୀନତା ନାହିଁ । କିଏ ମାଟିରେ କିଏ ମଣିଷରେ, ନ ହେଲେ ଆକାଶ ସାଙ୍ଗରେ ଲାଗିଛି । ବନ୍ଧା ହୋଇ ନ ଥିଲେ ମଣିଷ ଉଡ଼ିଯିବ ଏହି ସଂସାରରୁ ।

 

କେଶବବାବୁ କହିଲେ–ଛାଡ଼ ମ । ସିଧାସଳଖ ନ କହି ଏତେ କୋଟିକମ କରି କ’ଣ ପଚାରି ହେଉଛ !

 

–ଅମାନିଆ ଲୋକ ବୋଲି ତାଙ୍କର ମନ ନେବାକୁ ତାଙ୍କୁ ଭଜେଇବାକୁ ଏତେ କଥା କହିବା ଦରକାର ପଡ଼ୁଛି । ସେ ପରା ଗଦ୍ୟ ପଦ୍ୟ କରୁଛନ୍ତି । ଯିଏ ତ ଗଦ୍ୟ ଲେଖେ ସେଇ ବି ପଦ୍ୟ ଲେଖେ । ଏକା କଥାରୁ ଗଦ୍ୟ ବି ହୁଏ ପଦ୍ୟ ବି ହୁଏ । ବାବୁ ଆମର କହୁଛନ୍ତି ସେ ଭଜା ଭର୍ତ୍ତା ଖାଇବେ ନାହିଁ । ଖାଲି ରସା ଆଉ ଆମ୍ୱିଳ ଖାଇବେ । ସେ କହୁଛନ୍ତି ସେଗୁଡ଼ାକ କବିତା.....ହସି କହିଲା କ...ବି...ତା...

 

ସୁଭାଷବାବୁଙ୍କୁ ପୁଣି ଶ୍ୟାମାଦେବୀ ନିଠେଇ ନିଠେଇ କହିଲେ–ଆପଣଙ୍କ କଥା ଶୁଣିଲେ ସତରେ ଭାରି ଦୁଃଖ ହୁଏ । ଆପଣ କେମିତି ଚଳିବେ କେଜାଣି । ରାନ୍ଧିବା ବେଳେ କବିତା ବାହାରେ ନାହିଁ । ଘର ପହଁରିବାର ଖଡ଼ ଖଡ଼ ଶବ୍ଦ, କି ଗାଈ ଗୋରୁ କୁକୁରଙ୍କୁ ବାନ୍ଧିଲାବେଳେ ଶିଙ୍କୁଳିର ଝଣ୍ ଝଣ୍ ଶବ୍ଦ, ସିତାର ପରି ବାଜେ ନାହିଁ । ସେସବୁ କଲାବେଳେ କେହି ସେଥିରୁ ସଙ୍ଗୀତର ମଉଜ ପାଇପାରେ ନାହିଁ । ସେଗୁଡ଼ାକ ନ ଥିଲେ ସିତାର ବି ବାଜିବ ନାହିଁ । କବିତା ହେବ ନାହିଁ ।

 

–ଗଦ୍ୟମୟ ଜୀବନ ମୋତେ ଭଲ ଲାଗେ ନାହିଁ । ସୁଭାଷବାବୁ କହିଲେ ।

 

–କାହାକୁ ଭଲ ଲାଗେ କି ? ସମସ୍ତେ ଖୋଜନ୍ତି । ସ୍ତ୍ରୀ ହୋଇଥିବ ଏମିତି–ସବୁ ଗୁଣ ରୂପ ପ୍ରୀତି ଆଉ ଦକ୍ଷତା ସେଠି ଖଣି ପଡ଼ିଥିବ । ଆଉ ତା’ରି ସାଙ୍ଗରେ ବାବୁ ଘର କରିବେ....କେବେ କେମିତି ପେଣ୍ଡାଲ ଉପରେ ହେଲେ ହୁଏ । ଦୁନିଆରେ ସେ କ’ଣ ସମ୍ଭବ... ଆଛା ଆପଣ କେବେ ଅଭିନୟ କରିଛନ୍ତି ? ସ୍କୁଲ କଲେଜରେ ?

 

–ନାଁ । କରିନାହିଁ କି ଦେଖି ନାହିଁ । ବାହାରେ ଦେଖିଛି ।

 

–ଭଲଲାଗେ ଦେଖିବାକୁ ?

 

କେଶବବାବୁ କହିଲେ–ସମସ୍ତେ ପଇସା ଦେଇ ଯାଉଛନ୍ତି । ଭଲ ଲାଗେ ବୋଲି ।

 

–ହଁ ତ, ଭଲ ଲାଗେ । ମୁଁ କ’ଣ ଜାଣେ ନାହିଁ ଏତକ ? ପଚାରୁଥିଲି ଯେ ଆମ ବାବୁ ଯେତେବେଳେ ଅଭିନୟର ବିରୋଧୀ, କାଳେ କହିବେ ଏହି ରୋକଠୋକ୍ ସଂସାରରୁ କବିତା ଖୋଜିବାର ଚେଷ୍ଟା କରିବା ବି ଗୋଟାଏ ଅଭିନୟ !

 

ନିଜର ବିରକ୍ତିକୁ ଊଣା କରିଦେବାକୁ ସୁଭାଷବାବୁ କହିଲେ–ଆପଣ ଏକା ଭଲ କରି ଲୋକର ଦୋଷକୁ ବାହାରେ ଦେଖାଇ ପାରନ୍ତି । ଛଳନାକୁ ସତ ମନେ ନକଲେ ଜୀବନଟା ଶୁଖିଯିବ ।

 

–ସତେ ! ତେବେ ଛଳନା ଆପଣଙ୍କର ଦରକାର । ଅଭିନୟକୁ ବି ଆପଣ ସୁଖ ପାଆନ୍ତି ? ଆପଣ ଗଦ୍ୟକୁ ପଦ୍ୟ ଆକାରରେ ଦେଖିବାକୁ ଚାହାନ୍ତି । ହେଲା ତ ଏଥର । ବିଭା ହୁଅନ୍ତୁ ଏ ସବୁ ଦେଖିବେ । ପ୍ରତ୍ୟେକ ବିଷୟ ପାଇବେ ।

 

–ଆଉ ଜଣକ ସଙ୍ଗରେ । ଏକାଠି ରହିଲେ କ’ଣ ଛଳନା ହୁଏ ?

 

–ଛଳନା ଅଭିନୟ ଆଦି ବାରକଥା ଏଇ ମଣିଷ କାଢ଼ିଛି । ବିଭିନ୍ନ ପ୍ରକାରେ ରାନ୍ଧିବା ବି ଛଳନା । ବିଭିନ୍ନ ପ୍ରକାରର ଗୀତ ଗାଇବା ସେମିତି ଅଭିନୟ । ଅସୁନ୍ଦରକୁ ସୁନ୍ଦର ବୋଲି କହିବା ଓ ପାପକୁ ପୁଣ୍ୟ ବୋଲି ଭାବିବା ଅଭିନୟ । ନୀତିକୁ ଅନୀତି ମନେ କରିବା, ପରକୁ ଆପଣାର କରିବା, ଆଉ ନିଜକୁ ଅନ୍ୟଠାରେ ବିକି ଦେବା, ଠିକ୍ ସେତିକି ଛଳନା । ଯେ ଛଳନା ଆଉ ଅଭିନୟକୁ ଜୀବନର ସତକଥା ବୋଲି ଧରି ନିଏ, ସେଇ ହେଉଛି ସୁଖୀ । ବାହା ହେବେ ? ଫଟୋ ଦେଖିବାକୁ ଚାହାନ୍ତି କି ? ରାଜି ହେଲେ ଏଇ ତିନିମାସ ଭିତରେ ଦିନେ ।

 

–ଏତେ ଚଞ୍ଚଳ ! ମୋ ଚାକିରି ଠିକଣା ହୋଇ ନାହିଁ । କାଏମ୍ ହୋଇ ନାହିଁ ପରା–

 

–ସେ ଆସି କ’ଣ ସେଥିରେ ଗୋଳମାଳ କରିବ ? ଚାକିରି ମନକୁ ତା’ର ସଜାଡ଼ି ହୋଇଯିବ ।

 

ଅସହାୟ କଣ୍ଠସ୍ଵର । ସୁଭାଷବାବୁ କହିଲେ–ଆଉ କେତେ ଦିନ ଯାଉ ।

 

–କେତେଦିନ ଗଲେ କ’ଣ ସୁବିଧା ହେବ–କେମିତି ସୁବିଧା ହେବ ମୁଁ ବୁଝି ପାରୁ ନାହିଁ ।

 

କେଶବବାବୁ କହିଲେ–କିଏ ତୁଚ୍ଛାଟାରେ ବନ୍ଧାହେବାକୁ ଭଲପାଏ ? କ’ଣ କମି ବନ୍ଧନ-! ....ଊଣା ଦାୟିତ୍ଵ !

 

ସୁଭାଷବାବୁଙ୍କର ମୁହଁ ଉଜ୍ଜ୍ଵଳ ଦିଶିଲା । ଶ୍ୟାମାଦେବୀ କହିଲେ–କ'ଣ ଏଇ କଥା ? ସେ ଯାହା କହୁଛନ୍ତି ଆପଣଙ୍କ ମତ କ’ଣ ସେୟା ?

 

–ହଁ । ସେ ତ ଭୁଲ କଥା କହି ନାହାନ୍ତି ।

 

ବିଦ୍ରୂପଭରା ହସ ଓ ଚାହାଣିରେ ଶ୍ୟାମାଦେବୀ ସୁଭାଷବାବୁଙ୍କୁ କହିଲେ–ପୁରୁଷମାନେ ବଡ଼ ଛଳନା ପ୍ରିୟ । ଦାୟିତ୍ଵ ନ ନେଇ ଭଲପାଇବାକୁ ଚାହାନ୍ତି । ଯେଉଁଠି ଯାହାକୁ ଭଲପାଇବା ପାଇଁ ସେମାନେ ଦାୟୀ, ତାକୁ ଭଲ ପାଆନ୍ତି ନାହିଁ । ସେ ହୋଇଯାଏ ଛୋଟ–ହୀନ । ଆଉ ଏମାନେ ବୁଲୁଥାଆନ୍ତି ଚାରିଆଡ଼େ ପ୍ରୀତି ଖୋଜିବାକୁ–ପହଲାମା ଚାକିରି ଖୋଜିଲା ପରି । ଆଉ ଯେଉଁଠୁ ଭଲ ପାଇବା ପାଆନ୍ତି ତାକୁ ନିନ୍ଦା କରି କହନ୍ତି–ଛଳନାମୟୀ, ଛଟକୀ ଆଉ ଅଭିନେତ୍ରୀ–ସେ ଦୀର୍ଘନିଶ୍ୱାସ ପକାଇଲେ ।

 

ବିନା କାରଣରେ ଆଶାର ଇନ୍ଦ୍ରଧନୁ ଦେଖାଇ ପୁଣି ତାକୁ ହରିନେବା ଶ୍ୟାମାଦେବୀଙ୍କ ପକ୍ଷରେ ଅତି ସହଜ କାମ । ସୁଭାଷବାବୁ ଟିକିଏ ପରକୀୟା ପ୍ରୀତି ଖୋଜି ଆସିଥିଲେ ବୋଲି ତାଙ୍କୁ ଶ୍ୟାମାଦେବୀ କଥା, କାମ ଓ ବ୍ୟବହାରରେ ଉଠାଇ ନେଉଛନ୍ତି । ପୁଣି ସେମିତି ଠେଲି ଦେଉଛନ୍ତି ।

 

ମନମରା ହୋଇ ସେ ଶ୍ୟାମାଦେବୀଙ୍କର ସେଇ ଛଳନା–ଭରା ମୁହଁକୁ ଆଉ କେଶବବାବୁଙ୍କ ନିଷ୍କପଟ ଆଖିକୁ ବାରମ୍ବାର ଦେଖୁଥିଲେ । ସେଥିରୁ ସେ ଦେଖିପାରୁଥିଲେ ଯେ ମଣିଷ ଓ ମଣିଷର ବ୍ୟବହାରରେ ସତଠାରୁ ମିଛ, ପ୍ରକୃତ ବିଷୟଠାରୁ ଛଳନା ଅଧିକ ଓ ବଳବାନ-

 

ଶ୍ୟାମାଦେବୀ ସମସ୍ତଙ୍କ ଉପରେ ବିରକ୍ତ ହେଲା ପରି କହିଲେ–କାମର କଥା ତ କିଛି ହେଲା ନାହିଁ । ଝିଅଟା ବିଷୟରେ ଜବାବ ଦେଇ ରଖିପାରୁ ନାହିଁ । ସୁଭାଷବାବୁଙ୍କ ଉପରେ ଭରସା ଥିଲା ବୋଲି କହିଦେଇ ଆସିଥିଲି–ବାରଅଣା ଠିକ୍ । ସେ ଅଧିକାର ବି ରହିଲା ନାହିଁ । ଏତେ ହୀନକପାଳୀ ଯେ କଥା କହି କଥା କେଉଁଠି ରଖିପାରୁ ନାହିଁ । ଯାଏ ଗାଆଣ ବାଜଣା...

 

କେଶବବାବୁ କହିଲେ–ତାଙ୍କୁ ପରା ଡାକି ଆଣିଛେ । କଥା ଭାଷା ହେବା ନା ତୁମେ ଝଣଝଣ ଆରମ୍ଭ କରିବ ? ତାଙ୍କୁ କାଳେ ଭଲ ନ ଲାଗିବ !

 

–ଲାଗୁ କି ନଲାଗୁ । ମଣିଷ ସିନା କଥା କହେ କଥା ଛିଣ୍ଡାଇବା ପାଇଁ । କଥା ଯଦି ନ ଛିଣ୍ଡିଲା, ଛୋଟ ଜିନିଷ ଯେବେ ବଡ଼ ହେଲା–ତେବେ କଥା କହି ଲାଭ କ’ଣ ? ସେ ସିନା ଭାବୁଛନ୍ତି କଥାରୁ ବି ମିଠା ଝରିବ । ମିଠା କାହିଁ ? ମୋ କଥାରେ ରାଜି ହୋଇଥିଲେ ମୁଁ ତ ତାଙ୍କୁ ଆଜି ଛାଡ଼ନ୍ତି ନାହିଁ । ଏଇଠି ରଖେଇ ଦିଅନ୍ତି–

 

ସୁଭାଷବାବୁ ନିରେଖି ଦେଖୁଥିଲେ ଶ୍ୟାମାଦେବୀଙ୍କୁ । ସେ ସବୁ ଦେଇ ନ ଦେବାର ଛଳନା କରି ପାରନ୍ତି । ଆଉ କିଛି ନ ଦେଇ ସବୁ ଦେବେ ବୋଲି ଆଶା ଦେଇ ପାରନ୍ତି । ସେ ଦୀର୍ଘନିଶ୍ଵାସ ପକାଇ କହିଲେ–ଶ୍ୟାମାଦେବୀ ! ଆପଣ ପ୍ରକୃତିରେ ଭାରି ଅଦ୍ଭୁତ ଲୋକ ! ଆପଣଙ୍କ ପରି ଲୋକ ଯଦି ମୋତେ ମିଳିବ, ତେବେ ମୁଁ ଆଜି ବିଭା ହେବାକୁ ରାଜି ।

 

ହସି ଶ୍ୟାମାଦେବୀ କହିଲେ–ମଣିଷ ସେମିତି ମିଳନ୍ତି ନାହିଁ । ପ୍ରତ୍ୟେକଙ୍କୁ ଗଢ଼ି ନେବାକୁ ହୁଏ–କାଦୁଅକୁ ଆଉଁଷି–ପିଟି କଣ୍ଢେଇ ଗଢ଼ିଲା ପରି । ଆପଣ ଯେଉଁ ପ୍ରକାରର ଚିତ୍ରକାର ହୋଇଥିବେ, ସେହି ପ୍ରକାରର ଲୋକ ପାଇବେ । ମୁଁ ଆପଣଙ୍କର ପରି ମଣିଷ । ମୁଁ ୟା’ଙ୍କର ସ୍ତ୍ରୀ । ଆପଣ ମୋ ପରି ଲୋକ – ଠିକ୍ ମୋରି ପରି ଲୋକ ଖୋଜୁଥିଲେ, ଆପଣଙ୍କୁ ୟା’ଙ୍କରି ପରି ହେବାକୁ ହେବ । ହୋଇ ପାରିବେ ?

 

ସୁଭାଷବାବୁ ଚାହିଁଲେ କେଶବବାବୁଙ୍କୁ । ଆଖିରେ ସନ୍ଦେହ ।

 

ଶ୍ୟାମାଦେବୀ କହିଲେ–ସେଇଟା ଅଭିନୟ ନୁହେଁ । ପ୍ରକୃତ କଥା । ଅଭିନୟ କରି ଆପଣ ତାଙ୍କ ପରି ହୋଇ ପାରିବେ ନାହିଁ । ଯେତିକି ବା ହେବେ, ଠିକ୍ ସେତିକି ଆପଣ ଆପଣଙ୍କ ସ୍ତ୍ରୀଙ୍କୁ ମୋରି ପରି କରିପାରିବେ । ତାଙ୍କର ଗୁଣ, ଦୋଷ, ବଳ, ବୁଦ୍ଧି ମୁଁ ଜାଣେ । ଆପଣଙ୍କୁ ବି ମୋଟାମୋଟି ଜାଣେ । ମୁଁ କହୁଛି ଯେ ତାଙ୍କ ପରି ଆପଣ ହୋଇପାରିବେ ନାହିଁ । ହୋଇ ନ ପାରିଲେ ଆପଣଙ୍କ ସ୍ତ୍ରୀ ମୋ ପରି ନ ହୋଇ ଅଲଗା ହେବ । ସେଥିରେ କ୍ଷତି କ'ଣ ?

 

ଦେବ ପିଲା ଦୁଇଟିଙ୍କୁ ସାଙ୍ଗରେ ନେଇ ଆସି ପହଞ୍ଚିଲା । ଘରଟା ପୂରି ଉଠିଲା ନାନାପ୍ରକାରର କୋଳାହଳରେ ।

 

ଶ୍ୟାମାଦେବୀ ପଚାରିଲେ ପିଲାଙ୍କୁ–ମାମୁଁକୁ ସେମାନେ ପାଇଲେ କୋଉଠୁ ?

 

–ଆସୁଥିଲେ ଆମ ଘରକୁ । ଆମେ କହିଲୁ ପଶ୍ଚିମଦିଗକୁ ଯିବା । ମା ବୁଲେଇ ନିଅନ୍ତି । ସେ ଆମକୁ ବହୁତ ଦୂର ନେଇଥିଲେ । ପଶ୍ଚିମ ଦିଗର ଶେଷର ପହଞ୍ଚି ପାରିଲୁ ନାହିଁ । ଫେରି ଆସିଲୁ ।

 

ଶ୍ୟାମାଦେବୀ ମନେ ପକାଇଥିଲେ ସେ ଦିନର ଘଟଣା, ସୁଭାଷବାବୁ ବି ସେଦିନ ଆସିଥିଲେ ରାସ୍ତାକୁ । ଦେଖା ହୋଇଥିଲା ।

 

ସୁଭାଷବାବୁ ଓ ଶ୍ୟାମାଦେବୀ ପରସ୍ପରକୁ ଚାହିଁଥିଲେ–ସେ କଥା ଆଉ ନବଢ଼ୁ ।

 

ନ ବୁଝିଲା ପରି ଶ୍ୟାମାଦେବୀ କହିଲେ–ପିଲାଏ ଭାରି ମନେ ରଖିପାରନ୍ତି । ...ସେଇଠୁ ଦେବକୁ ପଚାରିଲେ, ସେ ସୁଭାଷବାବୁଙ୍କୁ ଚିହ୍ନେ କି ନାହିଁ ?

 

‘ନମସ୍କାର’ ଜଣାଇ ଦେବ କହିଲା–ଚିହ୍ନେ ବୋଲି ।

 

–କାହିଁ ମତେ ତ କହିନାହଁ ।

 

–ସବୁ କଥା କ'ଣ କହୁଥିବି ?

 

ସୁଭାଷବାବୁ କହିଲେ–ସେ ଠିକ୍ କହିଛନ୍ତି ଆମେ ଦୁହେଁ ଦୁହିଁକୁ ଚିହ୍ନୁ । କିନ୍ତୁ କଥା ହୋଇନାହୁଁ ।

 

କେଶବବାବୁ କହିଲେ–ବହୁତ ଦିନ ହେଲାଣି । ସେ ଆମର ପରିବାରର ବନ୍ଧୁ । ଏଇ ବେବି କୁନାଙ୍କଠାରୁ ଅଳପ ବଡ଼ ହୋଇଥିଲେ । ଆମେ ନୂଆ ବାହାହୋଇ ଆସିଥାଉ । ସେତିକି ବେଳରୁ ଚିହ୍ନା । ମୋ ସ୍ତ୍ରୀ ସେଇଦିନୁ ତାଙ୍କୁ ଘରର ପିଲା ପରି ଚଳାଇ ଆସୁଛନ୍ତି ।

 

–ସେ କରୁଛନ୍ତି କ’ଣ ?

 

ଏହି ପ୍ରଶ୍ନ ଶୁଣି ଦେବବାବୁ ବିରକ୍ତ ହେଲା ପରି କହିଲେ–ଆପଣଙ୍କର ପୋଷ୍ଟ ପାଇଁ ଦରଖାସ୍ତ ଦେଉଛି । କେଇଟା ଚାକିରି ଅବା ଖାଲି ହେଉଛି । କ’ଣ ହେଉଛି କେଜାଣି ।

 

–ହ...ମ, ଜାଣି ପାରୁଛି । ତମର ପଢ଼ାରେ ଯୋଉ ମନ ନା, ତମେ ତାଙ୍କ ପରି ଚାକିରିଟା ପାଇଯିବ ଖାଲି ଭାବିଦେଲେ !

 

ସୁଭାଷବାବୁ ବିଦ୍ରୂପର ହସ ଓଠ କଣରେ ଖେଳାଇ କହିଲେ–ନ ହେବ କାହିଁକି ? ସେ କ’ଣ ମୋ ସାଙ୍ଗରେ ସମାନ ନୁହନ୍ତି ? –ନ ହୋଇଥିଲେ କ’ଣ ହେବେ ନାହିଁ ? ଆମେ ତ ଆଉ ପ୍ରତିବର୍ଷ ସେଇ ଚାକିରିଟା ଥରେ ଥରେ ପାଇବୁ ନାହିଁ ।

 

କପଟ ରୋଷ ଦେଖାଇ ଶ୍ୟାମାଦେବୀ କହିଲେ–ଆପଣ ଆଉ ସେ ଦୁହେଁ ସମାନ ! କି ଜାଣି ସରକାରଙ୍କ ଆଖିରେ ହେଲେ ଅବା ହୋଇପାରନ୍ତି । ସେଠି ତ ଅନ୍ଧ ନ୍ୟାୟ । ମୋ ମନକୁ ତ ମୋଟେ ପାଉନାହିଁ । ଆଉ ଚାକିରି ପାଇଲେ ବି ସେ ମୋ ଆଖିରେ ସେମିତି ଦିଶିବ ନାହିଁ ।

 

ଦେବ କହିବାକୁ ଚାହୁଁଥିଲା । କହିଲା–କୌଣସି ଗୁଣରେ ମୁଁ ଊଣା ନୁହେଁ ତ ।

 

ତାକୁ ଆକଟ କରି ଶ୍ୟାମାଦେବୀ କହିଲେ–ଛି ଦେବ, ସେମାନେ ମୋର ଯେତେବେଳେ ଗୁରୁଜନ, ତମେ ତାଙ୍କ ସାଙ୍ଗରେ ସମାନ ହେବା ଉଚିତ୍ ନୁହେଁ । ସମାନ ହୋଇଥିଲେ ବି ସେ କଥା ତୁଣ୍ଡରେ ଧରିବ ନାହିଁ ଅବା ମନରେ ଭାବିବ ନାହିଁ । ସେ ଦୁହେଁ ଏକା ପାହାଚରେ । ଆମେ ଦୁହେଁ ଟିକେ ତଳେ ।

 

କହି ଶ୍ୟାମାଦେବୀ ଆଦେଶ ଶୁଣାଇଲା ପରି ସ୍ଵାମୀଙ୍କୁ କହିଲେ–ତୁମେ ସୁଭାଷବାବୁଙ୍କୁ ନେଇ ବାହାରେ ଟିକିଏ ବୁଲି ଆସ । ଘରଟାରେ ବସିରହିଲେ କିଛି ଭଲ ନୁହେଁ । ସେ ତ ସବୁଦିନେ ବସି ରହି ଦେହ ଖରାପ କରୁଛନ୍ତି । ତମୁକୁ ତ ଡାକ୍ତର ବୁଲିବାକୁ କହୁଛି । ଯାଅ ।

 

–ଇଏ ତେବେ ଘରର ରାଏ ନା ? ଆମେ କଚେରୀରେ ରାଏ ଦେଉ । ମୁଁ କାଲି ଗୋଟିଏ ରାଏ ଶୁଣାଇଥିଲି ।

 

–ତେବେ ବୁଝିଥିବେ କେତେ କଣ୍ଟାକଣ୍ଟିରେ ମଣିଷ ରାଏ ଶୁଣାଏ... ହଉ ଯାଆନ୍ତୁ । ଯଦି ମନ ବଦଳିବ–ମୋ କଥା ରଖିବାକୁ, –ମୋ ମୁଣ୍ଡ ତଳକୁ ନ କରିବାକୁ ଶ୍ରଦ୍ଧା ବଳିବ–ତେବେ...

 

ସେଦିନ ତିନୋଟି ଛୋଟିଆ ବୈଠକ–ପହଲାମା ଆଉ ବେଣୁଧର ଠା'କରେ, ସୁଭାଷବାବୁ ଓ କେଶବବାବୁ, ରାସ୍ତାରେ ଆଉ ଦେବ ଓ ଶ୍ୟାମାଦେବୀ ନିଜ ଘରେ–ଗୋଟିଏ କଥା ଆଲୋଚନା କରୁଥିଲେ । ସମସ୍ତଙ୍କ କଥାର କେନ୍ଦ୍ର ସୁଭାଷବାବୁ ।

 

ପ୍ରତ୍ୟେକ ଥର କେଶବବାବୁ ଫେରିଲାପରେ ଦୁଇବାବୁଙ୍କ ଭିତରେ ଯେଉଁ ଅଭେଦ ବନ୍ଧୁତ୍ୱ ଦେଖା ଦେଉଥିଲା, ସେତକ ବେଣୁଧର ଓ ପହଲାମା ଦୁହିଁଙ୍କୁ ଭାରି ଖରାପ ଲାଗୁଥିଲା । ସେ ଦୁହେଁ ବାବୁଙ୍କର ଏହି କାମକୁ ମୋଟେ ଦେଖି ସହି ପାରୁ ନଥିଲେ ।’

 

ବେଣୁଧର ଚା’ ତିଆରି କରି ବସିଛି । ଥଣ୍ଡା ହୋଇ ଉଜୁଡ଼ି ଗଲା । ନିଜର କୌତୂହଳ ପ୍ରକାଶ କରିବ କି ନ କରିବ ଭାବି ଭାବି ପହଲାମା ଝାଡ଼ୁ ଧରି ଏପାଖ ସେପାଖ ହେଉଥିଲା ।

 

ବେଣୁଧର ପଚାରିଲା–କେତେବେଳ ଯାଏ ବସିଥିବି ଲୋ, ବାବୁ, କ’ଣ ଫେରିବେ ନାହିଁ ତମ ଘରୁ ? ଟିକିଏ ବୁଝି ଆସନ୍ତୁ ।

 

ଝାଡ଼ୁଟା ଡେରିଦେଇ ପହଲାମା କହିଲା–ବଡ଼ବଡ଼ିଆଙ୍କୁ ତ ସବୁ ସାଜେ । ସାନଘର ହୋଇଥିଲେ ଶାଶୁନଣନ୍ଦ ପିତାଘର ଦେଖେଇ ଦିଅନ୍ତେଣି । ଏତେ ତ କ୍ଷୀରନୀର ଭାବ । ଦିନେ ହେଲେ କାଳ ହବ ।

 

ଟିକିଏ ଘୁଞ୍ଚି ଆସି ବେଣୁଧର ପଚାରିଲା–ସେଠି କ’ଣ ହୁଏ ?

 

–କିଛି ନାହିଁ : ମ ! ଖାଲି ହେରେଷୀଙ୍କ ପରି ଗୁଡ଼ାଏ ହସ ଆଉ କଥା । ମତେ ଶୁଣିବାକୁ ଭଲ ଲାଗେ ନାହିଁ । ପଢ଼ୁଆ ଲୋକେ ଭାରି କଥା କହିବାକୁ ସୁଖ ପାଆନ୍ତି ।

 

–ଏବେ କ’ଣ କରୁଛନ୍ତି ?

 

–ବସିଛନ୍ତି ତ ଗାଲିଚା ଉପରେ । ତମ ବାବୁଙ୍କ ପାଇଁ କନିଆଁ ଖୋଜୁଛନ୍ତି ଆମ ବାବୁଆଣୀ । ଆମର ଏବେ କ’ଣ ହେଲା ? ମୁଁ ଯାଉଛି ।

 

–ଆରେ ଚିଡ଼ୁଛୁ କାହିଁକି ମ ! ଟିକିଏ ଶୁଣ । ଚା’ କରିଥିଲି ଯେ ହିମକାକର ହୋଇଗଲାଣି । ବାବୁ କ’ଣ ସେଇଠି ନାସ୍ତା କରିବେ କି ?

 

–ନାସ୍ତା କ’ଣ ? ଖୋଲି କରି କହୁନ ।

 

–ନାସ୍ତା କିଛି ଖରାପ କଥା ନୁହେଁ । ତୁ ଏମିତି ଚିଡ଼ୁଛୁ କାହିଁକି ? ଆରେ ତମ ଖାଉନ୍ଦାଣି କେମିତିକା ଲୋକ ? ସବୁବେଳେ ତ ଯାତ୍ରାକୁ ଯିବା ପରି ବେଶପଟା ହୋଇ ଥାଆନ୍ତି ।

 

ଚାରିଆଡ଼କୁ ଚାହିଁ ପହଲାମା ପ୍ରତିବାଦ କରି କହିଲା–ହେଇ ଶୁଣ ଚପ୍ରାଶୀବାବୁ–ତମେ ମୋତେ ହରବରରେ ପକେଇବ । ଆମ ମା ଜାଣିଲେ ମତେ ଆଉ ଦୁଆର ମଡ଼େଇବେ ନାହିଁ । ସେ ଯାହା କଲେ କି ନ କଲେ ମୋର କ’ଣ ଅଛି ସେଥିରେ !

 

–ନାଇଁମ । ତୁ ଟିକିଏ ନାସ୍ତା କର ।

 

ଚିଡ଼ି ଉଠି ପହଲାମା କହିଲା–ଏତେ ବହପ ! ମତେ ନାସ୍ତା କରିବାକୁ କହୁଛୁ ? ମୁଁ କ’ଣ ନାସ୍ତା କଲା ଭଳିଆ ଦିଶୁଛି ?

 

–ମଲା ମଲା ଏମିତି କାହିଁକି କିଛି ନ ବୁଝି କୁଦା ମାରୁଛୁ । ହେଇ ଦେଖ୍‌ ନାସ୍ତା କଲି ।

 

ପହଲାମା ମୁହଁ ବୁଲାଇ ନେଲା । ସେ ଚାଲି ଯାଉଥିଲା । ବେଣୁଧର ପଛରୁ ଡାକି କହିଲା–ଆଲୋ ଭଲ କଥାକୁ ଏମିତି ଚିଡ଼ଛୁ ।

 

ହଉ ଥାଉ । ରଖିଥା ଭଲ କଥା । ବାବୁଙ୍କୁ କହିବୁ । ମୁଁ ବି ବାବୁ ଆଗରେ ସବୁ କଥା ନଶୁଣେଇଲେ–କହି କାନିରେ ଗଣ୍ଠି ପକାଇଲା ।

 

ବେଣୁଧର ବିବ୍ରତ ହୋଇ ପଡ଼ିଲା । ସେ ଉଠି ଦୁଆରକୁ ଅଧା ପାର ହୋଇଛି, ତେଣେ ବାବୁ ଓ କେଶବବାବୁ ରାସ୍ତାରୁ ପହଲାମା’କୁ ପଚାରୁଛନ୍ତି–କ’ଣ କି ପହଲାମା ?

 

–କିଛି ନୁହଁ । ଚପ୍ରାଶୀବାବୁ କ’ଣ କହୁଛି କେଜାଣି । କହୁଥାଉ, ମୁଁ କହିଲି–ମୋ କାମ ସରିଲା ମୁଁ ଯାଉଛି । ତା’ କଥା ଶୁଣିବି କାହିଁକି ?

 

କେଶବବାବୁ ପଚାରିଲେ–କ’ଣ କି ବେଣୁଧର, ପହଲାମା ଚିଡ଼ୁଛି କାହିଁକି ?

 

–ନାସ୍ତା କରିବାକୁ କହିବାରୁ ମତେ ଗାଳି ଦେଉଛି ।

 

ସୁଭାଷବାବୁ ଓ କେଶବବାବୁ ହସି ଉଠିଲେ । ପହଲାମା ବିବ୍ରତ ହୋଇ ଚାହିଁଲା ।

 

ସୁଭାଷବାବୁ ପଚାରିଲେ–ଟିକିଏ ଜଳଖିଆ ନେ ? ମୁଁ ତ ଆଜି ତମ ବାବୁଙ୍କ ଘରେ ଖାଇଲି ।

ନରମି ଯାଇ ପହଲାମା କହିଲା–ମୁଁ କ’ଣ ନାହିଁ କଲି ନବାକୁ ।

 

–ହଉ ଆ । ବେଣୁଧର, କ’ଣ ଦେଉଥିଲ ଦିଅ ।

 

ପହଲାମା ଗାରେଡ଼େଇ ଚାହିଁଲା ବେଣୁଧରକୁ–ଆଉ କହିବୁ ସେ କଥା ।

 

ବେଣୁଧର ଜଳଖିଆ ଆଣି ପହଲାମା’କୁ ଦେଇ କହିଲା–ଯାହା ତ କାମ କରୁଛୁ, ନେ ନାସ୍ତା କର ।

 

–ହେଇ ଶୁଣ ବାବୁ, ପୁଣି କହିଲାଣି !

–ହୁଣ୍ଡୀଟାଏ ନା କ’ଣ । ଆଲୋ ଜଳଖିଆ ଖାଇବାକୁ ହିନ୍ଦୀରେ ନାସ୍ତା କହନ୍ତି....ହଉ ବେଣୁଧର ଓଡ଼ିଆରେ ନ କହି ହିନ୍ଦୁସ୍ଥାନୀରେ କାହିଁକି କହୁଛୁ ? ସେ ଚିଡ଼ୁଛି ।

–କୋଉ କଥାକୁ ସେ ଚିଡ଼େ ନାହିଁକି । ‘ଆଜ୍ଞା’ ‘ଆପଣ’ ନ କଲେ ଚିଡ଼ିବ । ‘ନାସ୍ତା କର’ ବୋଲି କହିଲେ ଚିଡ଼ିବ । ‘ବୁଢ଼ା’ ବୋଲି କହିଲେ ଚିଡ଼ିବ । ଭଲା ଲୋକ ଆମେ ରଖିଛୁ !

ତଥାପି ସନ୍ଦେହ କଲାପରି ପହଲାମା ଜଳଖିଆ ନେଲା । ବେଣୁଧର ପଚାରିଲା–ଚା ଖାଇବୁ ?

ପହଲାମା ରାଜି ହେଲା ପରି ଚାହିଁଲା । କାଳେ ବାବୁମାନେ କିଛି କହିଦେବେ ବୋଲି ସନ୍ଦେହ ।

କେଶବବାବୁ କହିଲେ–ତୁ ତ ଚା ନଉ ଆମ ଘରୁ । ଏ ବାବୁ କ’ଣ ମନା କରୁଛନ୍ତି ?

–ବାବୁ କାହିଁକି ମନା କରିବେ ! ସିଏ ତ ମତେ ମୋଟେ ଦେଖି ସହି ପାରନ୍ତି ନାହିଁ । ଅକାଳେ ସକାଳେ ଦିନେ କ’ଣ ଯାଚନ୍ତି କି ?

ବେଣୁଧର କହିଲା–ମଲା, ଆମେ କେମିତି ଜାଣିବୁ ଯେ ତୋର ବି ଚା ଚଳେ । ହଉ ବସ୍‌ । ଏଇ ଚା’କୁ ଟିକିଏ ତତେଇ ଦିଏ ।

–ଚିନି ପକେଇବ ନାହିଁ । ଲୁଣ ।

–ହଉ ଯା, ଗଲୁ । ମୁଁ ବସି ତୋ’ରି ପାଇଁ ଆଉ ଥରେ ଛାଣିବି ! ଏଥିରେ ଚିନି ପଡ଼ିସାରିଛି ।

ପହଲାମା ମୁହଁ ଶୁଖାଇ ଚାହିଁଲା ସୁଭାଷବାବୁଙ୍କୁ । ସେ କହିଲେ–ଏମିତି ଚିଡ଼ିଲେ କ’ଣ ବେଣୁଧର ତମ କଥା ଶୁଣିବ ? ତାକୁ ସିନା ମନେଇ କହିଲେ ସେ କରିଦିଅନ୍ତା ! ଭାରି ଭଲ ଲୋକ ସିଏ ।

 

ବାବୁମାନେ ହସି ହସି ପହଲାମା’ର ନାସ୍ତା କଥା କୁହାକୁହି ହୋଇ ବୁଲି ବାହାରିଗଲେ । ଘରେ ରହିଗଲେ ପୁଣି ଦୁଇଜଣ ।

 

କେଶବବାବୁଙ୍କ ଘରୁ ତରଳ ହସ ଭାସି ଆସିଲା । ଭାରି ହସ କଥାଟାଏ ପଡ଼ିଛି ଶ୍ୟାମାଦେବୀ ଆଉ ଦେବବାବୁଙ୍କ ଭିତରେ ।

 

–ବୁଝିଲି ଏଥର । ସୁଭାଷବାବୁ ତାହା ହେଲେ ଗୋଟିଏ ଆକ୍‌ଟ୍ରେସ୍‌ ଖୋଜୁଛନ୍ତି । ତେବେ ପେଣ୍ଡାଲ ନକରିବେ କାହିଁକି ?

 

–ହେଇ ଏତେ ବଡ଼ ପାଟିରେ ! ଶୁଣିବେ କାଳେ !

 

–ସେ ପରା ଗଲେଣି ବୁଲିବାକୁ ।

 

–ଚପରାସି ଅଛି ଘରେ ।

 

–ତମର ତାଙ୍କୁ ବି ଡର ।

 

–ଡରିବା କଥା ନୁହେଁ ଯେ । ତେବେ ଆମ କଥା ଆଉ ଜଣେ କାହିଁକି ଶୁଣିବ ? କ’ଣ ଶୁଣିବ–ସେଥିରୁ କ’ଣ ବୁଝି ସେ ପୁଣି କହିବ ତାଙ୍କୁ । ଏତେ ଅଡ଼ୁଆକୁ କିଏ ଯାଏ ? ଅଳପ ଦିନର ଚିହ୍ନା ।

 

ଅଭିମାନ ଭରା ସ୍ୱରରେ ଦେବ କହିଲା–ଅଳପ ଦିନ ହେଇ ତ ତମେ ତାଙ୍କପାଇଁ କନିଆଁ ବାଛିଲଣି । ମୁଁ ତ ଆସିଲାବେଳେ ଏଇଠି ବସିଥିଲା ସଭା । କେବଠୁଁ ତମେ ତାଙ୍କ ଆଗରେ ହେଲଣି ?

 

–ଆଗରେ କ’ଣ ହେଲି ? ସେ’ତ ବେଶି ଆସନ୍ତି ନାହିଁ ଏଣେ । ଆଜି ୟାଙ୍କରି ଗୋଡ଼େ ଗୋଡ଼େ ଏଠିକି ଚାଲି ଆସିଲେ । ତାଙ୍କୁ କ’ଣ କହିଥାନ୍ତି ବସିବା ଘରକୁ ଯିବାକୁ ?

 

–ବାହାର ଲୋକଙ୍କୁ ଏମିତି ଆଣି ଘର ଭିତରେ ବସାଇବା ଠିକ୍‌ ନୁହେଁ । ସେ କେମିତି ଲୋକ ଜାଣିଛଟି ?

 

ଭୟ କାତର ସ୍ୱରରେ ଶ୍ୟାମାଦେବୀ ପଚାରିଲେ–ନା, ଜାଣେ ନାହିଁ । ତମେ ତ ଚାରିଆଡ଼କୁ ଯାଉଛ । ସବୁ ଖବର ରଖୁଛ ବୁଝି କହନ୍ତ ନାହିଁ ।

 

–କେବେ ପଚାରିଛ କି ?

 

–ଏବେ ପଚାରୁଛି ପରା !

 

–ହଉ ତେବେ ଶୁଣ । ସେ ଭାରି ଡାହାଣା ପ୍ରକୃତିର ।

 

–ସତେ ! ଆଉ କ’ଣ ଶୁଣିଛ ?

 

–ସେଇ କଥା ତ । ଯୋଉଠି ସୁବିଧା ହେଲା ସେ ଆସି ଏମିତି ପତିଆରା ମେଲେଇବେ ଯେ ମଣିଷକୁ ଲାଗିବ ସତେ ଯେମିତି ସେ ଭାରି ଆପଣାର ଲୋକ । ଛି ! ମଣିଷ ଏମିତି ହୁଅନ୍ତି ! ସେ ମଣିଷଙ୍କୁ ଘରକୁ କିଏ ଆଣିବ ?

 

–କ’ଣ କରିବା ଦେବ, କଥା ବହୁତ ବଢ଼ିଗଲାଣି । ତମ ଭିଣୋଇଙ୍କର ତ ମୋଟେ ବୁଦ୍ଧି ନାହିଁ । ଦାଣ୍ଡବାଟକୁ ସେ ସିନା ଯାଉଛନ୍ତି । ସେ ଲୋକ ଦେଖି ଚିହ୍ନି ନ ପାରିଲେ ମୁଁ ଏଇ ହାଣ୍ଡିଶାଳରୁ କ’ଣ ବା ବାରିବି ?

 

–ଚିହ୍ନାହେଲା କେମିତି ? ସେ ତ ଆସିବା ମୋଟେ ଅଳପ ଦିନ ହେଲା । ଏଇ ତ ସେ ଦିନ ଦେଖିଥିଲି ଚପରାସିକୁ । ସେ କହୁଥିଲେ ସେ ଦିନ ବାବୁ ଆସିଲେ ବୋଲି । ତମର ଏତେ ଭାବ ହେଲା କେମିତି ?

 

–ଭାବ କ’ଣ ମ ! ମନ ମିଶେ ନା କ’ଣ ? ଡାକବାଲା ଯୋଉଠି ସେ ସେଇଠି । ମୁଁ ତ କେବେ ତାଙ୍କ ଆଗରେ ସାମ୍‍ନାସାମନି ହୋଇ ନାହିଁ । ତମେ କ’ଣ ଜାଣନାହିଁ ଯେ ମୁଁ ଭାରି ଲାଜକୁଳୀ ? କାହାରିକି ଭରସି କିଛି କହିପାରେ ନାହିଁ ।

 

–ସେୟା ତ ମୁଁ ଭାବୁଥିଲି । ସେଇଦିନୁ ମୁଁ ଚିଡ଼େ ।....ଆସେ ନାହିଁ ।

 

–ହେଲା ତେବେ । ମୁଁ କହୁଥିଲି ଯେ ଦେବ ଭୁଲିଯାଉଛନ୍ତି ଆମକୁ । ଆଉ କିଛି କଥାରେ ସେ ମଜ୍ଜି ଗଲେଣି–ଆଖିରେ ଶ୍ୟାମାଦେବୀଙ୍କର ତରଳ ଲାବଣ୍ୟ । ଅଳସ କଣ୍ଠସ୍ୱର । ଯେମିତି ଅଜଣା ଭୟରେ ଭରି ଯାଇଛି !

 

–ଯୋଉଦିନୁ ଦେଖିଲି ଯେ ତମେ ସୁଭାଷବାବୁଙ୍କ ବିଷୟରେ ଉତ୍ସାହୀ ସେହିଦିନୁ ମୁଁ ଆଉ ତମକୁ ଭଲ ଆଖିରେ ଦେଖୁନାହିଁ ।

 

–ହଇହୋ ଦେବ ! ତମର ଏତେ କପଟ ! ପେଟ ଭିତରେ ଏତେ କଥା ରଖି ତମେ ରହିପାର ଟିକି ? କହିଲ ନାହିଁ ? ଚେତେଇ ଦେଇଥିଲେ ମୁଁ କ’ଣ ଆଉ ଆଜି ତାଙ୍କୁ ଦେଖା ଦେଇଥାନ୍ତି ! ସେ ବିଭା ହେଲେ କି ନ ହେଲେ ମୋର ବା କ’ଣ ଯାଏ ଆସେ ? କେଡ଼େ ଭୁଲକାମ ନହେଲା !

 

–ବ୍ୟସ୍ତ ହୋଇ ଲାଭ ନାହିଁ । ହେଲେ ଯେତିକି ହୋଇଛି ସେତିକିରେ ଏଇ ବେଣୁଧର ହେରିକା କ’ଣ ଫୁଟ୍‌ଫାଟ ହେଉ ନଥିବେ ?

 

–ତେବେ ମୁଁ ଦାଣ୍ଡରେ ପଡ଼ିଲି ! କେଡ଼େ ଅଭାଗୀ ମୁଁ ! ସେମାନେ କ’ଣ କହୁଛନ୍ତି ଶୁଣୁଛକି ? କହ ମୋ ରାଣ ଦେବ । କହିବ ନାହିଁ ?

 

–କିଛି ଶୁଣିନାହିଁ । ମୁଁ ତ ଆସିନାହିଁ ସେ ଦିନୁ ।

 

–ଲୁଚାଉଛ, ମୋ ଦେହ ଛୁଇଁ କୁହ ।

 

–ଦେହ କ’ଣ ଛୁଇଁବି ! ଶୁଣିନାହିଁ–ପରା କହୁଛି ।

 

–ମୋର ତ ମୋଟେ ବିଶ୍ୱାସ ହେଉନାହିଁ । ତମେ ଲୁଚାଉଛ । ସାହିଲୋକ ହୁଲର ଉଠେଇଲେଣି ମୋ ନାଁରେ । ମୁଁ ପଳେଇବି ଏଠୁ । କଳାମୁହଁ ଆଉ କାହାକୁ ଦେଖାଇବି ? ସବୁ ଦୋଷ ତମର । ତମେ ବାରି ହୋଇ ରହିଲ । ଜାଣୁ ଜାଣୁ ମତେ ଭଗାରିହସା କରିଛ । ଦାଉ ସାଧୁଛ । ଏତେ କଥା ତମର ମନରେ ଥିଲା !–ଅଭିମାନର ଢେଉ ଉଛୁଳି ପଡ଼ୁଥାଏ ଶ୍ୟାମାଦେବୀଙ୍କ କଥାରେ ।

 

–ଏମିତି କାହିଁକି ହେଉଛ ? ଅଳପ ଦିନର ଦେଖା । ତମେ ତ ପୁଣି ନଥିଲ କେଇଦିନ । ସଜାଡ଼ି ହୋଇଯିବ ।

 

–ନା ସଜାଡ଼ି ହେବ ନାହିଁ । ଥରେ ଦାଗ ଲାଗିଲେ ଆଉ କ’ଣ ଦାଗ ଲିଭେ ? ସବୁ ଦିନକୁ ତ ମୁଁ ଯୋଡ଼ି ହୋଇଗଲି ତାଙ୍କ ସାଙ୍ଗରେ । ସେ ଶୁଣିଲେ କ’ଣ ଭାବିବେ ? ପିଲାଗୁଡ଼ାକ କ’ଣ କହିବେ ମା’କୁ ।

 

–କିଛି ହୋଇନାହିଁ । ମୁଁ ଖାଲି ଭାବୁଥିଲି ଏମିତି ଏମିତି ହବ ବୋଲି । –ହେଇପାରେ ବୋଲି ।

 

–ମତେ ଭଣ୍ଡୁଛ ? ମୋ ଦେହ ଛୁଇଁଲ ନାହିଁ । ମୁଁ ତ କଳଙ୍କ ଲଗାଇଛି ଦେହରେ ।

 

–ନା ସେ ସବୁ କିଛି ନୁହେଁ । ହଉ, ତମ ରାଣ ମୁଁ କିଛି ଶୁଣି ନାହିଁ । ତେବେ ବୁଝିବି । ସୁଭାଷବାବୁଙ୍କ ଠୋଉଁ ବୁଝିବି ।

 

–ସେ ତ କପଟି ଲୋକ । ତମେ କ’ଣ ତାଙ୍କ ମନ କଥା କାଢ଼ି ପାରିବ ? ତମେ ପିଲା ।

 

–ପିଲା କ’ଣ ? ମୁଁ ତ ସେହି ଚାକିରି ପାଇଁ ଦରଖାସ୍ତ ଦେଇଛି ।

 

–ଦରଖାସ୍ତରେ କ’ଣ ଅଛି ? ଦରଖାସ୍ତ କଣ’ ତମକୁ ପିଲାରୁ ବଡ଼ କରିଦେବ ? ତମେ ତ କିଛି ବୁଝ ନାହିଁ । ତମର ଛନ୍ଦକପଟ ନାହିଁ । ତମେ ବୁଝିପାରିବ ଛନ୍ଦୁଆଙ୍କ କଥା ? –ନାଁ ପାରିବ ନାହିଁ ।

 

–ଏତେ ପଢ଼ିଲି, ଏତିକି କଥା ବୁଝିପାରିବି ନାହିଁ ?

 

–ପାଠରେ କ’ଣ ଅଛି ? ପାଠ ପଢ଼ିଲେ କ’ଣ କିଏ ଚତୁର ହୁଏ ? ପଢ଼ିଛ ସିନା ! ସେଥିରେ କ’ଣ ଲେଖା ଅଛି ଆଉ ଜଣକ ମନ କଥା, ପେଟର କଥା କେମିତି କୌଶଳ କରି କାଢ଼ି ହୁଏ ।

 

–ହଁ, ମୁଁ ପାରିବି । ତାଙ୍କ ସାଙ୍ଗରେ ମିଶି ତୁମକୁ ନିନ୍ଦା କରିବି । ସେ ତ ନିଶ୍ଚୟ କହିବେ ।

 

–ମତେ ନିନ୍ଦା କରିବ ? ସେ ତ ମତେ ଖରାପ ବୋଲି ଭାବିବେ ?

 

–ମିଛିମିଛିକା ନିନ୍ଦା ନା ! ସେ ଭଲ ବୋଲି ତୁମକୁ ଭାବୁଥିଲେ କ’ଣ ଏଠିକି ଆସୁଥାଆନ୍ତେ ?

 

–ଆଉ କ’ଣ ମୋତେ ଖରାପ ବୋଲି ଭାବିବାରୁ ଆସୁଛନ୍ତି ! କ’ଣ ତୁମେ କହୁଛ ଆଜି-? ସତ କରି କୁହ । ମୁଁ ଖରାପ ବୋଲି କ’ଣ ସେ ଆସୁଛନ୍ତି ? ମୋ ଠାରେ କି ଆଶା ଅଛି ତାଙ୍କର-?

 

–ସେ ଜାଣିଥିବେ କି ତୁମେ ଜାଣିଥିବ ।

 

ଅକପଟ ଚାହାଣି ଫୋପାଡ଼ି ଶ୍ୟାମାଦେବୀ କହିଲେ–ମୁଁ କ’ଣ ଜାଣିବି ? ମୋର ତ କିଛି ଆଶା ନାହିଁ ତାଙ୍କଠାରେ । ତାଙ୍କଠୋଉଁ କ’ଣ ଆଶା କରିବି ? ସେ ତ ମତେ ମାଗି ନାହାଁନ୍ତି କିଛି । ମୁଁ ମୋଟେ ବୁଝି ପାରୁନାହିଁ ।

 

–ନ ବୁଝିଲେ ବି ଲୋକେ କ’ଣ କହିବେ ତମେ ବୁଝୁନାହଁ ? ସେ ନିଜେ ଆଗ କହିବେ ନା ?

 

–ସେ କ’ଣ ଭାବୁଥିବେ କେଜାଣି । ଅକାରଣଟାରେ ତାଙ୍କୁ ଆଣି ଏଇ ଗାଲିଚା ଉପରେ ବସାଇଲି ! ଭିତରକୁ ଡାକି ଆଣିଛି ବିପଦ । କୁଆଡ଼ର ଲୋକ–କାହିଁକି ଏଠିକି ଆସିଲେ ? କେଜାଣି ଏଇ ଘରବାଲା ଅଦଉତିରେ ତାଙ୍କୁଇ ଆଣି ଘରେ ରଖିଛି ମତେ ହିନସ୍ତା କରିବ ବୋଲି ।

 

–ଘରବାଲା କ’ଣ କଲା ମ !

 

–ଆଉ କିଏ ? ସେଇ ତ ଘର ଭଡ଼ା ଦେଇଛି । ସେଇ ତ ତାଙ୍କୁ ଆଣିଛି । ସେଇ ତାଙ୍କୁ ସଲା ପରାମର୍ଶ ଦେଉଥିବ । ନ ହେଲେ ଆସୁ ଆସୁ ଏତେ ଏମିତି କ’ଣ କେହି କାହାର ହୋଇଯାଏ-? ମୁଁ ବି କିଛି ନ ବୁଝି ପାଣିରେ ଭାସିଲା ପରି ତାଙ୍କ ପାଇଁ କନ୍ୟା ଖୋଜିବାକୁ ଧାଇଁଗଲି । ନିଜେ ତ ବୁଡ଼ିଛି । ପୁଣି ଆଉ ଗୋଟିଏ ଝିଅକୁ ନେଇ ଡୁବେଇବାକୁ ଯାଉଛି–ତାଙ୍କ ସାଙ୍ଗରେ ଛନ୍ଦି ଦେଇ-

 

–ହଁ ସେ ତ ଖାଲି ତମ କଥାରେ ବେଦୀକୁ ଧାଇଁବେ ।

 

–ମନାକରି ନାହାଁନ୍ତି ତ । କହୁଥିଲେ ମୋରି ପରି ଲୋକଟିଏ ପାଇଲେ ହେଇପାରନ୍ତି ବୋଲି ।

 

–ତମ ପରି ନା ତୁମକୁ ?

 

–ଆହତ ଅଭିମାନରେ ଶ୍ୟାମାଦେବୀ କହିଲେ–ଦାଣ୍ଡଲୋକ କହୁଛନ୍ତି । ତମେ ନ କହିବ କାହିଁକି ! ମୁଁ କ’ଣ ବାହା ନ ହୋଇଥିବା ଲୋକପରି ଦିଶିଲି ତମକୁ ?

 

–ଚିଡ଼ୁଛ କାହିଁକି ତମେ ? କିଛି ନ କହି ବାହାରେ ଜଣକୁ ପଚାରିଲ, ସେ କ’ଣ କହିଦେବ ତୁମେ ବିଭା ହୋଇଛ ବୋଲି ?

 

–ମୁଁ କ’ଣ ଏଡ଼େ ପିଲା ଦିଶୁଛି ? ଚଉଦ ବର୍ଷ ହେଲା ଘର କଲିଣି । ମତେ କ’ଣ ଝିଅ ବୋଲି କହିବେ ?

 

–ହଁ !

 

–ଓ ! ବୁଝିଲି ଏଥର । ସେଥିପାଇଁ ତମେ କହୁଛ ଯେ ମତେ ତାଙ୍କ ସାଙ୍ଗରେ ଯୋଡ଼ିବାର ପ୍ରପଞ୍ଚ କଥା କହିବେ ।

 

–ନାଁ ସେଥିପାଇଁ ନୁହେଁ । ସୁଭାଷବାବୁଙ୍କ ଗୁଣରୁ ସିନା କହିବେ ।

 

–ହଁ ତାଙ୍କ ଗୁଣ କଥା ବୁଝିବ ପରା ?

 

–ବୁଝିବାକୁ ସମୟ ଲାଗିବ । ସେତେଦିନ ଯାଏ ତମେ ତାଙ୍କ ସାଙ୍ଗରେ–

 

–କଥା କହିବି ନାହିଁ । ଦେଖା ଦେବି ନାହିଁ । ତାଙ୍କୁ କହିଦେବି ଚାଲିଯିବାକୁ ।

 

–ନାହିଁ ନାହିଁ । ସେମିତି ଭଲ ହେବ ନାହିଁ । ସବୁ ଭଣ୍ଡୁର ହୋଇଯିବ । ସେ ଜାଣିବେ ଯେ ମୁଁ କିଛି ଗୋଲମାଲ କରିଛି । ସେତ ମତେ ଚାହାଁନ୍ତି କଟାସ ପରି । ସତେ କି ଖାଇଯିବେ !

 

–ଭାରି ସାହସ ତାଙ୍କର ! ତମକୁ ସେ ସେମିତି ଚାହିଁଲେଣି !

 

–ସେ ଦିନ ପରା ଗଲାବେଳେ ଗାରେଡ଼େଇ ଚାହୁଁଥିଲେ !

 

–ତୁମେ କ’ଣ କଲ ? କହିଦେଲ ନାହିଁ ଭଲ କରି ଅନାଅ ।

 

ମୁଁ ବି ଗାରେଡ଼େଇ ଚାହିଁଲି । ମନେ ମନେ ଭାବିଲି–ଦେବକୁ ଚିହ୍ନି ନାହିଁ ।

 

–ଆଜି ତ କିଛି କହିଲ ନାହିଁ ତମେ ?

 

କହିବାକୁ ଭାବିଥିଲି । ପିଲାଏ କହୁଥିଲେ ଯେ ସେ ମଉସା ହେଇଛନ୍ତି ।

 

–ମଉସା ! ହଁ ହବତ । ସେ ବିଭାହେଲେ ମଉସା ହିସାବ ହୁଅନ୍ତେ । ଏବେ ସେ ଯାହା ବେଣୁଧର ବି ସେୟା ।

 

–ତାଙ୍କୁ ସେଇଠି ରଖ । କହିଦିଅ ଯେ ତାଙ୍କର ଜାଗା ଦୁଆର ବନ୍ଧ ସେପାଖେ । ଭିତରକୁ ତାଙ୍କର ଗୋଡ଼ ନ ପଡ଼ୁ ।

 

–କହିବି ? –ନାହିଁ ମୁଁ ପାରିବି ନାହିଁ । ଖରାପ ଲୋକ ସେ । କାଳେ କ’ଣ ଖରାପ ବ୍ୟବହାର ଦେଖାଇବେ ।

 

–ତେବେ ତାଙ୍କୁ କ’ଣ ସେମିତି ମୁହଁ ଦେଇଛ ବୋଲି ମୁହଁ ଭାଙ୍ଗି ପାରୁ ନାହଁ ।

 

–ତମେ ତାଙ୍କୁ ସାଧ୍ୟ କରି ପାରିବ । ମୁଁ ପାରିବି ନାହିଁ ।

 

–ସେ କେତେବେଳେ ଆସୁଛନ୍ତି ମୁଁ ଅବା ଜାଣିବି କେମିତି ? ମୁଁ ଟିକିଏ ଚାକିରି ପାଇଁ ପଢ଼ାପଢ଼ିରେ ବ୍ୟସ୍ତ ଅଛି । ବେଳ ମିଳୁ ନାହିଁ ।

 

–ପଢ଼ା କ’ଣ ବଡ଼ ? ମୋର ଏଣେ ମୁଣ୍ଡ ଛିଣ୍ଡିଯାଉଛି ଯେ !

 

–ତୁମେ ଆରମ୍ଭ କରିବ ସବୁ କଥା–ଟିକିଏ ବିରକ୍ତି ଦେଖାଇ ଦେବ କହିଲା ।

 

–ସବୁ ମୋର ଦୋଷ ? ହଉ । ତମର ପଢ଼ା ବଡ଼ ହେଉ । ମୋର ମାନ ପାଣିରେ ପଡ଼ୁ-। ମୁଁ ତମର କିଏ ?

 

–ହଉ ଆସିବି । ସବୁ ସଜାଡ଼ି ଦେବି ।

 

–ନିଶ୍ଚୟ କରି କହୁଛ ? ନା ମତେ ଲୋକହସା କରି ନିଜେ ପୁଣି ହସିବ ? କେବେ କରିବ ?–ଆଜି ?

 

–ଆଜି ସେ ଫେରିବେ ଏଠିକି ? କାହିଁକି ଖାଇବାକୁ ଡାକିଛ କି ?

 

–ନାଁ । ଏଇଠୁ ଯେତେବେଳେ ଗଲେ, କାଳେ ଫେରିବେ ପରା ।

 

ଫେରି ପାରନ୍ତି, ନ ପାରନ୍ତି ବି । ଯଦି ବା ଫେରନ୍ତି । କେଶବବାବୁ ଅଛନ୍ତି ତ । ତାଙ୍କୁ କହିଲେ ସେ ବି ତାଙ୍କୁ ଠିକ୍‌ ବାଟରେ ଛାଡ଼ି ଦିଅନ୍ତେ ।

 

–ତେବେ କ’ଣ ମୁଁ ତିନି ପାଞ୍ଜିରୁ ଯିବି ? ତାଙ୍କୁ ମୁଁ କହିବି–ସୁଭାଷବାବୁ ଖରାପ ଲୋକ, ଆଉ ତାଙ୍କୁ ତଡ଼ !

 

–କାହିଁକି କହିବ ନାହିଁ ?

 

–ସେ କ’ଣ ମୋ କଥା ସତ ବୁଝିବେ ?

 

–ସେ କ’ଣ ଚାହୁଛନ୍ତି ଯେ ସୁଭାଷବାବୁ ଏଠି ଏମିତି ଯା’ଆସ କରୁଥିବେ ?

 

–କେଜାଣି ? ସେ କଥାକୁ ସେ ତ ମୋଟେ ଧ୍ୟାନ ଦେଉ ନାହାନ୍ତି । ତମର ସିନା ଚାରିଆଡ଼କୁ ଆଖି । ତମେ ସବୁ କଥା ବୁଝି ମୋତେ କହିବ । ସେ ତ କିଛି କହିନାହାନ୍ତି । ତାଙ୍କୁ ସାଙ୍ଗରେ ନ ଧଇଲେ ମୋଟେ ଭଲ ଲାଗୁ ନାହିଁ ତମ ଭାଇଙ୍କୁ ।

 

–ଭାରି ବିଷମ ଲୋକ ସୁଭାଷବାବୁ ! କହିଛି ପରା ଏମିତି ସର ପକେଇ ଲହୁଣି ଲଗାଇ କଥା କହିବ ଯେ ସନ୍ଦେହୀ ଲୋକର ବି ସନ୍ଦେହ ହେବ ନାହିଁ ।

 

–ଏମିତି ଲୋକଙ୍କୁ ସେ ଅବା କୋଉ ପଟ ? ତାଙ୍କୁ ତ ଏ ପାଖ ସେ ପାଖ କରିଦେବ ! ବଡ଼ ହଟହଟା ହେଲି । ଯାଏ କୋଉଠି ଲୁଚିବି ।

 

–କିଛି ଭୟ ନାହିଁ । ମୁଁ ଅଛି । ଆଜି ତ କିଛି ସେମିତି ନାହିଁ । ସେ ତ ରହୁଛନ୍ତି ପାଞ୍ଚ ସାତ ଦିନ । ଏଥି ଭିତରେ ସବୁ ଠିକ୍‌ ହୋଇଯିବ ।

 

–ତେବେ ମୁଁ କ’ଣ କରିବି ?

 

–ତାଙ୍କ ଆଗକୁ ବାହାରିବ ନାହିଁ । ସେ ଆସିଲେ କାମର ଛୁତକ ଦେଖାଇ ଅଲଗା ହୋଇଯିବ । ମୁଁ ବି ସଜ ଉଣ୍ଡି ତାଙ୍କ ଭିତରୁ କଥା କଢ଼ିବି...ମୁଁ ଯାଏଁ । ଟିକିଏ ସିନେମା ଦେଖିଯିବି ।

 

–ଚାଲିଯିବ ! ମତେ ଏକୁଟିଆ ଲାଗୁଛି । ତମେ ରହନ୍ତ ନାହିଁ ।

 

–ଟିକଟଟା କିଣିଛି । କାଲି କଥା ହୋଇଥିଲା ଆମେ ପାଞ୍ଚ ଜଣ ଯିବୁ ।

 

–ସିନେମା ଏବେ ନ ହେଲା ଆଜି ଦିନକ ।

 

–ସେମାନେ ଖରାପ ଭାବିବେ । ଆଜି ତ କିଛି ଆଶଙ୍କା ନାହିଁ ।

 

–ମୁଁ ତେବେ ଯିବି ସିନେମା ଦେଖି । ଚାଲ ଯିବା ।

 

–ଏଁ, ତମେ ଯିବ ! ଆମେ ପରା ଯାଉଛୁ ।

 

–ଗଲେ କ’ଣ ହେଲା ? ମୋର ମୁଁ ବସିବି, ତମ ସାଙ୍ଗେ କ’ଣ ଭାଗ ବସୁଛି କି ?

 

–ଛି, ସାଙ୍ଗ ପିଲାଏ ଥଟ୍ଟା କରିବେ ।

 

–କ’ଣ ଥଟ୍ଟା ? ତମ ସାଙ୍ଗରେ ଗଲେ ଥଟ୍ଟା !

 

–ସେମାନେ କ’ଣ କୋଉ କଥା ବୁଝନ୍ତି ? ପୁରୁଷ ସ୍ତ୍ରୀଙ୍କୁ ଏକାଠି ଦେଖିଲେ ଯୋଖିଯାଖି ବାରକଥା କହିବେ ।

 

–ସେମାନେ କ’ଣ ଜାଣନ୍ତି ନାହିଁ ଯେ ତମେ ମୋର ଭାଇ ?

 

–ଜାଣିଲେ ବି ସେମାନେ ବାରି ଦେବେ ଏକା ମା ପେଟର ଆଉ ଅଲଗା ଅଲଗା ଲୋକଙ୍କୁ । ଏକା ମା’ ପେଟର ଲୋକଙ୍କୁ ତ ଏକାଠି ଲଗାଇ ବାନ୍ଧି ଦେଉଛନ୍ତି ।

 

–ତମେ ଯେ ଏଠିକି ଆସୁଛ, ସେଥିରେ କ’ଣ ସେମାନେ ସେମିତି କହି ପାରୁଛନ୍ତି ?

 

–କେଜାଣି ? କହିବାକୁ ଡେରି କେତେ ?

 

–ତେବେ ମୁଁ କଣ ଆଉ ଏଠି ରହିବି ନାହିଁ ? କି ଯୋଗ ପଡ଼ିଲା ଯେ ମୁଁ ଏମିତି ତମ ସାଙ୍ଗରେ, ତାଙ୍କ ସାଙ୍ଗରେ ଆଉ ସମସ୍ତଙ୍କ ସାଙ୍ଗରେ ଯୋଡ଼ି ହୋଇ ନାଗରା ବାଜିବି !

 

ଶ୍ୟାମାଦେବୀଙ୍କର ଆଖିର ଲୁହ ଜକେଇ ଆସିଲା । ଏଣେ ସିନେମା ବେଳ ଡେରି ହୋଇଯାଉଛି । ପରାମର୍ଶ ଦେବାକୁ ଆସି ସିନେମାଟା ମାଟି ହେବା ଉପରେ । ଦେବ ବେପରଓ୍ୟା ଭାବ ଦେଖାଇ କହିଲା–ହଉ ଛାଡ଼ ସେ କଥା । ସେମାନେ ବି ଫେରୁଥିବେ । ମୁଁ ଆଜି ରାତିରେ–ନା, ଆଜି ସୁବିଧା ହେବ ନାହିଁ–ୟା ଭିତରେ ସବୁ ଖବର ନେଇ ଆସୁଛି । କିଛି ଭୟ ନାହିଁ ।

 

ଦେବ ଛାଟିପିଟି ହୋଇ ବାହାରିଲାବେଳେ ଶ୍ୟାମାଦେବୀ କହିଲେ–ହଉ ଯା’ । ବିପଦରେ କେହି କାହାର ସାହା ନୁହନ୍ତି । ତମେ ବି ନୁହଁ । ସେ ବି ନୁହଁନ୍ତି । ଏଇ ଦୁନିଆରେ ବିପଦ ଆପଦରେ ଛାତି ଦେଖାଇବାକୁ କେଇ ଜଣ ?

 

ବାଟରେ ଗୁଣୁଗୁଣୁ ହୋଇ ଦେବ କହୁଥିଲା–ଅକଳରେ ପଡ଼ିଲା ବେଳକୁ ଦେବ ! ସେ ଏଣେ ସିନେମା ଦେଖିବ ନାହିଁ ? ସମସ୍ତଙ୍କ ଆଗରେ ଭାଣ୍ଡିଆ ହେବ ! ସତେ ଯେମିତି ଆଜି ପାହାଡ଼ ଭାଙ୍ଗି ପଡ଼ୁଛି । ସେଦିନ ମତେ ଅପମାନ ଦିଆଗଲା–ବେଣୁଧର ଚପରାସି ଆଗରେ ।

 

ପହଲାମା ଆଉ ବେଣୁଧର ସେଇ ହସ ଶୁଣି କାନ ପାରିଥିଲେ । ବାବୁଘର ଛାଡ଼ୁ ନଛାଡ଼ୁଣୁ ଆରମ୍ଭ ହେଲା ମଉଜ ! ବହୁତ ବେଳ କାନ ପାରିଲେ କିଛି ଶୁଭିଲା ନାହିଁ ।

 

ଚା ପାଣି ସେମିତି ଫୁଟୁଥାଏ । ପହଲାମା ବ୍ୟସ୍ତ ହେଲା ।

 

–ଶୁଣ୍‌ ମ ! କ’ଣ କଥା ପଡ଼ିଛି ତମ ବାବୁଙ୍କ ଘରେ । ଆମ ବାବୁଙ୍କ ବାହାଘର କରିବାପାଇଁ ତମ ମାଲିକାଣୀଙ୍କର ତ ଭାରି ଦରଦ ।

 

ଚୁପ୍‌ ଚୁପ୍‌ କରି ପଚାରିଲା–କ’ଣ କହୁଛ କି ଖୋଲଟା–ମୋଲଟା କରି ?

 

–ତୁନି ପଡ଼ । ପାଟି କରନା ।

 

–ଚା ପରଇ ହେଇ ଗଲାଣି । ଓହ୍ଲେଇ ଦିଅ । ଶୁଭିବ ନାହିଁମ କିଛି ।

 

–ହଁ ତ ଶୁଭୁନାହିଁ । କିଏ ଆସିଛି କି ?

 

–କେହି ତ ନଥିଲେ । ଆସିଥିଲେ ସେହି ଦେବବାବୁ ଆସିଥିବେ ।

 

–ଦେବବାବୁ କିଏ ? ସେଇ ଜଣକ କି ? ହଁ, ହଁ, ସେଇ ତ ! ତାଙ୍କ ସାଙ୍ଗରେ ଏତେ ଭାବ କାହିଁକି ? ବହୁତ ଛଟକ ତାଙ୍କର !

 

–ପିଲାବେଳୁ ଚିହ୍ନା । ତାଙ୍କୁ ଭାଇ କରିଛନ୍ତି ।

 

–ଏତେ ବାପ ଭାଇ କ’ଣ ହେଉଛନ୍ତି ? ତମ ବାବୁଙ୍କୁ କହୁନୁ ତାଙ୍କୁ ସାଙ୍ଗରେ ନେଇ ବୁଲିବେ ।

 

–କି କଥା କହୁଛ ମ ! ବାବୁଙ୍କୁ ନେଇ ତ ଇଏ ଘିରି ଘିରି ବୁଲୁଛନ୍ତି । ଜବାନ ବୟସ ତିରିଲା । ସେ ତ ମାମଲତକାର । ବାବୁ କ’ଣ କରିବେ ?

 

–ବାବୁଙ୍କୁ କ’ଣ ଭଲ ଦିଶୁଛି ଏ ସବୁ ?

 

–କି ଜାଣି ! ଯିଏ ତ ବାବୁ ହେଲା ସେ ଆଖି ଥାଇ, ଅନ୍ଧ, କାନ ଥାଇ କାଲ । ତାକୁ ଏବେ ଉଠୋଉଛି, କିଏ !

 

ବେଣୁଧର ଚା ଗିଲାସେ ବଢ଼ାଇ ଦେଇ ପଚାରିଲା–ଚା ଭଲ ହୋଇଛି ନା ! ଆଉ ପିଇବୁ ?

 

–ଅଛି ଯଦି, ଆଉ ଟିକିଏ ଦିଅ ।

 

ଚା’ ଦେଇ ପାଖକୁ ଘୁଞ୍ଚି ଆସି ବେଣୁଧର ପଚାରିଲା–ତୁ କେବେ କିଛି ଦେଖିଛୁ ? ସବୁବେଳେ ତ ଚଳୁ ସେଠି ।

 

–ଦେଖି ନାହିଁ ଯେ ଦେଖିଲା ପରି ।

 

–କ’ଣ ଦେଖିଛୁ ?

 

–ଏଇ ଦେବବାବୁଟା ସେଇଠି ଘର ଭିତରେ ଟୁପ୍‌ଟୁପ୍‌ ଫୁସ୍‌ଫୁସ୍‌ ହେଉଥିବ ମୁହଁକୁ ମୁହଁ ଯୋଡ଼ି । ମତେ ଭାରି ଚିଡ଼ି ମାଡ଼େ ।

 

–ତୁ କିଛି କହୁନାହିଁ ?

 

–କହିବି ? ଥରେ ତ ପଚାରିଥିଲି ନୂଆ ନୂଆ ବେଳେ–ମା, ଇଏ କିଏ କି.....ଇଲୋ, ମା, ଯାଏ କୁଆଡ଼େ ! ...ମତେ କହୁଛି–କ’ଣ ପରି ଦିଶୁଛି କି ସିଏ ତତେ ? ଆଉ ଯେବେ ଏମିତି କଥା ସବୁ ପଚାରିଛୁ ତେବେ ତତେ ନେଇ ଜିହଲ ଖଟେଇବି...ମୁଁ କାହିଁକି ଜିହଲ ଖଟିବି ? ତମର ଯାହା ଇଚ୍ଛା ତାହା କର ।

 

–ସତେ ! ଏମିତି !

 

–ସେହିଦିନୁ ସେମାନେ ସେ ପାଖରେ ବସିଥିଲାବେଳେ ମୁଁ ତେଣେ ଆଉ ଯାଏ ନାହିଁ । ହସ ଖୁସି ଭାଙ୍ଗି ପଡ଼ୁଥାଏ ।

 

–ପିଲାମାନେ ?

 

–ପଢ଼ା । ନ ପଢ଼ିଲେ ମାଡ଼ । ପଢ଼ିଲାବେଳେ ପାଟିକରି ପଢ଼ । ସେମାନେ ସିନା ବୁଝନ୍ତି ନାହିଁ । ପହଲାମା ସବୁ ବୁଝେ ।

 

–ରତନା ?

 

–ସେ ତ ମାସେ ହେଲା ଆସିଛି । ମତେ ତଡ଼ିବ ବୋଧେ ବାବୁଆଣୀ ।

 

–ତତେ ତଡ଼ିବ ? ଚଳି ପାରିବ ଟି ?

 

–ତାଙ୍କର ତ ଭାରି ଦମ୍ଭ ! ଖାଇ ଦେଇ ମୁହଁ ପୋଛି ଦେବେ । ଏଣେ କହିବେ ମୁଁ ଖାଇ ନାହିଁ ।

 

–ବାବୁ ଥିଲାବେଳେ କ’ଣ ସେମିତି–

 

–ଆଜି ପରା ବାବୁ ଅଛନ୍ତି । ବାବୁ ଗଲେ ଦାଣ୍ଡକୁ । ଏଣେ ଚାଲିଲା ନାଟ । ଆଜି କ’ଣ ଦେବବାବୁ ଆସିଲେ ନାହିଁକି ?

 

–ହଁ ମ, ସେହି ଦିନ ମତେ ଦେଖି କଟମଟ କରି ଚାହୁଁଥିଲେ ।

 

–ରଙ୍କୁଣା ଆଖି–ତମ ବାବୁ ବି ସେ କୋଉ ସୁଖ ପାଉଥିବେ କି ? ଭଗାରିଆ ବୁଦ୍ଧିରେ ବାର ଫିସାଦ କରୁଥିବେ ।

 

–ଆମ ବାବୁ ଯାଉଛନ୍ତି ତ ।

 

–ହେଲେ ବାବୁଙ୍କୁ ଖାଉନ୍ଦାଣୀ ଖାତର କରୁଛି । ସେଥିପାଇଁ ଦେବବାବୁଙ୍କ କଥାକୁ କାନୋଉ ନାହିଁ ।

 

–ଆମ ବାବୁ ସେଠି କ’ଣ କରନ୍ତି ?

 

–ତମ ବାବୁ ? ସେ ତ ସେତେ ଯା’ ଆସ କରନ୍ତି ନାହିଁ । ଆଜି ଯାହା ବସିଥିଲେ ପହରେ । ଆଉ ସେଦିନ ତ ଖାଇଥିଲେ । ସବୁ ଥର ତ ତାଙ୍କ ଖାଉନ୍ଦ ଅଛନ୍ତି ।

 

–ତେବେ ଏତେ ଖାନାପିନା ନାଗିଛି କାହିଁକି ?

 

–ବନଶୀ ଥୋପ ପଡ଼ୁଛି ।

 

–ବାବୁଙ୍କ ଠୋଉ ଟଙ୍କା ନବ କି ?

 

–କି ଜାଣି ! ବାବୁଙ୍କର ତ ଖୋଲା ହାତ । ଅଜାଡ଼ିବାକୁ କିଏ ବା ମନାକରିବ ତାଙ୍କୁ । ତମ ଆମକୁ ଦବାବେଳକୁ ସିନା ବାର ହିସାବ ।

 

–ହଇ ! ଠିକ୍‌ କଥା । ବାବୁଙ୍କର ଥରେ ବେଭାର ଚଳିଲେ ଆମର ମାସ ମାସକର ଦରମାକୁ ନିଅଣ୍ଟ । ଆଉ ଆମକୁ ଜୋରିମନା କଲାବେଳକୁ ଥରକରେ ଚାରି ଦିନ ଦରମା ଶେଷ ।

 

–ତମ ବାବୁ ବାହା ହଉ ନାହାନ୍ତି ? .....ଚପରାସି ସାହାବ !

 

–ଲୋକ ତ ଲାଗିଥିଲେ । ଟାଳି ଦେଇଛନ୍ତି ବର୍ଷେ ।

 

–କ’ଣ ଏୟା କରିବେ ବୋଲି ! ଅଇଁଠା ଖୋଜିବେ !

 

–ଅଇଁଠା ଚାଟିଲେ ତାଙ୍କୁ ଯଦି ସୁଖ ଲାଗିଲା–ଚାଟନ୍ତୁ ।

 

–ସତେ ମ ଚପରାସି ସାଇବ, ମଣିଷଙ୍କୁ ବାରଓଳି ତେର ପିଣ୍ଡା ହବାକୁ ଭାରି ଆଚ୍ଛା ଲାଗେ ।

 

–ଦେଖୁଛ ତ, ଏଠି ଜଳଖିଆ ହେଲା । ବାବୁ ଯାଇ ସେଠି ଖାଇଲେ । ଘରେ ନ ଖାଇ ହୋଟେଲରେ–

 

–ଖାଆନ୍ତୁ । ସେ ତାଙ୍କ ଜିନିଷ ଖାଇଲେ ଆମେ ୟା’ଙ୍କ ଜିନିଷ ଖାଉଛୁ । ଦଇବଦଉଡ଼ିରେ ସମସ୍ତେ ବନ୍ଧା । କେହି ଛାଡ଼ ଯିବେ ନାହିଁ ରେ ବାବୁ ! ସେ କାହା ଠୋଉଁ ନଉଥିଲେ ତାଙ୍କ ଠୋଉଁ କିଏ ନେବେ !

 

–ଭଲ କଥା ନୁହେଁ । ବାବୁଙ୍କୁ ଭଲ ବାଟରେ ନ ରଖିଲେ ସେ ତ ବିଗିଡ଼ିଯିବେ !

 

–କିଏ କହିବ ? ....କାହିଁକି ବିଧାତା ତାଙ୍କୁ ଏ ଅଣବାଟରେ ନେଇ ଥୋଇଛି ! ଭଲଲୋକ ବୋଲି କାଦୁଅରେ ପଡ଼ି ଯାଇଛନ୍ତି ଅବା ।

 

ବେଣୁଧର ଗହୀରିଆ ନିଶ୍ୱାସ ମାରି କହିଲା–ବାବୁ ନଥିଲା ବେଳେ ବି ପାଦରେ ଅଳତା, ମୁଣ୍ଡରେ ଫୁଲ । ସେଦିନ ବାସୁଥିଲା ମହମହ ।

 

–ଖାଲି ଏତିକି ? ହାତ ନଖ ଦେଖିନ ଚପରାସି ପୁଅ । ସେ ବି ଅଳତା ନାଏ ?

 

–ଏତେ କରିଧରି ବି ହୁଏ ନାହିଁ ପରା ! ଫୁଲ ଖୋସା ହୁଏ ମୁଣ୍ଡରେ । ଫୁଲ ବି ଆସୁଥିଲା ଏଠିକି । ଆମ ବାବୁ ତ ମଙ୍ଗିଲେ ନାହିଁ । ଫୁଲ ବନ୍ଦ ହୋଇଗଲା ।

 

–ତମ ବାବୁ ସେମିତି ନୁହନ୍ତି । ମରଦ ପିଲା । ଫୁଲ କ’ଣ କରିବେ ? ସେ କ’ଣ ମାଇଚିଆ ହେଇଛନ୍ତି ?

 

–ନାଇଁ ଲୋ ହୁଣ୍ଡି, ବୁଝିନୁ, ଏଇ ଫୁଲ ଭିତରେ ବହୁତ ମର୍ମ କଥା ଅଛି ! ସେ କ’ଣ ଫୁଲକି ? ସେ ପରା ଚିଟୋଉ !

 

–କେଜାଣି ଆମେ ମୂରୁଖ ଲୋକ ଏତେ କଥା ବୁଝୁ ନାହିଁ, ମନକୁ ପାଇଲା ତ ମନ ଲଗେଇ ଦେଲୁ । ମନକୁ ନପାଇଲା ତ ମୁହଁ ଚାହିଁବୁ ନାହିଁ । ମୋର ଟୋକି ବଅସରେ ମୁଁ ତ କେତେ ଏମିତି ଛି କରି ଦେଇଛି !

 

ବେଣୁଧର ହସି ଉଠିଲା । ପହଲାମା ଚିଡ଼ିଉଠି କହିଲା–ହଉ ବସିଥା । ଟିକିଏ ଭଲ କଥା ପଡ଼ିଲାବେଳକୁ ମତେ ଚିଡ଼ୋଉଛୁ ନା ? ମୁଁ ଆଉ ସେସବୁ କଥା କିଛି କହିବି ନାହିଁ–କାନ ମୋଡ଼ି ହେଲି ଏଇଠି ।

 

ପହଲାମା ଚାଲି ଯାଉଥିଲା ରୁଷି କରି । ବେଣୁଧର ବଡ଼ ପାଟିରେ ନ ଡାକି ଆସିଥିଲା ପଛେ–ପଛେ । ଶୁଣମ ।

 

–ନାଁ । ମୁଁ ଶୁଣିବି ନାହିଁ ।

 

ଦାଣ୍ଡ ଦୁଆର ଫିଟିଲା । ବାବୁ ଦିହେଁ ଆସି ପହଞ୍ଚିଲେ । ପହଲାମା, ବେଣୁଧର ଦୁଆର ମଝିରେ ଆଗ ପଛ ଠିଆ ହୋଇଛନ୍ତି । ଦୁହେଁ ଚମକି ଚାହିଁଛନ୍ତି ବାବୁମାନଙ୍କୁ ।

 

–କିଲୋ ଯାଇନୁ କି ଏତେବେଳଯାଏ ।

 

–ନାଁ ଆଜି ତ ଏଇଠି ଖାଇଦେଲି । ଆଉ ଖାଇବି ନାହିଁ । ଭାରି ଅଶକତ ଲାଗିଲା । କହିଲି ଏଇଠି ଦଣ୍ଡେ ବସିଯାଏ । ବାହାରୁଥିଲି ତ ।

 

–ହଉ ଯା । ସୁଭାଷବାବୁ କହିଲେ ।

 

ବେଣୁଧରକୁ ଛାତ ଉପରେ ଦି’ଖଣ୍ଡ ଚୌକି ପକାଇବାକୁ ବରାଦ ହେଲା । ସେ ଚୌକି ନେଲାବେଳେ ସୁଭାଷବାବୁ କହିଲେ–କି ବେଣୁଧର, ପହଲାମା ସାଙ୍ଗରେ ମିଳାମିଶା ହେଇଗଲା ।

 

–ଖେଣ୍ଟେଇ ଟାଏ । ଖାଇବ, ନିନ୍ଦିବ ।

 

କେଶବବାବୁ ହସିଥିଲେ ସୁଭାଷବାବୁଙ୍କୁ ଚାହିଁ ।

 

–ଆଉ ବସିବା କି ? ଶ୍ୟାମା ଏକୁଟିଆ ଅଛି । ଚିଡ଼ିବ । ବେଶି ବେଳ ବାହାରେ ରହିଲେ ରୁଷିବ ।

 

–କାହିଁ, ଦେବ ଥିଲେ ତ ।

 

–ଦେବ ଚାଲିଯିବଣି । ପିଲାମାନେ ତାକୁ ଭାରି ଭଲ ପାଆନ୍ତି । ଭାରି ସ୍ନେହୀ ପିଲା । ମଝିରେ ମଝିରେ ଆସି ଘରର ଭଲମନ୍ଦ ବୁଝିଯାଏ ।

 

–ହଁ, ପିଲାଲୋକ ସବୁବେଳେ ଭଲ । ଉତ୍ସାହ ଥାଏ ନା । ଭଲମନ୍ଦ ବୋଲହାକ ପାଇଁ ଏମିତିକା ଲୋକ ଥିବା ଦରକାର ।

 

–କେମିତି ସେ ଭଲ ଚାକିରି ଖଣ୍ଡେ ପାଇଯାଆନ୍ତା !

 

–ସେ ତ ହାକିମ ହେବାକୁ କହୁଛି । ହୋଇଯିବ ।

 

–ମୋର ତ ବିଶ୍ୱାସ ନାହିଁ ଏ କଥାରେ । ଶ୍ୟାମା ଆଉ ସେ ଗୋଟାଏ ପଟେ । ଶ୍ୟାମା କହେ ଦେବ ଭାରି ଚତୁର ।

 

–ମାଇପିଙ୍କୁ ସମସ୍ତେ ସେମିତି ଦିଶନ୍ତି ।

 

–ସମସ୍ତଙ୍କ କଥା ଅଲଗା । ଆମ ଶ୍ୟାମା ଭାରି ଚଲାଖ ଚତୁର ! ....ନୁହେଁ ?

 

ବେଣୁଧର ଛାତ ଉପରୁ ନ ଓହ୍ଲାଇ ଶୁଣୁଥିଲା ଆଉ ଚାହୁଁଥିଲା ଶ୍ୟାମାଦେବୀଙ୍କୁ । ତାଙ୍କ ଦୁଆରେ ସେ ଆଲୁଅ ଜାଳି ଚୌକିରେ ବସିଛନ୍ତି ।

 

–ଖୁବ୍‌ ଚତୁର ତ ! ତେବେ ଦେବ ବିଷୟରେ ମୁଁ ଠିକ୍‌ କହିପାରୁ ନାହିଁ । ଦେବ ସାଙ୍ଗରେ କଥା ହେଲେ ବୁଝି ପାରନ୍ତି ।

 

–ଦେବଟା କେଡ଼େ ମୁହଁ ଚୋର ! ଆସୁନାହିଁ ଏଠିକି ! ତାକୁ କହିଦେବି–ଆସିବ ।

 

–ମୁଁ ବି ତ ଖୋଜୁଥିଲି ।

 

କେଶବବାବୁ ଯିବାକୁ ବାହାରିଲେ ।

 

ବିମର୍ଷ ହୋଇ ସୁଭାଷବାବୁ କହିଲେ–ହଉ ଯାଆନ୍ତୁ । ଆମେ ଆମର ଗୋଟିକିଆ ଡଙ୍ଗା ବୋହିବା । ନିଜେ ନାଉରି...ନିଜେ ପଝାରି ।

 

–ହଉ ହଉ, ମଙ୍ଗୁଆଳ ଆସିଯିବେ ନିକଟରେ । ଏବେ ମୁଁ ଘରକୁ ଫେରି ଜୋରସୋରରେ ଆରମ୍ଭ କରିଦେବି କାମ ।

 

ବନ୍ଧୁଙ୍କୁ ଏକୁଟିଆ ଛାଡ଼ି କେଶବବାବୁ ତରତର ହୋଇ ଘରେ ପହଞ୍ଚି କହିଲେ–ବୁଲୁବୁଲୁ ଡେରି ହୋଇଗଲା ।

 

–ଆଉ ସେ ?

 

–ରହିଲେ ଘରେ । କହୁଥିଲେ ଏକୁଟିଆ–ନାଉରି ଆଉ ପଝାରି ।

 

–ତମେ କ’ଣ କହିଲ ?

 

–କହିଲି ଘରକୁ ଯାଇ ଶୀଘ୍ର ଶୀଘ୍ର ମଙ୍ଗୁଆଳ ପଠାଇବାର ବ୍ୟବସ୍ଥା କରୁଛି...ବୁଝିଦିଅ ମ ଝଅଟ । ସେହି ଯାହା କଥା କହୁଥିଲ । ବିଚାରା ସୁଭାଷବାବୁ ହନ୍ତସନ୍ତ ହେଉଛି ।

 

–ହୁଅନ୍ତୁ । ଶୁଖିଲା ଶୁଖିଲାରେ ସବୁ ଜିନିଷ ମିଳିଲେ ମଣିଷ ତା’ର ତାଳ ଠିକ୍‌ ରଖିପାରେ ନାହିଁ । ସେ ଲୋକ ଟିକିଏ ଦହଗଞ୍ଜ ହେବା ଦରକାର ।

 

–କ’ଣ ହେଲାକି ?

 

–କିଛି ନାହିଁ । ଭାରି ଚାତର କଥା କହୁଛି । ଦେବ କି କହୁଥିଲେ ସେଇକଥା । ଭାରି ଦିଲିଗିଲିଆ ମନ । କହିବ ପ୍ରକାରେ ଭାବିବ ପ୍ରକାରେ ।

 

–ଝିଅ ତ ବୁଝିଛ । ଭେରା ମୁଣ୍ଡରେ ଲଗେଇ ଦେବ ।

 

–ଝିଅ କିଛି ଶସ୍ତା ନୁହଁନ୍ତି । ତୁମକୁ ମିଳିଗଲା ବୋଲି ତମେ କ’ଣ ସ୍ତ୍ରୀଙ୍କର ଗୌରବ ବୁଝୁଛ ? ସେ ଆସୁ, କହୁ,..ପ୍ରାର୍ଥନା କରୁ....ପାଇବ ।

 

–ଏବେ ଡାକି ଆଣିଥିଲେ ହେଇଥାଆନ୍ତା । ଆଣିଲି ନାହିଁ । ଭାବିଲି, ତମ ସାଙ୍ଗରେ ଟିକିଏ ବସି ଦୁଃଖ ସୁଖ ହେବି ।

 

–ଏତେ ମନରେ ଥାଏ ଟି ! ମୁଁ ତ ଜାଣି ନଥିଲି ମୋଟେ । ଆଜି କାହିଁକି ଭାରି ସୋହାଗ ! ନୂଆ ବନ୍ଧୁ କିଛି ବୁଦ୍ଧି ଦେଲେ କି ?

 

–ସେ କ’ଣ ଜାଣନ୍ତି ମ ! ତାଙ୍କର ଅନୁଭବ କେତେ ? ସେ କ’ଣ ମୋତେ ବୁଦ୍ଧି ବତାଇବେ.......ମୋର ଆଜି ମନ ହେଉଛି ଟିକିଏ ଗୀତ ଶୁଣିବାକୁ ।

 

ଗୀତ ମୁଁ ଗାଇପାରିବି ନାହିଁ । ଭାରି ଲାଜ ମାଡ଼ିବ । ଏବେ ମୁଁ ଗାଉନାହିଁ । ଖାଲି ବାଜା ବଜାଏ । ଲୋକେ ହସିବେ । ଦରବୁଢ଼ୀଟା କେଡ଼େ ହେରେସୀ ହେଉଛି !

 

–ସେମାନେ ତ ଆମୁକୁ ପୋଷୁ ନାହାଁନ୍ତି । ଆମେ ଆମର ଯାହାକଲୁ...

 

–ତାଙ୍କରି ତୁଣ୍ଡରେ ତ ଛେଳି କୁକୁର । ତାଙ୍କରି କଥାକୁ ତମେ କ’ଣ ଦିନେ କାନେଇବ ନାହିଁ ?

 

–ମୋର ତ ଗରଜ ପଡ଼ିଛି । ମୁଁ ଆସି ପଡ଼ା ପଡ଼ୋଶୀଙ୍କୁ ପଚାରିବାକୁ ଯିବି ଘର କଥା ! ଗୋଟିଏ ଗୀତ ଗାଅ, ଶୁଣିବା ।

 

–ହେଇ ବଳାଅ ନା । ଆମର ବହୁତ ଶତ୍ରୁ । ସେ ଘରବାଲାଟା ବାରକଥା ଉଠାଇବ । ଉଠାଉ ଥିବ କି କ’ଣ । ଚଦୁଛି ପରା ।

 

–ଛୋଟ ଲୋକ ଶତ୍ରୁ ହେଲେ ସେମିତି କରନ୍ତି । ସେଗୁଡ଼ାଙ୍କୁ ଖୁଣି ବସିଲେ ମଣିଷ ତ ରହିପାରିବ ନାହିଁ । ଆମେ ଯେବେ ଘର କରି ବାହାରର ଲୋକଙ୍କ କଥାକୁ କାନପାତିବା, ତେବେ ଚଳି ହେବ ନାହିଁ–ସେ ନିଜେ ଯାଇ ହାରମୋନିୟମ ଆଣିଲେ ।

 

ମୁହଁ ଧୋଇବାକୁ ଶ୍ୟାମାଦେବୀ ଉଠିଗଲେ । ଅଳପ ଜହ୍ନ ଆଲୁଅରେ ସୁଭାଷବାବୁ ତାଙ୍କର କୋଠା ଉପରେ ବସି ରହିଥିଲେ । ତାଙ୍କର ଓଠ କଣରେ ଦୁଷ୍ଟ ହସ ଖେଳିଗଲା ।

 

ଗଳା ସଫା କରି ସ୍ୱାମୀଙ୍କ ମନକୁ ପାଇଲା ପରି ଲୁଗା ସଜାଡ଼ି ଶ୍ୟାମାଦେବୀ ଆରମ୍ଭ କଲେ–

 

କୋଠା ଉପରେ ସୁଭାଷବାବୁ ଇତର ହିଂସାରେ ଜଳି ଯାଉଥିଲେ ।–ହେଇ ଦେଖ ଶ୍ୟାମାକୁ । ଏବେ କେଶବବାବୁଙ୍କୁ ଧରି ମାତିଲାଣି ହାରମୋନିୟମରେ–ଭଲ ବଜେଇ ଜାଣେ । ବଡ଼ କପାଳିଆ ଲୋକଟା କେଶବବାବୁ ।

 

–ନାହିଁ, ଗାଇ ପାରିବି ନାହିଁ । ତଣ୍ଟି ଖୋଲୁନାହିଁ । ଲାଜ ଲାଗୁଛି । ଗଳା ଘାଗଡ଼ା ହୋଇଗଲାଣି ଏଇ ବେବି ହେଲାଦିନୁ ।

 

–ନାଇଁ ମୋଟେ ଘାଗଡ଼ା ହୋଇନାହିଁ ।

 

ହାରମୋନିୟମ ବନ୍ଦ ନକରି ଶ୍ୟାମାଦେବୀ କହୁଥାଆନ୍ତି କେଶବବାବୁଙ୍କର ଆଗ୍ରହ ବଢ଼ାଇବାକୁ । ତାଙ୍କର ବାରମ୍ୱାର ଅନୁରୋଧ ଏଡ଼ି ନପାରି ସେ ଆରମ୍ଭ କଲେ–

 

ଆଶାଦେଲ ଯେବେ ଆଶାୟୀ ପ୍ରାଣେ

ଦେଲ କାହିଁକି ନେଲ କାହିଁକି

ଅଜଣା ରାଇଜେ ମୁରଜର ବୀଣା

ବଜାଇଲ ଯେବେ ନେଲ କାହିଁକି.....

 

ଗୀତ ଗାଇଲାବେଳେ ଶ୍ୟାମାଦେବୀ ଏକାନ୍ତ ମନରେ ସୁଭାଷବାବୁଙ୍କୁ ମନେ ପକାଇ ଗାଇଥିଲେ । କୋଠା ଉପରକୁ ତାଙ୍କର କଣ୍ଠସ୍ୱର ଅଫୁରନ୍ତ ମଦିରା ଆଣି ଅଜାଡ଼ି ଦେଇଥିଲା ।

 

ଥରେ ନୁହେଁ–ବାରମ୍ୱାର । ସେଇ ଆଶା ଦେଲ ଯେବେ ଆଶାୟୀପ୍ରାଣେ......ପଦକ ସେ ଗାଇଥିଲେ–କାଳେ ଶୁଭି ନ ଥିବ, କାଳେ ବୁଝି ନ ଥିବେ ।

 

ବାରମ୍ୱାର ସେଇ ଗୀତ ଉପରେ ନିଜର ଉତ୍ତେଜନା ଓ ଉତ୍ସାହ ଅଜାଡ଼ି ଦେଇ ଶ୍ୟାମାଦେବୀ କ୍ଳାନ୍ତ ହୋଇ ପଡ଼ିଲେ । ତାଙ୍କର ମନ ଭିତରେ ଅହରହ....ସେହି ଆଶା ଦେଇ ନିରାଶ କରିବା କଥା–ଝଙ୍କାରି ଉଠୁଥିଲା । ହାରମୋନିୟମ ଥୋଇଦେଇ ସେ ବିଚଳିତ ସ୍ୱରରେ ପଚାରିଲେ–ହେଲା ତ ? କୁହ–କାହିଁକି ମନରେ ଏତେ ଆଶା ଉଠାଅ ? ଯଦି ଆଶା ପୂରଣ କରିବା ଏକାବେଳକେ ଅସମ୍ଭବ, ତେବେ–

 

ଆକାଶରେ ଅଧା ଜହ୍ନ । ସ୍ନିଗ୍‌ଧ କୌମୁଦୀର ଶୀତଳ ଆସ୍ତରଣ ଉପରେ ଶ୍ୟାମାଦେବୀଙ୍କର ଦେହି ଆବେଗଭରା କଣ୍ଠସ୍ୱର ଅସ୍ପଷ୍ଟ ହୋଇ ସୁଭାଷବାବୁଙ୍କୁ ପଚାରୁ ଥିଲା–ସେ ଯାହା ଶ୍ୟାମାଦେବୀଙ୍କୁ ପଚାରିବାକୁ ଚାହୁଁଥିଲେ ସେଇ ପ୍ରଶ୍ନ ଶ୍ୟାମାଦେବୀ ପଚାରୁଛନ୍ତି ।

 

ସଙ୍ଗୀତର କଥାବସ୍ତୁ ଉପରେ ସେ ତାଙ୍କର ସ୍ୱାମୀଙ୍କୁ କହୁଥିଲେ–ଘରୋଇ କଥା ହେଲେ ବି, ପ୍ରକାଶ ଭଙ୍ଗୀରେ କୌଣସି ପ୍ରକାରର ଗୋପନ ସ୍ପର୍ଶ ନ ଥିଲା ।

 

କେଶବବାବୁ କ’ଣ କହିଲେ ଶୁଭିଲା ନାହିଁ । ସୁଭାଷବାବୁ କିଛି କହିବା କଥା ନୁହେ । କିନ୍ତୁ ତାଙ୍କର ମନକୁ ଏକାବେଳକେ ଶୂନ୍ୟ କରିଦେଇ ଶ୍ୟାମାଦେବୀଙ୍କର ସେହି ପ୍ରଶ୍ନଟି ଝଡ଼ପରି ତରଙ୍ଗ ଉଠାଇଥିଲା ମନଭିତରେ ।

 

ଅନୁତପ୍ତ ହୋଇ ସୁଭାଷବାବୁ ନିଜକୁ କହିଥିଲେ–ଶ୍ୟାମାଦେବୀଙ୍କୁ ସେ ଭୁଲ ବୁଝିଛନ୍ତି । ତାଙ୍କର ମନରେ ଗୋଟିଏ ସହଜ ପିପାସା ତାଙ୍କର ଘର-ସଂସାରର ସମସ୍ତ ବାଧା-ବନ୍ଧନକୁ ଏଡ଼ିଦେଇ ଏକ ମନରେ ଏକ ଆଶାରେ ତାଙ୍କ ଆଡ଼କୁ ଚାହିଁ ରହିଛି ।

 

ସେ କ’ଣ ସେତିକି ପୂରଣ କରିପାରିବେ ନାହିଁ ? ଆଶାୟୀ ମନର ଅପୂର୍ଣ୍ଣ ଆଶା ପୂରଣ କରିବାକୁ ଶ୍ୟାମାଦେବୀ ଯେଉଁ କାତର ପ୍ରାର୍ଥନା ଜଣାଇଛନ୍ତି–ତାହାରି ଡାକ ହୃଦୟରେ ଆସି ବାଜୁଛି-। ଏପରି ଲୋକ ପାଖରେ ଦେଇ ନ ପାରିବାର କୌଣସି ପ୍ରଶ୍ନ ଉଠିପାରେନା । ସବୁ ଦେଇ ହେବ–ଧନ, ମାନ, ଜୀବନ, ବର୍ତ୍ତମାନ ଓ ଭବିଷ୍ୟତ ।

 

ସେଠିକି ଯାଇ ତାଙ୍କରି ଆଗରେ ବସିଥିଲେ ହୁଏ ତ ସେଇ ଗୀତଟିକୁ ସେପରି ଉତ୍ସାହରେ, ସେହି କରୁଣ ଆବେଗରେ ସେ ଗାଇ ପାରି ନ ଥାନ୍ତେ । ଅସ୍ପଷ୍ଟ କଥା କାନରେ କହିବାବେଳେ ଯେଡ଼େ ମଧୁର–ଚିଠିରେ ସେ କଥା ପଢ଼ିଲାବେଳେ ତହିଁରୁ ବହୁଗୁଣ ମଧୁର ।

 

ବେଣୁଧର କାନ ଠିଆ କରି ସେହି ଗୀତର ଲହର ଶୁଣୁଥିଲା ମୋଟେ ଲାଜସରମ ନାହିଁ-! କେମିତି ଘରଣୀ ମାଇପେ ଏମିତି ଗଳା ଖୋଲି ଏମିତିକିଆ ଗୀତ ଗାଇପାରନ୍ତି କେଜାଣି-! ....ତେବେ ଗାଉଥିଲେ ଭାରି ଭଲ ।

 

ନିଜ ମନକୁ ସେ ଗୁଣୁ ଗୁଣୁ ହୋଇ ଚୁଲିଆଡ଼େ ଚାହିଁ ପଚାରୁଥିଲା–ଆଶାଦେଲ ଯେବେ ଆଶାୟୀ ପ୍ରାଣେ...

 

ନିଆଁ ଓ ପାଣି ଏ ସବୁ ବଢ଼ିଆ ଜିନିଷ ବୁଝନ୍ତି ନାହିଁ । ମାଛ ଭାଜିଲାବେଳେ ଲାଗିଯାଇଥିଲା କଡ଼ାରେ । ବେଣୁଧରର ଅନ୍ୟମନସ୍କ ମନକୁ ହଠାତ୍‌ ଯେପରି ତା’ର ଶୁଙ୍ଘିବା ଶକ୍ତି ମନେ ପକାଇ ଦେଇଥିଲା–ଗଲା ଗଲା । ଗାନା ଶୁଣୁଶୁଣୁ ମାଛ ଖତମ । ବାବୁ ଖାଇବେ କଅଣ ?

 

ଛାତ ଉପରେ ସୁଭାଷବାବୁଙ୍କ ନାକ ଆଗରେ ସେଇ ସମ୍ୱାଦ ଉତ୍କଟ ଗନ୍ଧ ଆକାରରେ କହିଗଲା–ଗୀତ ଗାଉ ଗାଉ ତାଙ୍କର ତରକାରୀ ପୋଡ଼ିଗଲା । ସେ ଭାବିଲେ ଶ୍ୟାମାଦେବୀଙ୍କ ଘରେ ଏଇ ଦୁର୍ଦ୍ଦଶା–

 

ହଠାତ୍‌ ସେ ଓହ୍ଲାଇ ଆସିଲେ ତଳକୁ । ପଠାଇବେ ନିଜ ଘରୁ ତରକାରୀର ନମୁନା ।

 

ବେଣୁଧର ଉପସ୍ଥିତ ବୁଦ୍ଧି ଦେଖାଇ ତରକାରୀର ସଂଶୋଧନ କଲାବେଳେ ବାବୁ ପଚାରିଲେ ଆଦର ଦେଖାଇ–ବେଣୁଧର, ତାଙ୍କ ଘରେ ତରକାରି ପୋଡ଼ିଗଲା କି କ’ଣ.....ଏଠୁ କିଛି ପଠାଇ ପାରିବ ?

 

ନୀରବ ବେଣୁଧର ମୁହଁରେ ବିବ୍ରତ ଭାବ ଦେଖି ପଚାରିଲେ–କ’ଣ ଅଣ୍ଟିବ ନାହିଁ କି ଆମକୁ ? ଯାହା ହେଉଛି ସବୁତକ ପଠାଇ ଦିଅ । କେଶବବାବୁ ଆଜି ଆସିଛନ୍ତି...

 

ଇତସ୍ତତ ହୋଇ ବେଣୁଧର କହିଲା–ଆମରି କଡ଼ାରେ ଲାଗିଗଲା ।

 

–ଏଇଠି ? ତୁମେ ନ ଥିଲ କି ?

 

ବେଣୁଧର କିଛି କହିପାରିଲା ନାହିଁ ।

 

–ତମେ ଶୋଇଥିଲ ନା କ’ଣ ? –ବାବୁଙ୍କର କଣ୍ଠସ୍ୱର ବିଗିଡ଼ି ଯାଇଥିଲା ।

 

–ସଜାଡ଼ି ଦେଉଛି ।

 

–ଆଗ ପୋଡ଼ି ପରେ ସଜାଡ଼ିବ । ଏମିତି କ’ଣ ଆଇଁଷକୁ ସଜାଡ଼ି ହୁଏ ? ବେକୁବ ଲୋକ । ଖୁଆଇ ବି ଦେବ ନାହିଁ ଆଜି ।

 

ଗର ଗର ହୋଇ ବାବୁ ଫେରିଗଲେ । ତାଙ୍କର ଉତ୍ସାହ ମଉଳିଗଲା । ଭାବିଥିଲେ–ତାଙ୍କ ଘରକୁ କିଛି ପଠାଇ ଗୋଟାଏ ନୂଆ ଫନ୍ଦି ପାତିବେ ।

 

–ଆଉ ତ କିଛି ବାଟ ନାହିଁ । ମନକୁ ସ୍ଥିର କରିବାକୁ ସେ ଯାଇ ଛାତ ଉପରେ ବସିଲେ । ସେମାନଙ୍କର ଖାଇବାବେଳେ ହେଲାଣି । ବାସନ ଧୂଆର ଝଣଝଣ ଶବ୍ଦ ।

 

ଶ୍ୟାମାଦେବୀ କେଶବବାବୁଙ୍କୁ ପଚାରିଲେ–ଆଜି ତମ ଦି’ଜଣଙ୍କ ପାଇଁ ହୋଇଥିଲା । ତାଙ୍କ ଭାଗଟା କ’ଣ ହେବ ?

 

–ମୁଁ ଜାଣିଛି ତାଙ୍କ ପାଇଁ ଯୋଗାଡ଼ କରିଥିଲ ବୋଲି । ଜାଣିଥିଲେ ତ ଡାକି ଆଣିଥାଆନ୍ତି ।

 

–ଜାଣିବା କଥା କ’ଣ ଥିଲା ସେଥିରେ । ଏଇଠୁ ଗଲ, ଏଇଠିକି ଫେରି ଥାଆନ୍ତ । ମଝିରେ ତାଙ୍କୁ ବିଦାୟ କରିଦେଇ ଆସିବ ବୋଲି ମୁଁ ବା ଜାଣନ୍ତି କେମିତି । ଆଉ ସେ ତ ପାଖେ ପାଖେ ଥିଲେ । ତୁମକୁ ବା କହନ୍ତି କେତେବେଳେ ?

 

–କି । ତାଙ୍କୁ କହିଦେଲ ନାହିଁ ।

 

–ସେ କ’ଣ ରାଜି ହୁଅନ୍ତେ ? ଏମିତି ବାରମ୍ୱାର ଆଉ ଜଣକ ଘରେ ପତ୍ର ପକାଇବାକୁ କିଏ କ’ଣ ରାଜି ହୁଏ ?

 

–ତେବେ ଯାଉଛି ଡାକି ଆଣିବି ।

–ସେ ଆସିବେ ନାହିଁ ।

–ହଁ, ଆସିବେ ।

କେଶବବାବୁ ଆସି ପହଞ୍ଚିଲେ–ଆସନ୍ତୁ, ଆଜି ଆମ ଘରେ ଆପଣଙ୍କର ଯୋଗାଡ଼ ହୋଇଛି । ଏଠି ଖାଇବେ ନାହିଁ ।

–ନାଁ, ଆଉ ଦିନେ ।

–ଶ୍ୟାମା ପଠାଇଛି ଡାକିବାକୁ ଆପଣଙ୍କୁ । ଚାଲନ୍ତୁ । ବେଶି ଡେରି ନାହିଁ ।

–ନାହିଁ, ଆଜି ସୁବିଧା ହେବ ନାହିଁ । ବଡ଼ ବ୍ୟସ୍ତ ଲାଗୁଛି । ଏକୁଟିଆ ରହିବାକୁ ଇଚ୍ଛା ହେଉଛି...କାମ ଅଛି ଅନେକ ।

ବିରସ କଣ୍ଠରେ କହିଲେ–ତେବେ କ’ଣ ଯିବେ ନାହିଁ ?

–ମତେ କ୍ଷମା ଦେବେ । ଶ୍ୟାମାଦେବୀଙ୍କୁ କହିବେ କ୍ଷମା ଦେବାକୁ । ଆଉ ଦିନେ ଯିବି ।

କେଶବବାବୁ ଧୀରେ ଫେରିଲେ–ଶ୍ୟାମା ଠିକ୍‌ କହିଥିଲା ଆସିବେ ନାହିଁ ।

ତାଙ୍କୁ ଦେଖି ସେ ଉତ୍କଣ୍ଠାରେ ପଚାରିଲା–ଆସିଲେ ନାହିଁ ?

–କାମ ଅଛି ବୋଲି କହିଲେ । ଆଉ ଦିନେ ଆସିବେ । ଆଜି ରହିବେ ଏକୁଟିଆ ।

ଶ୍ୟାମାଦେବୀ ଦୀର୍ଘ ନିଶ୍ୱାସ ପକାଇ ଖାଇବା ଯୋଗାଡ଼ରେ ଲାଗିଲେ । ସବୁ ଠିକ୍‌ କରି କହିଲେ–ହଉ ତେବେ ରତନା ଏତକ ଦେଇ ଆସୁ ତାଙ୍କ ଘରେ । ତାଙ୍କରି ପାଇଁ ତ ତିଆରି ହୋଇଥିଲା...ଏ ରତନା, ଭଲ କରି ହାତଧୂଅ, ଗେଞ୍ଜି ପିନ୍ଧ୍‌ । ସେ ବାବୁଙ୍କ ଘରେ ଦେଇ ଆସିବୁ ।

ରତନା ଆସି ପହଞ୍ଚିଲା । ତା’ରି ହାତରେ ଟିଫିନ ବାଟି ଆଉ ଖଣ୍ଡେ କାଗଜ । ସେଥିରେ ଲେଖା ହୋଇଛି–ଯାହା ପାଇଁ ତିଆରି ହୋଇଥିଲା ତାଙ୍କରି ପାଇଁ ।

କାଗଜଟି ପଢ଼ି ସୁଭାଷବାବୁଙ୍କର ମୁହଁ ଲାଲ ହୋଇ ଯାଇଥିଲା । ଏମିତି କ’ଣ ବୋକାଙ୍କ ପରି କିଏ ଚିଠି ଲେଖେ ? ବେଣୁଧର ଓ ରତନା ଠିଆ ହୋଇଥାଆନ୍ତି । ସେ ବେଣୁଧରକୁ ବାଟି ରଖିବାକୁ ଆଉ ରତନାକୁ ଯିବାକୁ କହିଲେ ।

–କିଛି ଚିଠି ଦେବେ ?

–ନାଁ, ମୁଁ ନିଜେ ଯାଇ କହି ଆସିବି ।

ଥାଳି ପାଖରେ ବସିଲାବେଳେ ବେଣୁଧର ନିଜ ପାଇଁ ରଖି ବାବୁଙ୍କ ପାଖରେ ନିଜେ ତିଆରି କରିଥିବା ଆଉ ବାହାରୁ ଆସିଥିବା ତରକାରୀ ଥୋଇଲା । ଅସ୍ପଷ୍ଟ କରି ବାବୁ ପଚାରିଲେ–ତମ ପାଇଁ ରଖିଛ ?

–ହଁ ।

 

କିଛି କହିଲେ ନାହିଁ ସିନା ! ଚିଠିଟି ମନେ ପଡ଼ୁଥିଲା–‘‘ଯାହା ପାଇଁ ତିଆରି ହୋଇଥିଲା ତାଙ୍କରି ପାଇଁ’’–ଯେବେ ପଚାରିବ କ’ଣ କହିବି ? ଖାଇବାର ସୁଆଦ ଭୁଲି ସେ ଶ୍ୟାମାଦେବୀଙ୍କ କଥା ମନେ ପକାଉଥିଲେ । ଶ୍ୟାମାଦେବୀଙ୍କର ଦାନରେ ବେଣୁଧର ଭାଗ ହୋଇଛି ।

 

ସକାଳେ ତାଙ୍କୁ ଲାଜ ଲାଗୁଥିଲା ଆଗ ଦିନର ସବୁ କଥା ଭାବି । ରହିଲେ ଦେଖା ହୋଇଯିବ । ଅବଶ୍ୟ କେଶବବାବୁ ଆସିବେ । ତାଙ୍କ ସାଙ୍ଗରେ ଦେଖା କରିବାକୁ କି ଶ୍ୟାମାଦେବୀଙ୍କ ଘରକୁ ଯିବାକୁ ସୁଭାଷବାବୁଙ୍କର ଇଚ୍ଛା ହେଲା ନାହିଁ । ସେ ବାହାରକୁ ଚାଲିଗଲେ-। ଅଫିସ ବେଳକୁ ପୁଣି ସେମିତି ଅଫିସ୍‌କୁ ବାହାରିଲେ–ବହୁତ କାମ ଅଛି । ଅନ୍ୟକଥା ଭାବିବାକୁ ତର ନାହିଁ ।

 

ସକାଳେ ଶ୍ୟାମାଦେବୀ ଥରେ ସ୍ୱାମୀଙ୍କୁ ପଚାରିଲେ–କିଛି ଖବର ପାଇଥିଲ କି–କାଲିର ରନ୍ଧା ବିଷୟରେ ।

 

–ନା । ସେ ତ ଦେଖା ପଡ଼ୁନାହାନ୍ତି ଆଜି । କାମ ଅଛି ବୋଧହୁଏ ।

 

–କାମ ? କହି ଶ୍ୟାମାଦେବୀ ଚାହିଁଲେ ସ୍ୱାମୀଙ୍କ ମୁହଁକୁ । ଆଖିରେ ତାଙ୍କର ଅଭିମାନ ।

 

–ସଂଧ୍ୟାବେଳ ସେମିତି ସୁଭାଷବାବୁ ବାହାରେ ବାହାରେ ରହିଲେ । ଘରକୁ ଆସିଲେ ତାଙ୍କୁ ଯେମିତି କିଏ ଠେଲି ବାହାର କରିଦିଏ । ବେଣୁଧର ତାଙ୍କୁ ଚାହିଁଲେ, ସେ ନିଜକୁ ଦୋଷୀ ମନେକରି ଆଖି ବୁଲେଇ ନିଅନ୍ତି ।

 

ବେଣୁଧର କହୁଛି କି–ଶ୍ୟାମାଦେବୀଙ୍କ ଘରୁ ଚିଠି ଆଉ ଖାଇବା ଜିନିଷ ଆସିଥିଲା । ନୂଆ ପ୍ରକାରର ରନ୍ଧା ।

 

ସଂଧ୍ୟାବେଳେ କେଶବବାବୁ କହିଲେ ବେଣୁଧରକୁ–ତମ ବାବୁ ଆଜି ଏମିତି କୁଆଡ଼େ ରହୁଛନ୍ତି ଯେ ମୋଟେ ଦେଖା ମିଳିପାରୁ ନାହିଁ ।

 

–ବହୁତ କାମ ତାଙ୍କର । କାମରେ ଯାଇଥିବେ ?

 

–ତୁମେ ଯାଇନାହଁ ? ତୁମେ ଜାଣିପାରିଲ ନାହିଁ ?

 

–ମତେ କଣ ସବୁ କଥା କହନ୍ତି ? ସେଇ କଥା କେଇପଦ ବେଣୁଧର ନିଠେଇ କରି କହିଥିଲା ।

 

–ହଁ, ଘରୋଇ କାମ ଥିଲେ ତୁମକୁ ଅବା କାହିଁକି କହିବେ ?

 

–ଏବେ ତ ବାବୁଙ୍କର ବହୁତ ଘରୋଇ କାମ ପଡ଼ୁଛି...କେଜାଣି ଚାକିରି ବିଷୟରେ କୋଉଠିକି ଯାଉଥିବେ କି ଘର ଖୋଜୁଥିବେ । ଅଫିସରେ କହୁଥିଲେ–ବଦଳି ହେବାକୁ ଖୋଜୁଛନ୍ତି-। ଏଣେ ମତେ କହୁଥିଲେ ଆଉ ଗୋଟାଏ ଘର ଖୋଜିବାକୁ ।

 

–ସତେ ? ତୁମ ବାବୁ ଚାଲିଯାଉଛନ୍ତି ତାହାହେଲେ ? ଆମକୁ ତ କହିନାହାନ୍ତି ଏବେ ଯାଏ ।

 

–ମନକଥା ବାବୁ କାହାକୁ କହନ୍ତି ନାହିଁ । ସେ ଦୁସ୍‌ରା କିସମର ମଣିଷ ।

 

ସୁଭାଷବାବୁ ଯେତିକି ସେଦିନ ଆଡ଼େଇ ହୋଇ ରହିଥିଲେ ଶ୍ୟାମାଦେବୀ ତାଙ୍କୁ ସେତିକି ଉତ୍ସାହରେ ଖୋଜିଥିଲେ । ଆଗଦିନ ତାଙ୍କୁ ସେ ଯେତେ କଥା କହିଥିଲେ, ତାଙ୍କରି ବିଷୟରେ ଯେତେ କଥା ଶୁଣିଥିଲେ, ସେ ସବୁ ଏକାଠି କରି ନାରୀ ସୁଲଭ କୌତୂହଳ ନେଇ ସେ ଚାହୁଁଥିଲେ ସୁଭାଷବାବୁଙ୍କୁ ଦେଖିବାକୁ । ସୁଭାଷବାବୁଙ୍କର ଦେଖା ନାହିଁ ।

 

ବହୁତ ରାତିକୁ ବେଣୁଧରକୁ ଡାକିଲାବେଳେ ସୁଭାଷବାବୁଙ୍କର ଆସିବାର ସମ୍ୱାଦ ଶ୍ୟାମାଦେବୀ ପାଇଲେ ।

 

–ବାବୁ ତେବେ ଦିନଯାକ ଛପି ରହିଛନ୍ତି....କିଛି ଶୁଣିଛନ୍ତି କି ମୋ ବିଷୟରେ ! ମନରେ ଘୃଣା ଆସିଛି । ନ ହେଲେ ସେ ତ ଦେଖା ଦେବାର କଥା । ଏକାବେଳକେ ଦେଖା ପଡ଼ୁ ନାହାନ୍ତି । ଚେଷ୍ଟା କରି ଲୁଚିଲା ପରି ଜଣା ପଡ଼ୁଛନ୍ତି ।

 

ଶ୍ୟାମାଦେବୀ କେଶବବାବୁଙ୍କୁ କହିଲେ–ଆଜି କ’ଣ ଦିନଯାକ ବାବୁ ବାହାରେ ! ବାଡ଼ ପକେଇଲା ପରି କାହିଁକି ରହି–ଯାଇଛନ୍ତି ନିଶ୍ଚୟ ଘୃଣା କରୁଥିବେ ।

 

–ଘୃଣା କାହିଁକି କରିବେ ?

 

–ଆଉ ତେବେ ? ଭଲ ପାଉଥିଲେ ତ ନିଶ୍ଚୟ ଆସନ୍ତେ । ଆମେ ଏବେ ତାଙ୍କୁ ଶ୍ରଦ୍ଧା କରି ନ ପାରିଲୁ । ପିଲାମାନେ ତ ଅଛନ୍ତି । ତାଙ୍କୁ ଦେଖିବାକୁ କ’ଣ ସେ ଆସନ୍ତେ ନାହିଁ ? ଏମିତି ଲୋକଙ୍କୁ ତୁମେ ସାଙ୍ଗରେ ବାନ୍ଧ କାହିଁକି ? ଏଣିକି ଆସିଲେ ରୋକ୍‌ ଠୋକ୍‌ କହିଦେବି ମୁହଁ ଉପରେ–ଏଠିକି ଆସିବ ନାହିଁ ?

 

ଏମିତି କ’ଣ କିଏ କାହାକୁ କହନ୍ତି ? କ’ଣ ସୁବିଧା ଅସୁବିଧା ଥିବ ।

 

–କି କାମ ? ତମେ ଏତେ ଦିନ ପରେ ଆସିଛ, ସିଏ ବଡ଼ ହେଲା ନାହିଁ ଯେ–ନିଜ ଘରକୁ ତ ଯା’ଆସ କରୁଛନ୍ତି । ମଧୁର କଥା ପଦେ କହିଲେ କ’ଣ ପାଟି ଛିଡ଼ି ପଡ଼ିବ ? ଏଇ ପର ମଣିଷକୁ ବେଳସୁଁ ପର ନ କଲେ ଏ ଗୁଡ଼ାକ ଦଗା ଦେବେ । ମିଛଟାରେ ମୁଁ ରାନ୍ଧିଥିଲି ସେ ଦିନ ।

 

–ଥାଉ, ସେ କଥାରେ ତମର କ’ଣ ଅଛି । ଆମର ଇଚ୍ଛା ହେଲା–ତାଙ୍କୁ ଦେଲେ । ନଦେଲେ ଏବେ ନ ଦେବା । କହି ଶୋଇବାକୁ ଚେଷ୍ଟା କଲେ ।

 

ଶ୍ୟାମାଦେବୀଙ୍କର କଥା କେଶବବାବୁ ଶୁଣିଲେ ନାହିଁ ବୋଲି ସେ ମୁହଁ ବୁଲାଇ କହିଲେ–କି ମଣିଷ ମ ଇଏ ! ଟିକିଏ ଭଲରେ ମନ୍ଦରେ ପଦେ ପଚାରିଲେ, ନିଦ ହେଲା ଆଗ ।

 

ସୁଭାଷବାବୁ କାଶିଲେ ।

 

ଶ୍ୟାମାଦେବୀ ସେମିତି ମନେ ମନେ କହୁଥାଆନ୍ତି–କଣ ହେବନାହିଁ, ସିଗ୍ରେଟ ଟାଣି ଦିମାକ୍‌ ଦେଖାଉଥିଲେ ସବୁ କଥା ସେମିତି ଦିମାକିଆ । ଆଦର କରି ପାଖକୁ ଡାକିଲେ ଦୂର ହୋଇ ଯାଆନ୍ତି....କିଛି କଥା ନ ଥିଲା । ମୁଁ ହୁଡ଼ିଲି ! ବେଶି ଟିକିଏ ମିଶିଥିଲି ତାଙ୍କ ସଙ୍ଗରେ । ଏବେ ହଠାତ୍‌ ଛାଡ଼ବାଡ଼ ହୋଇଗଲେ ମୋ ନାଁରେ ନିନ୍ଦା ରଟେଇବେ ।

 

ଇଚ୍ଛା ହେଲା ସ୍ୱାମୀଙ୍କୁ ପୁଣି ଥରେ କହିବାକୁ–ସେ ମିଶିବେ ନାହିଁ ତାଙ୍କ ସାଙ୍ଗରେ । ତେବେ କଥାଟା ଭଲ ଦିଶିବ ନାହିଁ । ସେ ତୁନି ପଡ଼ିଲେ । ଆଉ ନିଜର ଅବୁଝା କୋହକୁ, କେତେବେଳେ ରାଗ, କେତେବେଳେ ବିରକ୍ତି ଆଉ କେତେବେଳେ କ୍ଷମା ଭିତରେ ନାନାପ୍ରକାରରେ ଭାବି ଶେଷ କରିଦେଲେ । ସନ୍ଦେହୀ ମନର ଅନ୍ଧାରୁଆ ଗହୀର ଭିତରେ ଗୋଟିଏ ସନ୍ଦେହ ଆସୁଥିଲା–ମୋତେ ସୁଭାଷବାବୁ ଭଲ ପାଆନ୍ତି ନାହିଁ ।

 

ତହିଁ ଆରଦିନ ସକାଳେ ନିଦ ଭାଙ୍ଗିଲାବେଳେ ସେଇ ମନ ତାଙ୍କୁ ପ୍ରଥମେ କହିଥିଲା–ସୁଭାଷବାବୁ ପସନ୍ଦ କରିପାରୁ ନାହାନ୍ତି । ନିଆଁ ପାଖକୁ ପୋକଯୋକ ଉଡ଼ି ଆସିଲାପରି ଭୟ ବିପଦର ଆଶଙ୍କା ନରଖି ଯେଉଁ ପୁରୁଷ ଧାଇଁ ଆସିପାରେ, ସେହି କେବଳ ଭଲପାଏ ।

 

ସକାଳର ଛୋଟିଆ ଛୋଟିଆ କାମ କଲାବେଳେ ମନଭିତରେ ଅଭିନୟ ଦେଖାଇବା ପାଇଁ ଛଳନା କରି ତାଙ୍କୁ ଟାଣିବା ପାଇଁ ନାରୀସୁଲଭ ଅସ୍ଥିର ଆକାଙ୍‌କ୍ଷା ଦେଖା ଦେଇଥିଲା–ଶ୍ୟାମାଦେବୀଙ୍କ ମନରେ ।

 

କୋଠା ଉପରକୁ ଚାହିଁଲେ କେହି ନାହାନ୍ତି । କେଶବବାବୁ ଯାଇଛନ୍ତି ବୁଲିବାକୁ । ସେ ତ ସେତେବେଳେ ଛାତ ଉପରକୁ ଆସନ୍ତି ନାହିଁ । ତେବେ ସେ ଦିନ ସକାଳେ ସେ ଆସିବା କଥା ତ । ଆସିବାର କାରଣ କ’ଣ ନାହିଁ ? ...ନିଶ୍ଚୟ ଅଛି । କାହିଁ ସେ ସର୍ବଗ୍ରାସୀ କ୍ଷୁଧା ଆଉ ସେ ଉଚ୍ଚାଟ କଳ୍ପନା ?

 

...ସାହସ ଦରକାର ! ନିର୍ଲଜ୍ଜତା ନ ଦେଖାଇଲେ ସୁଭାଷବାବୁ ଜିତିଯିବେ । ...ଦୂରରେ ରହିଲେଣି । ଆଉରି ଦୂରକୁ ଚାଲିଯିବେ । ତାଙ୍କୁ କେନ୍ଦ୍ର କରି ଏତେ କଥା ଭାବିସାରିଲା ପରେ ସେ କାହିଁକି ଆପଣା ମନକୁ ଶ୍ୟାମାଦେବୀଙ୍କଠାରୁ କୌଣସି ଇଙ୍ଗିତ ନ ପାଇ ଖସିଯିବେ ଦୂରକୁ ?

 

କଲମ ମଗାଇବି ! ସକାଳୁ କ’ଣ କହି, କାହା ହାତରେ ମଗାଇବି ? ସେ ବି ଅଛନ୍ତି । ସୁବିଧା ହେବ ନାହିଁ । ....ଥର୍ମୋମିଟରଟି ମଗାଇଲେ ହୁଅନ୍ତା....ଜର ଲାଗୁଛି ବୋଲି । ହଁ, ସେଇଟା ଭଲ ହେବ....ତାଙ୍କୁ ସେମିତି ଡାକି ଦେଲେ–ଆସିବେ ତ । କିଛି କହିହେବ ନାହିଁ....ନା....ଥର୍ମୋମିଟର ମାଗିବା । ଜର ଜର ଲାଗୁଛି ।

 

ବାବୁ ପିଲାମାନଙ୍କୁ ଧରି ବାହାରକୁ ଯାଇଛନ୍ତି । ସେମାନେ ପୂର୍ବ ଦିଗରେ ସୂର୍ଯ୍ୟ ଉଦୟ ଦେଖିବେ । ଖାଲି ପୂର୍ବ ପଶ୍ଚିମ ଦିଗ ହୁରି ପଡ଼ିଛି କେଇଦିନ ହେଲାଣି । ଥାଆନ୍ତେ କି ସେମାନେ....ଆଉ କିଏ ରତନା–ସେ ଆଣିପାରିବ ସୁବିଧାରେ.....ନା ପହଲାମା ?

 

କିଛି ଗୋଟାଏ କିନାରା କରି ନ ପାରି ଖାଲି ନିଜର ସଂଶୟ ଦୂର କରିବାକୁ ଓ ନିଜ କୌତୂହଳର କଷ୍ଟ ଊଣା କରିବାକୁ ରତନାକୁ ପଠାଇଲେ । ନିଜ ସ୍ୱାମୀଙ୍କ ନାଁ କହି ଜର ଦେଖିବା କଳଟା ମାଗି ଆଣିବୁ । ମୋ ନାଁ କହିବୁ ନାହିଁ ।

 

–ବାବୁ ଜର ଦେଖିବା କଳଟା ଦିଅ । ରତନା ମାଗିଲା ।

 

–କ’ଣ ହେବ ?

 

–ମା’ ଜର ଦେଖିବେ–ବାବୁଙ୍କର ।

 

–ବାବୁ କେଉଁଠି ?

 

–ବୁଲି ଯାଇଛନ୍ତି ।

 

ହସି ସୁଭାଷବାବୁ କହିଲେ–ତାଙ୍କର କଳ ନାହିଁ ।

 

ରତନା ଫେରିଆସିଲା । ବାଧ୍ୟ ହୋଇ ଶ୍ୟାମାଦେବୀ ପ୍ରକୃତ ଜରର ଅଭିନୟ କରିବାକୁ ଶୋଇରହିଲେ ।

 

କେଶବବାବୁ ଫେରିଲାବେଳେ ଅଟକି ଗଲେ ସୁଭାଷବାବୁଙ୍କ ପାଖରେ । ପିଲାମାନେ ଗଲେ ଘରକୁ । ପିଲାଙ୍କଠାରୁ ଶୁଣି ଶ୍ୟାମା ଦେବୀ ବଡ଼ ପୁଅକୁ ପଠାଇଲେ–ଯା, ବାପାଙ୍କୁ କହିବୁ । ମା’ ଦେହ ଭଲ ନାହିଁ । ଜର ଜର ଲାଗୁଛି ।

 

–ଜର ! କାଲି ତ କିଛି ନ ଥିଲା ।

 

ଆଜି ହୋଇଥିବ । ସୁଭାଷବାବୁ କହିଲେ ।

 

କେଶବବାବୁ ଫେରିଗଲେ ଘରକୁ । ଶ୍ୟାମାଦେବୀ କହିଲେ–ଦେହଟା ଭଲ ଲାଗୁନାହିଁ-। ହାତ ମାରିଲେ ତ ଥଣ୍ଡା ଲାଗୁଛି । ଜର ଭିତରେ ରହୁଛି–କହି ହାଇ ମାରିଲେ ।

 

ତାଙ୍କର ହିମଶୀତଳ ଦେହକୁ ଛୁଇଁ କେଶବ ବାବୁ କହିଲେ–ନାହିଁ, ଜର ନାହିଁ ।

 

–ତମେ କ’ଣ ଡାକ୍ତର ? ମତେ ତ ଭାରି ଖରାପ ଲାଗୁଛି । କାଲି ରାତିରେ ନିଦ ପଡ଼ିଲା ନାହିଁ । ତମେ ଘୁଙ୍ଗୁଡ଼ି ମାରିଲ ।

 

–ନିଦ କମ୍‌ ହେଇଛି ବୋଲି ସେମିତି ଅଳସ ଲାଗୁଥିବ । ଟିକିଏ ଶୋଇପଡ଼ ।

 

–ଆଉ ତମେ ଯାଇ ଆଡ଼ା କରିବ ସେଠି ! ସେ କ’ଣ କହିଲେ ଆଜି ?

 

–କିଛି କଥା ହୋଇନାହୁଁ । ବସୁ ନବସୁଣୁ କୁନା ଆସି ଡାକିଲା । ମୁଁ ଚାଲି ଆସିଲି ।

 

–ତମେ ଅବିକା କେଇଦିନ ରହିବ ତ ।

 

–ରହିବା କଥା ! ତେବେ ଆଜି ଯଦି ମୋତେ ନ ପଠାନ୍ତି ତାହାହେଲେ ରହୁଛି ।

 

–ଦେହଟା ଖରାପ ହେଲା !

 

–ଏମିତି କ’ଣ ଟିକିଏ ଜର ସର୍ଦ୍ଦି ହୁଏ ନାହିଁ । ଡାକ୍ତର ଡକାଇବା ?

 

–ତମେ କହିବ ତ ଡାକିବା ।

 

ଡାକ୍ତର ଡକା ହେଲା । ଜର ନାହିଁ । ତେବେ ବି ଡାକ୍ତର ଆସିଥିବାରୁ ଦେହ ଠିକ୍‌ ରଖିବାକୁ ଟିକିଏ ଔଷଧ ଲେଖିଦେଲେ । ଆଉ କହିଲେ ଦେହ ଦୁର୍ବଳ ଅଛି ।

 

–ମତେ ଦୁର୍ବଳ ଲାଗୁଛି ସବୁବେଳେ । ମୁଁ ଭାବୁଥିଲି କାମ କରିବାକୁ ଅଳସ ହେଉଛି । ଶ୍ୟାମାଦେବୀ କହିଲେ ।

 

–ଏଇ ଔଷଧ ଖାଇଲେ ଠିକ୍‌ ହୋଇଯିବ ।

 

ଦୁର୍ବଳ ହୋଇଛନ୍ତି । ଜର ନ ହୋଇଥିଲେ ବି ହେବାର ଆଶଙ୍କା ଅଛି । ଶ୍ୟାମାଦେବୀ ବିଛଣାରେ ଶୋଇ ରହିଲେ । ଭଲ ଲାଗୁ ନଥାଏ–ଦେହ ଏଣେ ମୋଟେ ଖରାପ ନାହିଁ ଆଉ ଜର ହେଲେ ବି ଅସୁସ୍ଥ ରହିବାକୁ ପଡ଼ିବ । ସେ କେଶବବାବୁଙ୍କୁ କହିଲେ–ଦେହ ଖରାପ ହେବା ସବୁଠୋଉଁ ବଡ଼ କଷ୍ଟ । ଏଣେ ଆଖି ଥାଏ–ସୁଭାଷବାବୁ ଆସିବେ ନାହିଁକି ?

 

ସତରେ ଦେହ ଖରାପ । ଡାକ୍ତର ଆସିଲେଣି । ଥର୍ମୋମିଟର ମଗାଇଲେ । ଗୋଟାଏ ଦିନ ମଝିରେ–ନଗଲେ ଭଲ ହେବ ନାହିଁ ।

 

ସୁଭାଷବାବୁ ଗୋଟିଏ ଥର୍ମୋମିଟର କିଣି, ଆସି ପହଞ୍ଚିଲେ । ସେତେବେଳକୁ ଶ୍ୟାମାଦେବୀ ଉଠିଲେଣି–ଜରକୁ ସେ ଖାତିର କରନ୍ତି ନାହିଁ । ଚାଲବୁଲ ହେଲେ ଜର ଛାଡ଼ିଯିବ । ଦେହ ଦୁର୍ବଳ ନଥିଲେ ଜର ହୁଅନ୍ତା ନାହିଁ ।

 

ସୁଭାଷବାବୁ ଆଶ୍ଚର୍ଯ୍ୟ ହୋଇ ଚାହିଁଲେ ତାଙ୍କୁ । ଶ୍ୟାମାଦେବୀ ଟିକିଏ ଅଧାଲୁଚା ହୋଇ କହିଲେ–ଜର ହୋଇଗଲା ।

 

–ଶୋଇ ନାହାନ୍ତି ତ ?

 

–ଶୋଇଥିଲି । ଉଠିଲିଣି । ଦୁର୍ବଳତା ପାଇଁ ହୋଇଛି ।

 

–ଜର କେତେ ?

 

–ନାହିଁ ବୋଲି ଡାକ୍ତର କହିଲେ । ସକାଳୁ ଏଇଟି ମିଳିଥିଲେ ଡାକ୍ତର ଡାକି ନଥାନ୍ତି । ଆପଣ ଥର୍ମୋମିଟର କୁଆଡ଼ ଆଣିଲେ ?

 

ସଭାଷବାବୁ ନୂଆ ଥର୍ମୋମିଟରଟି କିଣି ଆଣିଛନ୍ତି । ଅପ୍ରତିଭ ହୋଇ ସେ ନିରୁତ୍ତର ରହିଲେ । ଶ୍ୟାମାଦେବୀ ସ୍ୱାମୀଙ୍କୁ କହିଲେ–ଘର କରି ଗୋଟିଏ ଥର୍ମୋମିଟର ବି ନାହିଁ । ଖାଲି ଚାକିରି କଲେ କ’ଣ ଘର ହୁଏ ? ....ଏଇ ଥର୍ମୋମିଟର ଥାଉ ମୋ ପାଖରେ । ମାସ ପହିଲାରେ ଟଙ୍କା ଆସିଲେ କିଣି ଫେରାଇ ଦେବି ।

 

ନୀରବ ହୋଇ ବସିରହିଲେ ସମସ୍ତେ । ଶ୍ୟାମାଦେବୀ ଅନୁତପ୍ତ ସ୍ୱରରେ କହିଲେ–ମୁଁ ବସିଲେ ସମସ୍ତଙ୍କର କାମ ବନ୍ଦ ହେବ । ମୁଁ ଗାଧୋଇବି ।

 

ଦୁହେଁ ଏକ ସାଙ୍ଗରେ କହିଲେ–ନ ଗାଧୋଇଲେ ଭଲ ହୁଅନ୍ତା ।

 

–ଅଗାଧୁଆ ରହିଲେ ମତେ ଖରାପ ଲାଗେ । କାମଦାମରେ ଲାଗିଗଲେ ମନ ବଦଳିବ-। ଆଉ ଶୋଇ ରହିଲେ ବିଛଣା ଛାଡ଼ିବ ନାହିଁ ।

 

ତା’ପରେ ହସି ସୁଭାଷବାବୁ କହିଲେ–ଆହା ଆପଣଙ୍କର କେତେ କାମ ମାରା ହେଲା ! କାଲି ଦିନଯାକ ଦେଖାନାହିଁ ଥରେ ବି । ଘରେ ବି କେଜାଣି ଥିଲେ କି ନାହିଁ ।

 

–ଟିକିଏ ଜରୁରି କାମରେ ରହିଗଲି ।

 

–ସଇଲାଣି କାମ....

 

କିଛି ଠିକ୍‌ ନକରି ପାରି ସୁଭାଷବାବୁ କହିଲେ–ହଁ ।

 

–ମୋର ଭାଗ୍ୟ । ପାଖ ପଡ଼ିଶାରେ ଡାକିଲେ ଜବାବ ଦେବାକୁ କେହି ଲୋକ ନଥିଲେ-। ଅବେଳରେ, ରୋଗ ବଇରାଗ ବେଳରେ, ଭାରି ହତାଶ ଲାଗେ । ଇୟେତ ରହି ପାରୁ ନାହାନ୍ତି ଏଠି । ସଜ ଅସଜକୁ ଆପଣଙ୍କୁ ଡାକିବି । କିଛି ମନରେ ଧରିବେ ନାହିଁ ।

 

–ନିଶ୍ଚୟ ଡାକିବେ ।

 

କେଶବବାବୁଙ୍କୁ ବାହାରକୁ ଯିବାକୁ ହୁକୁମ ହେଲା । ଜରୁରୀ ଗସ୍ତ । ଇନ୍‌କ୍ୱାରି କରିବେ । ଜଣେ ତଳିଆ କର୍ମଚାରୀ ଟଙ୍କା ଖାଇ ଦେଇଛି ସରକାରଙ୍କର ।

 

ସେ ମୁହଁ ଶୁଖାଇ କହିଲେ–ରହିବା କଥା ହେଲା ନାହିଁ ।

 

–କେତେବେଳେ ଯିବ ?

 

–ସଂଧ୍ୟାବେଳ ଗାଡ଼ିରେ ।

 

–ଚାକିରି ଆଗ । ଘରକାମ ପଛ । ଶ୍ୟାମାଦେବୀ ଦୀର୍ଘ ନିଶ୍ୱାସ ପକାଇ କହିଲେ ।

 

ଦୁହିଁଙ୍କର ପରସ୍ପରର ଦୁଃଖ ପ୍ରତି ଅସୀମ ସହାନୁଭୂତି । ତାଙ୍କ ଦେହ ବଡ଼ ନୁହେଁ । ସୁବିଧା କି ଅସୁବିଧା କିଛି ନୁହେଁ–କେଶବବାବୁ ଯିବେ ।–ଯାଆନ୍ତୁ ।

 

ସେ ଯିବେ ବୋଲି ଶ୍ୟାମାଦେବୀ ନିଜ ଦେହ କଥା ଭୁଲି ତାଙ୍କରି କାମରେ ଲାଗିଲେ ।

 

ବେଳ ପଡ଼ି ଆସିଲା ବେଳକୁ ଘର ଖାଲି ହୋଇଯାଇଛି ।

 

ପୁଣି ଶ୍ୟାମାଦେବୀ ଏକୁଟିଆ ।

 

ଦେବ କହିଥିଲା–ଆସିନାହିଁ । ସୁଭାଷବାବୁ ଘରଛାଡ଼ି ଆସି ନାହାନ୍ତି ।

 

ଏପାଖ ସେପାଖ ହୋଇ ସୁଭାଷବାବୁ ଶ୍ୟାମାଦେବୀଙ୍କର ଦେହର ତତ୍ତ୍ୱ ନେବାକୁ ଆସି ପହଞ୍ଚିଲେ ।

 

ପିଲାଙ୍କ ପଢ଼ାପାଖରେ ତାଙ୍କୁ ବସାଇ ଶ୍ୟାମାଦେବୀ କିଛି ବୁଝି ନ ପାରିଲା ପରି ସ୍ଥିର କଣ୍ଠରେ କହିଲେ–ଆପଣଙ୍କୁ ଡାକ୍ତର ଦୋକାନ ଠକି ଦେଇଛି । ଥର୍ମୋମିଟରଟା ଭଲ ନୁହେଁ ।

 

–ଭଲ କମ୍ପାନୀର ତ ।

 

–ସେଥିରେ ପାରା ଉଠୁ ନାହିଁ । ମୁଁ ବହୁତ ଥର ଜର ଦେଖିଲି । ଜର ଉଠିଲା ନାହିଁ ତ ।

 

–ଜର ନଥିଲା । ଉଠନ୍ତା କୁଆଡ଼ୁ ?

 

–ମଣିଷର ଦେହ କ’ଣ ଟିକିଏ ବି ଉଷୁମ ହୁଏ ନାହିଁ ? ମୋଟେ ଜର ନ ଉଠିବାରୁ ମୁଁ ତାକୁ ଗରମ ପାଣିରେ ବୁଡ଼ାଇ ଦେଖୁଥିଲି...ଭାଙ୍ଗିଗଲା ।

 

–ହଉ । ଆଉ ଗୋଟାଏ ଆଣିବା ।

 

–ଆଣିବେ କାହିଁକି ? ମୁଁ ତ ଭାଙ୍ଗିଛି ଆମ ଠୋଉଁ ନେବେ । ମୁଁ କିଣିଦେବି । ଆପଣ ବାବୁଙ୍କୁ କହିବେ ନାହିଁ ।

 

–ଆପଣ କିଣି ଦେବେ କାହଁକି ?

 

–ଆଉ କ’ଣ ଧାରୁଆ ହୋଇ ରହିବି ଏଇ ସାମାନ୍ୟ କଥା ପାଇଁ ?

 

–ଆପଣଙ୍କର ମନ ବୋଲି କିଛି ନାହିଁ । ଆପଣ କିଛି ବୁଝନ୍ତି ନାହିଁ । ସେଇଟା ଫେରାଇଲେ ମୋତେ ବାଧିବ–ସୁଭାଷବାବୁ କହିଲେ ।

 

–ବାଧିବ ଆପଣଙ୍କୁ ? ....ମୁଁ ତ ଭାବି ପାରୁ ନାହିଁ ଯେ ଆପଣଙ୍କୁ କିଛି ବାଧିପାରେ...ସେ ପୁଣି ମୋ ପରି ଲୋକ ଜଣେ...

 

–ଆପଣ କେମିତି ଜାଣିବେ ମୋର ମନ କଥା ?

 

–ଦେଖୁଛି ତ । ଆପଣ ଏଇଠି ରହି ଦେଖା ଦେଉ ନାହାନ୍ତି । ଦିଶିଯିବ ବୋଲି ଛାତ ଉପରେ ବସୁ ନାହାନ୍ତି । ଦେହ ଖରାପ ହେଲା ଶୁଣି ଆସିଲେ ଯେ ଦେହ ଭଲ ହେଲା ବେଳକୁ । ଆପଣଙ୍କଠାରୁ ଦୟା ଭିକ୍ଷା କରି କ’ଣ ଥର୍ମୋମିଟରଟାଏ ନେବି ?

 

–ମିଛ କଥା । ମୁଁ ତ ଛାତ ଉପରେ ବସୁଛି । ଆପଣ କିନ୍ତୁ ଦୁଆରେ ବୁଲୁନାହାନ୍ତି ।

 

–ଅନ୍ଧାରରେ ଦେଖିପାରୁ ନଥିବେ ।

 

–ଆପଣ ଦେଖିଲେ କେମିତି ?

 

–ପୁନେଇ-ବାସୀ ଜହ୍ନ ପରି ନିଆଁ ଖେଣ୍ଟାଟାଏ ପାଟିରେ ଦିଶେ ତ । କାଲି ରାତିଯାକ ମୁଁ ଚାହିଁ ଚାହିଁ ଥକିଛି । ଆପଣଙ୍କୁ ଦେଖିଲି ନାହିଁ......

 

ଗଭୀର କଥା ପରି ଧୀରେ କହିଲେ–କେଜାଣି କାହିଁକି ଆପଣଙ୍କୁ ଟିକିଏ ଦେଖିବାକୁ, ଦେଖି ନ ପାରିଲେ ବି ଆପଣ ବସିଛନ୍ତି–ସେତିକିର ଟିକିଏ ଇସାରା ପାଇବାପାଇଁ ପୋଡ଼ା ମନଟା କେଡ଼େ ହାଇଁପାଇଁ ହୁଏ–ଆପଣ ଜାଣିବେ କେମିତି ?

 

ପିଲାମାନେ ଧାଇଁ ଧାଇଁ ଆସୁଥିଲେ । ବେବି ପାଟି କରି କହିଲା–ମା’, ଦେବ ମାମୁଁ ଆସୁଛନ୍ତି ।

 

ଦୁହେଁ ଟିକିଏ ବିବ୍ରତ ହୋଇପଡ଼ିଲେ । ଶ୍ୟାମାଦେବୀ କପଟ ବିରକ୍ତି ଦେଖାଇ କହିଲେ–ଦେବ ! ଆଉ ପଢ଼ିବେ କେତେବେଳେ କେଜାଣି ।

 

ଦେବ ଆସି ପହଞ୍ଚିଲେ । ସାମନାରେ ସୁଭାଷବାବୁଙ୍କୁ ଦେଖି ନିଜର ଦ୍ୱନ୍ଦ୍ୱ କମାଇବାକୁ ଶୁଖିଲା ହସ ହସି ପଚାରିଲେ–ବେଶ୍‌ ଭଲ କରିଛନ୍ତି ଆପଣ । ସବୁବେଳେ ଘର ଭିତରେ ରହିବା ଅଭ୍ୟାସ କରିଛନ୍ତି ।

 

ଏଇ ଆତ୍ମୀୟତା ସୁଭାଷବାବୁଙ୍କୁ ଭଲଲାଗିଲା ନାହିଁ । ଘଟଣା ଚକ୍ରରେ ନାଚାର ହୋଇ ସେ କହିଲେ–ଏବେ ଆସିଥିଲି ଦେଖି ଯିବାକୁ–ଶ୍ୟାମାଦେବୀଙ୍କର ଦେହ ଖରାପ ଥିଲା । କେଶବବାବୁ ଚାଲିଗଲେ କି ନା ।

 

–ହଁ, ଖରାପ ପରି ତ ଜଣାପଡ଼ୁଛି । ଏବେ ରୋଗୀ ସବୁ ଚାଲବୁଲ କରୁଛନ୍ତି । ଏଣେ ରୋଗୀ ବୋଲି କହି ହେଉଛନ୍ତି । ଦେବବାବୁ କହିଲେ ।

 

–ସବୁ କଥାରେ କ’ଣ ଥଟ୍ଟା ! ସକାଳେ ଡାକ୍ତର ଆସିଲା । ଔଷଧ ଲେଖିଦେଲା । ତେବେ ବି ତମେ କହୁଛ କ’ଣ ନା କିଛି ହୋଇନାହିଁ ମୋର ।

 

କୁନା ଆଉ ବେବି କହିଲେ–ହଁ ମାମୁଁ, ମା’କୁ ଜର ହୋଇଥିଲା ସକାଳେ । ଡାକ୍ତର ଆସିଥିଲା ।

 

କଜଳ ଗାର

ଶ୍ୟାମାଦେବୀ ନିଜ କଥା ଶେଷ କରିବାକୁ ସୁଭାଷବାବୁଙ୍କୁ କହିଲେ–ଆସିଛନ୍ତି ଯେତେବେଳେ, ଖଣ୍ଡେ ଦିଖଣ୍ଡ ବହି ପଠାଇବେ । ରତନା ଯାଇ ନେଇଆସିବ । ରତନା କାହିଁକି, ଦେବ ନେଇ ଆସିବେ । ବହି ପଢ଼ିଲେ ଆଉ ଦେହ କଥା ମନେ ପଡ଼ିବ ନାହିଁ ।

 

ଦେବ ପ୍ରତିବାଦ କଲା । ସେ ଆଣିବ ନାହିଁ । ରତନା ଆଣିବ ।

 

–ମୋ ପାଖରେ ଓଡ଼ିଆ ବହି ନାହିଁ । ଅଣେଇ ଦେବି । ସୁଭାଷବାବୁ କହିଲେ ।

 

–ହଉ ନମସ୍କାର ।

 

ବାଧ୍ୟ ହୋଇ ସୁଭାଷବାବୁ ବି ନମସ୍କାର ଜଣାଇଲେ । ତାଙ୍କର ରହିବାର ଇଚ୍ଛା ନଥିଲା । ଶ୍ୟାମାଦେବୀ ସୁବିଧା କରିଦେଲେ ।

 

ସୁଭାଷବାବୁଙ୍କୁ ଫାଟକ ଡିଆଇଁ ଦେଇ ଦେବ ଫେରିଆସିଲା । କ୍ରୋଧ ଚାପିରଖି କଥା କେଇ ପଦ ଉପରେ ଟାଣ ଦେଇ କହିଲା–ଏ ପୁଣି କ’ଣ ?

 

–କ’ଣ, ମୁହେଁ ମୁହେଁ ବାଡ଼େଇ ଥାଆନ୍ତି ? ସେମିତି କାହାକୁ ମୁଁ ଟାଣ କରି କହିପାରେ ନାହିଁ । ଡାକ୍ତର ଆସିଲାବେଳେ ତ ଆସିଥିଲେ । ଦେହ କଥା ବୁଝିବାକୁ ଆସିଲେ । ତମେ ତାକୁ କ’ଣ କହିଥାଆନ୍ତ ?

–କହିଥାନ୍ତି, ଦେହ ଭଲ ହୋଇଗଲାଣି, ଚାଲିଯାଅ ।

–ମୁଁ ତ ସେୟା କହିଲି ।

–ଆଉ ସେ ବସିଥିଲେ ?

–ମୁଁ କ’ଣ ବସିବାକୁ କହିଛି ? ଦାଣ୍ଡ କବାଟ ପାଖରେ ତ ବସିଲେ । ମତେ ଲାଜ ଲାଗିଲା ଚାଲିଯାଅ ବୋଲି କହିବାକୁ ।

–ଲାଜକୁଳୀ ଲତା ନା ! ଝାଉଁଳି ଗଲ ।

–ଏମିତି କଥା କହିବ ନାହିଁ । ଲାଜକୁଳୀ ଲଟା କ’ଣ ? ଛୁଇଁଲେ ଝାଉଁଳି ଯିବ–ଏଇୟା ନାଁ ?

–ମୁଁ ଭୁଲ କରି କହିଲି ।

–ତମ ମନ ଭିତରେ ଭୁଲ ବସା ବାନ୍ଧିଲାଣି । ଟିକିଏ ତମକୁ ନିଜର କଲି ବୋଲି ତମେ ବି କଥା କହୁ କହୁ ବାଗବାଇଶ ରଖୁନାହଁ.....ଏ ରତନା, ଗଲୁ ବାବୁଙ୍କ ଘରକୁ–କହିବୁ ଝଟ୍‌ ବହି ଦେବେ...ମା’ ମାଗୁଛନ୍ତି ।

 

–ସେଇ ବହି ନ ଆଣିଲେ କ’ଣ ହେବ ନାହିଁ ।

 

–ନା, ହବ ନାହିଁ । ସେ ଦେବେ ମୁଁ ପଢ଼ିବି । ଅଲବତ୍‌ ପଢ଼ିବି । ତମେ ଯାହା ଭାବୁଛ ଭାବ ।

 

–ମୁଁ ତେବେ ଯାଉଛି ?

 

–ଯାଅ । ନିଜର ଲୋକ ନିଜର ହେଇ ରହିବେ । ପର ଲୋକ ଏମିତି ଟିକକରେ ଆଡ଼େଇ ଯିବେ । ଯେତେ ଦିନ ଯାଏ ମଣିଷ ଆଡ଼େଇ ଆଡ଼େଇ ଅଲଗା ହୋଇ ରହୁଥିବ–ସେତିକି ଦିନ ତା’ର ଦାମ୍‌ ରହିଛି । ଆଉ ଯୋଉଁ ଦିନ ସେ ଖୋଲି ହୋଇଯିବ କି ଫିଟି ପଡ଼ିବ–ସେଦିନ ସେ ହେଲା ପର ।

 

–ହେଇ ଶୁଣ, ମୁଁ ଆଜି ବୁଝିଥିଲି । ଦେବ କହିଲେ ।

 

–ବୁଝ । ନିଜକୁ ସନ୍ତୁଷ୍ଟ କର । ମଣିଷ ତ ସେଇ ଏକା ମଣିଷ । ତମେ କିଏ, ଆଉ ସେ କିଏ ? ଏତିକି କଥା ଦିନେ ଯଦି ସେ ତୁଣ୍ଡରୁ ଖସେଇ ଥାଆନ୍ତେ ତାହାହେଲେ ଜାଣିଥାଆନ୍ତି । ଆଜି ତମ–

 

ଦେବ ଉଠି ବାହାରିଗଲାବେଳେ କହିଲା–ଭଲ ବ୍ୟବହାରର ଇଏ ହେଲା ପୁରସ୍କାର । ସ୍ନେହ କଲେ ଏଇ ଫଳ ।

 

–ହେଇ ଶୁଣ । ତୁମେ ଭଲପାଇ ଶିଖି ନାହଁ । ଶିଖିବାକୁ ଖୋଜୁଥିଲେ କିଛି ମାଗିବ ନାହିଁ, ଖାଲି ଭଲ ପାଇବ । ତେବେ ଯାଇଁ ଶିଖିବ । ଆଉ ଲୁଗା ମୂଲେଇବା ସାଙ୍ଗରେ ଭଲ ପାଇବାର ମୂଲେଇ ସମାନ କରିବ ନାହିଁ ।

 

ବଳେଇ ପଡ଼ୁଥିବା ସମୟ ମଣିଷ ଶୁଆ ସାରୀଙ୍କୁ ବାଣ୍ଟିଦିଏ । ସେ ଅବା ସେମିତି ମନକୁ ବୁଝେଇବାକୁ ବାହାର ଲୋକଙ୍କୁ ବାହାରେ ରଖି ଟିକିଏ ଯଦି ଖେଳକୌତୂକ କରିପାରିଲା ସେଥିରେ କ୍ଷତି କ’ଣ । ଖେଳିବା ଲୋକ ତ ହାତ

 

ଗୋଡ଼ ଭାଙ୍ଗେ । ହସକୌତୂକରେ ତ ପୁଣି ମାଡ଼ ମରାମରି ହୁଏ । ସେମିତି ଟିକିଏ ଖେଳୁ ଖେଳୁ ନିନ୍ଦା ଉଠିଲା । –ଉଠୁ ।

 

ଦୁଆରକୁ ଆସି ଦେଖିଲା–ସୁଭାଷବାବୁ ସିଗ୍ରେଟ ଟାଣୁଛନ୍ତି କୋଠା ଉପରେ । କୁନାକୁ ପଠାଇଲା । ସେ ଆସି କହିଲା–ମା’ କହିଲେ,–ବସିଛ କ’ଣ ବହି ଦବ ପରା ! ନଥିଲେ ଆଣିଦିଅ ।

 

–ହଁ ହଁ, ଆଣିବାକୁ ଯାଉଛି ।

 

–ମୁଁ ଆସିବି ?

 

–ମୁଁ ଦେଇଆସିବି । ତମ ପଢ଼ା ବୁଝିବି । ଆଜି ତମର ଅଙ୍କ ପରୀକ୍ଷା ହେବ । ପରୀକ୍ଷାରେ ଭଲ କଲେ ପୁରସ୍କାର ପାଇବ । ତମର ଆଉ ବେବି ଦି’ଜଣଙ୍କର ।

 

ସେ ଫେରି ଚାଲିଗଲା । –ମା’ ଆଜି ଅଙ୍କ ପରୀକ୍ଷା ହେବ । ବେବିର ଆଉ ମୋର । ପୁରସ୍କାର ମିଳିବ । ମଉସା ଆସିବେ କହିଛନ୍ତି ବହି ନେଇ ।

 

–ଆସିବେ ? ମୋର ତ ଦେହ ଭଲ ନାହିଁ । ମୁଁ ଶୋଉଛି । ଆସିଲେ ଡାକି ଦେବ ।

 

ସୁଭାଷବାବୁ ଆସିଲେ–

 

–କ’ଣ ହେଲା ? ପରୀକ୍ଷା କରିବା ?

 

–ହଁ । ମା’କୁ ଡାକିଦିଏ । ଧିଅ ଭଲ ନାହିଁ ବୋଲି ସେ ଶୋଇଛନ୍ତି ।

 

–ତାଙ୍କ ପାଇଁ ବହି ଆଣିଥିଲି ।

 

–ବେବି ମାଗିଲା ନବାକୁ । କୁନା ଯିଦ୍‌ କଲା ଯେ ସେ ନବ ।

 

–ବେବି ବହି ନଉ । ଆଛା କହିଲ–ତମ ହାତକ କେଇ ଇଞ୍ଚ ? କୁନାକୁ ପଚାରିଲେ ।

 

–ଏଡ଼େ କଷ୍ଟ ! ମୁଁ କହିପାରିବି ନାହିଁ ।

 

–ତମର ଉଚ୍ଚା କେଇ ହାତ ?

 

–ଏମିତି କ’ଣ ପଚାରୁଚ ? ଇଏ କ’ଣ ଅଙ୍କ ?

 

ଘର ଭିତରୁ ଶ୍ୟାମାଦେବୀ ହାତରେ ବହି ଧରି ବାହାରି ଆସିଲେ ବେବିକୁ ସାଙ୍ଗରେ ନେଇ ।

 

କୋଠରି ଭିତରକୁ ନ ଆସି ପଚାରିଲେ–ପିଲାଙ୍କୁ ପୁରସ୍କାର ଦେଇଦେବେ ସେମିତି । ସେମାନେ କ’ଣ ଏଡ଼େ କଷ୍ଟ ପ୍ରଶ୍ନର ଉତ୍ତର ଦେଇପାରିବେ ? ....ଆପଣ ଯାଇ କିଣି ଆଣିଲେ ନାଁ-? ଏଇ ବହିଗୁଡ଼ିକ ।

 

–ହଁ । ମୁଁ ବି ଏଣିକି କିଛି କିଛି ବହି ରଖିବି । ବହି ନଥିଲେ ସମୟ କଟୁନାହିଁ । ଅଳ୍ପ କିଛି ବହି ଆଣିଛି ।

 

ଖୁସିହୋଇ ଶ୍ୟାମାଦେବୀ କହିଲେ–ବଡ଼ ଭଲ ହେଲା । ମୁଁ ସୁବଯାକ ପଢ଼ିବି । ତେବେ ଭଲ ଛବି ଥିବା ବହି ଦେବେ । କେତେ ବହିରେ ଛବି ଏମିତି ଯେ ଦେଖିଲେ ବିରକ୍ତ ଲାଗେ ।

 

ଭଲ ବହି ଦେବି । ମୁଁ ସେ ସବୁ ବହି ପଢ଼େ ନାହିଁ ।

 

ଶ୍ୟାମାଦେବୀ କଥାକୁ ବୁଲେଇ କହିଲେ–ଆପଣ କ’ଣ ପାଆନ୍ତି ଅଙ୍କରୁ ? ପିଲାଙ୍କୁ ସାହିତ୍ୟ ପରୀକ୍ଷା ନକରି ଅଙ୍କ କାହିଁକି ପରୀକ୍ଷା କଲେ ?

 

–ଅଙ୍କର ହୃଦୟ ନାହିଁ । ସାହିତ୍ୟର ହୃଦୟ ଅଛି । ସେଇଟା ବିଗାଡ଼ିଦିଏ ମସ୍ତିଷ୍କକୁ ।

 

–ମୁଁ ଅଙ୍କରେ ମୋଟେ ପାରୁ ନଥିଲି । ମୋର କ’ଣ ମୁଣ୍ଡ ବିଗିଡ଼ି ଯାଇଛି ?

 

–ଏଇଟା ସାହିତ୍ୟର ପ୍ରଶ୍ନ । ମୁଁ ଜବାବ ଦେଇପାରିବି ନାହିଁ ।

 

–ଦିଅନ୍ତୁ । ଆମେ ଆପଣଙ୍କୁ ପରୀକ୍ଷା କରି ପୁରସ୍କାର ଦେବା ସାହିତ୍ୟରେ । ଆପଣ ପିଲାଙ୍କୁ ପୁରସ୍କାର ଦେବେ ଅଙ୍କରେ ।

 

–ମୁଁ କ’ଣ ଉତ୍ତର ଦେଇପାରିବି ?

 

–ଭାବିଲେ ପାରିବେ...ହଉ ପିଲାଙ୍କୁ ପଚାରନ୍ତୁ ।

 

–ହଉ କୁନା କହ । ଜ୍ୟାମିତି ଅଙ୍କଠାରୁ ସହଜ ଲାଗେ ନାହିଁ କାହିଁକି ?

 

–ଅଙ୍କ ବୁଝିହୁଏ । ଜ୍ୟାମିତିକୁ ଘୋଷିବାକୁ ପଡ଼େ ।

 

ଶ୍ୟାମାଦେବୀ ପଚାରିଲେ–କ’ଣ ! ଠିକ୍‌ ହେଲା ?

 

–ହଁ ।

 

–ହେଲାନାହିଁ । ମତେ ବୁଝେଇଲେ । ବୁଝି ନପାରିବା କଥାକୁ ମଣିଷ ବେଶି ଘୋଷି ହୁଏ ନାଁ ନବୁଝିପାରିବା କଥାକୁ ?

 

ବିବ୍ରତ ହୋଇ ସୁଭାଷବାବୁ ଚାହିଁଲେ ଶ୍ୟାମାଦେବୀଙ୍କ ମୁହଁକୁ–କ’ଣ ପଚାରୁଛନ୍ତି ଆପଣ-?

 

–ମୋର ସନ୍ଦେହ ଅଛି ଯେ ପଚାରିଲି ।

 

–ୟା’ର ଜବାବ ବହୁତ ପ୍ରକାରର ।

 

–କ’ଣ କହିଲେ ।

 

–ଯାହାର ବୁଦ୍ଧି କମ୍‌ ସେ ବୁଝି ପାରୁ ନଥିବା ବିଷୟକୁ ଘୋଷେ । ଆଉ ଯାହାର ବୁଦ୍ଧି ବେଶି ବୁଝି ନପାରୁଥିବା ବିଷୟକୁ ଭୁଲିଯାଏ–ଘୋଷେ ନାହିଁ ।

 

–ବୁଦ୍ଧି ନାଁ ଅନୁଭବ ? ମସ୍ତିଷ୍କ ନାଁ ହୃଦୟ...ହଉ, ଆପଣ ପରୀକ୍ଷା କରନ୍ତୁ । ମୁଁ ଟିକିଏ ବହି ପଢ଼ିବି ।

 

–ମଉସା ପଚାର ।

 

ଅନ୍ୟମନସ୍କ ହୋଇ ସୁଭାଷବାବୁ କହିଲେ–ଆଉ ଦିନେ ତିଆରି ହୋଇ ଆସି ତମକୁ ପଚାରିବି । ଠିକ୍‌ ପଢ଼ାରୁ ପଚାରିବି । ପ୍ରସ୍ତୁତ ହୋଇଥିବ । ଆଜି ମୁଁ ଯାଉଛି ।

 

–ପୁରସ୍କାର ?

 

ଦୁଇଟି ବଡ଼ ଚକୋଲେଟ୍‌ କାଢ଼ି ଦୁହିଁଙ୍କୁ ଦେଲେ ।

 

–ହେଇ ଚକୋଲେଟ୍‌ ଆସିଚି ।

 

ଭିତରୁ ଶ୍ୟାମାଦେବୀ କହିଲେ–ମୋର କ’ଣ ଆସିଛି ?

 

–ଆଉ କିଛି ନାହିଁ ପକେଟରେ । ପକେଟ୍‌ମାରୁ ହୋଇ ଯାଇଛି । ଯିବି । ପୁଣି କୁର୍ତ୍ତା ସଜାଡ଼ିବି । ସେଥିରେ ପଇସା ନେଇ କିଣିଲେ ଆପଣ ପାଇବେ ।

 

–ଏତେ ଡେରିରେ ! ହଉ । ଯାଆନ୍ତୁ । ବହିଟା ଭାରି ଭଲ ଜଣା ପଡ଼ୁଛି । ବହିରୁ ଆଖି ଉଠାଇବାକୁ ଇଚ୍ଛା ହେଉନାହିଁ....ଏ କୁନା ବେବି, ପଢ଼ୁଛ ନା ଖେଳୁଛ ?

 

ନିଜକୁ ଏକାବେଳକେ ନିସ୍ୱ କରି ସୁଭାଷବାବୁ ଫେରିଗଲେ । ଶ୍ୟାମାଦେବୀ ସବୁ ନେଇଯାଇଛନ୍ତି ।

 

ଅଳ୍ପ ସମୟପରେ ବହି ବନ୍ଦ କରି ଶ୍ୟାମାଦେବୀ ହାରମୋନିୟମ ବଜାଇଲେ ।

 

–ରେ ନାଉରି....ଦେ ପାରି କରି,

ଏକା ମୁଁ ପଝାରି ଏକା ମୁଁ ନାଉରି

ଦେ ପାରି କରି..ରେ ନାଉରି ।

 

ଥରେ ମାତ୍ର ଗାଇଥିଲେ । ବାକି ବେଳ ସେହି ସୁରଟି ଖାଲି ବାଜୁଥିଲା । ହାରମୋନିୟମର ସ୍ୱର ଉପରକୁ ଶ୍ୟାମାଦେବୀ କଣ୍ଠସ୍ୱର ଉଠାଉ ନଥିଲେ । ନିଜ ଘର ଭିତରେ ଥାଇ ସୁଭାଷବାବୁ ବାରମ୍ୱାର ଅଣନିଶ୍ୱାସୀ ହୋଇ ଯାଉଥିଲେ । –ଯାହା ବୁଝିହୁଏନା ସେହି ହେଉଛି ସଂସାରରେ ମନୋହର ଓ ଚିତ୍ତହର । ଶ୍ୟାମାଦେବୀ ହେଉଛନ୍ତି ସେଇ ପ୍ରକାରର ଜଣେ ।

 

ସେମିତି ହଠାତ୍‌ ଗୀତ ବନ୍ଦ ହୋଇଗଲା । କିନ୍ତୁ ସୁଭାଷବାବୁଙ୍କୁ ବାରମ୍ୱାର କିଏ ମନରେ ପଚାରୁଥିଲା–ନାଉରି କିଏ–ଆଉ ପଝାରି କିଏ ? ତାଙ୍କୁ ଦିଶୁଥିଲା ଅତଳ ଅସୀମ ଜଳରାଶି । ବୁଝି ପାରୁନଥିବାରୁ ସେ ତ୍ରସ୍ତ ହୋଇ ପଡ଼ୁଥିଲେ ।

 

ମନ ଭିତରେ ବାରମ୍ୱାର ଶରଣ ପଶୁଥିଲେ । ଶ୍ୟାମାଦେବୀ ତାଙ୍କଠାରୁ ବୟସରେ ବଡ଼-। ଦୁଇଟି ପିଲା । କିନ୍ତୁ କିଛି ପ୍ରଭାବ ପଡ଼ି ନାହିଁ ତାଙ୍କ ଉପରେ । ସେ ତାଙ୍କ ପରି ଜଣେ ଲୋକକୁ କେତେ ଦୂରରେ ରଖିଛନ୍ତି । ଯେତେ ନିକଟକୁ ନେଇଛନ୍ତି ତହିଁରୁ ଦୂରତା ବେଶି ।

 

ନିକଟରେ ଶ୍ୟାମାଦେବୀ ଦୂର । ଆଉ ଦୂରରେ ଥିଲାବେଳେ ସେ ନିକଟ । ଶ୍ୟାମାଦେବୀ ଗୋଟିଏ ପ୍ରହେଳିକା ! ସେ ସୁଖ ଦେବାକୁ ଚାହିଁଲେ ସୁଖ ଦିଅନ୍ତି । ଦୁଃଖ ଦେବାକୁ ଚାହିଁଲେ ଦୁଃଖ ଦିଅନ୍ତି । ପୁଣି କିଛି ନ ଦେବାକୁ ଚାହିଁଲେ, କିଛି ଦିଅନ୍ତି ନାହିଁ ।

 

ନୀରବ ରହିବା, ନିସ୍ତବ୍‌ଧ ହୋଇ ବସିରହିବା, ତାଙ୍କ କଥାର ଉତ୍ତର ନ ଦେବା, ତାଙ୍କର ଚାହାଣିକୁ ନ ଚାହିଁବା ହେଉଛି କେବଳ ତାଙ୍କୁ ଦୂରରେ ରଖିବାର ବାଟ–ସେତିକିବେଳେ ସେ ନିକଟ-। ପବନପରି ଛୁଇଁଦେଇ ଚାଲିଯାଆନ୍ତି ।

 

କିନ୍ତୁ ଏଣେ ମନ ଭିତରେ ଅଧୀର ମନ ଶ୍ୟାମାଦେବୀଙ୍କୁ ଡାକୁଥାଏ–କାତର ପ୍ରାର୍ଥନା ଜଣାଉଥାଏ–ତମେ ରହ ପାଖରେ ସବୁଦିନେ..ସବୁବେଳେ ।

 

ଶ୍ୟାମାଦେବୀ ସେତିକିବେଳେ ରତନାକୁ ଡାକୁଥିଲେ । ଏ ରତନା ! ଶୋଇଲୁଣି କି ? ଗଲୁ ଟିକିଏ ବାବୁଙ୍କଠାରୁ ପଢ଼େଇ ଆଣିବୁ ଡାକ୍ତର କି ଔଷଧ ଲେଖି ଦେଇଛନ୍ତି । କାଲି କୁନା କିଣି ଆଣିବ......

 

ପହଲାମା ଆସି ପଚାରିଲା–ମତେ ଦିଅ । ତମେ ତ ଓଷଦ ନ ଖାଇ ଭଲ ମଣିଷଙ୍କ ପରି ସବୁ କାମ କରୁଛ । କ’ଣ ହୋଇଛି କି ?

 

–କେଜାଣି । ସମସ୍ତେ ତ ଭଣ୍ଡିଲେ ମୋତେ । ଡାକ୍ତର ଭଣ୍ଡି ଦେଇ ପଇସା ନେଲା । କ’ଣ ଲେଖିଛି କେଜାଣି...ସେ ଓଷଦ ଖାଇଲେ କୁଆଡ଼େ ଭଲ ହେବ ।

 

ସହାନୁଭୂତିର ଛଳନା ଦେଖାଇ ପହଲାମା ବାବୁଙ୍କ ପାଖରେ ଗେହ୍ଲେଇ ହୋଇ କହିଲା–ତମର ତ ବାବୁ ପଥୁରିଆ ମନ । ଟିକିଏ ଓଷଦ ମଗେଇ ଦିଅନ୍ତ ନାହିଁ । ଏମିତି ଧିଅ ବାଧିକିରେ ଆମର ମା’ ପଡ଼ି ରହିଥିବେ । ଆଜି ଚାଲବୁଲ ହେଉଛନ୍ତି । କାଲି ବିଛଣା ଧରିବେ ।

 

ହାତରେ ପ୍ରେସକ୍ରିପ୍‌ସନ୍‌ ଧରି ସୁଭାଷବାବୁ ଶ୍ୟାମାଦେବୀଙ୍କୁ ସ୍ମରଣ କରି ଭାବିଲେ–ପାରି ହେବ ନାହିଁ । କ’ଣ ଚାହଁ କେଜାଣି ! ସବୁବେଳେ ତ ବୁଝିଗଲା ପରି ଲାଗୁଛି । ପୁଣି ସେମିତି ଭେଳିକି ଲଗାଇ କହି ଦେଉଛି–ଭୁଲ୍‌ ଭୁଲ୍‌ । ରୁମ ମୂଳ ଟାଙ୍କୁରି ଉଠିଲା ।

 

ପହଲାମା ପଚାରିଲା–ବସିଲ ଯେ ।

 

–ବେଣୁଧର ଯାଅ, ଏ ଔଷଧଟା ନେଇ ଆସିବ–କହି ଟଙ୍କା କାଢ଼ିଲେ ।

 

–ପଇସା ଦେଇଛନ୍ତି । ତମେ ବାବୁ କାହିଁକି ହାତରୁ ଖର୍ଚ୍ଚ କରିବ ? ତାଙ୍କର କ’ଣ ନାହିଁ କି ?

 

ବାଧ୍ୟ ହୋଇ ସୁଭାଷବାବୁ, ପହଲାମା ଆଉ ବେଣୁଧରର ଚାରୋଟି ଆଖିକୁ ଚାହିଁ, ପହଲାମା ହାତରୁ ଔଷଧ ଦାମ ନେଲେ । କିନ୍ତୁ ତାଙ୍କ ମନ ଭିତରେ ଯେଉଁ ଆଘାତ ଶ୍ୟାମାଦେବୀ ଦେଇ ପାରିଲେ, ସେତକ ଯେ ଭୁଲି ହୋଇପାରେ–ଭାବିଲେ ଅସମ୍ଭବ ଜଣାଗଲା ।

 

–ହଉ ତମେ ଯାଅ ପହଲାମା ! ବେଣୁଧର ଦେଇ ଆସିବ ରସିଦ ଆଉ ପଇସା ।

 

ବେଣୁଧର ଯାଇ ପହଞ୍ଚିଲାବେଳେ ଶ୍ୟାମାଦେବୀ କହିଲେ–ତମ ବାବୁ ପଇସା ରଖିଲେ ନା ? ତାଙ୍କୁ କହିବ–ଏଠୁ ସେ ଯାହା ଯାହା ନେଲେ ସବୁ ପଇସା ଫେରାଇବେ ।

 

ତା’ପରେ ହସି ପୁଣି କହିଲେ–କାଲି ସକାଳୁ ବହି ଆଣିବ । ତମ ବାବୁ ଅନେକ ବହି ରଖିଛନ୍ତି । ବହୁତ ବହି । ତମେ ବି ଟିକିଏ ପହଲାମା ଠୋଉଁ ଖବର ନେଉଥିବ କାଳେ ମୋ ଦେହ ବେଶି ଖରାପ ହୁଏ ।

 

ବେଣୁଧର ଖୁସି ହୋଇ କହିଲା–ଏମିତି ତ ମା ! ଗୁନ୍ଥା ହୋଇଛି ସଂସାର । ଆପଣଙ୍କ ଦେହ ଦୁଃଖ ହେବ । ଆଉ ଆମେ ତତ୍ତ୍ୱ ନେବୁ ନାହିଁ ?

 

–ବାବୁଙ୍କୁ ମୋର ବହୁତ ବହୁତ କହିଦେବ ।

 

ସେଠୁ ଫେରି ଆସି ବେଣୁଧର ଲଗାମଛଡ଼ା ହୋଇ ବାବୁଙ୍କୁ କହିଲା–ଭାରି ଭଲ ଆଜ୍ଞା-। କଥା ତ ନୁହେଁ ଅମୃତ । ମତେ କହିଛନ୍ତି ଖବର ରଖିବାକୁ । ତାଙ୍କ ଦେହ ଭାରି ଖରାପ-। ଦୋହଲି ଗଲେଣି । ମାଗିଛନ୍ତି ବହି, କାଲି ସକାଳେ ନେଇ ମୁଁ ଦେଇ ଆସିବି......

 

ବେଣୁଧର କହୁଥାଏ । ଆଉ ସୁଭାଷବାବୁଙ୍କ ମନ ଭିତରେ ପ୍ରତ୍ୟେକ କଥା ଧକ୍‌କା ଦେଉଥାଏ । ସତେ କ’ଣ ଶ୍ୟାମାଦେବୀ ଏଡ଼େ ଦୁର୍ବଳ–ଏତେ ରୋଗଗ୍ରସ୍ତ ? ବେଣୁଧରକୁ ଠକିବାର କିଛି ତ କାରଣ ନାହିଁ ।

 

–କିଛି କହିଲେ ?

 

–ହଁ ବହୁତ ବହୁତ କହିଛନ୍ତି ଆପଣଙ୍କୁ । ଆଉ କହିଲେ–ଆପଣ ପଇସା ଯଦି ରଖିଲେ ତେବେ ତାଙ୍କ ଜିନିଷର ଦାମ୍‌ ଦେଇ ଦେବେ...ପଇସା ରଖିବା ଠିକ୍‌ ହେଲା ନାହିଁ ଆଜ୍ଞା !

 

–ଆଉ କ’ଣ ହାତରୁ ଦେଇଥାନ୍ତି ?

 

–ଘର ପାଖ । ବାବୁଙ୍କ ସାଙ୍ଗରେ ଆପଣଙ୍କର ଭଲ ବନେ । ସେ କ’ଣ ମନେ କରିବେ କେଜାଣି ।

 

ଉଦାସ ହସ ଖେଳାଇ ସୁଭାଷବାବୁ କହିଲେ–ସଂସାରରେ ପଇସା ହେଉଛି ସବୁରିଠାରୁ ବଡ଼ । ତାକୁ ରଖିଲେ ଦୋଷ । ନ ରଖିଲେ ଦୋଷ...କାଲି ବହି ନେଇଯିବ । ବହି ଫେରାଇ ଆଣିବ–ଆଜି ସେ ନେଇଛନ୍ତି ।

 

ସକାଳୁ ବେଣୁଧର ବାବୁଙ୍କ କାମ ବୁଝିଦେଇ ବହି ନେଇ ହାଜର ।... ମନଟା ଗୋଳେଇ ଘାଣ୍ଟି ହେଲା । କହିଲି ଦେଖିଆସେ ମା’ଙ୍କୁ । କାଳେ ଧିଅ ବେଶି ଖରାପ ହୋଇଥିବ !

 

–ନାହିଁ , ଭଲ ଅଛି...ବହି ଆଣିଛ ?? କାଲିକା ବହି–

 

–ହଁ । କାଲିକା ବହି ଫେରାଇ ଦେଲେ ନେବି ।

 

–ବାବୁ କ’ଣ କହିଛନ୍ତି ନେବାକୁ ?

 

–ଠିକ ମନେ ନାହିଁ ।

 

–ବାବୁଙ୍କୁ ଆପଟ କରୁଛ ? ବାବୁଙ୍କୁ କହିବ–ମା’ ଫେରାଇଲେ ନାହିଁ । ପୁରୁଣା ବହି ବି ରହିବ । ନୂଆ ବହି ଆସିବ । ସେ ବି ରହିବ । ତମେ ଆଣି ମତେ ବହି ଦେଇ ଯାଉଥିବ । ବାବୁଙ୍କର ଦରକାର ହେଲେ ମଗେଇ ନେବେ ।

 

–ହଁ ରହୁ ଏଇଠି । ଯୋଉଠି ହେଲେ ତ ରହନ୍ତା । ବାବୁ ତ ଅଫିସରେ ପଢ଼ିବେ ନାହିଁ । ସେତେବେଳେ ଆପଣ ହେଲେ ପଢ଼ୁଥିବେ ।

 

କୁନା ପାଟିକଲା–ସେ ବାହାଘରକୁ ଯାଇଥିଲା । ସ୍କୁଲରେ ଦରଖାସ୍ତ ଦିଆ ହୋଇନାହିଁ ତା’ର ଆଉ ବେବିର ।

 

–ବାପାଙ୍କ ଠୋଉ ଲେଖେଇ ରଖିଲ ନାହିଁ ? ବାପା ଆସନ୍ତୁ ।

 

–ବାପା ପୁଣି କେବେ ଆସିବେ ! ସେତେଦିନ ଯାଏ କ’ଣ ମାଷ୍ଟ୍ର ସବୁ ଦିନେ ଆମୁକୁ ମାଗୁଥିବେ ଦରଖାସ୍ତ ?

 

–କିଏ ଆଉ ଲେଖିବ ?

 

–କାହିଁକି, ଆମ ବାବୁଙ୍କୁ କହିଲେ ସେ ଲେଖିଦେବେ ବେଣୁଧର କହିଲା ।

 

–ବାବୁ ଲେଖିବେ ? ଅପମାନ ଲାଗିବ ନାହିଁ ତ !

 

–ହଁ ଲେଖିବେ । ମୁଁ ଲେଖେଇ ଆଣିବି । ...ଲେଖିବେ ନାହିଁ !

 

–ହଉ ।

 

ବେଣୁଧର ଯାଇ ବାବୁଙ୍କୁ କହିଲା–ମା’ ମନା କଲେ ବହି ଦବାକୁ । କହିଲେ–ସବୁ ବହି ରହିବ ସେଠି । ଆଉ ସେ ରୋଜ ବହି ନେବେ । ମୁଁ କହିଲି ହଉ ରଖନ୍ତୁ...ଆଜ୍ଞା, ତାଙ୍କ ପିଲାଙ୍କର ଦି’ଟା ଛୁଟି ଦରଖାସ୍ତ...ବାହାଘରକୁ ଯାଇଥିଲେ ସେମାନେ ।

 

–ତମକୁ ଆଉ କୋଉଠିକି ପଠାଇବା ଠିକ୍ ନୁହେଁ । ତମେ ଯିବ ଗୋଟେ କାମରେ । ଆଉ ଆଣିବ ଆମ ପାଇଁ କାମ ।

 

–ତାଙ୍କ ବାପା ଚାଲି ଯାଇଛନ୍ତି । ସ୍କୁଲରେ ମାଷ୍ଟ୍ର ମାଗୁଛନ୍ତି । ହରବର ହେଉଥିଲେ । ମୁଁ ସାହସ କରି କହିଲି ଆପଣଙ୍କ ନାଁ । ଆପଣଙ୍କ ଦୟା ।

 

–କାମ ଆଣିଲେ ଯେ ଅକଲ ଖଟେଇଲ ? ପିଲାଙ୍କ ନାଁ ମୁଁ କ’ଣ ଜାଣେ ? କୋଉ କ୍ଲାସ, କୋଉ ତାରିଖ କିଛି ବୁଝିଛ ?

 

ବେଣୁଧର ଯିବାକୁ ଗୋଡ଼ ଟେକିଲା ନିଜ ଭୁଲ ସୁଧାରିବାକୁ । ତାକୁ ବନ୍ଦ କରି ବାବୁ କହିଲେ–ହଉ, ମୁଁ ଯାଉଛି । ବୁଝିଦେବି ।

 

ବାବୁ ବସି ରହିଲେ । ଆଉ ବେଣୁଧର ବି ବାରମ୍ବାର ଚାହୁଁଥାଏ ତାଙ୍କୁ । ତା’ କଥା ରହୁନାହିଁ...। ବାବୁ ଉଛୁର କରୁଛନ୍ତି ।

 

ସୁଭାଷବାବୁ ପହଞ୍ଚିଲେ । ଶ୍ୟାମାଦେବୀ କିଛି ନ ଜାଣିଲା ପରି ପଚାରିଲେ–କ’ଣ ଏଡ଼େ ସକାଳୁ ! କିଛି କାମ ନାହିଁକି ଆଜି ?

 

–କାମ ତ ଏଇଠି । ଦରଖାସ୍ତ ଲେଖାଯିବ ପରା । ଆମେ ହାକିମ ହେଲୁ ଯେ ଆମ କାମ କିଏ କରୁଛନ୍ତି । ଆଉ ଆମେ ଏଠି ଆପଣଙ୍କ କାମ କରିବାରେ ସକାଳେ ଲାଗିବୁ ।

 

–ସେଇଥିପାଇଁ ପରା ମୁଁ ଆପଣଙ୍କର ଚପରାସିକି ମନା କରିଥିଲି । ବାବୁଙ୍କର ଭାରି ମାନ ଅପମାନଙ୍କୁ ଜଗାରଖା । ସେ ତ ଜିଗର ଲଗାଇଲା । ନଇଲେ ଆଉ କାହାଠୋଉ ଲେଖେଇ ଥାଆନ୍ତି ।

 

–କାହିଁ ଦିଅନ୍ତୁ । କୋଉ କ୍ଲାସ, ଭଲ ନାଁ କ’ଣ, କେତେ ତାରିଖ ।

 

–କିଛି ଜାଣି ନାହାନ୍ତି ? କେଇଦିନ ପରେ ତ ଆସି ପଚାରିବେ ଆମକୁ–ତମେମାନେ କିଏ, ନାଁ କୁହ ।

 

–କହି ଦିଅନ୍ତୁ ଭଲା । ଏମିତି କାହିଁକି ପହଳି କରୁଛନ୍ତି ସକାଳଟାରୁ । ଆମେ ଯାହା ଭାବୁଥିଲୁ ଭାରି ବଡ଼ ବୋଲି, ବହୁତ ବୁଦ୍ଧି ବୋଲି...ସବୁ ହେଇଗଲାଣି ।

 

ଆଖି ନଚାଇ ଶ୍ୟାମାଦେବୀ ଅନ୍ତରଙ୍ଗ ଆତ୍ମିୟତା ଦେଖାଇ ପଚାରିଲେ–କେବେଠୋଉଁ ଆପଣଙ୍କର ଏତେ ପରିବର୍ତ୍ତନ ହେଲାଣି ?

 

–ଛାଡ଼ନ୍ତୁ ସେ କଥା । ପରାଶ ଜାଗାରେ ମାଡ଼ ବାଜୁଛି ।

 

–ଗପ ବହି ମଗେଇଥିଲେ ଫେରାଇ ନେବାକୁ । ନେବେ ?

 

–ନାହିଁ ତ । ବେଣୁଧର ସେମିତି କହିଥିବ ।

 

କପଟ କ୍ଷୋଭ ପ୍ରକାଶ କରି ଶ୍ୟାମାଦେବୀ କହିଲେ–ମୁଁ ଚଳିବି କେମିତି ଭଲା । ସମସ୍ତେ ତ ମତେ ଠକିଲେ । ମଣିଷ ଚିହ୍ନି ପାରିଲି ନାହିଁ । କାହାରି କଥାକୁ ତଉଲି ପାରିଲି ନାହିଁ ।

 

ବେଣୁଧର ବି ଠକି ଦେଇଗଲା । ତା’ କଥା ଶୁଣି ଭାବିଲି...ବାବୁ ବହି ମଗେଇଛନ୍ତି–ଆମେ ପର ବୋଲି । ସେ ହେଲା ଭୁଲ ।

 

ପୁଣି ତା’ରି କଥା ଶୁଣି ଭାବିଲି–ବାବୁ ଆମ ନିଜ ଲୋକ । ଦରଖାସ୍ତ ଖଣ୍ଡେ ଲେଖିଦେବେ ଖୁସିରେ । ସେ ବି ଭୁଲ । ...ମୁଁ ଚଳିବି କେମିତି ।

 

–ଦିଅନ୍ତୁ ମ ଦରଖାସ୍ତ । ମୁଁ ଆଉ ଏତେ କଥାର ଉତ୍ତର ଦେଇ ପାରିବି ନାହିଁ ।

 

–କିରେ କୁନା ! ମଉସା କ’ଣ ତମର ବେଠିଆ କି’ ? ସେ ପଚାରୁଛନ୍ତି ପରା ।

 

–ତାରିଖ ମନେ ନାହିଁ ଖୋଜୁଛି ।

 

–ବହି ଗାଈ ଖୁଆଇଥିଲା । ଖେଳରେ ଏତେ ମନ । କୋଉଦିନ ସ୍କୁଲକୁ ନଗଲା–ସେ ତାରିଖ ବି ମନେ ରଖିପାରୁ ନାହିଁ । ଏଇ ପିଲାଙ୍କୁ ଆପଣ ମୁହଁ ଦେଇ ଅବାଧ୍ୟ କରି ଦେଲେଣି । ସେମାନେ ତ ମୋତେ ପାସଙ୍ଗରେ ପକାଉ ନାହାନ୍ତି–ଆପଣ ଆସିଲାଦିନୁ । ସତେ ଯେମିତି ସବୁଦିନେ ଆପଣ ତାଙ୍କର ମଉସା ହୋଇଥିବେ ! କ’ଣ କହୁ ନାହାନ୍ତି ?

 

–ପାଣି ଗିଲାସେ ଦେଲେ ।

 

–ଏ ରତନା । ଭଲକରି ଗିଲାସ ଧୋଇ ପାଣି ଆଣ ।...ପାଣି ଆସୁଛି ।

 

ସୁଭାଷବାବୁ ଦରଖାସ୍ତ ଲେଖି ଶ୍ୟାମାଦେବୀଙ୍କୁ ବଢ଼ାଇ ଦେଲେ ଦସ୍ତଖତ କରିବାକୁ ।

 

ତାଙ୍କଠାରୁ କଲମଟି ନେଇ ଶ୍ୟାମାଦେବୀ ପଚାରିଲେ–ଆପଣ ନିଜେ ଦସ୍ତଖତ କଲେ କ’ଣ ହେବ ନାହିଁ ?

 

–ମୁଁ ପରା ମୁରବୀ ନୁହେଁ ତାଙ୍କର ।

 

–କାହିଁକି ? ମୁରବୀ ହେବାରେ କ୍ଷତି କ’ଣ ? ଆପଣଙ୍କର କିଛି ଅସୁବିଧା ହେବ କି’ ?

 

–ନାଁ ।

 

ତେବେ କରି ଦିଅନ୍ତୁ ।

 

–ପାଣିପିଇ ସୁଭାଷବାବୁ ଦସ୍ତଖତ କରି ଦସ୍ତଖତକୁ ଚାହିଁ ରହିଲେ ।

 

ଶ୍ୟାମାଦେବୀ ଚାହିଁ ରହିଥିଲେ ସୁଭାଷବାବୁଙ୍କୁ–ସେହି ମୁହଁ ଉପରର କ୍ଷୀଣ ରେଖାଗୁଡ଼ିକୁ । ସେଥିରେ ସଂଶୟ । ପଚାରିଲେ ମନ ଅଡ଼ୁଛି...ନା ? ...ହଁ ହବ ତ । ପରକୁ ଆପଣାର କରିବା ଭାରି କଷ୍ଟ । ପର ପାଇଁ ଜୀବନ ଦିଅନ୍ତି ବୋଲି କାହାଣୀରେ ଲେଖା ହୋଇଛି । ବେବି କ’ଣରେ ସେ କାହାଣୀ ?

 

–ପରପାଇଁ ଯେ ଜୀବନ ଦିଏ ସେ ଧନ୍ୟ ।

 

ଶ୍ୟାମାଦେବୀ ପଚାରିଲେ–କିମିତି ଘଟେ ଏ ସବୁ ? ଇଏ କ’ଣ ସମ୍ଭବ ?

 

ସୁଭାଷବାବୁ ବିବ୍ରତ ହୋଇ ଚାହିଁରହିଲେ । ଶ୍ୟାମାଦେବୀ ତାଙ୍କୁ ବାରମ୍ବାର ବୁଝେଇ ଦେଉଛନ୍ତି ଯେ ପର–ଆପଣା ଜ୍ଞାନ ଶ୍ୟାମାଦେବୀଙ୍କର ନୁହେଁ–ସୁଭାଷବାବୁଙ୍କର ।

 

କଥା ନ ଛିଣ୍ଡାଇ ସେ ପୁଣି ପଚାରିଲେ–ଆପଣ କାହିଁକି ଏମିତି ଆପଣାର ଲୋକ ବୋଲି ଅଭିନୟ କରନ୍ତି ? ପିଲାମାନେ ଆପଣଙ୍କୁ କେଡ଼େ ବଡ଼ ଆଖିରେ ନ ଦେଖନ୍ତି ?

 

ସୁଭାଷବାବୁ ବ୍ୟସ୍ତ ହୋଇ ପଡ଼ିଲେ । ବେଣୁଧର ଆଣି ଆଚ୍ଛା ହଟହଟାରେ ପକାଇଲା । ଦରଖାସ୍ତ ଲେଖା ସରୁନାହିଁ । ଆଉ ଏମିତି ଅଡ଼ୁଆତଡ଼ୁଆ କରି ଶ୍ୟାମାଦେବୀ ମର୍ମ୍ମ କଥା କାଢ଼ି ନେଉଛନ୍ତି ।

 

–ହଉ, ପୁଣି ଆସିବେ । ଆର ଦରଖାସ୍ତଟି ମୁଁ ଦସ୍ତଖତ କରି ଦେବି । କଲମଟି ଦୟାକରି ଦେଇ ଦିଅନ୍ତୁ । ଆପତ୍ତି ଅଛି ?

 

–ନାହିଁ । ନେବେ କି ?

 

–ଭାରି ଭଲ ଲାଗୁଛି କଲମଟା । ମୋର ବହୁତ କାମରେ ଲାଗିବ । ଘର ଖର୍ଚ୍ଚ ହିସାବ, ଧୋବା ହିସାବ, ଦୁଧ ହିସାବ–ଯାଆନ୍ତୁ । ଆପଣଙ୍କର ଅଫିସବେଳ ହେଇଯିବ ।

 

ନିର୍ବୋଧ ଶିଶୁପରି ସୁଭାଷବାବୁ ଚାହିଁଥିଲେ ପିଲାଦୁଇଟିଙ୍କୁ । ଶ୍ୟାମାଦେବୀ ତାଙ୍କୁ ବି କୁନା ଆଉ ବେବିଙ୍କ ସାଙ୍ଗରେ ସମାନ ଆସନରେ ଥୋଇଦେଇ ଏବେ ପିଲାଙ୍କୁ ଇସ୍କୁଲକୁ ଆଉ ତାଙ୍କୁ ଅଫିସକୁ ପଠାଇଲେଣି ।

 

ବାବୁଙ୍କର ବିବ୍ରତ ଚାହାଣି, ଗମ୍ଭୀର ମୁହଁ ବେଣୁଧରକୁ କହିଦେଲା ଯେ ବାବୁ ବଡ଼ ବିରକ୍ତ-। ତଥାପି ସେ ଭରସି ପଚାରିଲା–କ’ଣ, ଆଜ୍ଞା, ହେଇଗଲା ?

 

–ହଁ ।

 

–ସେ ବହି ଦେଲେ ?

 

–ଓଃ, ରୋଷେଇ ସରିଲାଣି ନା–ଖାଲି ଏଇ କାମରେ ତମେ ଲାଗିଛ ?

 

ନିଜର କାମ ସାରି ବାବୁ ଅଫିସକୁ ଗଲେ; ଅଫିସରେ ବୁଝା ପଡ଼ିଲା କଲମ କଥା । କଲମଟା ନାହିଁ । କାମ କ’ଣ ହେବ ?

 

କିଛି ସୁବିଧା ହେଲା ନାହିଁ । ସେ କଲମଟିକୁ ଉଦ୍ଧାର ନକଲେ ସବୁ ବିଗିଡ଼ା ଧରିବ । କୌଣସି ପ୍ରକାରେ ସେ ଦିନ କାମ ଚଳେଇ ସେ ଗୋଟିଏ ନୂଆ କଲମ କିଣିଲେ । ସେଥିରେ ‘ଶ୍ରୀମତୀ କୃଷ୍ଣପ୍ରିୟାଙ୍କୁ’ ଲେଖି ପାଞ୍ଚ କଲେ ସେଇଟାକୁ ଦେଇ ନିଜର କଲମଟିକୁ ଫେରାଇ ଆଣିବେ ।

 

ମନ ଭାରି ହାଲୁକା ହୋଇଗଲା । ମାସ ଶେଷରେ ଘନ ଘନ ଟଙ୍କାର ଖର୍ଚ୍ଚ । ନ କଲେ ଚଳୁ ନାହିଁ । ସେ ହର୍ଷ ଓ ବିଷାଦ ନେଇ ପୁଣି ଚାହିଁ ରହିଲେ ଦିନର ଶେଷଭାଗକୁ ।

 

ଝଅଟ କାମ ସାରି ସେ ଆସି ପହଞ୍ଚିଲେ ଦି’ଖଣ୍ଡ ବହି ହାତରେ ଧରି ।

 

କୁନା ଓ ବେବି ନାହାନ୍ତି । ଦେବ ବସିଥାଏ ।

 

ସୁଭାଷବାବୁଙ୍କୁ ଦେଖି ଶ୍ୟାମାଦେବୀ ଉତ୍ତେଜିତ ସ୍ୱରରେ କହିଲେ–ଆପଣ ଆକଟ କରନ୍ତୁ ଦେବକୁ । ସେ ଅବାଟରେ ଯାଉଛି ।

 

ଦେବ ବ୍ୟସ୍ତ ହୋଇପଡ଼ିଲେ ।

 

–ଅବାଟରେ କ’ଣ ? ସୁଭାଷବାବୁ ପଚାରିଲେ ।

 

–କହ, ଦେବ, କହ । ଖୋଲି କହିଦିଅ, ତମର ପାପ କଟିଯିବ ।

 

ଦେବ କହିଲା–ମୁଁ ଯାଉଛି । ଆଉ ଦିନେ ଆସିବି । ପର ଚିଠି ପଢ଼ି ଏମିତି କଲେ ମୁଁ ଆଉ କେବେ ଆସିବି ନାହିଁ ।

 

–ନ ଆସିପାର । ଚିଠି ଦେଖାଅ ସୁଭାଷବାବୁଙ୍କୁ ।

 

–ନା, ଦେଖାଇବି ନାହିଁ ।

 

–କ’ଣ ଦେବ ? ଶ୍ୟାମାଦେବୀ କ’ଣ କହୁଛନ୍ତି ?

 

–ତାଙ୍କର ମୁଣ୍ଡ ଖରାପ ଅଛି ।

 

–ତୁମେ ଚିଠି ଲେଖିବ ଝିଅଙ୍କ ପାଖକୁ । ଆଉ ଆମେ ଜାଣିଲୁ ବୋଲି ଆମ ମୁଣ୍ଡ ଖରାପ ହେଲା । କ’ଣ ଲେଖିଛ ଚିଠିରେ ?

 

ଲାଜରା ହୋଇ ଦେବ ଲୁଚାଇବାକୁ ଚେଷ୍ଟା କଲା–ତା’ର ସେହି ଗୋପନ ଚିଠି ଖଣ୍ଡିକୁ ।

 

ଶ୍ୟାମାଦେବୀ ସେମିତି ଲହର ଦେଇ କହିଲେ–ବିଭା ନ ହୋଇ ପର ଝିଅଙ୍କ ପାଖକୁ ଚିଠି ଲେଖିବା ଲୋକ ଏଠି ସ୍ଥାନ ପାଇପାରିବେ ନାହିଁ । ଆଜିଯାଏ ମୁଁ ଜାଣି ନଥିଲି ତୁମକୁ । ମୋ ପାଖରେ ସଚ୍ଚରିତ୍ର ଲୋକ ଯେତିକି ପ୍ରିୟ, ଅସତ୍‌ ଲୋକ, ଖରାପ ଲୋକ ସେତିକି ବିଷ ।

 

–କହ ଦେବ, କିଏ ସେ ? କାହାକୁ ଲେଖିଥିଲ ?

 

ସୁଭାଷବାବୁଙ୍କ କଥାର ଟାଣ ଜବାବ ଦେଇ ଦେବ କହିଲା–ସେ ଯେ ହେଉ, ଆପଣଙ୍କର ସେଥିରେ କ’ଣ ଅଛି । ଆପଣ କ’ଣ ଚିଠି ଲେଖି ନାହାଁନ୍ତି ?

 

–ଶିଷ୍ଟାଚାର ରଖି କଥା କୁହ ।

 

–ମୁଁ ଜାଣେ । ଆପଣ ଯେମିତି ଭାବରେ ଅନ୍ୟକୁ ପତିଆରା ଦେଖାଇ ଉପକାରୀ ସାଜି ଯାହାସବୁ କରନ୍ତି, କିଏ ନ ଜାଣେ ? ମୁଁ ଆଉ ଇଏ–ସମସ୍ତେ ଜାଣୁ ।

 

ଶ୍ୟାମାଦେବୀ କହିଲେ–ଛି, ସୁଭାଷବାବୁ ବି ଚିଠି ଲେଖନ୍ତି ? ସତେ ଆପଣ ବି !

 

ସୁଭାଷବାବୁ ଜଳଜଳ କରି ଚାହିଁଲେ ଦେବ ଆଉ ଶ୍ୟାମାଦେବୀ–ଦୁହିଙ୍କ ଆଡ଼େ । ଜଣେ ଯେତିକି ଦମ୍ଭରେ ମିଛ କହିଛି, ଆଉ ଜଣେ ସେତିକି ଆସ୍ଥା ରଖିଛି ସେହି ମିଛ କଥା ଉପରେ-

 

ହତାଶ ସ୍ୱରରେ ଶ୍ୟାମାଦେବୀ କହିଲେ–ଏ ସଂସାରଟା ମିଛ । ଯାହାକୁ ଭଲ ପାଇବ ସେ ତୁମକୁ ଭୁଲ ବୁଝିବ । ଦେବ ମତେ ଠକିଲା । ଆଉ ଯାହାଙ୍କୁ ମୁଁ ମନରେ ଏତେ ଉଚ୍ଚରେ ବସେଇଥିଲି.....ସେ ବି ସେମିତି । ଶ୍ୟାମାଦେବୀ ଉଠି ଚାଲିଗଲେ । ତାଙ୍କର କିଛି ପ୍ରୟୋଜନ ନାହିଁ ସେମାନଙ୍କଠାରେ ।

 

ଶ୍ୟାମାଦେବୀ ଛାଡ଼ି ଗଲେ ଉଭୟଙ୍କୁ । ଦେବ ପକେଟରେ ଖଣ୍ଡେ ଚିଠି–ତାକୁ ଶ୍ୟାମାଦେବୀ ଦେଖିଛନ୍ତି । ସୁଭାଷବାବୁଙ୍କୁ ସେ ଦେଖାଇବ ନାହିଁ । ସୁଭାଷବାବୁଙ୍କ ପକେଟରେ କୃଷ୍ଣପ୍ରିୟାକୁ ଉପହାର ଦେବାପାଇଁ ଆଣିଥିବା କଲମଟି–ସେ ଖବର ଶ୍ୟାମାଦେବୀଙ୍କ ପାଖରେ ନାହିଁ । ଦେବକୁ ସୁଭାଷବାବୁ କାହିଁକି ବା ସେ କଥା କହିବେ ।

 

ସୁଭାଷବାବୁ କ୍ଷୁଣ୍ଣ ମନରେ ନିଜକୁ କହିଲେ–ସନ୍ଧ୍ୟାଟା ବିଗିଡ଼ି ଗଲା ।

 

ଦେବ ଆଉ ସେ ଏକାଠି ଘରୁ ବାହାରିଲେ । ଦେବ ଧରିଥାଏ ସାଇକେଲଟି । ଆଉ ସୁଭାଷବାବୁ ଖାଲି ଖାଲି ।

 

ନିଜ ଘର ପାଖରେ ପହଞ୍ଚି ସୁଭାଷବାବୁ କହିଲେ–ବୃଥାରେ ତାଙ୍କୁ ବିରକ୍ତ କଲ । ଚିଠିର ରହସ୍ୟ କ’ଣ ?

 

–କ’ଣ ହେଲେ ଏମିତି ଚିଠି ଖଣ୍ଡେ ଲେଖିଲେ ? ମୋର କ’ଣ କେହି ବନ୍ଧୁ ରହିବେ ନାହିଁ ?

 

ସୁଭାଷବାବୁ ଉତ୍କଣ୍ଠାରେ ପଚାରିଲେ–କ’ଣ ପୁରୁଷ ନା ସ୍ତ୍ରୀ ?

 

–ପୁରୁଷ ହେଲେ ସେ ଏତେ ବିଗିଡ଼ନ୍ତେ କାହିଁକି ? ସବୁ ମାଇପେ ଏମିତି । କୌଣସି ସ୍ତ୍ରୀ ପାଖକୁ ପୁରୁଷ ଲେଖିଲେ ସେମାନେ ଖୋଳି ବସିବେ ମହାଭାରତ ।

 

–କ’ଣ, ତୁମେ ତାଙ୍କୁ ଭଲ ପାଅ ?

 

–ମୋର ତ ଗରଜ ସରୁ ନାହିଁ ! ଏଡ଼େ ଏଡ଼େ ବଡ଼ ମା’ ମାନଙ୍କୁ କିଏ ଭଲ ପାଇବ ?

 

ସୁଭାଷବାବୁ ବିବ୍ରତ ହୋଇ ପଡ଼ିଲେ ଶ୍ୟାମାଦେବୀଙ୍କର ନିନ୍ଦା ଶୁଣି...ସେ କଥା ସେ ପଚାରି ନଥିଲେ ତ । ଏଣେ ଦେବ ଏଡ଼େ ବଡ଼ ପାଟିରେ କହୁଛି ।

 

ଟିକିଏ ପାଖକୁ ଲାଗି ଆସି ଧୀର ଗଳାରେ କହିଲେ–କିଏ ଶୁଣିବ ! ସେ କଥା ମୁଁ ପଚାରୁ ନଥିଲି । ତୁମ କଥା କ’ଣ କୁହ । ସେ କ’ଣ ଭଲ ପାଆନ୍ତି ତୁମକୁ ? ତୁମେ ଚିଠି ଲେଖୁଛ ।

 

ଦେବର ମୁହଁ ହସି ଉଠିଲା । ପ୍ରେମିକକୁ ପ୍ରେମିକା ଭଲ ପାଏ କି ନାହିଁ ପଚାରିବା ହେଉଛି ପ୍ରେମିକ ପାଇଁ ସବୁଠାରୁ ଆନନ୍ଦଦାୟକ ପ୍ରଶ୍ନ । କିନ୍ତୁ ସେଇ ପ୍ରଶ୍ନର ଉତ୍ତର ଦେବାବେଳେ ସେ ସବୁବେଳେ ସନ୍ଧିଗ୍‌ଧ ।

 

ନିରାଶ୍ରୟ ଆଶ୍ରୟ ଖୋଜିଲା ପରି ଦେବ ସୁଭାଷବାବୁଙ୍କ ଆଡ଼କୁ ଘୁଞ୍ଚି ଆସି କହିଲା–ସତରେ ଭାରି ଭଲ ପାଏ !

 

–ଦେଖିବାକୁ କେମିତି ?

 

–ସୁନ୍ଦର । ଦେଖିବାକୁ ଭାରି ସୁନ୍ଦର । କଥା କହିଲେ ମୁଁ ତ ଭୁଲିଯାଏ ନିଜକୁ ।

 

–ବହୁତ ଚିଠି ଦିଆନିଆ କରନ୍ତି ?

 

–ହଁ । ଚିଠି ନ ଦେଲେ ସେ ଯେମିତି ଅଭିମାନ କରନ୍ତି, ମୁଁ ଚିଠି ନ ପାଇଲେ ବି ସେମିତି ରାଗେ ।

 

–ଦେଖା ହୁଏ ?

 

–ରୋଜ କଲେଜରେ ।

 

–ପୁଣି ଚିଠି ?

 

–ସବୁବେଳେ ତ ଦେଖା ହେଉନାହିଁ । ଦିନର ଆଉ ଯେତେକ ବେଳ ରହିଲା, ଆମେ ପରସ୍ପରକୁ ଚିଠି ଲେଖୁ ।

 

–ନାଁ କ’ଣ ପଚାରି ପାରେ କି ?

 

–ନାହିଁ, ସେହି ପ୍ରଶ୍ନ ପଚାରନ୍ତୁ ନାହିଁ ।

 

–କାହିଁକି, କେହି କ’ଣ ଜାଣନ୍ତି ନାହିଁ ?

 

–ସନ୍ଦେହ କରନ୍ତି ନା । ଆମ ଦିହେଁ ଜାଣୁ । ଜଣା ପଡ଼ିଲେ ସମସ୍ତେ ତ ଆସି ଭାଙ୍ଗି ଦେବେ ।

 

–ଆଜି ତ ଶ୍ୟାମାଦେବୀ ଜାଣିଗଲେ ଚିଠିରୁ ।

 

–ଚିଠିରେ କିଛି ନଥିଲା । ସେଥିପାଇଁ ମୋତେ ଜୋର କରୁଥିଲେ ନାଁ କହିବାକୁ । ରାଗିଲେ, ରୁଷିଲେ, ଆଦର କଲେ–ସେ କଥା ହେଇପାରିବ ନାହିଁ । ତାଙ୍କର ନାଁ ମୁଁ କହିଲି ନାହିଁ । ଆପଣ ତ ଆସିଗଲେ ।

 

–ମତେ ବି କ’ଣ ଦି’ପଦ ମିଳିଲା ନାହିଁ କି ଅକାରଣଟାରେ ?

 

ମୁଁ ସେଥିପାଇଁ ବଡ଼ ଦୁଃଖିତ । ମୋର ଘରୋଇ କଥାରେ ଏମିତି କେହି ହସ୍ତକ୍ଷେପ କଲେ ମତେ ଭଲ ଲାଗେ ନାହିଁ । ଆପଣ ତ କିଛି କରିନାହାନ୍ତି ।

 

–ଶ୍ୟାମାଦେବୀ ଏତେ ରାଗିଲେ କାହିଁକି ?

 

–ସେ ପରା କହିଲେ, ସେ ମୋତେ ଭଲ ପାଆନ୍ତି ବୋଲି ।

 

–କ’ଣ ତୁମକୁ ! ....ଦେବ !

 

–ସେ ଅର୍ଥରେ ନୁହେଁ । ବହୁତ ଦିନରୁ ପରିଚୟ, ଆତ୍ମୀୟତା ପିଲାବେଳୁ ଆଜିଯାଏ । ତାଙ୍କୁ କ’ଣ କିଏ ଗୋଟାଏ ଭଲ ପାଇ ପାରିବ ? ବଡ଼ କଟକଟିଆ ଅଭ୍ୟାସ ।

 

–ତୁମେ ତେବେ ଆସ କାହିଁକି ? ନଆସିଲେ ତ ହୁଅନ୍ତା ।

 

–ଖାନାପିନାର ଭଲ ବ୍ୟବସ୍ଥା ଅଛି । ବାଜା ଗୀତ ବି ବେଳେ ବେଳେ ହୁଏ । ଭଲ ଲାଗେ । ଭାରି ମଧୁରିଆ ପ୍ରକୃତିର । ଖାଲି ଏତିକି ଦୋଷ ଛାଡ଼ି ଦେଲେ....ଆଜି ଚିଠି ଦେଖି ସେ କ’ଣ ଗୋଟାଏ ଫାର୍ଶ କରିବେ ନାହିଁ କି ! ଆପଣକୁ ଡକରା ଆସିପାରେ ବି ।

 

–ମୁଁ ସେଥିରେ ଯୋଗ ଦେବି ନାହିଁ । ମୋର କ’ଣ ସ୍ୱାର୍ଥ ଅଛି ?

 

ସନ୍ଦେହ ମିଶା ଚାହାଣିରେ ଚାହିଁ ଦେବ କହିଲା–ଆପଣ ଏବେ ନୂଆ ହୋଇଛନ୍ତି । ସେଥିପାଇଁ ସବୁଥିରେ ଆପଣଙ୍କର ପରାମର୍ଶ ନିଆ ହେବ । ପୁଣି ଆପଣ ହଜିଯିବେ ଯେ ।

 

–ଛାଡ଼ ଛାଡ଼ । ଏ ସବୁ ମତେ ଭଲ ଲାଗେନାହିଁ । ପର ଘରେ, ପର କଥାରେ ଆଉ ପର ଚିନ୍ତାରେ ବସିବାକୁ ମୋର ବେଳ କାହିଁ ?

 

–ହଉ ଯାଏ । ଯେବେ ମୋ କଥା ପଡ଼େ, ତେବେ ସୁବିଧା ହେଲେ ମତେ ଟିକିଏ ସାହାଯ୍ୟ କରିବେ । ସେ ଯେମିତି ଅଧିକା ଗୋଳମାଳ ନକରନ୍ତି ।

 

ହସି ସୁଭାଷବାବୁ କହିଲେ–ନିଶ୍ଚୟ କରିବି । ତେବେ କଥା ରହିଲା, ତମେ ମତେ ଚିଠି ପଢ଼େଇବ । ସୁବିଧା ହେଲେ ଏଣେ ଆସୁଥିବ । ତମକୁ ଦେଖିଲେ ଭାରି ଭଲ ଲାଗେ । ମନରେ ଛନ୍ଦ କପଟ ନାହିଁ...ହଁ କ’ଣ କହୁଥିଲ ମୁଁ ଚିଠି ଲେଖେବୋଲି ?

 

–ମିଛରେ କହିଲି । ସେତେବେଳେ ହଠାତ୍‌ ରାଗ ହେଇଗଲା । ମତେ କ୍ଷମା ଦେବେ ।

 

–ଶ୍ୟାମାଦେବୀ କ’ଣ ଭାବିଥିବେ କେଜାଣି !

 

–ଆଚ୍ଛା ହଉ, ଆମେ ସେତିକି ସଜାଡ଼ିଦେବା....ଆରେ ହଁ ତ, ମୁଁ ଆସିବି କେମିତି ? ଆସିଲେ ସିନା ବାଗେଇ ଦିଅନ୍ତି !

 

–ଆସିବ ନାହିଁ କାହିଁକି । ସେ କ’ଣ ମନା କରିଛନ୍ତି ?

 

–ହଁ, ମନା ତ କଲେ । ଅପମାନ ଦେଲେ । ଆପଣଙ୍କ ଆଗରେ ଯାହା କହିବାର କହିଲେ । ସେଠୁ ଉଠି ଚାଲିଗଲେ...ନବାବ ତ ! ସମସ୍ତେ ୟାଙ୍କ ଗୋଲାମ...ଦେବ କେବେହେଲେ ଗୋଲାମ ହୋଇପାରିବ ନାହିଁ....ପୁଣି ଇଏ ହେଲେ ବେଗମ୍‌ !

 

–ଚିଡ଼ି ଯାଉଛ ! ତମର ମନ ଖରାପ ହୋଇଯାଇଛି । ହଉ ନମସ୍କାର...ଆସିବ, କଥାହେବା....ଚିଠି ଆଣିବ ଖଣ୍ଡେ ।

 

ହସି ଦେବ କହିଲା–ନମସ୍କାର । ତେବେ ଲେଖିକାଙ୍କର ଅନୁମତି ନ ନେଇ ଆଣିପାରିବି ନାହିଁ ।

 

–ଲେଖିକା ନୁହନ୍ତି–ପ୍ରେମିକା । ତାଙ୍କର ଅନୁମତି ନ ମିଳିଲେ ତାଙ୍କୁ କହିବ,–ଜଣେ ଲୋକ ତାଙ୍କୁ ନଜାଣି ତାଙ୍କର ଚିଠି ଦେଖିବାକୁ ଜିଗର ଲଗେଇଛି । ଏମିତି କହି ଅନୁମତି ମାଗିଲେ ସେ ଦେବେ ଯେ ।

 

–ସେଇଟା ଆପଣଙ୍କର ଭାଗ୍ୟ । ତେବେ ଅନୁମତି ନ ପାଇଲେ ଚିଠି ମୁଁ ଦେଖାଇ ପାରିବି ନାହିଁ । ଦେବର ଛାତି ଗର୍ବରେ ଫୁଲି ଉଠୁଥିଲା । ତା’ରି ପାଖରେ ତା’ର ପ୍ରେମିକା ସଂସାରର ସବୁ ଜିନିଷଠାରୁ ଉଚ୍ଚରେ ଆଉ ସବୁ ମଣିଷଙ୍କଠାରୁ ଉପରେ ।

 

–ଆଜି ବସି ପାରୁନାହିଁ । ଯାଉଛି । ଚିଠିଟା ଡାକରେ ଦେବି । ମୂଳରୁ ଅନୁକୂଳ ବିଗିଡ଼ିଲାଣି । କ’ଣ ହେଉଛି କେଜାଣି ।

 

ସେମାନେ ଚାଲିଯିବା ପରେ ଶ୍ୟାମାଦେବୀ ଘରୁ ଛପି ରହି ଦାଣ୍ଡପାଖେ ଚାହିଁଥିଲେ ସୁଭାଷବାବୁଙ୍କ ଘରକୁ–ଦେବ ଆଉ ସୁଭାଷବାବୁ ହସାହସି ହେଉଛନ୍ତି । ଚିନ୍ତିତ ହୋଇ ନିଜକୁ କହିଲେ–କ’ଣ ଟିକକ ଆଗରୁ ତ ଜଣେ ଆଉ ଜଣକୁ ଦି’ ଆଖିରେ ଦେଖି ପାରୁନଥିଲା ! ଏବେ କ’ଣ ଏତେ ଘେନାଘେନି...କେଜାଣି କାଳେ ମୋ’ରି ବିଷୟରେ କଥା ପଡ଼ିଥିବ... ଦେବ କ’ଣ ମୋ ନିନ୍ଦା କରିବ ?...କରିବ ନାହିଁ.....ସୁଭାଷବାବୁ କଲେ କରିପାରନ୍ତି...ସେ ବି ସମ୍ଭବ ନୁହେଁ....

 

ଦେବ ଏତେ କ’ଣ ଗପୁଛି କେଜାଣି ! ହସୁଛି ! ଇୟେ ବି ତ ହସୁଛନ୍ତି । ସାଙ୍ଗେ ସାଙ୍ଗେ ତଦାରଖ ନକଲେ ବିଗିଡ଼ା ଧରିବ ।

 

ସେତିକି ଅପେକ୍ଷାରେ ଶ୍ୟାମାଦେବୀ ଅଧୈର୍ଯ୍ୟ ହୋଇ ପଡ଼ିଥିଲେ–ଦେଖିଲେ, ଦେବ ସାଇକେଲରେ ଚଢ଼ିଲା । ସୁଭାଷବାବୁ ନିଜ ଘର ଭିତରକୁ ପଶିଲେ ।

 

ସାଙ୍ଗେ ସାଙ୍ଗେ ଶ୍ୟାମାଦେବୀ ରତନାକୁ ପଠାଇଲେ ବାବୁଙ୍କ ପାଖକୁ । କଲମଟି ଫେରାଇ ଦେବେ କି ନାହିଁ ପଚାରିବାକୁ । ଦରକାର ଅଛି ବୋଲି ଜାଣିଲେ ରତନା ଯାଇ ଦେଇଆସିବ ।

 

ସୁଭାଷବାବୁ ସେତେବେଳେ ପାଞ୍ଚୁଥିଲେ ସେଇ କଥା । କଲମଟି ଅଦଳବଦଳ ନକଲେ ସେ ନିଜେ ଅଚଳ ହୋଇଯିବେ । କହିଲେ–ଯାଇଥିଲି । ପୁଣି ଭୁଲିଗଲି । ଯାଉଛି ।

 

ବେଣୁଧରକୁ ବରାଦ ଦେଇ ବାହାରିଲା ବେଳକୁ ରତନା ପୁଣି ଆସୁଥିଲା ।

 

–କିରେ କ’ଣ ?

 

–ଆସୁଥିଲେ ପରା ?

 

ସୁଭାଷବାବୁ ପହଞ୍ଚିବା ସାଙ୍ଗେ ସାଙ୍ଗେ ଶ୍ୟାମାଦେବୀ କଲମଟି ଥୋଇ ଦେଇ ଭାରି ଦୁଃଖ କଲା ପରି କହିଲେ–ରଖିଥିଲି ଯେ, ରଖି ହେବ ନାହିଁ । ଭାରି ଭଲ ଲାଗୁଥିଲା କଲମଟି । ଭାବିଲି ଏଇଥିରେ ଏଣିକି ମୋ ଡାଇରି ଲେଖିବି । ପ୍ରତିଦିନ ଲେଖେ । କଲମ ସଜ ନଲାଗିଲେ ବହୁତ ବେଳଯାଏ ଲେଖିବାକୁ ପଡ଼େ...ତେବେ ଆଉ ରଖିବି ନାହିଁ କଲମ ।

 

–କାହିଁକି ? ପୁରୁଣା ବୋଲି ? ନୂଆ କଲମଟିଏ ବି ମୁଁ ଆଣିଛି ଆଜି । ଖୁବ୍‌ ଭଲ ଚାଲୁଛି–କହି ରତନାକୁ ଠିଆ ହୋଇଥିବାର ଦେଖି କହିଲେ–ପାଣି ଗିଲାସେ ଆଣିଲୁ ।

 

–ଲେମ୍ବୁ ରସ ପକେଇ ଆଣିବୁ । ସେ ଆଲମାରିରେ ଅଛି । ରତନାକୁ ବରାଦଦେଇ ଶ୍ୟାମାଦେବୀ ପଚାରିଲେ–ଆସିଛି କଲମ ? ଯାହାହେଉ ମୋର ଦି’ଟା କଲମ ହୋଇଗଲା ।

 

–ଦି’ଟା କଲମ କ’ଣ ହେବ ? ଗୋଟିକରେ ଲେଖିଲେ ସିନା ଭଲ ଲାଗେ । ଯୋଡ଼ିଏ କଲମର କେହି ଲେଖିପାରନ୍ତି ନାହିଁ ।

 

ସନ୍ଦେହ କଲା ପରି ଶ୍ୟାମାଦେବୀ ଚାହିଁଲେ ସୁଭାଷବାବୁଙ୍କ ମୁହଁକୁ–ଲେଖି ପାରନ୍ତି ନାହିଁ ? ଲେଖିଲେ କଣ ହେବ ?

 

–ହାତକୁ ଭଲ ଲାଗିବ ନାହିଁ । କଲମଗୁଡ଼ାକ ବଡ଼ ସ୍ୱାର୍ଥପର । ସେମାନେ ସଉତୁଣୀ ସହିପାରନ୍ତି ନାହିଁ ।

 

–କାହିଁ ଦେଖେଁ । କଲମର ବି ତେବେ ମଣିଷଙ୍କ ପରି ମନ !

 

–ସୁଭାଷବାବୁଙ୍କ ହାତରୁ ଖୋଳଟି ନେଇ ସେ ପ୍ରଶ୍ନ କଲା ପରି ଚାହିଁଲେ ‘‘ଶ୍ରୀମତି କୃଷ୍ଣପ୍ରିୟାଙ୍କୁ’’ । ସେ ଲେଖା ପଢ଼ି ବର୍ଷଣ ଆଖିରେ ପୁଣି ଚାହିଁଲେ ସୁଭାଷବାବୁଙ୍କ ମୁହଁକୁ । ସେ ହସୁଛନ୍ତି ।

 

–ଆଉ କାହା ଜିନିଷ ମୋତେ ଦେଲେ କି ? ଆପଣଙ୍କର ବି ଦେବ ପରି ପକେଟରେ ବହୁତ ଜିନିଷ ଭୁଲଭାଲ ହୋଇଯାଏ । ଆପଣ ନିଅନ୍ତୁ ଆପଣଙ୍କର ‘‘ଶ୍ରୀମତୀ କୃଷ୍ଣପ୍ରିୟାଙ୍କୁ’’ ଦେବେ-

 

–ଦେଇଛି ପରା ।

 

ରତନା ଆସି ପହଞ୍ଚିଲା । ସୁଭାଷବାବୁ ଦରକାର ନଥାଇ ଲେମ୍ବୁଦିଆ ପାଣି ପିଇଲାବେଳେ ଦେଖିଲେ–ଶ୍ୟାମାଦେବୀଙ୍କ ମୁହଁ ଉପରେ ପ୍ରସନ୍ନତାର କୌମୁଦୀ ବୁଣିହୋଇ ପଡ଼ିଛି । ସେ ଭଲ କରି ପଢ଼ୁଛନ୍ତି କଲମ ଉପରର ଉପହାରକୁ ।

 

କିଛି ନବୁଝିଲା ପରି ପୁଣି ପଚାରିଲେ–ନବା ଲୋକର ନାଁ କ’ଣ ଏଥିରେ ଲେଖା ହୋଇଛି ? କିଏ ଏଇ ନା ଦେଲା–ଆପଣ ?

 

–ହଁ, ଦେଇଥିଲି, ନିଜ ପାଖରେ ସେଇ ହେଉଛନ୍ତି ମୋର ପରିଚୟ । ତେବେ ଯଦି ତାଙ୍କୁ ଭଲ ନ ଲାଗିବ, ନାଁ ବଦଳାଇ ଦେବି ।

 

ରତନାକୁ ଗିଲାସ ଫେରାଇ ନେଇ ଯିବାକୁ କହିଲେ । ଶ୍ୟାମାଦେବୀ ପଚାରିଲେ–ଚାରି ଅକ୍ଷରିଆ ନାଁ କାହିଁକି ?

 

–ସେମିତି ଅନ୍ଧାର ରାତିରେ ଥରେ ସେଇ ନାମଟି ମୋର ପ୍ରିୟ ହୋଇଥିଲା । ସେଇ ମନରେ ଆଶା ଦେଇଥିଲା ସିତାର ବଜାଇ । ସେଇ ଗୀତ ଗାଇ ପଚାରିଥିଲା–ଆଶାୟୀର ଆଶା ନେଇଗଲା କାହିଁକି....ସେଇ ପୁଣି ଆଉଥରେ ପଚାରିଥିଲା–ଏକୁଟିଆ ନାଉରିକୁ....ନାଉରି ଆଉ ପଝାରି ଜଣେ...ପାରି କରିବ କି ନାହିଁ...ସେଇ ଦିନୁ ସେ ନାଁ ମୁଁ ଭଜୁଛି....

 

ଚାରିଆଡ଼କୁ ଚାହିଁ ଅବଶ ଧୀର ଗଳାରେ ଶ୍ୟାମାଦେବୀ କହିଲେ–ସତେ ତୁମେ ଏତେ ଭାବୁଛ ମୋ କଥା !

 

–ଆଉ କରିଥାଆନ୍ତି କ’ଣ ? ନ ଭାବିଲେ ତ ଭାତ ରୁଚେ ନାହିଁ ।

 

–କାହିଁ କେବେ ତ କହିଲ ନାହିଁ ।

 

–କହିବାକୁ ସାହସ ହୁଏ ନାହିଁ । ମନ ଭିତରର କଥା ତୁମକୁ ଦେଖିଲେ ଭୟକରି ଆପଣା ଛାତି ତଳେ ଲୁଚି ଯାଏ ।

 

–ମତେ ଭୟ ! ମତେ ଭଲ ପାଉଛ–ଏତିକି କହିବାକୁ ଭୟ ! ଭୟ କାହିଁକି ଆସେ ?

–ତୁମେ ତ ଏମିତି ଜୋର କରି ଠେଲି ବାହାର କରି ଦିଅ ଯେ ଥରେ ଆସିଲେ ଆଉ ଥରେ ଆସିବାକୁ ଡର ଲାଗେ ।

ଶ୍ୟାମାଦେବୀଙ୍କର ମୁହଁ ଉତୁରି ଉଠିଥାଏ ଗଭୀର ଆବେଶରେ । ରତନା ଆଲୁଅ ଲଗାଉଛି । ଲଣ୍ଠଣ କାଚ ଶବ୍ଦ କରୁଛି । ସୁଭାଷବାବୁ ପାଖକୁ ଘୁଞ୍ଚି ଆସି ତାଙ୍କର ଗଭାକୁ ଆଉଁଷି ଦେଇ କହିଲେ–କି ସୁନ୍ଦର !

ଟିକକ ପାଇଁ ଶ୍ୟାମାଦେବୀ ବିହ୍ଵଳ ହୋଇ ପ୍ରତିବାଦ କରି ନଥିଲେ । ରତନା ଆଲୁଅ ଆଣୁଛି । ଆଲୁଅର ଜ୍ୟୋତି ବାଟ କଢ଼ାଇ ହୋଇ ଆସୁଛି ସେହି ଘରଆଡ଼େ । ସୁଭାଷବାବୁ ଘୁଞ୍ଚିଗଲେ । ଶ୍ୟାମାଦେବୀ କାନ୍ଥକୁ ଆଉଜି ଠିଆହୋଇ ରହିଲେ । ସୁଭାଷବାବୁ ଦୁର୍ବଳ ପରି ଆଉଜି ବସିଲେ ଚୌକି ଉପରେ । ହାତରେ ଗୋଟିଏ ଫୁଲ । ଶ୍ୟାମାଦେବୀଙ୍କ ଗଭାରୁ ଖସେଇ ଆଣିଛନ୍ତି । ଶ୍ୟାମାଦେବୀ ସେହି କଲମର ବାକ୍‌ସଟା ଧରିଛନ୍ତି । ରତନା ଆଣି ଆଲୁଅ ଥୋଇଲା ।

ଶ୍ୟାମାଦେବୀ ଚେତ୍‌ ହୋଇଗଲେ । ଆଖିରେ ତାଙ୍କର ବିହ୍ୱଳତା । ସୁଭାଷବାବୁଙ୍କର ମୁହଁ ଉପରେ ଆଲୁଅ ପଡ଼ି ଦେଖାଇ ଦେଉଥିଲା ତାଙ୍କର କାମନା–ଭରା ବୁଭୁକ୍ଷିତ ଆଖି ଦୁଇଟି ଅସୀମ ଆଗ୍ରହରେ, ଉତ୍କଣ୍ଠାରେ ଓ ଉଦ୍‌ବେଗରେ ଚାହିଁ ରହିଛି––ଅସମାପ୍ତିର ଶେଷ ଚିହ୍ନ ପାଇଁ ।

ଶ୍ୟାମାଦେବୀ ଆଖି ଫେରାଇ ନେଲେ । ମନ ଭିତରେ ତାଙ୍କର ଠିକ୍‌ ସେମିତି ଆବେଗ-। ଏତେ ଦୂରରେ ରହିବାକୁ ତାଙ୍କର ଇଚ୍ଛା ନାହିଁ । ସେ ଆସି ପାଖ ଚୌକିରେ ବସିଗଲେ-

 

ସୁଭାଷବାବୁଙ୍କର ଉଷୁମ ହାତଟି ଆସି ତାଙ୍କର ଉଷୁମ ପାପୁଲିରେ ଛନ୍ଦି ହୋଇଗଲା । ସେ ପ୍ରତିବାଦ କରି ନ ଥିଲେ । ସେ ଚାହିଁଥିଲେ ସେହି ଲଣ୍ଠଣଟି ଆଡ଼େ ।

 

ଦୂରରୁ ପିଲା ଦୁଇଟି ଧାଇଁ ଫେରୁଥିଲେ । ଘର ଭିତରେ ସୁଭାଷବାବୁଙ୍କୁ ଦେଖି ଉତ୍ସାହରେ ପଚାରିଲେ–ଆଜି ପରୀକ୍ଷା ହେବ ? ଆମେ ଯାଇଥିଲୁ ତମ ଘରକୁ ।

 

ସୁଭାଷବାବୁଙ୍କ ଗଳାରୁ ଶବ୍ଦ ବାହାରିଲା ନାହିଁ । ସେ ଅସ୍ପଷ୍ଟ ଓ କର୍କଶ ସ୍ୱରରେ କହିଲେ–ଆଜି ହୋଇପାରିବ ନାହିଁ ।

 

ଶ୍ୟାମାଦେବୀ ସେମିତି ଚାହିଁ ରହିଥିଲେ ଅପଲକ ଆଖିରେ । ତାଙ୍କର ମନ ଭିତରେ ବୁକୁଥରା ଝଙ୍କାର ଅହରହ ବାଜୁଥିଲା ଅସମାପ୍ତର ସମାପ୍ତି ପାଇଁ ।

 

ପିଲା ଦୁଇଟି ଆସି ଲଦି ହୋଇଗଲେ–ଖାଇବେ ।

 

ତାଙ୍କର ବି ସେମିତି କଣ୍ଠସ୍ୱର କର୍କଶ । ବହୁତ ବେଳ ସତେ କି ବନ୍ଦ ହୋଇଥିଲା । ଫିଟିଲାବେଳେ କଟକଟ ହେଉଛି । ଗଳା ସଫା କରି କହିଲେ–ଚାଲ । ସୁଭାଷବାବୁଙ୍କୁ କହିଲେ ବସନ୍ତୁ । ଚା’ ଖାଇବେ ତ....ମୁଁ ଆସୁଛି....

 

ଚାଲିଗଲେ ଶ୍ୟାମାଦେବୀ ଆଉ ପିଲା ଦୁଇଟି । କୁନା କଲମକୁ ଦେଖି ମାଗିଲା–ଦେଖିବ ବୋଲି ।

 

–ନାହିଁ, ଥାଉ । ଭାଙ୍ଗିଯିବ କଲମ । କିଣା ହୋଇ ନାହିଁ । ଭଲ ନ ଚାଲିଲେ ଫେରିଯିବ–କହି ବାକ୍ସ ସୁଦ୍ଧା କଲମଟିକୁ ନିଜର ବ୍ଲାଉଜ ଭିତରେ ରଖି ଦେଲେ ।

 

ହାତରେ ଧରିଥିବା ଫୁଲଟିକୁ ବହୁତ ଥର ନାକରେ ଓଠରେ ଲଗାଇ ସୁଭାଷବାବୁ ସେଇଟିକି ପକେଟରେ ରଖିଲେ–ସାଉଁଣ୍ଟା ଚାଙ୍ଗୁଡ଼ିରେ ଗୋଟିଏ ବହୁମୂଲ୍ୟ ଦରବ ଆସି ରହିଲା ।

 

ହାତରେ ଚିନି ଲଗା ଲହୁଣିଦିଆ ପାଉଁରୁଟି ଧରି ଖାଇ ଖାଇ ବେବି ଆସି ପହଞ୍ଚିଲା । ସୁଭାଷବାବୁଙ୍କ ଜଙ୍ଘ ପାଖରେ ଠିଆ ହୋଇ ଖାଉଥାଏ । ଲହୁଣି ଲଗା ଚିନି ଗୋଟିଏ ଗୋଟିଏ ଖସୁଥାଏ ତାଙ୍କ ଲୁଗା ଉପରେ ।

 

ଦୂରରୁ ଶ୍ୟାମାଦେବୀ ଆକଟ କରି ଡାକୁଥାନ୍ତି ବେବିକୁ । ମଉସାଙ୍କ ଲୁଗା କୋତରା ହେବ । ଦୂରେଇ ଠିଆ ହୁଅ । ବେବି ପାଖକୁ ଘୁଞ୍ଚିଆସି କହିଲା–ନାହିଁ । ତାଙ୍କ ଜଙ୍ଘ ଉପରେ ପିଠି ଢିରା ଦେଇ ସେ ମା’ ଆଡ଼କୁ ଅନାଇ ଖାଇବାରେ ଲାଗିଲା ।

 

ହାତରେ ଚା ଜଳଖିଆ ଧରି ଶ୍ୟାମାଦେବୀ ପହଞ୍ଚି କହିଲେ–କିଛି କରି ନ ଥିଲି । ପିଲାଙ୍କର ଯାହା ତମର ବି ସେୟା ।

 

–ବସିବ ନାହିଁ ?

 

ଲାଜ ଲାଜ କରି ଶ୍ୟାମାଦେବୀ କହିଲେ–ନାହିଁ ତମେ ଚା’ ଖାଅ । ମୁଁ ଠିଆ ହୋଇଛି । ଏ ବେବି, ଆ ଏଣେ ।

 

–‘ନାହିଁ’ କହି ବେବି ଘୁଞ୍ଚିଗଲାବେଳେ ତା’ର କହୁଣି ବାଜି ଟିକିଏ ଚା’ ଛିଟିକି ପଡ଼ିଲା ସୁଭାଷବାବୁଙ୍କ ଜଙ୍ଘ ଉପରେ ।

 

–ମଣିଷ ଦିଶୁ ନାହାନ୍ତି ଏଇଟାକୁ ! ମଉସାଙ୍କ ଲୁଗା କାମିଜି ଦାଗ କଲୁ । ଛାଡ଼ିବ ନାହିଁ । ଫୋଟକା ହେଲା କି କ’ଣ–କହି ସେ ବେବିକୁ ଜୋରରେ ଟାଣି ଦେଇ ଖୁନ୍ଦାଏ ପକାଇଲେ । ବେବି କାନ୍ଦି ଉଠିଲା ।

 

ବେବିକୁ ପାଖକୁ ଭିଡ଼ିନେଇ ସୁଭାଷବବୁ କହିଲେ–ଆହା ! ମାରୁଛ କାହିଁକି । ସେ କ’ଣ ଜାଣି ଜାଣି କରିଛି ?

 

–ଦାଗ ଆଉ ଛାଡ଼ିବ । ଝଅଟ୍‌ ଖୋଲି ଦିଅ କାମିଜିଟା । ଏବେ ଦାଗ ଛଡ଼େଇଦେଲେ ସଫା ହୋଇଯିବ ।

 

–ନାହିଁ ଥାଉ ।

 

–ଦିଅ କହୁଛି । ଶ୍ୟାମାଦେବୀ କାମିଜର କାନି ଟାଣିଲେ ।

 

ସୁଭାଷବାବୁ ଘରୋଇ ଲୋକ ପରି କାମିଜଟି ଖୋଲି ବସି ରହିଲେ ।

 

–ଆଉ ଲୁଗାଟା ? ସୁଭାଷବାବୁ ରହସ୍ୟ କରି ପଚାରିଲେ ।

 

–ସେଠି ଦାଗ ଲାଗି ନ ଥିବ । କାମିଜି ଉପରେ ପଡ଼ି ଯାହା ଭେଦିଥିଲା ତଳକୁ ।

 

କାମିଜିଟି ନେଇ ଶ୍ୟାମାଦେବୀ ଦାଗ ଛଡ଼ାଇ ଆଣି କହିଲେ–ଶୁଖିବାକୁ ବେଳ ଲାଗିବ । ଫାଳେ ଓଦା ହୋଇଛି । ଯେତେ ଜଗିଜାଗି କଲେ ବି ଓଦା ହେଲା ।

 

–ଶୁଖିଯିବ ତ । ନ ଶୁଖିଲେ ବି ଘରେ, ନେଇ ଶୁଖାଇ ଦେବି ।

 

–ହଁ ଶୁଖିଯିବ । ତମେ ବସ । କ’ଣ କାମ ଅଛି କି ?

 

–ନାହିଁ । ତେବେ ଏମିତି ମୁଁ କ’ଣ ବସିଥିବି, ଆଉ ତମେ ଏଣେତେଣେ ଘର ଧନ୍ଦାରେ ଲାଗିଥିବ ?

 

ଲଜ୍ଜିତ ସ୍ୱରରେ ଶ୍ୟାମାଦେବୀ କହିଲେ–ନାହିଁ । ବିରକ୍ତ ହେଲ କି ? କାମିଜଟା ଧୋଇ ନ ଥିଲେ ଭଲ ହୋଇ ନଥାନ୍ତା । ବସିବାକୁ ଚାହିଁଥିଲି କ’ଣ ବସି ହେଲା ! ମଣିଷର ସ୍ୱାଧୀନତା ଏୟା ତ ! ଲୋକେ କହନ୍ତି ମୁଁ ଭାରି ସ୍ୱାଧୀନ ! ଆଖିରେ ଦେଖି–ନାହିଁ କରିବ କିଏ....ମୁଁ ସେହିକଥା ଭାବେ ପରା...ମୋର ଯାହା ସାଙ୍ଗରେ ମିଶିବାକୁ ଇଚ୍ଛା–ହୁଏ କୋଉଠି.....ମୁଁ ତ ଲୁଚେ....କିଏ କ’ଣ ଭାବିବ....

 

–ଆଜି ଭାରି ଏକୁଟିଆ ଲାଗୁଛି ମୋତେ । ଘରକୁ ଗଲେ କେମିତି ବେଳ କଟିବ କେଜାଣି !

 

–ଫେରିଯିବ କାହିଁକି । ବସ । ଟିକିଏ ଲୁଗାପାଲଟି ଆସେ । ଧିଅକୁ କଣ୍ଟା ଫୋଡ଼ିଲା ପରି ଲାଗୁଛି ।

 

ଶ୍ୟାମାଦେବୀ ଚାଲିଗଲେ ତାଙ୍କର ଗାଧୁଆ ଘରକୁ । ବେକ, ଆଖି, ମୁହଁରେ ବାରମ୍ବାର ପାଣିଦେଇ ସେ ଦେହର ଉତ୍ତାପକୁ ଫୋପାଡ଼ି ଦେଇଥିଲେ ତଳକୁ । ଧୋଇଲାବେଳେ ଗରମ ପାଣି ନିଗିଡ଼ି ପଡ଼ୁଥିଲା । ସେ ମନକୁ ମନ ପଚାରିଥିଲେ–ଏତେ ଗରମ ଥାଏ ଦେହରେ ! ତେବେ ବି ଥର୍ମୋମିଟର ଧରି ପାରେନାହିଁ ।

 

ଦେହକୁ ଘଷାମଜା କଲାବେଳେ ତାଙ୍କର ଆଖି ଆଗରେ ସୁଭାଷବାବୁଙ୍କର ସେହି ବିହ୍ୱଳ ଆଖି, ତ୍ରସ୍ତ ହାତର ଆଙ୍ଗୁଠିଗୁଡ଼ିକ ତାଙ୍କ ଦେହରେ ଶିହରଣ ଆଣିଥିଲା । ତ୍ରସ୍ତ ହାତରେ ଶଙ୍କିତ ମନରେ ସେ ଯେଉଁ ଧୀରେ ହାତ ବଜାଇଥିଲେ–ଠିକ୍‌ ହାରମୋନିୟମରେ ହାତ ପଡ଼ିଲା ପରି–ମନେ ପଡ଼ିଗଲେ ସେ ଥରି ଯାଉଥିଲେ ।

 

ଏକୁଟିଆ କୋଠରି ଭିତରୁ ବାରମ୍ବାର ସେ କାମନା କରିଥିଲେ ଦେହର ତୃପ୍ତି ପାଇଁ–ମନର କ୍ଷୁଧା ମେଣ୍ଟାଇବା ପାଇଁ ଏକାନ୍ତ ନିବିଡ଼ ଓ ଅବିଚ୍ଛିନ୍ନ ବନ୍ଧୁତା । ଏକାଠି ବସି ରହିବେ । କଥା ହେଉଥିବେ । ଆକାଶରେ ଚାନ୍ଦ ମଉଳି ଯିବ । ଜାଗ୍ରତ ମଣିଷ ନିଦରେ ଅଚେତ ହୋଇଯିବ । ଅସୀମ ନିର୍ଜ୍ଜନତା ଭିତରେ ଥିବେ ଦୁଇଜଣ–ସେ ଆଉ ସୁଭାଷବାବୁ ।

 

କେତେବେଳ ସେ ରହିଥିଲେ କେଜାଣି କାନ୍ଥ ଘଣ୍ଟାରେ ଗୁଡ଼ାଏ ବାଜିଗଲା । ସୁଭାଷବାବୁ ବାହାରକୁ ଆସି ଚାଲବୁଲ ହେଲେ–ଯୋତାର ସାମାନ୍ୟ ଶବ୍ଦ ଭାସି ଆସୁଥାଏ । କୁନାକୁ ଡାକି କହିଲେ–ଯାଉଛି ।

 

କିଛି ସମୟ ପରେ ଅତି ସରଳ ଭାବରେ ଲୁଗା ପିନ୍ଧି ହସି ସୁଭାଷବାବୁଙ୍କୁ ପଚାରିଲେ–ଭଲ ଲୋକ ତ ! ଏଇ ଟିକକ ଏକୁଟିଆ ବସି ହେଲା ନାହିଁ ଯେ ବାରଣ୍ଡାରେ ବୁଲିଲେଣି ।

 

ଶ୍ୟାମାଦେବୀଙ୍କର ଆଖିରେ ସେହି ତନ୍ଦ୍ରାଚ୍ଛନ୍ନ ବିହ୍ୱଳତା ନାହିଁ । ଗାଧୁଆ ଘର ଥଣ୍ଡା ପାଣି ଆଖିରୁ ନିଦ ଛଡ଼େଇଲା ପରି ମନ ଉପରୁ କଳ୍ପନାର ଦାଗ, ଆବେଶର ଦାଗ ଧୋଇ ଦେଇଛି-

 

–କ’ଣ ଚାଲିଯିବେ ? ହଉ ପୁଣି–

 

ଚମକି ସୁଭାଷବାବୁ ଚାହିଁଲେ । ବୁଝିପାରିଲେ ନାହିଁ ଶ୍ୟାମାଦେବୀଙ୍କ ବ୍ୟବହାର । ବଦଳିଲା ପରି ଜଣାଯାଉଛି । ସେ ସେମିତି ବହୁଦିନରୁ ଆତ୍ମୀୟତା ଦେଖାଇ କହିଲେ– ତମ ଘଣ୍ଟାରେ କ’ଣ ବହୁତ ବାଜିଗଲା ?

 

–ସେଇଟା ପାଗଳା ଘଣ୍ଟା । ସେ ତା’ ମନକୁ ବାଜେ । ଦି’ଟା ବେଳେ ପାଞ୍ଚୁଟା ବାଜେ, ରହିଯାଏ । ଥରକୁଥର ସଜଡ଼ା ହୁଏ । ପୁଣି ବିଗିଡ଼େ । ଟିକିଏ ଠିକ୍‌ କରିଦେଲେ ଯେତିକି ଘଣ୍ଟା ସେତିକିଟା ବାଜିବ ।

 

ସୁଭାଷବାବୁ ଟେବୁଲ ଉପରେ ଚଢ଼ି ସଜାଡ଼ି ଓହ୍ଲାଇ ଆସିଲେ । ସତେ ଯେପରି ଗୋଟାଏ ବହୁତ ବଡ଼ କାମ କରିଛନ୍ତି ! ଦୀର୍ଘନିଶ୍ୱାସ ପକାଇଲେ । ତାଙ୍କ ଆଖିରେ ଅଧୀରତା ଓ ଅଶାନ୍ତି–ସେ ଯେମିତି ବାଧ୍ୟ ହୋଇ ଏତେ କାମ କରୁଛନ୍ତି ।

 

ଶ୍ୟାମାଦେବୀ ସହାନୁଭୂତି ମିଶା ସ୍ୱରରେ ପଚାରିଲେ–ଭଲ ଲାଗୁନାହିଁ କି ? ମତେ ବି ତ ସେମିତି ଲାଗୁଛି । ଆଜି ତ ଡାଇରି କେତେ ଲମ୍ବ ହବ କେଜାଣି ! ସରୁଛି କି ନାହିଁ ! ସେଥିରେ ପୁଣି କୋଉ କଲମରେ ଲେଖିବି–ସେକଥା ଅଛି ।

 

–ଚାଲ, ସେ ଘରେ ବସି କଥା ହେବା । ପିଲାମାନେ ପଢ଼ନ୍ତୁ ।

 

ଘରଟା ଭାରି ଗରମ । ସହଜେ ତ ଭଲ ଲାଗୁନାହିଁ । ଗାଧୋଇଲା ପରେ ବି ଦେହଟା ଶୀତଳ ହେଉ ନାହିଁ । ବାହାରେ ବସିବା ।

 

ଦୁଆର ଫୁଲଗଛଗୁଡ଼ିକ ଉପରେ ଶୁକ୍ଳପକ୍ଷର ଜହ୍ନ ଲୁଚକାଳି ଖେଳୁଥିଲା । ଦୂରରେ ଆଲୁଅଟିଏ ଅଧାଜଳା ହୋଇ ଥୁଆ ହୋଇଥାଏ । ଝରକା ସେପାଖେ ପିଲାମାନେ ପଢ଼ିଲେଣି । ସୁଭାଷବାବୁଙ୍କୁ ଏମିତି ଆକାଶ ଆଉ ଘରର ଖୋଲା ପରିବେଶ ସୁଖ ଲାଗିଲା ନାହିଁ । ସେ କୁଣ୍ଠିତ ହୋଇ କହିଲେ–ଏଇଠି ବସିବା ?

 

ଗଭୀର ଦୀର୍ଘନିଶ୍ୱାସ ପକାଇ ଶ୍ୟାମାଦେବୀ କହିଲେ–ହଁ, ଏଇଠି । ବହୁତ କଥା ଆଜି କହିବି ଆପଣଙ୍କୁ । ଭାରି ରୁନ୍ଧି ହେଲାପରି ଲାଗୁଛି ।

 

ସୁଭାଷବାବୁ ଚାହିଁ ରହିଲେ ଶ୍ୟାମାଦେବୀଙ୍କ ସେହି ଅବସନ୍ନ ମୁହଁ ଆଉ ନିରୁତ୍ସାହ ଆଖି ଦୁଇଟିକୁ ଦେଖି ।

 

ଅସ୍ପଷ୍ଟ ସ୍ୱରରେ ଶ୍ୟାମାଦେବୀ କହିଲେ–କ’ଣ ହେଇଛି କେଜାଣି, ସବୁକଥା ଠୁଳେଇ ହୋଇ ପଡ଼ୁଛି ମୋ ଉପରେ । ମତେ ଡର ଲାଗୁଛି ଆପଣଙ୍କ କଲମଟି ରଖିବାବେଳୁ । କ’ଣ ସବୁ ଘଟି ନଯାଉଛି......କେତେ ଲେଖିବି.....ସେ ପୁଣି କେତେବେଳ ଲାଗି ପଢ଼ିବେ କେଜାଣି....

 

–କିଏ ପଢ଼ିବ ?

 

–ସେ ଗସ୍ତରୁ ଆସିଲେ ପଢ଼ିବେ । ଆମ ଭିତରେ ଆମେ ବିଭା ହେଲାଦିନୁ ପରସ୍ପର ପାଖରେ ଏତିକି ପ୍ରତିଜ୍ଞା କରିଛୁ । ଭଲ ହେଉ, ମନ୍ଦ ହେଉ ଦିହେଁ ଡାଇରି ଲେଖିବୁ ଆଉ ଦିହେଁ ଦିହିଁଙ୍କି ଦେଖାଇ....ଏମିତି କରି ଆସିଲୁଣି । କେହି କାହାରିକୁ ଦୋଷ ଦେଉନାହିଁ । ପଢ଼ୁ ଆଉ ବୁଝୁ...ଆଉ ଲେଖିବି କେମିତି କେଜାଣି.....

 

ଏକ ମନରେ ଗଭୀର ଉତ୍କଣ୍ଠାରେ ସୁଭାଷବାବୁ କହିଲେ–କ’ଣ ଗୁଡ଼ାଏ ଅସ୍ଥିରମନାଙ୍କ ପରି କହୁଛ ? ଡାଇରିରେ କ’ଣ ସବୁ କଥା ଲେଖା ହୁଏ ?

 

ହତାଶିଆ ସ୍ୱରରେ ଶ୍ୟାମାଦେବୀ ଉତ୍ତର ଦେଲେ–ଅଲିଭା ଅକ୍ଷରରେ ଯାହା ଏହି ମନ ଉପରେ ଗାରେଇ ହୋଇ ଯାଉଛି, ସେତିକି କ’ଣ ଲେଖି ହବ ନାହିଁ କାଗଜ ଉପରେ ?

 

–ଛି, ଡାଇରି ସବୁବେଳେ ଲୁଚି ରହିବ ନାହିଁ । କେତେବେଳେ କିଏ ପଢ଼ିବ ।

 

–କିଛି କଥା ଲୁଚିବ ନାହିଁ ଦିନେ ନା ଦିନେ ଯେତେ ଲୁଚେଇଲେ ବି ମଣିଷର ମନ ସବୁକଥା ଖୋଲିଦିଏ ପଦାରେ–ଜାଣି ଜାଣି କହେ, ନିଦରେ ବାଉଳି ହୋଇ କହେ, ଲେଖି ଥୋଇ ଦିଏ, ନ ହେଲେ ଭଜି ଭଜି ମଲାବେଳକୁ ଅଜ୍ଞାନରେ କହିଯାଏ । ମଣିଷର ମନ ଭାରି ନିଷ୍ପାପ । ଏକାବେଳେକେ ନିର୍ମଳ । ସେ ଭଲ କଥାକୁ ଲୁଚାଇ ରଖିପାରେ ଚିରଦିନ ପାଇଁ । କିନ୍ତୁ ଭୁଲଟାକୁ ଦିନେ ନା ଦିନେ କହିଦିଏ । ଡାଇରିରେ ଲେଖିଥିଲେ ସବୁଆଡ଼ୁ ଛୁଟି ।

–ସେ ପଢ଼ିବେ ?

–ପଢ଼ୁଛନ୍ତି ତ.... ପଢ଼ିଲେ ବା କରିବେ କ’ଣ ? କହିବି ଭୁଲ କରିଛି....ଆଉ କରିବି ନାହିଁ.....

–ସେ ଯଦି କ୍ଷମା ନ ଦିଅନ୍ତି ?

–ତେବେ ଫାଶୀକାଠକୁ ଯିବାକୁ ମୁଁ ତିଆର । ମଲାବେଳେ ଯାହାଙ୍କ ପାଇଁ ଲୋକହସା ହେଲି, ତାଙ୍କରି ଗୋଡ଼ତଳେ ମୁଣ୍ଡ ଲଗାଇ ତାଙ୍କରି ପାଦଧୂଳି ନେଇ କହିବି–ପ୍ରିୟ, ସେ ଠେଲିଦେଲେ ଫାଶୀ ଖୁଣ୍ଟକୁ । ଏଠି ଆଶ୍ରୟ ମିଳିବ କି ? ....ସେ କ’ଣ ଦେବେ ନାହିଁ ?

ସ୍ନେହମିଶା ସ୍ୱରରେ ସୁଭାଷବାବୁ କହିଲେ–ଆଚ୍ଛା ବାୟାଣୀ ଲୋକ । ଯାହା ବୁଝିଛ ସେୟା । ଭଲରେ ଅନର୍ଥ ଆଣି କ’ଣ ମଜା ପାଉଛ କେଜାଣି । କିଏ କ’ଣ ଏମିତି ଡାଇରିରେ ଗୁରୁତର କଥାମାନ ଲେଖେ ? ସ୍ୱାମୀ ସ୍ତ୍ରୀକୁ ପଢ଼ାଇବ, ଆଉ ସ୍ତ୍ରୀ ସ୍ୱାମୀକୁ ପଢ଼ାଇବ !

–କେଜାଣି କିଏ କ’ଣ କରୁଛନ୍ତି ମୁଁ ଜାଣେ ନା । ଆମେ ତ କରୁଛୁ । ସେ କ’ଣ ଭୁଲ୍ କରି ନାହାନ୍ତି ? ବହୁତ ଥର କରିଛନ୍ତି ମୋର ଭୁଲ୍ ନ ଥିଲା । ଭୁଲ୍ ହେଲା । ସେ ତ ଜାଣିବା କଥା–ଜାଣିବେ ।

 

–ତାଙ୍କୁ କ’ଣ ସବୁ କହିବ ମୁଁ ଶୁଣେ ?

 

–କହିବି–ସେ ନ ଥିଲାବେଳେ କେମିତି କ’ଣ ହେଲା ମୁଁ ଜାଣେ ନାହିଁ । ମୁଁ ଭାସିଗଲି ଗୋଟାଏ ଖିଆଲରେ । ଭଲ ପାଉଥିଲି ବୋଲି ଆଗରୁ ବୁଝିପାରି ନଥିଲି–ମୁଁ ତାଙ୍କୁ ଭଲପାଏ ।

 

–ହେଇ ଦେଖ, ସେ ସବୁ ଭଲ କଥା ନୁହେଁ । ଏଇଥିରୁ ହଣାକଟା ବେଶି ହୁଏ । କ’ଣ ଗୁଡ଼ାଏ ଗପୁଛ । ଏମିତି ତ କହୁ କହୁ କ’ଣ କହିବ କେଜାଣି ।

 

–ବୁଝୁଛି ଆପଣ ମୋତେ କେତେକ କଥା ଗୋପନ ରଖିବାକୁ ଚାହୁଁଛନ୍ତି । ସେଥିରେ ଆପଣଙ୍କର କ’ଣ ଲାଭ ହେବ ମୁଁ ବୁଝିପାରୁ ନାହିଁ । ସତ କଥା କହିବାକୁ ମନା କରୁଛନ୍ତି । ଏଇଟା କ’ଣ ମୋତେ ଭୁଲ ବାଟରେ ନେବାପରି ହେଉ ନାହିଁ କି ?

 

ସ୍ୱର ନୁଆଁଇ ଧୀରେ ସୁଭାଷବାବୁ କହିଲେ–ପରସ୍ପରର ଗୋପନ କଥାକୁ କୁହନ୍ତି ପ୍ରୀତି-। ଆଉ ତାକୁ ସବୁବେଳେ ଗୋପନରେ ରଖିବା କଥା ।

 

–ନା, ନା, ସେ କଥା ନୁହେଁ । ଲୁଚାଇ ଛପାଇ ଲୋକ ନିନ୍ଦାକୁ ଛାତି ନ ଦେଖାଇ ଅପରାଧୀଙ୍କ ପରି ଯେଉଁ ସମ୍ବନ୍ଧକୁ ମଣିଷ ଲୁଚାଇ ରଖେ ସେଇଟା ପ୍ରୀତି ନୁହେଁ–ସ୍ୱାର୍ଥପରତା, ବୀଭତ୍ସତା ।

 

–ତେବେ ମୋତେ ଭଲ ପାଅ ନାହିଁ ?

 

–କିଏ କହିଲା । ତୁମକୁ ଭଲ ପାଏ । ଭଲ ପାଏ ବୋଲି ତାଙ୍କୁ ନ କହିବି କାହିଁକି ? ତମେ ଅବା ତାଙ୍କୁ ଲୁଚାଇ ରଖିବ କାହିଁକି ? ଆମର କ’ଣ ଏତିକି ସ୍ୱାଧୀନତା ନାହିଁ ? ବାହା ହୋଇଛୁ ବୋଲି ମନ ଯଦି କାହାରିକୁ ଦେଖି ଆକୁଳ ହୁଏ, ସେହି ଆକୁଳତାକୁ ତଣ୍ଟିଚିପି ମାରି ଦେବାକୁ କ’ଣ ବାହାଘର ଆମକୁ କହିଛି କି ?

 

ଉଦ୍‌ବେଗରେ ସୁଭାଷବାବୁ କହିଲେ–ଶ୍ୟାମାଦେବୀ । ସତରେ ତୁମେ ବାୟାଣୀ ।

 

–ଶ୍ୟାମା ହେଉ କି କୃଷ୍ଣପ୍ରିୟା ହେଉ ବାୟାଣୀ ନ ହେଲେ ତମକୁ କାହିଁକି କିଏ ଭଲ ପାଇବ ? ଯୋଉ ଲୋକ ସବୁ ନେଇ କିଛି ନ ଦେବାକୁ ପଣ କରିଛି, ସେ ତ ପ୍ରେମିକ ନୁହେଁ–ସେ ଖଣ୍ଟ ।

 

–ଗାଳି ଦିଅନା । ଗୋଟିଏ ଦିନର ସାର୍ଥକତା ବଞ୍ଚି ରହୁ ଚିରଦିନ ।

 

–ବଞ୍ଚେଇବାକୁ ଚାହିଁଥିଲି । ତୁମେ ତ ନିଜେ ମୋରି ଆଖି ଆଗରେ ମୋତେ ମାରି ଦେଉଛ । ତମକୁ ଭଲ ପାଏ–ଏତିକି ଡାକି ଫୁକାରି କାହାରିକି କହିବାର ଅଧିକାର ତୁମେ ମତେ ଦେଲ ନାହିଁ । ତୁମେ ନିଷ୍ଠୁର, ହୃଦୟହୀନ, ବିବେକହୀନ ଲୋକ.....

 

ଗୋଟିଏ ଚାନ୍ଦିନୀ ରାତି ସତେ ଯେପରି ମଉଳି ଗଲା । ସୁଭାଷବାବୁଙ୍କ ଛାତି ଭିତରେ ଅକାଳରେ ଫୁଲଗୁଡ଼ିଏ ଝଡ଼ିଗଲା–କଳ୍ପନାର ଫୁଲ, ମନ ମତାଣିଆ ଫୁଲ, ନିଜ ହାତରେ ବଢ଼େଇଥିବା ଫୁଲଗୁଡ଼ିକ । ସେ ଦୀର୍ଘନିଶ୍ୱାସ ପକାଇ ଶ୍ୟାମାଦେବୀଙ୍କୁ ବାରମ୍ବାର ଚାହିଁଥିଲେ । ଅନ୍ୟମନସ୍କ ହୋଇ ସେ ଚାହିଁ ରହିଛନ୍ତି ସୁଭାଷବାବୁଙ୍କ ଘରଆଡ଼କୁ । ତାଙ୍କର ତନ୍ମୟତା ଭାଙ୍ଗୁନାହିଁ ସୁଭାଷବାବୁଙ୍କର ଖର ନିଶ୍ୱାସରେ ।

 

ସୁଭାଷବାବୁଙ୍କର ଦେହ ତାତି ଉଠିଲା–ପହରକ ଆଗରୁ ଅପ୍ରତ୍ୟାଶିତ ସାର୍ଥକତା ଯେମିତି ତାଙ୍କ ପ୍ରତ୍ୟେକ ଲୋମକୂପରୁ ଉଷ୍ଣତା ଫୋପାଡ଼ିଥିଲା । ସେତେବେଳେ ସେହିପରି ଅପ୍ରତ୍ୟାଶିତ ବ୍ୟର୍ଥତା ତାଙ୍କୁ ସେମିତି ବିଚଳିତ କରିଥିଲା । କେମିତି ସେ କହିବେ–ଚାଲିଯିବାକୁ ଚାହାନ୍ତି ଶ୍ୟାମାଦେବୀଙ୍କ ନିକଟରୁ । ଶ୍ୟାମାଦେବୀ ନୀରବ ଓ ନିଶ୍ଚଳ ।

 

–କଣ ଉଠିବା ?

 

ଚମକି ପଡ଼ି ଶ୍ୟାମାଦେବୀ ପଚାରିଲେ–କ’ଣ କହିଲ ଚାଲିଯିବ ! କାହିଁକି....ମୋତେ ଭାରି ଏକୁଟିଆ ଲାଗୁଛି.....ରୁହ... ?

 

–ଟିକିଏ ଧୂଆଧୋଇ ହୋଇ ଆସେ । ଭଲ ଲାଗୁନାହିଁ ।

 

–ଯିବ ତେବେ ! ଯାଅ । କହିଦେଇ ଯାଅ ଯେ ମୁଁ ଗୋଟାଏ ବିଷ । ମୋର ଚାହାଣି ଓ ନିଶ୍ୱାସରେ ବିଷ ଝରୁଛି ।

 

ଉତ୍‌କ୍ଷିପ୍ତ ହୋଇ ସୁଭାଷବାବୁ ଉଠି ବାହାରି ଗଲେ–ମଣିଷ ବାତୁଳର ଭଲ ପାଇବା ହଜମ କରିପାରେ ନାହିଁ । ଶ୍ୟାମାଦେବୀ ପ୍ରକୃତରେ ଗୋଟିଏ ବିପଦ !

 

ବାଟରେ ସୁଭାଷବାବୁ ନିଜକୁ କହିଥିଲେ–ଏ ଘରୁ ଶୀଘ୍ର ଚାଲି ନଗଲେ ଶ୍ୟାମା ଖାଇଯିବ ! ଏଇଟାକୁ ମୁଁ ବୃଥାରେ ଶ୍ରଦ୍ଧା କରି କୃଷ୍ଣପ୍ରିୟା କହୁଥିଲି ! ଭାଗ୍ୟ ଭଲ.....

 

ତେଣେ ଶ୍ୟାମାଦେବୀ ସେତେବେଳେ ହାରମୋନିୟମରେ ଧରାଇଲେ–‘ମରଣ ମୁହଁରେ ଛାଡ଼ି.....କାହିଁଗଲ ବନ୍ଧୁ !’

 

ଅସୀମ ଆକୁଳତା ଓ ବ୍ୟର୍ଥତା ତାଙ୍କର କଣ୍ଠସ୍ୱରରେ ଝରି ପଡ଼ୁଥିଲା । ବଡ଼ କରୁଣ ସେ କଣ୍ଠସ୍ୱର । ତାଙ୍କର ଅନୁତାପ ଜୀବନ୍ତ ହୋଇ ବାରମ୍ବାର ଡାକୁଥିଲା ସୁଭାଷବାବୁଙ୍କୁ । କିନ୍ତୁ ସେଦିନ ସେ ଆଉ ଉତ୍ସାହ ଦେଖେଇଲେ ନାହିଁ ।

 

ଏଣେ ଘର ଭିତରେ ବସିପାରିଲେ ନାହିଁ । ଯେତେ ହେଲେ ସେ ତ ତାଙ୍କର ମନକୁ ଲୁଟି ନେଇଛି । ସେ ସତ କହି ହେଉ, ଭଣ୍ଡେଇ ଠକେଇ ଅବା ଯାହା କରି ନେଇଥାଉ ସୁଭାଷବାବୁ ନିଜ ବନ୍ଧନର ଅଧୀନ । ନିଜେ କେଉଁ କଳ୍ପନାର ଜାଲ ସେହି କୃଷ୍ଣପ୍ରିୟାକୁ କେନ୍ଦ୍ର କରି ବୁଣିଥିଲେ, ସେହି ମାୟା ଡୋର ତାଙ୍କୁ ପୁଣି ଟାଣି ଟାଣି ନେଇଥିଲା ଛାତ ଉପରକୁ ।

 

ମନକୁ ହାଲୁକା କରିବାକୁ ଅବା ରିକ୍ତ ହୃଦୟକୁ ପୁଣି ସେମିତି ଅସ୍ପଷ୍ଟ ଧୂଆଁରେ ଭରି ଦେବାକୁ ସୁଭାଷବାବୁ ସିଗାରେଟ୍‌ ଲଗାଇଲେ ।

 

ଶ୍ୟାମାଦେବୀ ଦେଖିଲେ–ପଶ୍ଚିମ ଆକାଶରେ ପୁଣି ଚାନ୍ଦ ଦେଖାଦେଲାଣି । ସେ ଖୁସିହୋଇ ତାଙ୍କୁ ଶୁଣାଇଲା ପରି କହିଲେ–ଭାରି ଗରମ ଲାଗୁଛି । ଏଇ ବାହାରେ ଶୋଇଲେ ହୁଅନ୍ତା ... ଥଣ୍ଡା ଲାଗିବ କି କ’ଣ କିରେ ରତନା, ଏଠି ଶୋଇଲେ ଧିଅ ଖରାପ ହେବ ?

 

–ନାଁ । ମୁଁ ତ ସବୁଦିନେ ଶୁଏ ।

 

–ଡର ଲାଗିବ । ମେଲାଟା–

 

–ପହଲାମା ଅଛି ।

 

–କିରେ ପିଲେ ! ଶୋଇବ ପଦାରେ ?

 

–ମଶା ।

 

–ଶୋଇବ ନାହିଁ ତେବେ ।

 

–ମଶାରି ଟାଣିଲେ ଶୋଇବା–କୁନା କହିଲା ।

 

–ହଉ ନଶୁଅ । ଟିକିଏ ଶୋଇବା ପାଇଁ କିଏ ଆଉ ଏଡ଼େ ହଟହଟା ହେଉଛି......ମଉସା ଅଙ୍କ ପରୀକ୍ଷା କଲେ ?

 

–ନାହିଁ ।

 

–ପୁରସ୍କାର ଦେଲେ ?

 

–ନାହିଁ । ବେବି ତ ଚା ଢାଳିଲା ତାଙ୍କ ଲୁଗାରେ !

 

–ସେଇଥିପାଇଁ ମୁଁ ପରା ତମୁକୁ କହିଥିଲି ସେ ବାବୁ ଲୋକ । ତାଙ୍କ ଉପରେ ଲଦି ହେବ ନାହିଁ । ତାଙ୍କ ଲୁଗା କୋତରା ହେଲେ ସେ ଆଉ ଆସିବେ ନାହିଁ ଏଠିକି ।

 

–ଏଇ ବେବି, ସବୁ ଗୋଳମାଳ କରିଛି ମା’ । ତା’ର ଯୋଉ ଅସନା ମୁହଁ, ସେଥିରେ ମଉସାଙ୍କୁ କହିବ ରୁମାଲରେ ମୁହଁ ପୋଛିବ ବୋଲି ।

 

–ଆଛା ତମୁକୁ କିଏ ବେଶି ଭଲ ପାଏ ? ମଉସା ନା ବାପା ? କିରେ ବେବି, କିଏ ଭଲ ପାଏ ?

 

–ବାପା ।

 

–ଦେବମାମୁଁ ବେଶି ଭଲ ପାଆନ୍ତି ନା ମଉସା ବେଶି ଭଲ ପାଆନ୍ତି ?

 

–ଦେବମାମୁଁ । କୁନା କହିଲା ।

 

ସୁଭାଷବାବୁ କୋଠା ଉପରୁ ଶୁଣୁଥାନ୍ତି । ସିଗ୍ରେଟର ନିଆଁଗୁଳା ଫୁଲି ଉଠୁଥାଏ ବାରମ୍ବାର ।

 

ଶ୍ୟାମାଦେବୀ କୁନାକୁ ପଚାରିଲେ କଅଁଳେଇ–ଗୋଟିଏ କାମ କରିବୁ କୁନ ?

 

–ହଁ ।

 

ଟିକିଏ ଯିବୁ । ମଉସାକୁ ଏତକ କହି ଦେଇ ଆସିବୁ । ରହିଗଲାଣି । ସେ କାଳେ ପଢ଼ିବେ ।

 

–ହଁ, ଦିଅ ଯିବି ମୁଁ ।

 

–ଦେଇ ଆସିବୁ । ଗଣି ବୁଝେଇ ଦେଇ ଆସିବୁ ଚାରିଖଣ୍ଡ । ମଇଳା ହେଇନାହିଁ । ଗାରିଆଗାରି ହେଇନାହିଁ । କିଏ ପୁଣି ତାଙ୍କଠୁ ମାଗି ନଉଥିବ ଆଉ ଫେରେଇଲା ବେଳେ କହିବ ଆମେ ଖରାପ କରିଥିଲୁ ବୋଲି । ମାଗିକରି ପଢ଼ିବା କଥା । ସେ କ’ଣ ଆଉ ଦେବେ କି ?

 

–ବହି ଦେଲେ ଆଣିବି ?

 

–ଦେଲେ ଆଣିବୁ ନାହିଁ କାହିଁକି ! ଆଣିବୁ ।

 

କୁନା ଚାଲିଗଲା ବହିଗୁଡ଼ିକ ଧରି । ସୁଭାଷବାବୁ ସତେବେଳେ ଏକ ମନରେ ଏକ ଧ୍ୟାନରେ ଶୁଣୁଥିଲେ ଶ୍ୟାମାଦେବୀଙ୍କ କଥା । ସତରେ ସେ ଗୋଟିଏ ଅଭିଶପ୍ତା । ଜହ୍ନ ପରି ସେ ସ୍ନିଗ୍ଧ ଆଉ ଶୀତଳ । ଜହ୍ନ କିରଣ ପଡ଼ିଥିବା ଫୁଟିଥିବା ଗଛର ଫୁଲଗୁଡ଼ିକ ପରି ସେ ମନୋହର ।

 

କୁନା ଭିତରକୁ ପଶିଲା । ସେ ଓହ୍ଲାଇ ଆସିଲେ ।

 

–ମା’ ଦେଇଛନ୍ତି ବହି ।

 

–ଆଉ ବହି ନବ ?

 

–ଦେଖି ନିଅ ଠିକ୍‌ ଅଛି । ଚାରିଖଣ୍ଡ । ମଇଳା ହୋଇ ନାହିଁ ।

 

କୁନାକୁ ତାଙ୍କର ଦୁଇବାହୁ ଭିତରେ ଧରି ସେ ଅତ୍ୟନ୍ତ ଭାବପ୍ରବଣ ହୋଇ କହିଲେ–ମଉସା ସିନା ପର । ପରକୁ ପର ବୋଲି କହିଲେ ଭାରି ବାଧେ ତାକୁ ।

 

କୁନା ସେହି ନିବିଡ଼ ସ୍ପର୍ଶରେ ବିଚଳିତ ହୋଇ ପଡ଼ିଲା । ଫିଟିଯିବାକୁ ଚଞ୍ଚଳ ହେଲା ।

 

ତାଙ୍କର ବାହୁବନ୍ଧନରୁ ଫିଟିଆସି ସେ ପଚାରିଲା–ଆଉ ବହି ଦବ ।

 

ଦୁଃଖରେ ସେ କହିଲେ–ବହି ନାହିଁ । ସବୁଯାକ ଦେଇଥିଲି ମା’କୁ । ସେ ଏତେ ଚଞ୍ଚଳ ପଢ଼ିଦେବ ବୋଲି ମୁଁ ଜାଣି ନଥିଲି ।

 

–ସେ ସବୁବେଳେ ପଢ଼ନ୍ତି । ବହୁତ ବହି ପଢ଼ିଲେଣି ।

 

–କାଲି ଦେବି । ନିଜେ ନେଇ ଦେଇ ଆସିବି । ତମ ଘରେ କାଲି ଖାଇବି । ମା’କୁ କହିବ ଖୁବ୍‌ ଭଲ କରି ରାନ୍ଧିବେ । ଭୋଜି କରିବା ।

 

–ଏଁ, ଭୋଜି ?

 

–ହଁ, ମା’ କ’ଣ ମନା କରିବ ?

 

–କେଜାଣି । ତମେ କହିଲେ ଅବା କରିପାରେ ।

 

–ହଉ କହିଦେବ । ମୋ ନାଁରେ ।

 

–ମା’ ମିଛ ବୁଝିବ । ଟିକିଏ ଲେଖିଦିଅ ।

 

କଲମ ନାହିଁ । କଲମ ଆଣିବାକୁ ଭୁଲିଗଲେ ! ପେନସିଲଟି କାଢ଼ି ଲେଖିଲେ–କାଲି ତମ ଘରେ ଭୋଜି ହେବ....ସୁଭାଷ ।

 

କୁନା ଧାଇଁ ଆସି ମା’କୁ ଚିଠିଟା ଦେଲା । ଶ୍ୟାମାଦେବୀ ପଚାରିଲେ–କି ଚିଠି ?

 

–ପଢ଼ ତମେ ।

 

ଆଲୁଅ ପାଖରେ ଚିଠିଟି ପଢ଼ିବାକୁ ଶ୍ୟାମାଦେବୀ ଚେଷ୍ଟା କଲେ–ଟର୍ଚ୍ଚଟା ଆଣିଲୁ । ଭଲ ଦିଶୁନାହିଁ ଏ ଲଣ୍ଠଣରେ ।

 

ଟର୍ଚ୍ଚ ଆଲୁଅରେ ଶ୍ୟାମାଦେବୀ ପଢ଼ି ପଚାରିଲେ–କି ଭୋଜି ?

 

–ମୁଁ ଜାଣେ ନାହିଁ ମଉସା କହିଛନ୍ତି ।

 

–ମଉସା ନିଜେ କହିଲେ ନା ତୁ ତାଙ୍କୁ କହି ଲେଖାଇ ଆଣିଛୁ ? ପେଟୁ ।

 

–ମୁଁ କାହିଁକି ପେଟୁ ହେବି ? ମୁଁ ଭୋଜି ଖାଏ ନାହିଁ । କହି ଆଖିରୁ ଲୁହ ଝରେଇଲା ।

 

ଶ୍ୟାମାଦେବୀ ପାଖକୁ ଟାଣି ନେଇ କହିଲେ–ହଉ, ଭୋଜି କରିବା, ମଉସା ଆସିବେ ତ-?

 

–ସେ ତ ନିଜେ କହିଲେ ।

 

–ଆଉ କ’ଣ କହିଲେ ?

 

–କହିଲେ, ମଉସାଙ୍କୁ ଆମେ ପର କରିଦେଲୁ ।

 

–ଆରେ, କୁନ, ତୁମ ମଉସା କେବେ ପର ହୋଇ ପାରିବେ ନାହିଁ । ତାଙ୍କୁ ପର କରିବ କିଏ ? ଏତେ ଭଲ ଲୋକ । ତମକୁ ଏତେ ଆଦର କରନ୍ତି । ବାପାଙ୍କର ଏତେ ପ୍ରିୟ ।

 

କୋଠା ଉପରୁ ସୁଭାଷବାବୁ ଶୁଣୁଥିଲେ । ତାଙ୍କର ମନ ଅନୁଶୋଚନାରେ ପୋଡ଼ି ହୋଇ ଯାଉଥିଲା । ସେହି ଦୁର୍ବଳ ଅଳସ କଣ୍ଠସ୍ୱର ତାଙ୍କୁ ଶୁଣେଇ ଶୁଣେଇ କହୁଛି–ଯାହା ନ କହିଛି, ସେତକ ସେହି କଣ୍ଠସ୍ୱର ଭିତରେ କହି ଯାଇଛି ।

 

ତେବେ ଏ ବନ୍ଧନ କ’ଣ ଛିଣ୍ଡିବ ନାହିଁ ?

 

ତହିଁଆର ଦିନ ଅଫିସ ବେଳକୁ ଶ୍ୟାମାଦେବୀ କୁନାକୁ କହିଲେ–ମଉସା କିଛି ଖବର ଦେଲେ ନାହିଁ ତ । ବହି ପଠେଇଲେ ନାହିଁ । ତାଙ୍କର କଲମ ନାହିଁ । ଦେଇ ଆସିବୁ । ସେ ଅସୁବିଧା ଭୋଗୁଥିବେ ।....ଆଉ ପଚାରି ଆସିବୁ ସେ ଆସିବେ କି ନାହିଁ....

 

କୁନା କଲମଟି ନେଇ ପହୁଞ୍ଚିଲା । ପଛେ ପଛେ ବେବି....ମଉସା ଆସିବେ ଟି ? ଆମୁକୁ ଛୁଟି କରେଇ ଦବ ଆଜି ଦିନଟା । ଭୋଜି ହେବ ମା’ କହିଛି ।

 

–ହଉ । ଆସିବି ।

 

–ଛୁଟି ?

 

–ନଇଲେ ମା’ ପଢ଼ିବାକୁ କହିବ ।

 

–ମୁଁ ଗଲେ ଛୁଟି କରେଇ ଦେବି ମା’କୁ କହି ।

 

–ମା’ ଯଦି ନ ଶୁଣେ ? ବେବି ପଚାରିଲା ।

 

–ହଁ ଶୁଣିବେ । ସେ ଭାରି ଭଲ । ଶୁଣିବେ ଯେ ।

 

ପିଲା ଦୁଇଟି ଫେରି ଚାଲିଗଲେ–ମଉସା ଆସିବେ....ମା’ ଭାରି ଭଲ....କହି ବେବି ନଦି ହୋଇଗଲା ମା’ ଉପରେ ।

 

–କ’ଣ ହେଲା ?

 

କୁନା କହିଲା–ହ’ମା ମଉସା ଆସିବେ ।

 

–କଲମ ଦେଲୁ ? କ’ଣ କହିଲେ ?

 

–ହଁ ଦେଲି । ଖାଲି କହିଲେ ମା’ ଭାରି ଭଲ ।

 

ଶ୍ୟାମାଦେବୀଙ୍କ ଓଠର ପ୍ରସନ୍ନ ହସ । ଆଉ ଆଖିରେ ସନ୍ତୋଷ ଦେଖାଦେଲା । ସେ ସୁଭାଷବାବୁଙ୍କୁ ମନେ ମନେ ଖୋଜୁଥିଲେ ଗଲା ବେଳଠାରୁ । କେଜାଣି କ’ଣ ଭାବି ଫେରିଛନ୍ତି । କହୁଥିଲେ ଏକୁଟିଆ ବସି ରହିବାକୁ ଭାରି କଷ୍ଟ ଲାଗିବ । ଅକାରଣଟାରେ ତାଙ୍କୁ ଗୁଡ଼ାଏ କହିଲି–ଚାଲିଗଲେ.....ଆସିବେ ।

 

ନାରୀସୁଲଭ ଆବେଗ ଓ ସାର୍ଥକ ପ୍ରୀତିର ସମସ୍ତ ତନ୍ମୟତା ଧରି ଶ୍ୟାମାଦେବୀ ସୁଭାଷବାବୁଙ୍କ ପାଇଁ ଯୋଗାଡ଼ କରିବାରେ ଲାଗିଲେ । ଯେତିକ ଖଟିଛନ୍ତି ସେତିକି ତୃପ୍ତି ଆସିଛି ।

 

ସୁଭାଷବାବୁ ସେଦିନ ବହି ଦୋକାନରେ ପୁସ୍ତକ ତାଲିକା ଭଲକରି ଦେଖି ବହି ବାଛିଥିଲେ ଶ୍ୟାମାଦେବୀଙ୍କ ପାଇଁ । କୌଣସି ବହି ମନକୁ ପାଏ ନାହିଁ । ମନ କଥା ଓ ସତ କଥାର ସମସ୍ତ ଦୋଷଗୁଣ ନେଇ ଲେଖା ହୋଇଛି–ଏମିତି ଖଣ୍ଡେ ବହି ବି ମିଳିଲା ନାହିଁ । ସବୁ ବହିରେ ସତଠାରୁ ମିଛ ବେଶି । ଖାଲି ମିଛ ତ ନୁହେଁ । ଭୁଲ କଳ୍ପନାର ପୋଷାକ ପିନ୍ଧି ମିଛଗୁଡ଼ିକ ଠିଆ ହୋଇଛନ୍ତି ।

 

ଦୋକାନୀ ଶେଷକୁ କହିଲା–ଯେମିତି ବହି ଆପଣ ଖୋଜୁଛନ୍ତି, ସେ ତ ବରାଦ ଦିଆ ବହି ହେବ । ଲେଖକମାନେ ଚିଡ଼ିଯିବେ । ସମସ୍ତେ ତ କହୁଛନ୍ତି ତାଙ୍କ ବହି ଜୀବନର ସତ ଉପରେ ଲେଖା ହୋଇଛି । ଆପଣ ଯଦି ଲେଖନ୍ତେ ନିଜ ଜୀବନରେ ଘଟିଥିବା ଘଟଣାକୁ–ଯେମିତି ଘଟିଛି ଠିକ୍‌ ସେମତି ଭାବରେ–

 

–ଆମେ ତେବେ କ’ଣ ନିଜେ ଲେଖି ନିଜେ ପଢ଼ିବୁ ? ଆଉ ଏଇ ଲେଖକମାନେ ପାଠକକୁ ଭଣ୍ଡୁଥିବେ । ଅନ୍ୟାୟ କଥା ।

 

–ଲେଖକଙ୍କ ଭିତରେ ସାଧୁ ବେଶି କି କମ୍‌ ଆମେ ତ ଖୋଲି କହିପାରିବୁ ନାହିଁ । ଆପଣ କହିଲେ କହି ପାରନ୍ତି । ନିଅନ୍ତୁ କିଛି–ଯାହା ମିଳୁଛି ।

 

ବାଧ୍ୟ ହୋଇ ସୁଭାଷବାବୁ ଭଲ ଛପା ହୋଇଥିବା କେତେ ଖଣ୍ଡ ବହି ଧରିଲେ । ବହିର ଘଟଣା ଯଦି ମିଛ ତେବେ ଅସ୍ପଷ୍ଟ ଓ ଅଶୁଦ୍ଧ ଛପା ହୋଇଥିବା ବହି ନେବେ କାହିଁକି ?

 

କେଇ ଖଣ୍ଡ ବହି ଏପାଖ ସେପାଖ କରି, ସଢ଼ା ପରିବାରୁ ଭଲ ବାଛି ନେଲା ପରି, କୁଣ୍ଠିତ ମନରେ ଫେରିଲେ ଶ୍ୟାମାଦେବୀଙ୍କ ଘରକୁ ।

ପିଲାମାନେ ଚାହିଁ ବସିଛନ୍ତି ବହିପାଖରେ । ମା’ ମନା କରି ଦେଇଛନ୍ତି–ଛୁଟି ଦେବେ ନାହିଁ । ନ ପଢ଼ିଲେ ଖାଇବାକୁ ଦେବେ ନାହିଁ ବୋଲି କହିଛନ୍ତି । ବାଧ୍ୟ ହୋଇ ମଉସାଙ୍କ ପାଦ ଶବ୍ଦକୁ କାନ ଡେରି ପିଲା ଦୁଇଟି ଗୁଣୁ ଗୁଣୁ ଦେଉଥାଆନ୍ତି ।

–ହେଇ ମଉସା ଆସିଲେ–ମଉସା ଆମେ ପଢ଼ିବୁ ନାହିଁ । ମା’ ଜୋର କରି ପଢ଼ାଉଛନ୍ତି-। ପଢ଼ା ମନେ ରହୁନାହିଁ ।

–ହଉ । ତମର ଛୁଟି । ପିଲାମାନେ ବହି ଫୋପାଡ଼ି ଦେଇ ହୋ ହା ହୋଇ ଉଠିଲେ । ଦି’ପିଲାଯାକ ମଉସାଙ୍କୁ ଘେରିଯାଇ ପାଟି କରୁଥାନ୍ତି–ମଉସା ଭାରି ଭଲ....ମା’ ଆମର ଛୁଟି ହୋଇଗଲା ଆଜି....ମଉସା ଆସିଲେଣି.....ବହି ଆଣିଛନ୍ତି.....

ପିଲାମାନଙ୍କର ଗୋଳମାଳରେ ଶ୍ୟାମାଦେବୀ ଉଠି ଆସିଲେ । ରାନ୍ଧୁଥିଲେ ସେ–ଘରୋଇ ପୋଷାକ । ରୁଚି ପରିପାଟୀ ନାହିଁ ।

–କି ଏଡ଼େ ପାଟି ! ଛୁଟି କ’ଣ ହେଲା ?

–ମୁଁ ଛୁଟି ଦେଇଛି ।

–ପିଲାଏ ଆଉ ପଢ଼ିବେ ନାହିଁ । ସେ ତ ମାନିଲେ ନାହିଁ ମତେ ।

–ଆଜି ଦିନକ । ସକାଳୁ କହିଥିଲେ । ତାଙ୍କର ସରାଗ ଭାଙ୍ଗିବାକୁ ମନ ବଳିଲା ନାହିଁ । ଆଜି ଦିନଟା ଛାଡ଼ି ଦିଅ । ଆଜି ଭୋଜି ।

–ହଉ । ମନର ସରାଗ ଯଦି ଏଡ଼େ ବଡ଼ କଥା–ହେଲା ତେବେ । ହଉ ପିଲେ ଛୁଟି । ହେଇ ଶୁଣ, ଅଲଗାରେ ଖେଳ । ମଉସାଙ୍କ ସାଙ୍ଗରେ ଅନେକ ଦରକାରୀ କଥା ଅଛି । ଗୋଳମାଳ କରିବ ନାହିଁ । କଲେ ପାଠ ପଢ଼ିବ ।

 

–ନା ଆମେ ଖେଳିବୁ....ଏ ରତନା, କେତେ ଡେରି ହେବ.......ପହଲାମା ଖାଲି ବସିଛି.....କାମ କଲେ ସିନା ଭୋଜି ସରନ୍ତା...ଅଳସୋଇ...

 

–ହଁ, ହବ । ହେଲାଣି । ତେମେ ଯାଅ, କହି ଦବ ବେଣୁଧରକୁ । ସେ ରାନ୍ଧିବ ନାହିଁ । ରନ୍ଧା ସରିଲେ ତାକୁ ଯାଇ ରତନା ଡାକି ଆଣିବ ।

 

ଶ୍ୟାମାଦେବୀଙ୍କ ଆଦେଶ ପାଳି କୁନା ଆଉ ବେବି ଧାଇଁଲେ ବେଣୁଧରକୁ କହିବାକୁ ।

 

ଶ୍ୟାମାଦେବୀ ଲାଗି ଆସିଲେ ବହି ନେବାକୁ । ସୁଭାଷବାବୁଙ୍କ ସାଙ୍ଗରେ ହାତ ବାଜେ ନ ବାଜେ ଅବସ୍ଥାରେ ବହି ନେଇ ପଚାରିଲେ–ଏବେ ମନେ ପଡ଼ିଲା ନା ? ଏଡ଼େ ହନ୍ତ ସନ୍ତ କରନ୍ତି କାହିଁକି ?

 

–କାଲି ଠୋଉଁ କାହିଁକି ପୁଣି ଚିଡ଼ିଯାଇ ଏତେ ମାନ୍ୟ ଦେଖାଉଛ ?

 

–ସତେ ତ । ଚିଡ଼ିନାହିଁ । ଚିଡ଼ିବି କାହା ଉପରେ ? ଅଧିକାର ଖଟୁ ନାହିଁ । ଆଜି ଭୋଜି ହେଲା–ବିଚାରା ଦେବ ନାହିଁ । ସେ ନାହାନ୍ତି...ଭଲ ବହି ଆଣିଛ ?

 

–କ’ଣ ଭଲ ବହି ! ଗୁଡ଼ାଏ ଏଣୁତେଣୁ ମିଛ କଥା ଗାରେଇ ଲେଖକମାନେ ତାକୁ କହୁଛନ୍ତି ବହି ବୋଲି । ତାକୁ ପୁଣି ଶୁଦ୍ଧ ଅଶୁଦ୍ଧ କରି ଛାପି ବହିବାଲା ବିକୁଛି । ଆଣିଛି ସେଥିରୁ ।

 

–ଆଉ କ’ଣ ହୁଅନ୍ତା । ମଣିଷ ମଲେ ସିନା ସତ ଜଣାପଡ଼େ । ବଞ୍ଚିଥାଇ ସତ କହି ପାର ହବ କିଏ ? ମନ କଥା ଲେଖିଲେ ତାକୁ ପଢ଼ିବ କିଏ ? ଛାପିବ କିଏ...ମିଛ ହେଲେ ବି ବେଳ କଟାଇବାକୁ ବହି ଭାରି ଦରକାର ହୁଏ.....ଆଜି ଟିକିଏ କଥା ଅଛି ତୁମ ସାଙ୍ଗରେ...

 

–କ’ଣ କହୁନା ।

 

–ଏମିତି ! ଲୁଗାଟା ବଦଳି ଆସେ । ହଉ ଟିକିଏ ରହ । ରୋଷେଇ କୋଉଯାଏ ଗଲା ଦେଖେ ।

 

ଶ୍ୟାମାଦେବୀ କିଛି ସମୟ ପରେ ନୁହେଁ ସାଧାରଣ, ନୁହେଁ ଅସାଧାରଣ–ଲୁଗାପଟା ପିନ୍ଧି ପୋଛାପୋଛି ହୋଇ ଆସି ପହଞ୍ଚିଲେ । ହସି କହିଲେ–ଆସ ଏଇ ଘରକୁ ।

 

ବାହାରେ ବସିବା ନାହିଁ ?

 

–ଦରକାର ନାହିଁ । ଆଜି ତ ତୁମେ ଅତି ପବିତ୍ର ।

 

ଶୁଖିଲା ହସ ଖେଳାଇ ବିରସ କଣ୍ଠରେ ସୁଭାଷବାବୁ କହିଲେ–କ’ଣ ପବିତ୍ର ହେଲି ଆଜି-?

 

–ଆଜି ପରା–ଆଜି ନୁହେଁ, କାଲିଠାରୁ କୃଷ୍ଣପ୍ରିୟା ତୁମକୁ ତା’ର ସମସ୍ତ ଉତ୍ସର୍ଗ କରି ଦେଲା । ତୁମେ ତାକୁ ରଖ କି ଫୋପାଡ଼ି ଦିଅ । ସେ ତୁମର ।

 

ବିସ୍ଫାରିତ ନୟନରେ ସୁଭାଷବାବୁ ଚାହିଁରହିଲେ ଶ୍ୟାମାଦେବୀଙ୍କୁ । ଶ୍ୟାମାଦେବୀ ସେମିତି ହସି ପଚାରିଲେ–ବିଶ୍ୱାସ ହେଉ ନାହିଁ ନା ?

 

–ହଁ, ନହେବ କାହିଁକି ? ତୁମର ପ୍ରତ୍ୟେକ କଥାରେ ମୋର ଅଗାଧ ବିଶ୍ୱାସ ।

 

–ବିଶ୍ୱାସ ଯଦି କରୁଛ, ଶୁଣ । କାଲି ରାତିରେ ମୁଁ ତ ଡାଇରିରେ ଲେଖିଲି ନାହିଁ । ହାରମୋନିୟମ ବଜାଉଥିଲି, ଶୁଣିଥିବ । ....ବସି ଭାବିଲି ବହୁତ ବେଳ....ଆଗପଛ । ଏପାଖସେପାଖ....ଶେଷକୁ ତୁମେଇ ଜିଣିଲ...ଶ୍ୟାମା ହାରିଗଲା ।

 

–କ’ଣ କୁହ । ମୋତେ ଏମିତି ବାରମ୍ବାର କୂଟକପଟ କର ନାହିଁ । ଦୟା କରି....

 

–ଦୟା ! ମୁଁ କରିବି ନା ତୁମେ କରିବ ? ତୁମର ଦୟା ମୋର ଦରକାର । ଅଳି କରୁଛି–ଭିକ ମାଗୁଛି ।

 

–କୁହ, କୁହ !

 

–କାଲି ଠିକ୍‌ କଲି ଯେ ସେ ଶ୍ୟାମାଦେବୀଙ୍କୁ ପାଇବେ । ତୁମେ ପାଇବ କୃଷ୍ଣପ୍ରିୟାକୁ । ଏହି ଦେହଟା ତାଙ୍କର । ଏଇ ମନଟା ତମର । ବାହାଘର ଯୋଉ ପାଚେରୀ ପକାଇ ଦେଇଛି–ସେତିକି ହେଉଛି ବ୍ୟବଧାନ ।

 

ସୁଭାଷବାବୁଙ୍କର କାତର ମୁହଁକୁ ଚାହିଁ ଶ୍ୟାମାଦେବୀ ପୁଣି କହିଲେ–ଏକାନ୍ତ ମନରେ ତୁମକୁ ମୋର ମନ ସମର୍ପଣ କଲି । ଏଇ ଦେହକୁ କାମନା କରିବ ନାହିଁ ଏତିକି ହେଉଛି ତୁମ ପ୍ରତି ନିଷେଧ । ପାରିବ–ଦୟା ଦେଖାଇ ପାରିବ ?

 

ସୁଭାଷବାବୁଙ୍କ ଆଖିରୁ ଦୁଇଧାର ଲୁହ ଗଡ଼ି ଯାଇଥିଲା ଶ୍ୟାମାଦେବୀଙ୍କର ପାଦ ଉପରେ । ଶ୍ୟାମାଦେବୀଙ୍କ ଆଖିରେ ଝର ଖୋଲି ଯାଇଥିଲା ।

 

ଆଖିରେ ଲୁହ ! ଜଣେ ଆଉ ଜଣକର ଅନ୍ତରର କଥା ଦେଖିଥିଲେ, ଲେଖିଥିଲେ ଓ ପଢ଼ିଥିଲେ ।

 

–ଘୁଞ୍ଚି ଆସ । ଶୁଣ ।–ଶ୍ୟାମାଦେବୀ କହିଲେ ।

 

ସୁଭାଷବାବୁଙ୍କର ଆଖିରୁ ଶ୍ୟାମାଦେବୀ ପଣତ କାନିରେ ଦୁଇ ଧାର ଲୁହ ପୋଛି ଦେଇଥିଲେ । ତାଙ୍କର ଦୃଷ୍ଟି ଥିଲା ବାହାର ଆଡ଼କୁ । ସେ ସେମିତି ବିକ୍ଷୁବ୍‌ଧ ସ୍ୱରରେ କହିଲେ–ମୋର ସ୍ୱାଧୀନତା ନାହିଁ । ତୁମେ ଜାଣିଛ । ଆଜି ଶେଷ ଥର ପାଇଁ ତୁମକୁ ଛୁଇଁ ମୋର ଏଇ ପୋଡ଼ା ମନର ସମସ୍ତ ଭଲ ପାଇବା ତୁମର ପାଦ ତଳେ ଅଜାଡ଼ି ଦେଇ ତୁମକୁ ପ୍ରାର୍ଥନା ଜଣାଉଛି–ପ୍ରିୟତମ ! ଏଇ ମନକୁ ଗ୍ରହଣ କରି ଏହି ଦେହଠାରୁ ଦୂରରେ ରହିବ ।

 

ଶ୍ୟାମାଦେବୀ ଘୁଞ୍ଚିଗଲେ । ନିଶ୍ଚଳ ସୁଭାଷବାବୁଙ୍କୁ ଚଞ୍ଚଳ କରିବାକୁ କହିଲେ–ପ୍ରତିଜ୍ଞା କର, ମୁହଁ ଖୋଲି କହ, ଦେଖିବ ତମର ମନ ଆଉ ତୁମ୍ଭକୁ ହଲଚଲ କରିବ ନାହିଁ । ତମେ ପ୍ରୀତି ଖୋଜୁଥିଲ ! ପାଇବ ।

 

ଶ୍ୟାମାଦେବୀ ଧୀରେ ଚାଲିଗଲେ ରୋଷେଇଘର ଆଡ଼େ । ସୁଭାଷବାବୁ ବହୁତ ବେଳ ଠିଆହୋଇ ମନକୁ ବାରମ୍ବାର ପଚାରୁଥିଲେ–ଶ୍ୟାମାଦେବୀଙ୍କର ସେହି କେତୋଟି କଥା ।

 

ଖାଇସାରିଲା ପରେ ଶ୍ୟାମାଦେବୀ ସୁଭାଷବାବୁଙ୍କୁ ବସାଇ ପଚାରିଲେ–କ’ଣ ଠିକ୍‌ କଲ-? ବାହା ହବ ?

 

ବିମର୍ଷ ଚାହାଣି ଖେଳାଇ ସୁଭାଷବାବୁ କହିଲେ–ଯାହା କରିବ କର । ତେବେ ବାହାଘର ପରେ ତୁମେ କ’ଣ ଠିକ୍‌ ଏଇ ମନ ନେଇ ଏମିତି ବ୍ୟବହାର ଦେଖାଇ ପାରିବ ?

 

ଚିନ୍ତିତ ହୋଇ ଶ୍ୟାମାଦେବୀ ନୀରବ ରହିଲେ....

 

ଟିକକ ପରେ କହିଲେ ଭାବିଲା ଭାବିଲା ପରି–ହଁ ପାରିବି । ପାରିବି ନାହିଁ କାହିଁକି ? କିନ୍ତୁ ତୁମେ ଠିକ୍‌ ଏହି ମନରେ କୃଷ୍ଣପ୍ରିୟାକୁ ତା’ର ସବୁ ଦୋଷଗୁଣ ଭୁଲି ଭଲ ପାଇପାରିବ ତ ?

 

–ହଁ, ନିଶ୍ଚୟ ପାରିବି ।

 

–କେଜାଣି, ତୁମେ ଅବା ଲକ୍ଷେକରେ ଜଣେ ହୋଇଥିବ । ତୁମେ ଅବା ଅସମ୍ଭବକୁ ସମ୍ଭବ କରିପାରିବ....ଆଉ ଯେବେ ସେତକ କରିପାର–ବାହାରକୁ ନ ଦେଖାଇ ମନ ଭିତରେ ତେବେ ଜାଣିବ ଯେ ମୋର ଆଜି ଦିନଟି ସାର୍ଥକ ହୋଇଛି । ତୁମେ ମୋତେ ସବୁ ଅବସ୍ଥାରୁ ଉଠାଇନେଇ ତୁମର ହୃଦ ବେଦୀରେ ବସେଇ ପାରିଛ.... ।

 

ଶ୍ୟାମାଦେବୀଙ୍କର ଗଳା ଥରି ଉଠିଥିଲା ଆଖିର ଲୁହରେ । ସେ ଗଦ୍‌ଗଦ୍‌ ସ୍ୱରରେ କହିଲେ –ଏମିତି ଅକସ୍ମାତ୍‌ ଦିନେ କୌଣସି ନାରୀର ଜୀବନରେ ଅସମ୍ଭବ ସମ୍ଭବ ହୋଇଥାଏ ।

 

ସୁଭାଷବାବୁ ଉତ୍ତର ଦେଇପାରିଲେ ନାହିଁ । ଶ୍ୟାମାଦେବୀ ଆଉ କିଛି ପଚାରି ନାହାନ୍ତି । ସେଇ ନିସ୍ତବ୍‌ଧ ନୀରବତା ଭିତରେ ସେମାନେ ଯେତିକି ଭାବ ବିନିମୟ କରିଥିଲେ, ସେଥିରେ ଦୁହେଁଯାକ ତାଙ୍କର ଅତୀତ ଓ ଭବିଷ୍ୟତର ବହୁତ ପ୍ରଶ୍ନର ଉତ୍ତର ପାଇଥିଲେ ।

 

ଇୟେ କ’ଣ ସମ୍ଭବ ! ଜୀବନର ବିଚିତ୍ର ଗତିପଥରେ କ’ଣ ଏମିତି ବିଚ୍ଛେଦ ଓ ମିଳନ ସମ୍ଭବ । ଦୁହେଁ ଅଭିଭୂତ ହୋଇ ଦେଖୁଥିଲେ–ସମ୍ଭବ ହୋଇଛି ତ !

 

ଦୁହିଁଙ୍କ ଆଖିରୁ ଝରି ପଡ଼ୁଥିଲା ମଦିରା–ସେ ମିଳନରେ ବିରହ ଥିଲା ।

 

ଦିନର ଉତ୍ସବ ଓ କୋଳାହଳ ସରି ଯାଇଥିଲା । ସମସ୍ତେ ଚାଲିଗଲେଣି ଯେ ଯାହାର ବାଟରେ । ସୁଭାଷବାବୁ ଯିବେ ।

 

ଦରଦଭରା କଣ୍ଠରେ ଶ୍ୟାମାଦେବୀ କହିଲେ–ତମେ ଯିବ ତ.... ଯାଅ.....ଭୁଲିବ ନାହିଁ ଆଜିର ଏଇ ଦିନଟିକୁ.....

 

ସେ ଦିନ ନିସ୍ତବ୍‌ଧ ରାତିରେ ଛାପି ଛାପିକିଆଜହ୍ନ ଆଲୁଅରେ ଶ୍ୟାମାଦେବୀ ଦେଖୁଥିଲେ ନିଜକୁ–ସେ ପୁଣି ଥରେ ବିଭା ହୋଇଛନ୍ତି......ମନର ବିବାହ ହୋଇ ନଥିଲା.....

Image